
ପ୍ରଣିତା ପିଲାଟି ଦିନରୁ ଦେଖୁଥିଲା ତା'ର ଚତୁଃପାର୍ଶ୍ୱରେ ଥିବା ପରିବେଶର ଅପରୁପ ଦୃଶ୍ୟ, କିନ୍ତୁ ସେ ଯେ କ‘ଣ ଭାବୁଥିଲା, କ‘ଣ କରୁଥିଲା ତାହା ଜାଣିପରୁନଥିଲା । ତା‘ର ପରିବାର କହିଲେ ଭାଇ ଓ ଭଉଣୀ ଦୁଇଜଣ ଥିଲେ । ବାପା ଜଣେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ । ତେଣୁ ପିଲାଙ୍କର କୌଣସିଥିରେ ଅବହେଳା କରୁନଥିଲେ । କିନ୍ତୁ ସବୁ ଥାଇ ଯେପରି ନିଃସ୍ୱ ଠିକ୍ ସେଭଳି ଥିଲା ତାଙ୍କର ଅବସ୍ଥା । କିଛିଟା ବଦଭ୍ୟାସ ପାଇଁ ପିଲାମାନେ ତାଙ୍କଠାରୁ ପ୍ରାୟତଃ ଦୂରେଇ ରହୁଥିଲେ । କିନ୍ତୁ ସେଥିପାଇଁ ତାଙ୍କର କୌଣସି ପ୍ରକାର ଖାତିର୍ ନଥିଲା । ମା କିନ୍ତୁ ମା ହିଁ ଅଟନ୍ତି, ପ୍ରତି ମା‘ର କାହାଣୀ ଲୁଚି ରହିଥାଏ ତାଙ୍କ ମନ ଅଗୋଚରରେ, ଆଉ ତା'ର କୌଣସି ଶେଷ ନଥାଏ । ପ୍ରଣିତାର ସାନଭାଇ ପ୍ରତ୍ୟୁଷ । ଦୁହେଁ ଖୁବ୍ ଭଲ ବନ୍ଧୁ, ପରସ୍ପର ମଧ୍ୟରେ ସ୍ନେହର ପଟ୍ଟାନ୍ତର ନାହିଁ । ପଢାପଢି, ଖେଳକୁଦ, ହସଖୁସିରେ ଦିନଗୁଡିକୁ କାଟିଦିଅନ୍ତି । ତଳ ଉପର ଭାଇ ଭଉଣୀ ମିଶିକି ବିଦ୍ୟାଳୟକୁ ଯାଆନ୍ତି । ବାପା କିନ୍ତୁ ପିଲାଙ୍କ ପାଠପଢାକୁ ନେଇ ବେଶ୍ ସଜାଗ୍ ଥାଆନ୍ତି । ତେଣୁ ପାଠପଢାରେ ଟିକିଏ ବି ଛଟେଇ ଦେଖିବାକୁ ପସନ୍ଦ କରନ୍ତିନି । କିନ୍ତୁ ଏପଟେ ପ୍ରଣିତାର ମନ ଅସୁମାରୀ ଅବାସ୍ତବତା ଭିତରେ ବଞ୍ଚି ରହିଥାଏ । ପ୍ରତିଟି ମୁହୁର୍ତ୍ତର ଘଟଣା ତଥା ଦୃଶ୍ୟ ମଧ୍ୟରେ ଖୋଜେ ଭିନ୍ନ ଏକ ଇଲାକା । ଇତି ମଧ୍ୟରେ ପ୍ରଣିତା ବହୁ ଘାତ, ପ୍ରତିଘାତ ତଥା ସଂଘାତ ଦେଇ ନିଜ ମନରେ ଥିବା ବିପ୍ଳବ ଭାବକୁ ରଖି ଯୌବନରେ ପଦାର୍ପଣ କଲା ବେଳକୁ ତା‘ର ମନ ନିରୀହତା ପରିବର୍ତ୍ତେ ନିଷ୍ଠୁରତାରେ ପରିଣତ ହୋଇ ସାରିଥାଏ । ତଥାପି ବେଳେ ବେଳେ ତାର ନିଷ୍ଠୁରତା ରୂପକ ମରୁବାଲିରେ ଶ୍ରାବଣର ଧାରା ବଳବତ୍ତର ରହିଥାଏ ।
ବି.ଏ. ପ୍ରଥମ ଶ୍ରେଣୀରେ ପାସ୍ କରିଥିବାରୁ ସ୍ନାତକୋତ୍ତର ପଢିବାର ସୁଯୋଗ ପାଇଥିଲା । ଏହି ସ୍ନାତକୋତ୍ତରର ପ୍ରଥମ ପର୍ଯ୍ୟାୟରୁ ହିଁ ତା'ଜୀବନର ବିପର୍ଯ୍ୟୟ ଆରମ୍ଭ ହୁଏ । ହଠାତ କୌଣସି କାର୍ଯ୍ୟ ବଶତଃ ତା'ର ଭେଟ ହୁଏ ମଳୟ ସହ । ଦୁହେଁ ପରସ୍ପରକୁ ଭେଟ ହୁଅନ୍ତି ଜୀବନର ପ୍ରଥମ ମଳୟର ଶେଷ ପର୍ଯ୍ୟାୟରେ । ଏ ପର୍ଯ୍ୟାୟ କିନ୍ତୁ ପ୍ରେମରେ ପଡିବାର ସମୟ ନୁହେଁ । ଫିର୍ଭି ଦୁହିଙ୍କ ଭିତରେ ଗୋଟାଏ ପ୍ରକାର ଭିନ୍ନ ଏକ ଧରଣର ସମ୍ପର୍କ ଗଢି ଉଠିବାକୁ ଲାଗିଲା । ଦୁଇଜଣଙ୍କ ବ୍ୟକ୍ତିତ୍ୱ ସମ୍ପୁର୍ଣ୍ଣ ଭିନ୍ନ ଯେମିତିକି ପୁର୍ବ ଆଉ ପଶ୍ଚିମ । ଯାହାର ଦୂରରୁ କେବଳ ଦର୍ଶନ ସିନା ମିଳନ ଅସମ୍ଭବ । ଦୁଇଜଣଙ୍କ ମଧ୍ୟରେ ଜମାରୁ ପଡେନି କିନ୍ତୁ କଥା ହୁଅନ୍ତି ଘଣ୍ଟା ଘଣ୍ଟା । ଗୋଟିଏ ଦିନ କଥା ନହେଲେ ଯେମିତିକି ବର୍ଷଟେ କଥା ନହେଲା ଭଳି ଲାଗେ । ଦୁହିଁଙ୍କ କଥା ମଧ୍ୟରେ କୌଣସି ପ୍ରକାର ପ୍ରେମ ଭାବର ଶବ୍ଦ ନଥିଲା ବରଂ ଜଣେ ଅନ୍ୟ ଜଣର କଥାକୁ କାଟେ । ଫଳରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡା ବି ହୁଏ । ଯେହେତୁ ପ୍ରଣିତା ସ୍ନେହ କାଙ୍ଗାଳୀ ଥିଲା ଇତି ମଧ୍ୟରେ ମଳୟ ଜାଣିପାରିଥିଲା । ଏବଂ ସେ ବେଳେ ବେଳେ ତା'କୁ ଏପରି କିଛି କଥା କହିଦିଏ, ଯାହା ଫଳରେ କି ପ୍ରଣିତାର ମନ ଭାଙ୍ଗିଯାଏ । କିନ୍ତୁ ପ୍ରଣିତା ମଳୟକୁ କିଛି କହିପାରେ ନାହିଁ । ତା'ର ଗାଳି ଓ କଟୁ କଥା ଭିତରେ ମଧ୍ୟ ସେ ତା ମନ ଗହନର ତଥା ବହୁ ଦିନରୁ ପ୍ରତ୍ୟାଶିତ ବନ୍ଧୁଟିକୁ ଖୋଜିବସେ । କିନ୍ତୁ ମନେ ମନେ ଭାବେ ଯେ ତା‘ର ମଳୟ ସଙ୍ଗେ କୌଣସି ପ୍ରକାର ସମ୍ପର୍କ ନାହିଁ ଏବଂ ସେ ତା ବିନା ବି ଖୁବ ବଞ୍ଚିପାରେ । ମଳୟ ହେଉଛି ଜଣେ ଛୋଟ ଉଦ୍ୟୋଗର ମାଲିକ । ତେଣୁ ତା‘ର ବ୍ୟସ୍ତ ବହୁଳ ଜୀବନରେ ପ୍ରଣିତାର ସ୍ଥାନ ବହୁତ ଛୋଟ, କିନ୍ତୁ ମନ ରୂପକ ଦୁନିଆରେ ପ୍ରଣିତା ଯେ କାହିଁ କେତେ ଉର୍ଦ୍ଧ୍ୱରେ । ମଳୟ କିନ୍ତୁ ତା ଦୁନିଆରେ ମସ୍ଗୁଲ, କିଛି ସମୟ ଶାନ୍ତିର ଆଶାରେ ସେ ପ୍ରଣିତା ସାଙ୍ଗରେ ବଲବଲ ହୁଏ । ଏହି କିଛି ନଥିବା ମଧ୍ୟରେ ବି ଦୁହିଁଙ୍କର କିଛି ରହିଯାଇଛି, ଯାହାର ଫଳ ସ୍ୱରୂପ ଦୁହେଁ କିନ୍ତୁ ଏହି ଜାଣତର ବହୁ ଅଜାଣତରେ ।
ଦିନ ପରେ ଦିନ ବିତି ଚାଲିଲା । ଦୁହିଁଙ୍କ ଭିତରେ କଥାର ସମୁଦ୍ର ଜୂଆର ଭଳି ମାଡି ଆସୁଥିଲା । ଦୁହେଁ ବେସ ଖୁସିରେ ଚାଲିଲେ । ମଳୟ କିନ୍ତୁ ଜଣେ ଦାମ୍ଭିକ ପୁରୁଷ ହୋଇଥିବାରୁ ପ୍ରଣୀତାକୁ ପ୍ରେମ କରୁଥିଲେ ବି ନିଜର ଅହଂ ଭାବ ଯୋଗୁଁ ପ୍ରକାଶ କରିପାରୁନଥିଲା । ଅର୍ଥାତ୍ ମଳୟ ମତାନୁଯାୟୀ ସେ କୌଣସି ଝିଅର ଲଫଡାରେ ପଡିବନି ଆଉ କାହାକୁ ପ୍ରେମ ବି କରିବନି । କିନ୍ତୁ ତା‘ର ମନ ଅଗୋଚରରେ ସେ ଯେ ପ୍ରଣୀତାକୁ ପ୍ରେମ କରି ବସିଛି, ଏ ସବୁ ଜାଣିବା ତା‘ର ଦୃଷ୍ଟି ଆଢୁଆଳରେ ରହିଯାଇଥିଲା । ପ୍ରଣିତା ବି ମଳୟର ସବୁ ଯନ୍ତ୍ରଣାଦାୟକ କଥା ମଧ୍ୟରେ ଗୋଟିଏ ଦୁଷ୍ଟ ସଇତାନ ଫିର୍ ଭି ସୁନ୍ଦର ମନ ଥିବା ପୁରୁଷ, ଯାହାକୁ କି ପ୍ରତିଟି ନାରୀ ମନ ଚାହେଁ ପାଇବାକୁ, ଏକଥା ଜାଣିପାରିଥିଲା । କିନ୍ତୁ କେଜାଣି ତା‘ର କାହାକୁ ବା ଡର ଥିଲା ନା ସେ ମଳୟର ମନକଥା ଜାଣି ପାରୁନଥିଲା, ସେ ମଳୟକୁ କହିଲେ କାଳେ ତା'ଠାରୁ ଦୂରେଇ ଯିବ, ଏଇ ଭାବନାରେ କହି ପାରୁନଥିଲା କି କିଛି ବି ଜାଣି ପାରୁନଥିଲା । ପ୍ରଥମେ ଯେଉଁଦିନ ମଳୟ ବେପରୁଆ ଭାବରେ ପ୍ରେମ ସୌଦାଗର ହୋଇ ପ୍ରଣିତାକୁ ପ୍ରେମ ନିବେଦନ କରିଥିଲା, ସେଦିନ କିନ୍ତୁ ପ୍ରଣିତାର ମୁଣ୍ଡ ଘୁରାଇ ଯାଇଥିଲା । ସେ ପର୍ଯ୍ୟନ୍ତ କିନ୍ତୁ ଭାବି ପାରିନଥିଲା, ପ୍ରଥମ ବିଶ୍ୱଯୁଦ୍ଧ ପରେ ବି ତାଙ୍କ ଦୁହିଁଙ୍କ ମଧ୍ୟରେ ପ୍ରେମର ଗୋଲାପ ଫୁଟିପାରେ । ସେ କିଂକର୍ତ୍ତବ୍ୟବିମୁଢ ହୋଇ ହଠାତ୍ ମଳୟ ସାଙ୍ଗେ ବାର୍ତ୍ତାଳାପ ବନ୍ଦ କରିଦେଇଥିଲା । କିନ୍ତୁ କଥାରେ ଯେ ଅଛି :-
“ ଅବନ୍ଧୁ ଜୀବନ ଅସୁର୍ଯ୍ୟ ମହୀ
ଦେହ ଧରି କିଏ ପାରିବ ସହି ।”
ସବୁ ଥାଇ ସୁଦ୍ଧା ପ୍ରଣିତା ଖୁସି ହୋଇ ପାରୁନଥିଲା । ତା'ଜୀବନରେ ବହୁ ବନ୍ଧୁ ଅଛନ୍ତି ଏମିତିକି ତାକୁ ସ୍ନେହ, ଆଦର ଏବଂ ପ୍ରାଣ ଠାରୁ ବି ଅଧିକ ଭଲ ପାଉଥିବା ନିକଟତର ବନ୍ଧୁଗଣ । କିନ୍ତୁ ଗୋଲାପ ବନର ପାଖୁଡା ଯେ ମଳୟ ପବନରେ ଖୋଲେ ତାହା ଭାବିବାରେ ଅଛପା ନଥିଲା । ଇତି ମଧ୍ୟରେ ମଳୟ କିନ୍ତୁ ବହୁ ଚେଷ୍ଟା କରି ପ୍ରଣିତାକୁ ମନାଇ ଦେଇଥିଲା ପୁଣି ଥରେ କଥା ହେବା ପାଇଁ । ପ୍ରଣିତା ମନେ ମନେ ମଳୟକୁ ବହୁତ ପସନ୍ଦ କରୁଥିଲା ଏବଂ ତାର କଥା, ନାମ, ଭାବ, ଭଙ୍ଗୀ ଏବଂ ଭାଷା ଶୈଳୀକୁ ତା'ର ପରିବେଶର ମଣିଷ ତଥା ବସ୍ତୁ ମଧ୍ୟରେ ପରିଲକ୍ଷିତ କରୁଥିଲା । କିନ୍ତୁ ଏହା ହିଁ “ପ୍ରେମ” ବୋଲି ସେ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲା
ଦିନ ପରେ ଦିନ ବିତି ଚାଲିଲା । ଦୁହିଁଙ୍କର ଅପଟ ମନ ମଧ୍ୟରେ ସମାଜର କପଟ ଗଣ ସେମାନଙ୍କ ଜୀବନର ଜଉଘର ମଧ୍ୟରେ ଅଗ୍ନି ସଂଯୋଗ କରିବାରେ ଲାଗିପଡିଲେ । ଫଳ ସ୍ୱରୁପ ଦୁହିଁଙ୍କର ଆକର୍ଷଣ ଥିବା ସତ୍ତ୍ୱେ ସମାଜର ଭୟରେ ସେମାନେ ପରସ୍ପର ଠାରୁ ଦୂରେଇ ରହିବାକୁ ବାଧ୍ୟ ହେଲେ । ଦୂରତା ମଧ୍ୟରେ ବି ଦୁହିଙ୍କ ପ୍ରତି ପରସ୍ପରର ରହିଥିଲା ସମ୍ବେଦନଶୀଳତା । ହଠାତ୍ ଦିନେ ମଳୟ ପ୍ରଣିତା ର ଚରିତ୍ରକୁ ନେଇ ବହୁ କଥା କହିଲା । ଫଳ ସ୍ୱରୂପ ପ୍ରଣିତାର ମନ ମଳୟ ପାଇଁ ସମ୍ପୁର୍ଣ୍ଣ ରୁପେ କର୍ଦମାକ୍ତ ହୋଇଗଲା । କଷ୍ଟ ହେଲେବି ଧିରେ ଧିରେ ତାକୁ ଭୁଲିବାକୁ ଚେଷ୍ଟା କଲା ପ୍ରଣିତା । କିଛି ବର୍ଷ ପରେ ପ୍ରଣିତା ର ବିବାହ ଗୋଟିଏ ସୁନ୍ଦର, ରୂପ ଗୁଣରେ ପରିପୁର୍ଣ୍ଣ ପୁଅ ସଙ୍ଗେ ଠିକ୍ ହେଲା ଏବଂ ଉପଯୁକ୍ତ ଲଗ୍ନ ବେଳାରେ ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଗଲା ।
ସମସ୍ତଙ୍କ ଅଲକ୍ଷ୍ୟରେ ଗୋଟିଏ ଜିନିଷ ରହିଗଲା ଯେ, ମଳୟକୁ ଭୁଲିବା ପ୍ରଣିତା ପାଇଁ କଷ୍ଟ । ତେଣୁ ଚରିତ୍ରକୁ ନେଇ କିଛି କଥା କହିଲେ ହିଁ, ପ୍ରଣିତା ମଳୟକୁ ଘୃଣା କରି ବାପାଙ୍କ ପସନ୍ଦର ପୁଅକୁ ବିବାହ କରିବ । ଯାହାପାଇଁ ପଛେ ମଳୟ ଖରାପ ପିଲାର ମାନ୍ୟତା ପାଉ, ଏ କଥାକୁ ଖାତିର ନ କରି ମଳୟ ସେଦିନ ଏତେ ବଡ ତ୍ୟାଗ କରିବାକୁ ସଂକଳ୍ପ ନେଇଥିଲା । ଏବଂ ଉପଯୁକ୍ତ ବନ୍ଧୁର ମର୍ଯ୍ୟାଦା ରକ୍ଷା କରି ପାରିଥିଲା । ଯାହାକି ପ୍ରଣିତା ଏବେ ମଧ୍ୟ ଅଜ୍ଞ୍ । ପ୍ରଣିତା ର ବିବାହ ଦିନ ମଳୟ ସ୍ଲିପିଂ ଟାବଲେଟ୍ ଖାଇ ଶୋଇ ଯାଇଥିଲା, ଏ କଥା କେବଳ ସେ ହିଁ ଜାଣିଥିଲା । ସବୁ ଥାଇ ନଥିଲା ଭଳି ପ୍ରଣିତା ବିବାହ କରିଥିବା ପୁଅଟି ତାକୁ ବହୁତ ଭଲପାଉଥିଲା । କିନ୍ତୁ ପ୍ରଣିତାର ମନ ଯେ ପ୍ରଥମରୁ ଆଉ କାହା ପାଇଁ ହୋଇ ସାରିଥିଲା, ଏହା ପ୍ରଣିତା ର ଅଗୋଚରରେ ରହିଯାଇଥିଲା । ସେପଟେ ମଳୟ ମଧ୍ୟ ପ୍ରଣିତା ପାଇଁ ବହୁ ଯନ୍ତ୍ରଣାରେ ଜୀବନ ବିତଉଛି ।
ଏଠାରେ ଦୁହିଙ୍କ ପାଇଁ ଗୋଟିଏ ଭାଷାର ଯଥାର୍ଥ ରହିଥିଲା । କିନ୍ତୁ ମନ ରୂପକ ଅନ୍ତର୍ଦ୍ୱନ୍ଦକୁ ଛଡାଇଲା ବେଳକୁ ମଳୟ ଶିଶୁପାଳ ହୋଇ ଯାଇଥିଲା । ଦୁହେଁ ଅନ୍ତର୍ଦହନରେ ଜଳି ଜଳି ଦଗ୍ଧହବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା... ।
ଆର୍ଯ୍ୟ କୁମାରୀ ପ୍ରଜ୍ଞା ପାରମିତା, ଗବେଷିକା
ବିକ୍ରମପୁର, ଖଲ୍ଲିକୋଟ, ଗଞ୍ଜାମ
ଦୂରଭାଷ : ୯୭୭୮୮୧୮୧୮୪