ତପସ୍ୟା ମୋ' ତୁମଠାରୁ ସୁରୁ - ନିଶିକାନ୍ତ କହଲସିଂହ

0

ଜନ୍ମରୁ ଦେଖୁଛି ବାପା ତୁମ ଆଖି ସବୁବେଳେ ଆର୍ଦ୍ର
ମୋ' ସୁଖରେ ମୋ' ଦୁଃଖରେ ଆପେଆପେ ଭରିଯାଏ ଲୁହ,
ଆକାଶର ବିଶାଳତା ତୁମ ପାଶେ ଲାଗୁଥାଏ କ୍ଷୂଦ୍ର
ସିଏ କି ଜାଣଇ ବାପା ସ୍ନେହ ଆଉ ମମତାର ମୋହ ।।

କାୟା ସାଥେ ଛାୟା ପରି ଅଛ ତୁମେ ପାଖେପାଖେ ରହି
ଟଳମଳ ହେଲେ ପାଦ ହାତ ଧରି ଶିଖାଇଛ ଚାଲି,
ଜୀବନ ବେଦର ମନ୍ତ୍ର କାନେକାନେ ଶୁଣାଇ ଶୁଣାଇ
ଦେଇଛ ସାମର୍ଥ୍ୟ ମୋତେ ଲଙ୍ଘିବାକୁ ତପ୍ତ ମରୁବାଲି  ।।

ଝାଳ ରୂପେ ମୋ' ପାଇଁକି ଢାଳିଅଛ ରକ୍ତ ପୋଷପୋଷ
ପଳପଳ ମାଂସ ତୁମେ ଉଜାଡିଛ ଦଧିଚୀର ସମ,
ତଥାପି କେଜାଣି କାଇଁ ମରେନାହିଁ ଏ ମନର ଶୋଷ
ଲୋଡୁଥାଏ ପ୍ରତିକ୍ଷଣେ କୋମଳ ସେ କରସ୍ପର୍ଶ ତୁମ ।।

ତୃପ୍ତିର ତପୋବନେ ତପସ୍ୟା ମୋ' ତୁମଠାରୁ ସୁରୁ
ଏ ସଂସାର ଭାର ମୋତେ ତୁମଲାଗି ଲାଗିନାହିଁ ଗୁରୁ ।।


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ