
କୌଣସି ଗୋଟିଏ ଅଲୌକିକ ଘଟଣା ଜଣେ ମାମୁଲି ଗରିବ ପ୍ରଜାଠୁ ଶୁଣିଲେ ବି ସେ ନିଜେ ସେହି ଆଡକୁ ଯାଇ ତାହାର ପ୍ରତିକାର କରୁଥିଲେ । ଦୁଃଖୀରଙ୍କି, ଅତିଥି, ଅଭ୍ୟାଗତ, ଏମିତି କେହି ବି ତାଙ୍କ ଦୁଆରୁ ନିରାଶ ହୋଇ ଫେରୁ ନଥିଲେ । ସେଥିପାଇଁ ଚାରିଆଡେ ଲୋକେ ତାହାଙ୍କୁ ଧନ୍ୟ ଧନ୍ୟ ବୋଲି କହୁଥିଲେ । ମହାରାଜା ବିକ୍ରମାଦିତ୍ୟ ତାଙ୍କ ଅମଳରେ ଏମିତି ସବୁ ଅନେକ ଅଦ୍ଭୁତ ଘଟଣାରେ ତାହାଙ୍କ ପାଖରେ ଗୁହାରୀ କଲା ଲୋକମାନଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କର ଜନ୍ମ ରହସ୍ୟ ବି ଏକ ଅଲୌକିକ ଘଟଣାରେ ଭାରି କଉତୁକିଆ । ବିକ୍ରମାଦିତ୍ୟଙ୍କ ବାପା ଜଣେ କର୍ମଯୋଗୀ ଥିଲେ ।
ଦିନେ ସେ ଭୁଲ୍ କରିବାରୁ ଈଶ୍ୱର ତାଙ୍କୁ ଗଧ କରିଦେଲେ ଏବଂ ତୁ ଦିନରେ ଗଧ ହୋଇ ବୁଲିବୁ ଏବଂ ରାତିରେ ନିଜ ରୂପ ଫେରି ପାଇବୁ । ଯେଉଁଦିନ କିଏ ତୋର ଗଧ ଖୋଳଟି ପୋଡିଦେବ, ସେହିଦିନ ହିଁ ତୁ ପୁଣି ତୋର ପୂର୍ବ ରୂପ ଫେରି ପାଇବୁ ।
ଦିନେ ମନ ଦୁଃଖ ମନରେ ମାରି ଗଧଟିଏ ହୋଇ ସେ ଗୋଟିଏ ପୋଖରୀ କୂଳରେ ଚରୁଥାନ୍ତି । ରାତି ହେଲେ ନିଜ ରୂପ ଧରି ସେ ଚାରିଆଡେ ବୁଲନ୍ତି । ଏମିତି କେତେଦିନ ବିତିଗଲା । ଦିନେ ସେହି ଗଧରୂପରେ ପୋଖରୀ କୂଳରେ ଘାସ ଚରୁ ଚରୁ ସେହି ବାଟରେ ଯାଉଥିବା ଗୋଟିଏ ନାଗରକୁ ଡାକି ସେ ଗଧଟି କହିଲା, “ହୋ ଭାଇ.. ଶୁଣ… ଶୁଣ” । ଏହାଶୁଣି ସେ ନାଗର ଜଣକ ଚାରିଆଡକୁ ଅନାଇ ଦେଖିଲା, କେହି କୁଆଡେ ଗୋଟିଏ ହେଲେ ବି ମଣିଷ ନାହିଁ । ତେବେ କିଏ ତାହାକୁ ‘ଭାଇ ଶୁଣ’ ବୋଲି ଡାକିଲା । ପୋଖରୀ କୂଳରେ ଗଧଟି ସେତିକିବେଳେ କହିଲା, “ମୁଁ ଡାକିଲିମ ଭାଇ, ମୋ କଥା ଟିକିଏ ଶୁଣ ।”
ଗଧଟା ମୁହଁରେ ମଣିଷର କଥା ଶୁଣି ସେ ନାଗର ଜଣକ ଯେତିକି ଆଶ୍ଚର୍ଯ୍ୟ ନ ହେଲା ବରଂ ମାୟା ରୂପରେ ସେ କୌଣସି ଅସୁର ହୋଇଥିବ ଭାବି ସେତିକି ଛାନିଆ ବି ହେଲା । କାଳେ ତା’ କଥା ନ ଶୁଣିଲେ ସେ ତାହାର କିଛି ଅନିଷ୍ଟ କରିବ ଏହି ଡରରେ ସେ ଛିଡାହୋଇ ଗଧର ସମସ୍ତ କଥା ଶୁଣିଲା । ଗଧ କହିଲା, “ହୋ ଭାଇ, ଏଇ ରାଇଜର ରଜା ଭଦ୍ରସେନର ଝିଅକୁ ଆମେ ବିଭା ହେବାକୁ ଚାହୁଁ, ତାକୁ କହିବ, ସେ ଭଲରେ ଭଲରେ ଆମକୁ ତା ଝିଅକୁ ବିଭା ଦେବ ତ ଦେବ, ନୋହିଲେ ଆମେ ତାହାର ରାଇଜକୁ ଛାରଖାର କରିଦେବୁ ।
ନାଗର ଏହି ଅଦ୍ଭୁତ କଥା ଶୁଣି ଡରି ମରି ଯାଇ ରଜାଙ୍କୁ ଜଣାଇଲା । ରଜା ଘଟଣାଟା ସତ କି ମିଛ ଜାଣିବାକୁ ସଙ୍ଗରେ ପାତ୍ର ମନ୍ତ୍ରୀଙ୍କୁ ଘେନି ସେଇ ପୋଖରୀ କୂଳରେ ପହଁଚିଲେ । ଗଧ ମୁହଁରୁ ତାହାର ପରିଚୟ ନେଇ କହିଲେ, “ଆଚ୍ଛା, ତୁମେ ଯେବେ ମାୟାବୀ, ଆମ ରାଜନଅର ଚାରିପାଖରେ ଯଦି ଗୋଟାଏ ସୁନାର ପାଚେରୀ ବୁଲାଇ ଦେଇପାରିବ, ତେବେ ଆମ ଜେମାକୁ ନିଶ୍ଚେ ତୁମ ସହିତ ବିଭା ଦେବା ।” ଏପରି ପ୍ରସ୍ତାବ ଶୁଣି ସେ ଗଧଟି ରାତାରାତି ଗୋଟାଏ ସୁନାର ପାଚେରୀ ଗଢାଇ ଦେଲେ । ରଜା ଏଥରକ ବିଶ୍ୱାସ କରି ଖୁବ୍ ଉଲ୍ଲାସରେ ନିଜର ଅପୂର୍ବ ସୁନ୍ଦରୀ ଝିଅକୁ ସେଇ ଗଧ ସାଙ୍ଗରେ ବାହା କଲେ । ରଜା ଝିଅ ରାତିରେ ଗଧର ଦିବ୍ୟରୂପ ଦେଖି ମନେ ମନେ ଭାରି ଖୁସି ହେଲା । କିଛିଦିନ ଯାଆନ୍ତେ ରାଜାଝିଅ ଗର୍ଭବତୀ ହେଲା । ଦିନେ ରାତିରେ ରଜାଝିଅ ଲୁଚିରହି ସେଇ ଗଧ ଖୋଳଟି ପୋଡିଦିଅନ୍ତେ ସେ ଅଭିଶାପରୁ ମୁକ୍ତ ହୋଇ ସ୍ୱର୍ଗକୁ ଚାଲିଗଲା । ରଜାଝିଅ କେତେ ମାସ ପରେ ପୁଅଟିଏ ଜନ୍ମ କରି ମରିଗଲା । ସେଇ ପୁଅଟି ହେଉଛନ୍ତି ଏହି ରାଜା ବିକ୍ରମାଦିତ୍ୟ । ସେ ତାଙ୍କର ଜୀବନସାରା ଇମିତି ସବୁ ଭଲ କାମ କରିଥିଲେ ଯେ, ସେତେବେଳେ ତାଙ୍କର ସମକକ୍ଷ ହେଲାଭଳି ଆଉ କେହି ବି ରଜା ନଥିଲେ । ସେହି ମହାରାଜାଙ୍କର ଜନ୍ମ ଠାରୁ ମରିବା ପର୍ଯ୍ୟନ୍ତ ଅନେକ ଅଲୌକିକ, ଅପୂର୍ବ କଉତୁକିଆ ମଜା କଥା ଗୁଡିକରେ ଭରପୁର ରହିଛି ।