ଈଷତ୍ କଳାରଙ୍ଗର ପଣତରେ ନିଜକୁ ବେଢ଼େଇ ଧରୁଥିଲା ସଞ୍ଜ । ସ୍ପଷ୍ଟ ଶୁଭୁନଥିଲେ ବି ଯିଏ ଯାହାବାଟରେ କୋଳାହଳମାନଙ୍କୁ ସାଉଁଟେଇ କୌଣସି ଗୋଟେ ଆରମ୍ଭ ଆଡ଼କୁ ମନ୍ଥର ଗତିରେ ଠେଲି ହୋଇ ଯାଉଥିଲେ । ଖୋଲା ଛାତରୁ ମଳିନ ଦିଶୁଥିବା ରାସ୍ତା ଆଡ଼କୁ ଅର୍ଥହୀନ ଦୃଷ୍ଟିଟେ ସେମିତି ଫିଙ୍ଗିଥିଲା ତାପସୀ । ଖେଳ ସରୁନଥିଲା ଘରପାଖ ପିଲାଙ୍କର । ଗୋଟେ ଅପରାହ୍ଣରେ କେତେଟା ଖେଳକୁ ଏକାଦିକ୍ରମେ ଖେଳାଯାଇପାରେ, ସେଥିରେ ମନ ଦେଇଥିଲେ ସେମାନେ । ଲମ୍ବି ଆସୁଥୁଲା ରାତିର ହାତ ପିଲାଙ୍କ ଖେଳକୁ ଅଟକେଇ ନେବା ଲାଗି । କୋଉ ମାନୁଥିଲେ ସେମାନେ... !!
...ପାହାଡ଼ ତଳେ ଝିଅଟିଏ
କଇଁ କଇଁ କରି କାନ୍ଦୁଛି
ଉଠ୍ ଲୋ ଝିଅ ଉଠ୍
ତୋ ଲୁହଟା ଟିକେ ପୋଛ ।...
ଲହରେଇ ଲହରେଇ ଗାଉଛନ୍ତି ପିଲାଏ । ମଝିରେ ଅଳ୍ପ ହୋହଲ୍ଲା । ଅଳ୍ପ କାନେଇଲା ସେ । କଇଁକଇଁ କରି କାନ୍ଦୁଥିବା ଝିଅଟା ପାହାଡ଼ ତଳକୁ ଗଲା କେମିତି ! ପାହାଡ଼ ତଳେ ଅସହାୟ ହୋଇ ଝିଅ ପିଲାଟେ କାନ୍ଦୁଥିବାର ଦୃଶ୍ୟ ତା ଆଖି ମନକୁ ଛାଇଗଲା । ସେହି ଦୃଶ୍ୟ ବି ଗୋଟେ ଗାଢ଼ ଧୂସର ରଙ୍ଗର ବ୍ୟାକ୍ଗ୍ରାଉଣ୍ଡ କଲର୍ରେ ଆଲୁଳାୟିତ କେଶରେ ଥିବା ଗୋଟେ କିଶୋରୀର ପଛଭାଗ ।
କିଛି ସମୟର ଅନ୍ୟମନସ୍କତା ତାକୁ ରୁନ୍ଧି ପକେଇଲା । ଚାଲଚାଲ ହୋଇ ଛାତ ଉପରୁ ପିଲାଙ୍କ ଖେଳକୁ ଦେଖିବାକୁ ଚେଷ୍ଟା କଲା । ଝିଅଟିକୁ ବୃତ୍ତ ଭିତରେ ରଖି ଅନ୍ୟମାନେ ପାଟି କରି ଗାଉଛନ୍ତି । ଝିଅଟି ମୁହଁପୋତି ବସୁଛି । ଗୀତ ଅନୁଯାୟୀ ଉଠୁଛି ଏବଂ ହାତ ଉଠେଇ ଡେଉଁଛି । ସଞ୍ଜବୁଡ଼ା ଅନ୍ଧାରରେ ଆକାଶ ଆଡକୁ ବଢ଼େଇ ଦେଉଥିବା ହାତ ଦୁଇଟା ତାକୁ ଦ୍ରୌପଦୀଙ୍କ ହାତ ଭଳି ଉଜ୍ଜ୍ଵଳ ଏବଂ କରୁଣ ଲାଗିଲା ।
ସମ୍ଭବ କି ଏମିତି ଉତ୍ତରଣ ! ଲୁହ ପୋଛିଦେବାକୁ ଲମ୍ବି ଆସିପାରେ ଏମିତି କେବେ ଅନେକଙ୍କ ହାତ ଅସହାୟତାରେ ନିସ୍ତେଜ ହୋଇପଡ଼ିଥିବା ଝିଅଟେ ପ୍ରତି ! ତାପସୀ କେବେ ବି ଏମିତି ଦିନଟେ ପ୍ରତ୍ୟକ୍ଷ କରିପାରିଲାନି । ହଁ ସେତେବେଳେ ସେ କାନ୍ଦୁ ନଥୁଲା, ଆଜି ବି କାନ୍ଦୁନି । କିନ୍ତୁ ଝାପ୍ସା ଅନ୍ଧାରରେ ମୁହଁ ଦିଶୁ ନଥିବା ବିପର୍ଯ୍ୟସ୍ତ କିଶୋରୀଟେ ତା ସ୍ମୃତିରେ ଲଟକି ରହୁଥିଲା ସେମିତି ।
ସହର ହୋଇ ଆସୁଥିବା ଗାଁ'ରେ ବିଜୁଳୀବତୀମାନ ଜଳି ଉଠିଲାଣି । ଖେଳ ଛାଡ଼ି ପିଲାଏ ଘରମୁହାଁ ହେଲେଣି । କେଉଁଠି କେଉଁଠି ଆଳତୀର ଘଣ୍ଟି ଶୁଭୁଛି । ଟିକକ ପରେ ଚାପି ହୋଇଯିବ ହଇଚଇ ଟିକକ ବଢ଼ନ୍ତା ରାତିର କୋଳରେ ।
କେହି ନାହିଁ କହିବାକୁ... “ରାତି ହେଲାଣି । ଶୂନ୍ୟ ଛାତଟାରେ ରହନା ଧନ ।” ଆକଟିବାକୁ ବି ନାହିଁ କେହି... “ରାତି ହେଲାଣି, କାମଧନ୍ଦା କିଛି ନାହିଁ କି ଆଉ ତୋର ? ପଡ଼ିରହିଛୁ ଛାତଟା ଉପରେ !" କେହି ବି ନାହିଁ ଉସ୍କେଇବାକୁ ତାରାଝୁଲରୁ ଝୁଲନ୍ତା ଇଚ୍ଛାକୁ ପୂର୍ଣ୍ଣ କରିବା ଲାଗି ପ୍ରବଣ ହେବାକୁ । କେହି ନାହାଁନ୍ତି... ସତରେ କେହି ବି ନାହାନ୍ତି...।
ଏବେ ସେ ରାତି ଅନ୍ଧାରର ନାରୀଟିଏ ଯିଏ ଫିଙ୍ଗି ଦେଇ ଆସିଛି ତା’ର କାନ୍ଦକାନ୍ଦ ଅନ୍ୟମନସ୍କତା, ସଂସାର ନାମକ ଚାପର ସ୍ଥାୟୀ ଅନିଶ୍ଚିତତାକୁ ।
ବତିଶ ବର୍ଷ ତଳେ ଏମିତି ଗୋଟେ ରାତି ତାକୁ ଗୋଡ଼ କାଢ଼ି ଅନୁପ ସାଙ୍ଗରେ ବାହାର କରି ଆଣିଥିଲା ଘରୁ । ଛାଡ଼ି ଆସିଥିଲା ସାବତ ବୋଉର ହିସାବକରା ନିର୍ଯାତନା । ବାପାଙ୍କ ଉଦାସୀନତା ଆଗପଛ ବିଚାର କରିବାର ସ୍ଥିରତା ନ ଥିଲା ବୋଲି ସତର ବର୍ଷର କିଶୋରୀର ଯିଏ ଭିଜେଇ ସାରିଥିଲା ସମୁଦାୟଟା ଶୈଶବ ଲୁହରେ, କୋହରେ, କ୍ଷୋଭରେ । ଅଚାନକ ବୟସ୍କ ପାଲଟିଯାଇଥିବା ତା'ର ମସ୍ତିଷ୍କ ଅନୁପକୁ ଆଶ୍ରୟ ଭାବି ବାହାରି ଆସିଥିଲା ଆଉ ଗୋଟେ ଗାରକଟା ଜୀବନକୁ ।
ଖୁସି ହୋଇ ପାରିଲା କି ? ଅଠର ବର୍ଷ ବିତିଗଲା ଅନୁପର ଦୟାକୁ ବୋହି ବୋହି । ଅନୁପର ଅନୁକମ୍ପା ତାକୁ ଭିଡ଼ି ଉଠାଉଥିଲା ବଡ଼ିଭୋରରୁ । ଶୋଇବାକୁ ଅନୁମତି ଦେଉଥିଲା ବିଶ୍ରାମ ପାଇଁ ଡହଳ ବିକଳ ହେଉଥିବା ଦେହକୁ ବିଳମ୍ବିତ ରାତିରେ । ସେ ଭୋଗିଥିବା ବିଦୀର୍ଣ୍ଣ ଶୈଶବ, ଅପହୃତ କୈଶୋରକୁ ଆହୁରି ଦୟନୀୟ କରି ଖେଳେଇ ପକାଉଥିଲା ଅନୁପ ନିଜ ଦୟାର ଦାୟରେ । କଥାରେ, କାର୍ଯ୍ୟରେ ତାକୁ ଚେତେଇ ଦିଆଯାଉଥିଲା । ଅଥଚ ସେହି ଅନୁପ ଆଦ୍ୟ ତାରୁଣ୍ୟରେ କେତେ ପ୍ରତିଶ୍ରୁତିର ରଙ୍ଗ ମାଖି ନଥିଲେ ତାର ସ୍ୱପ୍ନ ତିଆରି କରିପାରୁନଥିବା ମନରେ !
- ଏମିତି ଘରଛାଡି ବାହାରିଯିବାର ଦ୍ୱିତୀୟ ଦିନ କେମିତି ରହିବ ଆମର ? ଆତଙ୍କ ଉକୁଟି ଉଠୁଥିଲା ତାପସୀର ମୁହଁରେ, ସ୍ୱରରେ... ।
ଅନୁପ ଭରସା ଦେଇଥିଲା ସେହି ସମୟରେ ତାପସୀ ଚାହୁଁଥିବା ଶବ୍ଦମାନଙ୍କ ସାହାରାରେ । ଅଠର ବର୍ଷକୁ ତଥାପି ଛୁଇଁ ନଥିବା ତାପସୀ ନିଷ୍ପତ୍ତି ନେଲା କାନ୍ଦ କାନ୍ଦ ହୋଇ ଏବଂ କାର୍ଯ୍ୟକାରୀ କଲା ରାତାରାତି ଅନୁପ ସହ ବାହାରି ଆସି । ମାଟ୍ରିକ ପରେ ଅଧିକ ନ ପଢ଼େଇ ଅଠର ନ ଛୁଉଁଣୁ ବାପା ଜଣେ ଜଳଖିଆ ଦୋକାନୀ ସହ ତା’ର ବିବାହ ତାରିଖ ସ୍ଥିର କରି ସାରିଥିଲେ । ବାହା ନହେଉଣୁ ଫୋନ୍ରେ ତା' ଚାରିପାଖରେ ଲକ୍ଷ୍ମଣର ଗାର କାଟୁଥିବା ସ୍ଵାମୀପ୍ରାର୍ଥୀ ମଣିଷ ପ୍ରତି ତା’ର ସମ୍ମାନ ନ ଥିଲା ଆଦୌ । ସେ ରୁନ୍ଧି ହେଉଥିଲା । ବାସ୍ ଅନୁପ ସହ ବାହାରି ଆସିବାଟା ତାକୁ ସହଜ ଲାଗିଲା ସେତେବେଳେ ।
ନୂଆ ସହର । ଅନଭ୍ୟସ୍ତ ସଂସାର । ସହ୍ୟ କରିହେଲା ଭଳି ଦାରିଦ୍ର୍ୟ । ଛୋଟ ଛୋଟ ସଂଘର୍ଷ ଭିତରେ ଜିଉଁଥିବା ଜୀବନ ତାକୁ ଅସହଜ ଲାଗୁଥିଲା ।
-‘ମା’ ଥିଲେ ୟା’ କରିଥାନ୍ତା । ବାପା ଥିଲେ ଏହା କରିଥାନ୍ତେ । ଘରେ ଥିଲେ ଏମିତି ହୋଇନଥାନ୍ତା... ଭଳି କଥାମାନ ପ୍ରତିଦିନ କିଛି ନା କିଛି ସମୟ ବ୍ୟବଧାନରେ ଅନାୟାସରେ ଅନୁପଠାରୁ ଖସି ଆସୁଥିଲେ ଏବଂ ତାପସୀକୁ ନେଇ ତିଆରିଥିବା ଦାମ୍ପତ୍ୟକୁ ନେଇ ଅସନ୍ତୋଷକୁ ବ୍ୟକ୍ତ କରୁଥିଲେ ।
ସେ ଭିତରେ ଦୀପାର ଜନ୍ମ । ଆହୁରି ବିକଟ ହେଲା ଆବଶ୍ୟକତା । ଆହୁରି ହିଂସ୍ର ହୋଇ ଉଠିଲା ଅନୁପ ଚାହିଦାମାନଙ୍କ ଚାପ । ପୁଅ ବଦଳରେ ଝିଅଟେ ତା କୋଳକୁ ଆସିଥିବାରୁ ଉତ୍କ୍ଷିପ୍ତ ପରିଜନ । ଏତେ ପରେ ବି ଦୀପା ଅପହଞ୍ଚ ଥିଲା । ଦୀପା କ’ଣ ଖାଇବ, କେତେ ଖାଇବ । କୋଉଠି ଶୋଇବ । କ’ଣ ପିନ୍ଧିବ, ତାକୁ କିଏ ଧରିବ ସବୁ ନିର୍ଦ୍ଧାରିତ । ସେଠି ତାପସୀର ଭୂମିକା ନାହିଁ କିଛି । କିନ୍ତୁ ଝିଅ କାନ୍ଦିଲେ, ଛିଙ୍କିଲେ, କାଶିଲେ ଦୋଷ ତାପସୀର- ତାର ଦାୟୀତ୍ଵହୀନତାର ।
ସକାଳୁ ଉଠିବାକୁ କଷ୍ଟ ହୁଏ ବୋଲି ମାଲିସ ତେଲ ନେଇ ଶାଶୁ ଶ୍ଵଶୁରଙ୍କୁ ମାଲିସ କରେ ସେ । ଗରମ ପାଣି ସେକ ଦିଏ ଶାଶୁଙ୍କ ଅଣ୍ଟାରେ । ଚା’ ବନାଏ, ଝିଅର ସକାଳୁଆ ସ୍କୁଲ ଲାଗି ଜଳଖିଆ ବନାଏ । ସେ ଭିତରେ ଘରଓଳା, ଫୁଲତୋଳା, ଘରପୋଛା, ଲୁଗାସଫା, ବାସନମଜା ସବୁ ହୁଏ । ସବୁ ତାପସୀ ହିଁ କରେ ।
ଶାଶୁ ଯାଆନ୍ତି ସ୍କୁଲ । ଅନୁପ ଯାଏ ଅଫିସ୍ । ନିଜ ମୁତାବକ ଚାନେଲ୍ ବଦଳେଇ ବଦଳେଇ ଫୁଲ ଭଲ୍ୟୁମ୍ରେ ଶ୍ୱଶୁର ଦେଖନ୍ତି ଟି.ଭି. ପୁରା ଦିନ ତମାମ । ସେ ଭିତରେ ବାରମ୍ବାର ଚା’ ଏବଂ କଫିର ବରାଦ । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ସମୟ ନଥାଏ ମନକୁ କି ଦେହକୁ କୋଉଠି ଗୋଟେ ଆଉଜେଇ ଦେବାଲାଗି ବିଶ୍ରାମ ଲୋଭରେ ।
ଖାଇବାକୁ ନେଇ, ପିନ୍ଧିବାକୁ ନେଇ, ଘରକରଣାକୁ ନେଇ ଶାଶୁ ଚିହିଁକି ପଡ଼ିଲେ ଦଳବଦ୍ଧ ବୁଲା କୁକୁର ଭଳି ଝାମ୍ପି ପଡ଼ନ୍ତି ସଭିଏଁ ତା ଉପରକୁ । ଅଲଗା ସାହିର ଏକୁଟିଆ ବିଲେଇଟିଏ ପରି ସେ କୁଙ୍କୁରି କାଙ୍କୁରି ଯାଉଥାଏ ଭୟରେ । ଝିଅ ବି ସେମିତି ବଢିଥିଲା । ଘରେ ଆତଯାତ ବିଲେଇ ଛୁଆ ଭଳି ତା'ର ଉପସ୍ଥିତିକୁ ସେ ମାଆ ବୋଲି ସମ୍ମାନରେ ମାନିବାକୁ ପ୍ରସ୍ତୁତ ନଥିଲା । ଅଧିକନ୍ତୁ ମାଆର ଛୋଟମୋଟ ଭୁଲ ଖୋଜି ବଢ଼େଇ କୁଢେଇ ଅପମାନିତ କରିବାକୁ ପସନ୍ଦ କରୁଥିଲା ସମସ୍ତଙ୍କ ସାମ୍ନାରେ ।
ସେ ଜାଣୁଥିଲା ଅନୁପ ତିଆରି କରି ସାରିଛି ଆଉ କେଉଁ ନାରୀ ସହ ଅନ୍ତରଙ୍ଗତା । ପ୍ରତିବାଦ କରି ନିଜର କି ଝିଅର ନିରାପତ୍ତାକୁ ବିପନ୍ନ କରିବା ଅପେକ୍ଷା ନିରବ ରହିବା ଉଚିତ ମଣୁଥିଲା ସେ । କେତେଥର ଶାଶୁ କହି ସାରିଥିଲେ, ପୁଅ ପାଇଁ କେଡେ କେଡ଼େ ଘରୁ ପ୍ରସ୍ତାବ ଆସୁଥିଲା ଏବଂ ଆସୁଛି । ତାପସୀ ତା ଝିଅକୁ ନେଇ ଯଦି ଘର ଛାଡିଦିଏ କେତେ ଶୁଭଙ୍କର ହେବ ତାଙ୍କ ସମୟ ସବୁ । ସେ ତ ବାହାରିଯିବାକୁ ଚାହୁଁଥିଲା ଗୋଟେ ରୁନ୍ଧି ହୋଇ ଯାଉଥିବା ବଳୟରୁ । ସମାଜର ଚେତନା ଯାହା ଛନ୍ଦୁଥିଲା ।
ଦୀପାକୁ ସ୍କୁଲ ନେବା ସମୟରେ ତାର ଶ୍ରେଣୀ ଶିକ୍ଷକ ବିରାଜଙ୍କ ସହ ଅଳ୍ପ ଅଳ୍ପ କଥାରୁ ଖୋଲାପଣ । ଖୋଲାପଣରୁ ମୁକୁଳିଯିବାର ଲୋଭ ପରଖି ନେଇଥିଲେ ବିରାଜବାବୁ ତାପସୀଠାରୁ । ଘରୋଇ ଉପାର୍ଜନ କରି ନିଜ ଗୋଡ଼ରେ ଠିଆ ହେବାର ସାହସ ଦେଉ ଦେଉ କବ୍ଜା କରିନେଲେ ତାପସୀର ଦୁକୁଦୁକିଆ ଦୁର୍ବଳ ପ୍ରାଣକୁ । ଏମିତିରେ ସ୍ନେହ ଆଦର ପାଇଁ ଖଣ୍ଡିଆ ଖାବରା ତାର ଦେହ ଓ ମନ ବିରାଜଙ୍କ ପ୍ରତି କେତେବେଳେ କେମିତି ଢାଳି ହୋଇଯାଇଥିଲା ଅନୁରକ୍ତିରେ ।
- ଥରେ ତ ଚେଷ୍ଟା କରି ଠିଆ ହୋଇ ଦେଖ । ଦେଖ ମୋ' ବଢ଼ନ୍ତା ହାତ । ନିଜକୁ ଭଲପାଇବା ଶିଖିବା ଆରମ୍ଭ କର ଧୀରେଧୀରେ....। ଯଥାସମ୍ଭବ କୋମଳ କରି କହୁଥିଲେ ବିରାଜ ବାବୁ ।
ସେହି ନିଷିଦ୍ଧ ମୋହରେ ନପଡ଼ିବା ଲାଗି ଚେଷ୍ଟା ଯେ କରିନଥିଲା ତାହା ନୁହେଁ କିନ୍ତୁ କେଜାଣି କେମିତି ବିରାଜଙ୍କ ଯତ୍ନ, କୋମଳ କଥା ତାକୁ ବେଶି ମୋହାବିଷ୍ଟ କରୁଥିଲା । ବିରାଜ ସ୍ନେହୀ ଓ ସମବୟସୀ ଥିଲେ । ଅବିବାହିତ ଥିଲେ । ନାହିଁ ନାହିଁ ବୋଲି ନିଜକୁ ବୁଝାଉ ବୁଝାଉ ବିରାଜ ପ୍ରତି ତାର ଅଦମନୀୟ ଆକର୍ଷଣରେ ଖସିଗଲା ସେ । ଯଦିଓ ତାକୁ ଖସେଇ ଦେବାରେ ସାମ, ଦାନ, ଦଣ୍ଡ, ଭେଦ ନୀତି ପ୍ରୟୋଗ କରୁଥିଲେ ବିରାଜ ବାବୁ ।
ଯାହା ନିଷିଦ୍ଧ, ଅପହଞ୍ଚ ତାହା ଲୋଭନୀୟ । ତାପସୀ ମୁହଁରେ ଚମକ, ଆଖିରେ ମାୟା, ଆଚରଣରେ ସ୍ନିଗ୍ଧତାକୁ ଦେଖି ଠଉରାଇ ନେଲା ଅନୁପ ବିରାଜ ପ୍ରତି ତିଆରି ହୋଇଥିବା ତାର ଅନ୍ତରଙ୍ଗତାକୁ । ଏମିତି କିଛି ହେଉ ବୋଲି ସେମାନେ ଯେମିତି ଅପେକ୍ଷା କରିଥିଲେ କାହିଁ କେଉଁକାଳୁ ।
ଦୁଇ ତିନିଖଣ୍ଡ ଲୁଗାକୁ ତାର ଆଲଣାରୁ ଟାଣି ଆଣି ଫିଙ୍ଗିଦେଇ ହଠାତ ଦିନେ ଗର୍ଜନ କଲେ ଅନୁପ ଏବଂ ଶାଶୁ । 'ସାଇ ଭାଇ ଲୋକ ଡାକି ସୁଆଙ୍ଗ କରେଇବାରେ ଅଛି ଯଦି ରହ ନହେଲେ ଏଇଲେ ଘରୁ ବାହାର । ବାରବର୍ଷର ଝିଅ ଥାଇ ମା' କେମିତି ପରପୁରୁଷ ସହ ଲଟର ପଟର ହେଉଛି ଲୋକେ ଦେଖନ୍ତୁ, ଜାଣନ୍ତୁ । ବାପଘରେ ଥିଲେ ଇଏ ଆଉ କଣ ନକରନ୍ତା !' ଘର ଭିତରୁ ଏକକାଳୀନ ଏକାଧିକ କାନଫଟା ଚିତ୍କାର ପରେ ସେ ସେଇମିତି ବାହାରି ଆସିଥିଲା ଦାଣ୍ଡ ଦୁଆରୁ । ଗଳି ପାଖ ମନ୍ଦିରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲା କାଳେ ଫେରେଇ ନେବାକୁ ଆସିଯିବେ କେହି । କିଛି ନହେଲେ ଦୀପା ତ ଦୌଡ଼ି ଆସିଵ ଘର ଲୋକଙ୍କ ସହ ଜିଦ୍ କରି ମାଆକୁ ଫେରେଇବା ଲାଗି ।
ଦିନ ଯାଇ ରାତି ହେଲା । ସେ ଉଠିଲା । ଘର ଲୋକଙ୍କ ମୁଣ୍ଡ ଶାନ୍ତ ହେଇଯିବଣି । ଫେରିବ କି ? ନାଇଁ ଯଦି ଏବେ ଆଉ କୁଆଡ଼କୁ ଯିବ, କେଉଁଠିକୁ ଯିବ ??
ମନରେ ବିରାଜ ଆସି ଠିଆ ହେଲେ । ତାର ବନ୍ଧୁ, ସମଦୁଃଖୀ। 'ତୁମ ସହ ସବୁବେଳେ ଅଛି' କହୁଥିବା ହୃଦୟବାନ ମଣିଷ । ଅଗତ୍ୟା ସେ ଚାଲ ଚାଲ ହୋଇ ରାସ୍ତା ପଚାରି ପଚାରି ବିରାଜଙ୍କ ଘର ଆଡକୁ ମୁହାଁଇଲା । ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ଲାଗିଗଲା ଘର ପାଇବାକୁ । ଘରେ ନଥିଲେ ସେ । ଯାହା ସବୁ ହେଲା ତେଣିକି ବିରାଜଙ୍କ ଏରୁଣ୍ଡି ଏପଟେ । ଭେଟିଲେ ପ୍ରଥମେ ବିରାଜଙ୍କ ବାପା । କଲିଂ ବେଲ ଟିପିଲା ପରେ ପ୍ରଥମ ଲୋକ ଯିଏ କବାଟ ଖୋଲିଲେ ।
- କାମ କଣ ଅଛି ? ଗମ୍ଭୀର ଗଳାରେ ପ୍ରଶ୍ନ । ଅଳ୍ପ ବିରକ୍ତି ଏବଂ ଅସନ୍ତୁଷ୍ଟ ତା ତୁଣ୍ଡରୁ ବିରାଜର ନାଁ ଶୁଣି ଯେମିତି ।
- ନାଇଁ... କାମଟେ କରେଇ ଦେବେ କହିଥିଲେ । କୋହ ଭର୍ତ୍ତି କଣ୍ଠ । ଅସମ୍ଭବ ଏକୁଟିଆପଣରେ ସେ ଲୁହ ବି ବୁହାଇ ପାରୁନଥିଲା ତାଙ୍କ ସାମ୍ନାରେ ।
- କାମ କଣ ଏତେ ରାତିରେ ଦିଆଯାଏ ନା ମଗାଯାଏ ? ବିରକ୍ତ ହେଲେ ବିରାଜର ମାଆ ।
ହସି ହସି ସାମ୍ନାକୁ ଆସିଗଲେ ବିରାଜର ଭାଉଜ ବୋଧହୁଏ । କହିଲେ, "ବିରାଜ ଜାଣିଥିଲେ କି ତୁମେ ଆସିବ ବୋଲି ?" ସେ ମୁଣ୍ଡ ହଲାଇ ନାହିଁଟେ କଲା । ତାକୁ ଭୋକ ଲାଗୁନଥିଲା । କ୍ଳାନ୍ତ ବି । ଘର ଭିତରୁ ଅଧା ଓଢଣୀ ଦେଇ ପର୍ଦ୍ଦା ପାଖରୁ ତାପସୀକୁ ପଢି ପକେଇବାକୁ ବ୍ୟାକୁଳ ଆଖି ଦୁଇଟା ଘୂରି ଗଲା ତାଉପରେ । ସେ ଚାହାଣୀକୁ ଠିକ୍ ରେ ପଢି ପାରୁନଥିଲେ ହେଁ ଥରିଗଲା ତାପସୀ ହତାଶା ଓ ଅପମାନରେ । ଲୁହରେ ଲୁହରେ ସିଇଁ ଦେଲା ନିଜ ଆଖି । କଥା କିଛି ପଠେଇଦେଲା ପବନରେ ସନ୍ତର୍ପଣରେ, ଏଇ ଶେଷ ମାତ୍ର । ଆଉ କେବେ ଦେଖିବନି ମୋତେ ତୁମ ଦୁହିଁଙ୍କ ଜୀବନର ଚଉହଦୀ ଭିତରେ । ସେଇଠି ସେ ପ୍ରଚଣ୍ଡ ଆବେଗରେ ଲେଖା ହୋଇଥିବା ଗୋଟେ ଅନିଶ୍ଚିତ କାହାଣୀରେ ପୂର୍ଣ୍ଣଛେଦ ଟାଣି ଫେରିଆସିଲା ।
ତାପସୀ ଉଠିଲା । ଦୀପା ମନେ ପଡୁଥିଲା ଖୁବ୍ । ଖୋଜୁଥିବ ନିଶ୍ଚୟ ତାକୁ । ଆଃ ! ମାଆର ଜୀବନ କେଡ଼େ ହୀନିମାନିଆ ସମୟେ ସମୟେ !! ଗୋଡ଼କୁ ଗୋଷାରି ନେଲାଭଳି ଚାଲିଚାଲି ପହଞ୍ଚିଲା ସେଇ ଘରେ ଯେଉଁଠୁ ସକାଳୁ ସେ ତଡ଼ା ଖାଇଥିଲା । ଦ୍ଵାର ସାମ୍ନାରେ ତାଲା । ସମସ୍ତେ କୁଆଡ଼େ ବାହାରି ଯାଇଥଲେ ସାଇ ଦର୍ଶନ ଲାଗି ଶିରିଡ଼ି । ସତରେ ସବୁ କ’ଣ ପୂର୍ବ ନିର୍ଦ୍ଧାରିତ !!
ଗୋଟେ ରାତି କେବଳ ସେ ବସି ରହିଛି କବାଟ ପାଖରେ ମୁଣ୍ଡରଖି । କେଡ଼େ ଭୟଙ୍କର ସେ ରାତି ! ନିଜ ପ୍ରତି କେତେ ଘୃଣା ଯେତେ ବିରକ୍ତି ଯେତେ ଅଭିଯୋଗ ଥିଲା ତାକୁ ସେ ବୁହାଇ ଦେବାକୁ ଚାହୁଁଥିଲା ଲୁହରେ । ପାରିଲା କି ? ସବୁକିଛି ହରେଇ ସାରିଲା ପରେ ନା... ନା... ତାକୁ ସମସ୍ତେ ଜବରଦସ୍ତି ନିଃସ୍ଵ କରିଦେଲା ପରେ ସେ ଠିଆ ହେବାକୁ ଚାହିଁଲା । ଖାଲିପଣ ବି କେବେକେବେ ଶକ୍ତି ହୋଇ ସାହସ ହୋଇ ତୁମକୁ ଠିଆ କରାଏ । ପ୍ରତି ସନ୍ଧ୍ୟାରେ ଦୀପ ଜାଳିବାକୁ ଯାଇଥିବା ଘରପାଖ ଠାକୁରାଣୀଙ୍କ ମନ୍ଦିର ପାଖରେ ଯାଇ ବସିରହିଲା କିଛି କାଳ ।
ପୂଜାରୀ ଦୟା କଲେ । ଜାଣିଥିଲେ ତାପସୀକୁ । କହିଲେ, “ବୁଢ଼ୀଟେ ଅଛି । କେହି ନାହାଁନ୍ତି ତା’ର । ଖାଇବାକୁ ଗଣ୍ଡେ ଦବାକୁ କେହି ନାହାନ୍ତି । ପୁଅ ବୋହୂ ବିଦେଶରେ । ବୁଢ଼ୀ ମରଣର ଅପେକ୍ଷାରେ । ଲୋକଟେ ଖୋଜୁଛନ୍ତି ବୁଢ଼ୀ ଲାଗି ପୁଅବୋହୂ । ପଇସାପତ୍ର ଭଲ ଦେବେ । ବୁଢ଼ୀ ଭଲମଣିଷଟେ ଝିଅ । ସମ୍ପର୍କରେ ମୋ ନାନୀ ଲାଗିବ । ବହୁତ ଦୁଃଖ ପାଉଛି । ଅଳ୍ପ ବୟସରୁ ବିଧବା ହୋଇ ବାର ଦୁଆର ଶୁଣ୍ଡି ପିଣ୍ଡା ହୋଇ ପୁଅଟିକୁ ପଢେଇଥିଲା ଯେ ପୁଅ ବଡ଼ ଚାକିରୀ କରି ଦେଶ ବାହାରେ ରହିଲା । ଯାଅ ମା’ ପୂଣ୍ୟ ହେବ ।
ସେବା ନୁହେଁ ତା’ର ଜୀବନଟେ ଜିଇଁବାର ଥିଲା । ଦୀପାକୁ ମା’ ହୋଇ ଥରେ ଅଧେ ଦେଖିବାକୁ ଚାହୁଁଥିଲା । ମା’ ବୋଲି ଦୀପା କେବେ ଯେ କେବଳ ତାପସୀକୁ ବଞ୍ଚିବା ଲାଗି ବାଛିବ ସେ ଆଶାଟିକକ ତା’ର ନଥିଲା । ଦୀପା ପାଉଥିବା ସ୍ଵାଚ୍ଛନ୍ଦ୍ୟ ଓ ବିଶୃଙ୍ଖଳିତ ଆନନ୍ଦରୁ ତାପସୀର ମା’ପଣ କେବେବି ଟାଣି ଆଣି ପାରିନଥାନ୍ତା । ବଞ୍ଚିଥାଉ । ବଢ଼ୁଥାଉ । ସୁଖୀ ଥାଉ ଏଇ ପ୍ରାର୍ଥନା ତା’ ଭିତରେ ଲହଡ଼ା ଭାଙ୍ଗୁଥିଲା ବେଳେ ତା’ ଆଖି କିନ୍ତୁ ଭିଜୁନଥିଲା ଏଣିକି ଆବେଗରେ ।
ବିନା ବାକ୍ୟବ୍ୟୟରେ ସେ ମାନିଗଲା ପୂଜାରୀବାବାଙ୍କୁ । ସହର ପରେ ସହର, ଗାଁ ପରେ ଗାଁ, ନଈ କ୍ଷେତ ଡେଇଁ ସେ ପହଞ୍ଚିଲା ଏଇ ସହରରେ ଯେଉଁଠି ଅସହାୟ ହୋଇ ଜଣେ ବୁଢ଼ୀଲୋକ ମାଗୁଥିଲା ସାହାରା ।
ଘର ବିରାଟ । ଆଧୁନିକ ଢଙ୍ଗରେ ତିଆରି । ଚାରିଚାରିଟା । ଚାରିଚାରିଟା ଭରପୂର ପରିବାର ଘରଭଡ଼ା ନେଇ ଅଛନ୍ତି । ବୁଢ଼ୀ ରହୁଥିବା ଘର ସହ ସେମାନଙ୍କର ସମ୍ପର୍କ ନାହିଁ । ସେମାନଙ୍କ ଘରର ରାସ୍ତା ପରସ୍ପରଠାରୁ ଅଲଗା - ସହରର ଲୋକଙ୍କ ମନ ଏବଂ ବିଚାର ଭଳି । ତାପସୀ ଆସିବା ଖବର ପାଇଯାଇଥିଲେ ପୁଅବୋହୂ ବିଦେଶରେ ରାନ୍ଧି ଖୁଆଇବା ଦାୟିତ୍ଵରେ ଥିବା ସ୍ତ୍ରୀଲୋକଟି ଗରଗର ହୋଇ ଚାବି ନେନ୍ଥାତକ ପୂଜାରୀ ହାତରେ ଦେଇ ପଳେଇଗଲା ।
ଅସ୍ୱାସ୍ଥ୍ୟକର ଅବ୍ୟବସ୍ଥିତ କୋଠରୀରେ ଖଟ ସହ ବିଛଣା ଭଳି ଲେସି ହୋଇଯାଇଥିବା ଦୁର୍ବଳ ବୁଢ଼ୀ ମଣିଷ ଜଣେ । ତକିଆରେ ମୁହଁ ମାଡି ଶୋଇ ରହିଥିଲେ । କବାଟ ଖୋଲିବା, ଆଲୁଅ ଜାଳିବାରେ ଆଖି ଖୋଲି ଚାହିଁଲେ ସେ । ତାପସୀର ଆଖି ସହ ଆଖି ମିଶିଗଲା ପରେ ସେ କିଛି କହିବାକୁ ଚାହୁଁଥିଲେ । ପୂଜାରୀ ବାବା କହିଲେ, ନେତ ନାନୀ ! ତୋ ଲାଗି ଝିଅଟେ ଦେଖ ଆଣିଦେଇଛି । ତୋ’ ପାଖରେ ଝିଅ ହୋଇ ରହିବ । କହିବାକୁ ଓଠ ଥରଉଥିବା ବୁଢ଼ୀ ମା’ କିଛି କହିପାରିଲେନି । ଲୋଚାକୋଚା ହୋଇଯାଇଥିବା ଆଖି ଦୁଇଟାରୁ ବହି ଆସିଲା ଦୁଇଧାର ଲୁହ । ତାପସୀ ତୁରନ୍ତ ନିଜକୁ ଆବିଷ୍କାର କଲା ସେଇଠି – ସେଇ ଛାତିରେ ସେହି ବେଦନାରେ । କାହିଁ କେଉଁକାଳୁ ସଫା ହୋଇନଥିଲା ବିଛଣା, ଉଷୁମୁଳିଆ ଗନ୍ଧ ଛାଡୁଥିବା କୋଠରୀ, ସଢ଼ା ବାସ୍ନା ଆସୁଥିବା ଅଧାଖିଆ ଖାଇବା ବାସନଆଡୁ ଆଖି ବୁଲେଇ ଆଣିଲା ତାପସୀ । ଦୀପା ଏମିତି ହିଁ କରେ । ଖାଇବା ଅଧାଛାଡ଼ି ଅଇଁଠା ବାସନ ଲୁଚେଇ ଦିଏ ଆଲମୀରା କନ୍ଦିରେ ନଚେତ୍ ରାକ୍ ତଳେ । ଶାଶୁ ତାପସୀକୁ ବିଗିଡ଼ିଲେ ତାଳି ମାରି ନାଚେ । ଇଏତ ଦୀପାଠୁ ଆହୁରି ସାନ, ଆହୁରି ନିରୀହ, ଆହୁରି କୋମଳ । ଖସିଯାଇଥିବା ଲୁଗାକୁ ଟେକି ସଜାଡ଼ି ଦେବାକୁ ଯାଇ ତାପସୀ ଦେଖିଲା ଲୁଗା ଝାଡ଼ା ପରିସ୍ରାରେ ଖରାପ ହୋଇଯାଇଛି ।
ପୂଜାରୀବାବାଙ୍କୁ ଘରୁ ବାହାରିବାକୁ କହି ପୂରା ଲୁଗା ବାହାର କରିଦେଲା ସେ । ବିଛଣାର ଚାଦର ଆଉ ଶେଯ ବି । ଯାହା ଥିଲା ଅପେକ୍ଷାକୃତ ପରିଚ୍ଛନ୍ନ ସଜାଡ଼ି ରଖୁଲା ଖଟରେ, ବୁଢ଼ୀମା ଦେହରେ । ଏସବୁ କରିବା କରିବା ଭିତରେ ଆଗାମୀ କାଲି ଲାଗି ନିଜକୁ ପ୍ରସ୍ତୁତ କରୁଥିଲା ସେ ।
ଖୁଆଇ ଦେଲେ ବୁଢ଼ୀ ମା’ ଖାଏ । ଥାପୁଡ଼େଇ ଦେଲେ ଶୋଇପଡ଼େ । ଗାଧେଇ ଦେଲେ, ତେଲ ଲଗେଇ ଦେଲେ, ଔଷଧ ଖୁଆଇଦେଲେ ଛାତି ଉପରେ କୁନିଛୁଆ ଭଳି ଆଉଜି ଯାଏ । ଯେମିତି କି ସୁନାଝିଅ । ଗେଲ କରି କାମ କଲାବେଳେ କେତେବେଳେ କେମିତି ‘ଦୀପୁନ୍’ ବୋଲି ଡାକି ବି ହୋଇଯାଏ ।
ତାପସୀକୁ ଦେଖିଲେ ଚିକମିକ୍ କରେ ବୁଢ଼ୀମା’ର ଆଖି ଖୁସିରେ । ଷଠୀମା’ ହସେଇ ଦେଲାଭଳି ଓଠରେ ହସ ମେଲିଯାଏ । ଅଭିଯୋଗ, ଅଭିସମ୍ପାତ, ଅଭିମାନ କିଛି ନାହିଁ... ଯାହା ଅଛି କେବଳ ସମର୍ପଣ ତାପସୀର ମା’ପଣ ପାଖରେ । ସେହି ସମର୍ପଣ ଯାହାକୁ ସେ ଲୋଡ଼ି ଆସୁଥିଲା ଆଉ କାହାକାହାଠୁ ଜୀବନ ଦେଇଥିବା ଆବର୍ତ୍ତରେ... ।
ମାନମୟୀ ରଥ, ପୁରୀ, ଓଡିଶା