ସଭିଙ୍କ ଆଗରେ କହୁଛୁ ଖୋଲି - ବି. ନିରୁପମା

1

ହେଇ ଦେଖ ତେଣେ ରଡ଼ମଡ଼ ହୋଇ
ଭାଙ୍ଗିଲା ଯାମଳାର୍ଜ୍ଜୁନ,
ତା' ମୂଳରୁ କାହ୍ନା ଗୁରୁଣ୍ଡି ଆସୁଛି
ନାହିଁ ଡର ଭୟ ଚିହ୍ନ ।
ଇଏ ପରା ବଡ଼ ବିଚିତ୍ର କଥା-
ହୃଦ ଟୁକୁଡ଼ାକୁ ଦଉଡ଼ିରେ ବାନ୍ଧି
ରଖିଲେ କେମନ୍ତେ ଯଶୋଦା ମାତା ॥

ଅଭିଯୋଗ କଲେ ଗୋପାଳୁଣୀ ବୋଲି
ରାଗରେ ସେ ଦେଲେ ରୋଳରେ ବାନ୍ଧି,
ରୋଳ ଟାଣି ଟାଣି କହ୍ନେଇ ମିଳିଲା
ଏହି ଯାମଳା ଅର୍ଜ୍ଜୁନର ସନ୍ଧି ।
ଆଣ୍ଟ କରି ଯେହ୍ନେ ଦେଲା ସେ ଟାଣି...
ଦୁଇଟି ଗନ୍ଧର୍ବ ଯୋଡ଼ହସ୍ତ ହୋଇ
କହିଲେ କାହ୍ନାକୁ ଅପୂର୍ବ ବାଣୀ ॥

ଏଡ଼ିକି ବକଟେ ଛୁଆ ସିନା ସିଏ
ରଖିଛି ଆମକୁ ବିପଦୁ କେତେ,
ମନା କରିଲେ ବି ଯାଚିକି ଖୁଆଏ
ଗୋରସ ଲବଣୀ ଯାହାକୁ ଯେତେ ।
ତାହା ପରି ସଖା ପାଇଛୁ ବୋଲି...
ନିଜକୁ ତ ଆମେ ଧନ୍ୟ ମଣୁଅଛୁ
ସଭିଙ୍କ ଆଗରେ କହୁଛୁ ଖୋଲି ॥

କହ୍ନେଇ ଆମର ସୁରକ୍ଷିତ ଥିଲେ
ଆମ ଚିନ୍ତା କିଛି ନାହିଁ,
ବୁଝି ସାରିଅଛୁ ସବୁ ଭଲ ଚିନ୍ତା
କରେ ସେ ଆମରି ପାଇଁ ।
ଶୁଣିବୁନି ତା'ର ବିରୋଧେ କିଛି-
ସିଏ ତ ଆମର ସଖା ସହୋଦର
ରକ୍ଷାକର୍ତ୍ତା ବୋଲି ଭରସା ଅଛି ॥

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

Post a Comment

1Comments
  1. ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକାଳୀନ "ଯାମଳାର୍ଜ୍ଜୁନ ଭଞ୍ଜନ"ର ଅପୂର୍ବ ଦୃଶ୍ୟ କବୟିତ୍ରୀ ନିରୁପମାଙ୍କ ଲେଖନୀରୁ ଏକ ନୂଆ ରୂପ ନେଇ ଫୁଟି ଉଠିଛି। ଧନ୍ୟବଦ।

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ