ଦାର୍ଢ୍ୟତା ଭକ୍ତି - ଭକ୍ତଶ୍ରେଷ୍ଠ ଗଣପତି ଭଟ୍ଟ - ଘନଶ୍ୟାମ ସାହୁ

0
ଶ୍ରୀକ୍ଷେତ୍ରର ଅନତିଦୂରରେ ଥିବା ଅଠରନଳା ନିକଟରେ ଏକ ବୃକ୍ଷର ସୁଶୀତଳ ଛାୟାରେ ଧ୍ୟାନ ମୁଦ୍ରାରେ ବିଶ୍ରାମ ନେଉ ନେଉ ପରଂବ୍ରହ୍ମ ପ୍ରଭୁ ଜଗନ୍ନାଥଙ୍କ ସ୍ୱରୂପକୁ ମନେ ମନେ ସ୍ମରଣ କରୁଥିଲେ ଯାତ୍ରୀ ଜଣକ । ବ୍ରହ୍ମ ଦର୍ଶନ କରିବା ଆଶାରେ ବହୁ ପଥ ଅତିକ୍ରମ କରି ଶେଷରେ ମୋକ୍ଷର ମାର୍ଗ କୁହାଯାଉଥିବା ଅଠରନଳା ନିକଟରେ ଅଟକି ରହିଥିଲେ ସେ । ସେହି ସମୟରେ ଗାଡ଼ି ମୋଟରର ଆଡୌ ସୁବିଧା ନଥିଲା ଯାତ୍ରୀ ଭକ୍ତ ମାନଙ୍କ ପାଇଁ । ସମସ୍ତ ଯାତ୍ରୀ ପୁଣ୍ୟ ଅର୍ଜନ କରିବା ପାଇଁ ପାଦରେ ଚାଲି ଚାଲି ତୀର୍ଥ ପର୍ଯ୍ୟଟନ କରି ଦିଅଁ ଦର୍ଶନ କରୁଥିଲେ । ଯିବା ଆସିବା କରୁଥିବା କିଛି ଯାତ୍ରୀଙ୍କୁ ପଚାରି ସେ ଜାଣି ପାରିଥିଲେ ଯେ, ଖୁବ୍ ଅଳ୍ପଦୂରରେ ପ୍ରଭୁ ପରଂବ୍ରହ୍ମ ସ୍ଥୂଳ ଶରୀରରେ ନୀଳାଚଳ ଧାମରେ ବଡଦେଉଳରେ ଅବସ୍ଥାନ କରୁଛନ୍ତି । ଶ୍ରୀକ୍ଷେତ୍ରରୁ ଫେରୁଥିବା କେତେକ ଯାତ୍ରୀଙ୍କୁ ପଚାରିବା ପରେ ତାଙ୍କ ସନ୍ଦେହ ଘନୀଭୂତ ହେବାରେ ଲାଗିଲା । ମନକୁ ମନ ପ୍ରଶ୍ନ ଜାଲରେ ଛନ୍ଦି ହୋଇ ପଡିଲେ ଯାତ୍ରୀ ଜଣକ । "ନା ନା ଏ ଭଣ୍ଡାମୀ ବ୍ୟତୀତ ଅନ୍ୟ କିଛି ହୋଇ ପାରିବ ନାହିଁ ! ବ୍ରହ୍ମପୁରାଣ ସେ ଅନେକ ଥର ପଢି ସାରିଛନ୍ତି । ବ୍ରହ୍ମ ଦର୍ଶନ କଲା ପରେ ପ୍ରାଣୀ ମୁକ୍ତିଲାଭ କରି ବୈକୁଣ୍ଠ ପୁରକୁ ଗମନ କରେ । କିନ୍ତୁ ଏଠାରେ ତ ସେ ଭିନ୍ନ ଲକ୍ଷଣ ଦେଖୁଛନ୍ତି । ଯାତ୍ରୀମାନେ ଆନନ୍ଦ ଉଲ୍ଲାସର ସହିତ ଭୋଗ ଧରି ନିଜ ନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ପୁଣି କହୁଛନ୍ତି ଯେ, ସେମାନେ ପରଂବ୍ରହ୍ମ ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କ ଚର୍ମଚକ୍ଷୁରେ ଦର୍ଶନ କରି ନିଜ ନିଜକୁ ଧନ୍ୟ ମନେ କରୁଛନ୍ତି । ବ୍ରହ୍ମ ଦର୍ଶନ କଲା ପରେ ସେମାନେ ସ୍ୱ ଶରୀରରେ ଫେରିବେ କିପରି ? ସେମାନେ ଏ ଜନ୍ମରୁ ମୁକ୍ତ ହୋଇ ବୈକୁଣ୍ଠ ପୁରକୁ ଗମନ କରିବା କଥା । ତେବେ କ'ଣ ବ୍ରହ୍ମ ଦର୍ଶନ ମିଥ୍ୟା ଅଟେ । "ଏପରି ଚିନ୍ତାର ବୁଢିଆଣୀ ଜାଲରେ ଛନ୍ଦି ହୋଇ ପଡ଼ି ନିରାଶ ମନରେ ଫେରିବାକୁ ଉଦ୍ୟମ କଲେ । କିଛି ନବୁଝି ନସୁଝି ପଥ ଶ୍ରମ କରି ଥିବାରୁ ଅନୁତାପ ମଧ୍ୟ କରୁଥିଲେ । "ବ୍ରାହ୍ମଣ ଗୋସାଇଁ ! ଆପଣ ବ୍ରହ୍ମ ଦର୍ଶନ ନକରି ଫେରି ଯାଉଛନ୍ତି କିପରି ? ଆପଣଙ୍କ ଘର କେଉଁ ଦେଶରେ ?" କାହାର ପ୍ରଶ୍ନରେ ଅଟକି ଗଲେ ଯାତ୍ରୀ ଜଣକ । ଦେଖିଲେ ଶୁଭ୍ର ବସନ ପରିଧାନ କରି ଉପବୀତ ଧାରଣ କରି ରାମାନନ୍ଦୀ ଚିତା ଲଗାଇ ଥିବା ଅପୂର୍ବ ତେଜସ୍ଵୀ ବ୍ରାହ୍ମଣ ଜଣେ ତାଙ୍କୁ ଏ ପ୍ରଶ୍ନ କରୁଛନ୍ତି । ତାଙ୍କୁ ପ୍ରଣାମ କରି ଉତ୍ତର ଦେଲେ, "କର୍ଣ୍ଣାଟ ଦେଶର ଏକ ଛୋଟ ଗ୍ରାମ କାଣିଆରିରେ ମୋର ବାସସ୍ଥାନ । ଜାତିରେ ବ୍ରାହ୍ମଣ ହୋଇ ଅନେକ ଶାସ୍ତ୍ର ଅଧ୍ୟୟନ କଲାପରେ ଶେଷରେ ବ୍ରହ୍ମପୁରାଣରୁ ଜାଣି ପାରିଲି ଯେ ପରଂବ୍ରହ୍ମ ଭଗବାନ ଜଗନ୍ନାଥ ସ୍ଥୂଳ ଶରୀର ଧାରଣ କରି ନୀଳାଚଳ ଧାମରେ ଲୀଳାଖେଳା କରୁଛନ୍ତି । ଆହୁରି ମଧ୍ୟ ଶାସ୍ତ୍ରରୁ ଜାଣି ପାରିଲି ଯେ, ବ୍ରହ୍ମ ଦର୍ଶନ କରି ମୋକ୍ଷ ପ୍ରାପ୍ତି ହୋଇ ପାରିବ । କିନ୍ତୁ ଏଠାରେ ଦେଖିଲି ଭିନ୍ନ ଦୃଶ୍ୟ । ଲୋକ ମାନେ ବ୍ରହ୍ମ ଦର୍ଶନ କଲାପରେ ମଧ୍ୟ ସ୍ୱଦେହରେ ଫେରି ଆସୁଛନ୍ତି । ଏ କି ପ୍ରକାର ପ୍ରହସନ ? ଏହା ଚିନ୍ତାକରି ଫେରିଯିବାକୁ ବାଧ୍ୟ ହେଉଛି ।" ତାଙ୍କ କଥା ଶୁଣି ନିଜ ହସକୁ ରୋକି ପାରିଲେ ନାହିଁ ଆଗନ୍ତୁକ ବ୍ରାହ୍ମଣ ‌। "ମୋ ସହିତ ପ୍ରଥମେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ ମୁଁ ଏସବୁର ରହସ୍ୟ ଯିବା ବାଟରେ ହିଁ ବୁଝାଇ ଦେବି ।" କଥାରେ ପ୍ରଭାବିତ ହେଲେ ଗଣପତି ଭଟ୍ଟ । ଆଗନ୍ତୁକ ବ୍ରାହ୍ମଣଙ୍କ ସହିତ ଯିବା ବାଟରେ ଉତ୍ସୁକତାର ସହ ଅପେକ୍ଷା କଲେ ତାଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ଶୁଣିବାକୁ । ବ୍ରାହ୍ମଣ କହିଲେ, "ହେ ଅତିଥି...  ଆପଣ ଏଠାରେ ସମ୍ପୂର୍ଣ୍ଣ ନବାଗତ । ଆପଣ ଏଠାକୁ ବ୍ରହ୍ମଦର୍ଶନ ସହ ମୋକ୍ଷ ପ୍ରାପ୍ତି ପାଇଁ ହୃଦୟରେ ଇଚ୍ଛା ପୋଷଣ କରି ଆସିଛନ୍ତି । ସମସ୍ତ ଯାତ୍ରୀ ମୋକ୍ଷ ପ୍ରାପ୍ତି ତ ଚାହିଁଥାନ୍ତି କିନ୍ତୁ ମହାପ୍ରଭୁଙ୍କ ସାନ୍ନିଧ୍ୟରେ ଆସିବା ପରେ ସେସବୁ ଭୁଲିଯାଆନ୍ତି । କିଏ ଗୃହର ଶାନ୍ତି ଇଚ୍ଛା କରେ ତ କିଏ କିଏ ଧନ ବା ସନ୍ତାନ କାମନା କରି ପ୍ରାର୍ଥନା କରନ୍ତି । କେହି କେହି ଅସାଧ୍ୟ ରୋଗର ଆରୋଗ୍ୟ କାମନା କରି ପ୍ରାର୍ଥନା କରନ୍ତି । ତେଣୁ ସେମାନେ ମୋକ୍ଷ ପାଇ ପାରନ୍ତି ନାହିଁ । ବରଂ ମହାପ୍ରଭୁଙ୍କ ଦର୍ଶନ କରି ସାରିବା ପରେ ନିଜକୁ ଭାଗ୍ୟବାନ ମନେକରି ମନ ଆନନ୍ଦରେ ମହାପ୍ରସାଦ ସେବନ କରି, କିଛି ଭୋଗ ଧରି ନିଜ ନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏଥର ନିଶ୍ଚୟ ଜାଣିପାରିଥିବେ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ।" ଏହି କଥା ଶୁଣି ସନ୍ତୋଷ ପ୍ରକାଶ କରି ଆଗକୁ ଅଗ୍ରସର ହେଲେ ସେ ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବଡ଼ଦାଣ୍ଡରେ ଭକ୍ତ ମାନଙ୍କର ନାହିଁ ନଥିବା ଗହଳି । ଯେଉଁ ଆଡ଼କୁ ଚାହିଁଲେ ଦେଖାଯାଉଥିଲା କେବଳ ମୁଣ୍ଡ ମାଳର ଲହରୀ । ହରିବୋଲ ହୁଳହୁଳି ତଥା ଜୟ ଜଗନ୍ନାଥ ଧ୍ଵନିରେ ଚତୁର୍ଦ୍ଦିଗ କମ୍ପି ଉଠୁଥିଲା । ସଂକୀର୍ତ୍ତନ ମଣ୍ଡଳୀରେ ଭକ୍ତମାନେ ଭାବ ବିହ୍ୱଳ ହୋଇ ସଂକୀର୍ତ୍ତନ କରୁଥିଲେ । ଊର୍ଦ୍ଧ୍ୱ ବାହୁ ହୋଇ ମହାପ୍ରଭୁଙ୍କ ମାନବ ଲୀଳାକୁ ଦେଖି ଚର୍ମଚକ୍ଷୁ ପବିତ୍ର କରୁଥିଲେ ଭକ୍ତଗଣ । ଘଣ୍ଟ ବାଦ୍ୟ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ ସହ ହନୁମାନ ବେଶ ହୋଇ କେତେକ ଶିଳ୍ପୀ ନିଜକୁ ଏ ମହାର୍ଘ ଉତ୍ସବରେ ସାମିଲ କରି ଦେଇଥିଲେ । ଭେରି, ତୁରୀ, ବୀର କାହାଳୀ ବାଜି ଚାଲିଥିଲା । ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କର ସ୍ଥାପନ କରାଯାଇ ସ୍ନାନପର୍ବର ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା । ବଡ଼ ଦେଉଳର ନୀଳଚକ୍ର ବାନା ଫରଫର ହୋଇ ଦୂରାଗତ ଭକ୍ତମାନଙ୍କୁ ହାତଠାରି ଡାକୁଥିଲା ଯେପରି । ଏହି ସମୟରେ ସେଠାରେ ପହଞ୍ଚିଗଲେ ଭକ୍ତ ବାଣଭଟ୍ଟ । ହଠାତ୍ ପଛକୁ ବୁଲି ପଡି ଆଶ୍ଚର୍ଯ୍ୟ ହୋଇ ଗଲେ ସେ । ସଙ୍ଗରେ ଆସିଥିବା ସେହି ବ୍ରାହ୍ମଣ ଜଣକ ପବନରେ ମିଳାଇ ଗଲେ ଯେପରି ! କିଏ ଥିଲେ ଏହି ରହସ୍ୟମୟ ଉଜ୍ଜ୍ୱଳ ଜ୍ୟୋତିଧାରୀ ବ୍ରାହ୍ମଣ । ସେ ମହାପ୍ରଭୁଙ୍କ ଲୀଳା ଭାବି ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କର ରୂପ ଦେଖି ଚମକି ପଡ଼ିଲେ । "ନା ନା, ଏ ମୋର ପ୍ରଭୁ ନୁହଁନ୍ତି । ଏ ବ୍ରହ୍ମ ହୋଇ ପାରିବେ ନାହିଁ କେବେ । ୟାଙ୍କର ଲମ୍ବା ଶୁଣ୍ଢ, ଗଜ ବଦନ କାହିଁ ?" ସମସ୍ତ ଭକ୍ତ ଆନନ୍ଦରେ ଭାବ ଭକ୍ତିପୂର୍ଣ୍ଣ ନିବେଦନ ଜଣାଉଥିବା ବେଳେ ତାଙ୍କ ମନରେ କିନ୍ତୁ ତିଳେ ହେଲେ ଭକ୍ତିଭାବ ଉଦ୍ରେକ ହେଲା ନାହିଁ । ଅତ୍ୟନ୍ତ ନିରାଶ ହୃଦୟରେ ସେ ବୁଲିପଡ଼ି ସେଠାରୁ ପ୍ରସ୍ଥାନ କଲେ । ସନ୍ଧ୍ୟା ଆଗତ ହୋଇ ଥିବାରୁ ସେ ଅଳ୍ପ ଦୂରରେ ଆଶ୍ରୟ ସ୍ଥଳରେ ବିଶ୍ରାମ ନେଲେ ‌। ସେବକମାନେ ସ୍ୱ ସ୍ୱ ଗୃହକୁ ପ୍ରତ୍ୟାବର୍ତନ କରିସାରିଲେଣି । ଅତ୍ୟଧିକ କ୍ଳାନ୍ତ ହୋଇ ପଡ଼ିଥିବାରୁ ମୁଦିରସ୍ତ ମହାଶୟ ଜଗମୋହନରେ ବିଶ୍ରାମ କରିବା ଅବସ୍ଥାରେ ଶୋଇ ପଡିଲେ । ହଠାତ୍ କାହାର ଗୁରୁ ଗମ୍ଭୀର କଣ୍ଠରେ ନିଜ ନାମ ଉଚ୍ଚାରଣ ହେଉଥିବା ଶୁଣି କାନେଇଲେ ମୁଦିରସ୍ତ । "ହେ ମୁଦିରସ୍ତ ଶୟନ ତ୍ୟାଗକର । ଉତ୍ତର ଭାଗରୁ ଆସିଥିବା ଗଣପତି ଭଟ୍ଟ ନାମରେ ମୋର ଜଣେ ପରମ ଭକ୍ତ ନିରାଶ ହୋଇ ମୋତେ ଗଜାନନ ବେଶରେ  ନଦେଖି  ଅଭିମାନରେ ଏଠାରୁ ଫେରିଯାଇ ନିକଟରେ ଥିବା ଆଶ୍ରୟ ସ୍ଥଳରେ ବିଶ୍ରାମ ନେଇଛି । ମୋ ଭକ୍ତର ଆରାଧ୍ୟ ଗଣପତି ବେଶରେ ମୁଁ ଆଜି ତାକୁ ଦର୍ଶନ ଦେବି । ତାକୁ ସସମ୍ମାନେ ଏଠାକୁ ନେଇଆସ । ଶୀଘ୍ର ଯାଅ ।" ମହାପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ ସେ ଯାଇ ଭକ୍ତ ଗଣପତି ଭଟ୍ଟଙ୍କୁ ବୁଝାଇ ଫେରାଇ ଆଣିବାକୁ ଯାଇ କହିଲେ, "ହେ ଭକ୍ତ ଶିରୋମଣି ଆପଣ ବଡ଼ ଭାଗ୍ୟବାନ ‌। ଏହି ଶ୍ରୀକ୍ଷେତ୍ରରୁ କୌଣସି ଭକ୍ତ କେବେ ବି ନିରାଶ ହୋଇ ଫେରିନାହାନ୍ତି । ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ପରଂବ୍ରହ୍ମ ଦାରୁବ୍ରହ୍ମ ରୂପରେ ବିଜେ ହୋଇଛନ୍ତି । ଫେରି ଆସନ୍ତୁ । ଆପଣଙ୍କର ମନୋବାଞ୍ଛା ନିଶ୍ଚୟ ପୂର୍ଣ୍ଣ ହେବ । ଏହା ଠାକୁରଙ୍କ ନିର୍ଦ୍ଦେଶ ।" ଏହି କଥା ଶୁଣି ଫେରି ଆସିଲେ ଭକ୍ତ ଗଣପତି ଭଟ୍ଟ । ମହାପ୍ରଭୁଙ୍କ ଆଡ଼କୁ ଚାହିଁ ରହିଲେ ସେ । "ଏ କ'ଣ ? ଏ ତ ସ୍ୱୟଂ ପରଂବ୍ରହ୍ମ, ଲମ୍ବ ଥୋଡ ପାହାର ଲମ୍ବି ଆସିଛି ମୁଖରୁ ! ନିସ୍ତରିଲି.... ନିସ୍ତରିଲି...  ପ୍ରଭୁ । ମୋର ଏହି ଶେଷ ଇଚ୍ଛା ପୂରଣ କରିବେ ମହାବାହୁ । ଠିକ୍ ପ୍ରତିବର୍ଷ ଆଜିର ଦିନରେ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ‌‌।" ଏପରି କାମନା କରି ପ୍ରଭୁଙ୍କ ଆଡ଼କୁ ଚାହିଁ ରହିଲେ ଗଣପତି ଭଟ୍ଟ । ହଠାତ୍ ମହାପ୍ରଭୁଙ୍କ ମସ୍ତକରୁ ଏକ ପୁଷ୍ପ ସ୍ତବକ ଖସି ପଡ଼ିଲା । ପ୍ରଭୁଙ୍କୁ ଚାହିଁ ଚାହିଁ ପ୍ରାଣତ୍ୟାଗ କଲେ ସେ । ଆତ୍ମା ତାଙ୍କର ପରମାତ୍ମାଙ୍କ ଠାରେ ଲୀନ ହୋଇଗଲା । ଜୟ ଜଗନ୍ନାଥ ଧ୍ଵନିରେ ଚତୁର୍ଦ୍ଦିଗ ମୁଖରିତ ହୋଇଗଲା । ଧନ୍ୟ ଭକ୍ତ ଶ୍ରେଷ୍ଠ ଗଣପତି ଭଟ୍ଟ । ଧନ୍ୟ ତୁମର ନିଷ୍ଠା ଓ ଦୃଢ଼ ଭକ୍ତି । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁ ଗଜାନନ ବେଶରେ ଦର୍ଶନ ଦେଇଆସୁଛନ୍ତି । ଜୟ ଜଗନ୍ନାଥ... ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ

ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ