ବାଘ - ଅମିୟ ବେଜ୍

0

ବାଘଟା ଯେତେବେଳେ ଖୁଆଡ଼ ଭିତରୁ ଭୁସ୍ କି ବାହାରି ଆସିଲା ବୋଉ ହାଉଳି ଖାଇଲା ପରି ହେଲା । ଅବଶ୍ୟ ମୋ ବୋଉପରି ଆହୁରି ଅନେକ ସ୍ତ୍ରୀ ଲୋକ, ଛୋଟ ପିଲାଏ ଚିତ୍କାର କରିବାକୁ ଲାଗିଲେ । କିନ୍ତୁ ବୋଉର ଏମିତି ତରକି ଯିବାଟା ବାପାଙ୍କୁ ହଜମ ହେଉନଥିଲା ଯେପରି । ସିଏ ଶୋଧିଲେ । ଯେମିତି ଘରେ ଶୋଧନ୍ତି ବୋଉକୁ କଥାକଥାରେ । ସେଇ ଶୋଧାବକା ରେ ଏମିତି ବି କଥା ଥିଲା ଯେ, 

'ତୋ ପରି ମୁର୍ଖକୁ ଆଣିବାର ନଥିଲା ଏଠାକୁ', ଇତ୍ୟାଦି...

ମୁଁ କିନ୍ତୁ ଡରିନଥିଲି । କାରଣ ମୋ ହାତ ଆଙ୍ଗୁଠି ବାପାଙ୍କ ମୁଠାରେ ଥିଲା । ହଃ ବାଘଟେ ତ....

ବୋଉ ଅପମାନିତ ହୋଇଥିଲା । ମୋ ବାପାଙ୍କ ପରି ଅନେକ ଭାବନ୍ତି ଯେ, ଅଶିକ୍ଷିତ ଅବା ମୁରୁଖ ଲୋକଙ୍କ ଲଜ୍ୟା ଅପମାନ ବୋଲି କିଛି ନଥାଏ । ସେମାନଙ୍କ ପ୍ରାପ୍ୟ ସେତିକ । ଏକଥା ଗୁଡାକ ସତ୍ୟ ସେଇବେଳେ ହୋଇପଡେ ଯେବେ ପ୍ରତିବାଦ ନଥାଏ । 

ଆମେ ବଞ୍ଚୁଥିବା ସଂସାର ଏମିତି । ଅନେକ ବିଷ ଓ ବିଷୟକୁ ମାନିନେବା ହେଉଛି ଏକ ସଂସାର ଧର୍ମ । ଏକଥା ଆମକୁ ପରୋକ୍ଷରେ ଶିଖାଇ ଦିଆଯାଏ ।

ମୁଁ କିନ୍ତୁ ପୁନର୍ବାର ଯେବେ ଏଇ ଚିଡିଆଖାନାକୁ ଆସିଲି ସେତେବେଳେ ଠିକ୍ ଏଇ ଯାଗାକୁ ପ୍ରଥମେ ଆସିବାକୁ ମନ କଲି । ଯେଉଁଠି ଦିନେ ମୁଁ ବାପାଙ୍କ ହାତ ମୁଠାରେ ଥିଲି ଓ ବୋଉ ବାପାଙ୍କଠୁ ଗାଳି ଶୁଣିଥିଲା । ୟା ଭିତରେ ଯେତେବି ବର୍ଷ ଅବା ସମୟ ଅତିବାହିତ ହୋଇ ସାରିଛି, ସେସବୁ ସମୟ ଭିତରେ ମୁଁ କେବେ ଥରେ ଏଠାକୁ ଆସିନି । ବା ଆସିବାକୁ ମନ କରିନି କହିହେବ ।

ବଡ଼ ହେବାପରେ ଅନେକଥର ଏମିତି ଲାଗେ ଏ ଚିଡିଆଖାନା ଏକ ଅସତ୍ୟ ଓ ତୁଚ୍ଛା ବିନୋଦନର ପେଣ୍ଠସ୍ଥଳ କେବଳ । ଏଠାରେ ରହୁଥିବା ଜନ୍ତୁ ଜାନୁଆର ସବୁ ଗୋଟେଗୋଟେ ବୋଲକରା ପରାଧୀନ ଗୋଲାମ । ବରଂ ଚାବିଦିଆ ରବର କଣ୍ଢେଇ । 

ବାଘଟି କିନ୍ତୁ ସେଇ ବାଘ । ମୋ ମନରେ ଆଦୌ ଦ୍ଵନ୍ଦ ନାହିଁ । ଏଇଟି ସେଇ, ଯାହାକୁ ମୁଁ ଛୋଟବେଳେ ଥରେ ବାପାଙ୍କ ସହ ଦେଖିଥିଲି । ସେଇ ରଙ୍ଗ, ସେଇ ଲାଞ୍ଜ, ସେଇ କୁହାଟ । ଅଥଚ ଭୀତତ୍ରସ୍ତ । ଯିଏ ଡ଼ରାଇଥିଲା ଦିନେ ମୋ ବୋଉକୁ । ଯାହାପାଇଁ କୁଛତ୍ର ଶୋଧିଥିଲେ ବାପା ତା'କୁ । 

ମୋର ଏବେଏବେ ମନହେଉଥିଲା, ଗୋଟେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ନେଇ ସେଇ ଚିହ୍ନା ବାଘଟିକୁ ଗୁଳି କରିଦେବାକୁ । ଅଥଚ ମୁଁ କେବଳ ଏତିକ ଭାବିପାରେ । ତା'ଠାରୁ ଯେ ଅଧିକ ମୋ'ଠାରେ ବଳ ନାହିଁ ଏକଥା ମୁଁ ଜାଣେ ମଧ୍ୟ ।

ଆମେ ସେଦିନ ବଡ଼ ସହର ବୁଲିବାକୁ ଆସି ପ୍ରଥମେ ଚିଡିଆଖାନା ଓ ତାପରେ ଅନେକ ମନ୍ଦିର ବୁଲିଥିଲୁ । ପ୍ରତ୍ୟେକ ମନ୍ଦିର ଅପରଠାରୁ ଭିନ୍ନ । ଦେବତା ଭିନ୍ନ ଭିନ୍ନ । ବୋଉ ପ୍ରତି ଠାକୁରଙ୍କ ପାଖରେ କିଛିନା କିଛି ମାନସିକ ରଖିବାରେ ବ୍ୟସ୍ତ ଥିଲା । ସେ ସବୁ ତା'ର ଏକାନ୍ତ ବ୍ୟକ୍ତିଗତ କଥା ଥିବାରୁ  ବାପାଙ୍କୁ ଜଣାପଡୁନଥିଲା ଓ ମୁଁ କେବଳ ଅନୁମାନ କରିପାରିବାର ବୟସରେ ପହଞ୍ଚି ସାରିଥିଲି । ତେଣୁ ଭାବୁଥିଲି ତା ନିଜ ପାଇଁ କିଛି ମାଗୁ କି ନମାଗୁ ସିଏ ନିଶ୍ଚିତ ମୋ ପାଇଁ ଓ ବାପାଙ୍କ ପାଇଁ କିଛି ତ ଭଲ ଚାହୁଁଥିବ । ବାପାଙ୍କର ମନ୍ଦିର ଅବା କୌଣସି ଦେବତାଙ୍କ ପ୍ରତି ସେମିତି ପ୍ରଚଣ୍ଡ ଆଗ୍ରହ ଥିବାପରି ଜଣାପଡୁନଥିଲା । ବରଂ ସିଏ ଶୀଘ୍ର ଶୀଘ୍ର ଆମକୁ ସବୁକିଛି ବୁଲାଇ ଘରକୁ ଫେରିଯିବା ପାଇଁ ବ୍ୟସ୍ତ ହେଉଥିଲେ । 

ଯଦିଓ ଆମର  ଫେରିବାକୁ ରାତି ବସ୍ ଥିଲା । ଆମେ ସହରକୁ ଆହୁରି ଭଲଭାବେ ବୁଲି ନିଅନ୍ତୁ । ତେବେ ବାପାଙ୍କ ଅହରହ ଚିଡିଚିଡା ପ୍ରକୃତି ଯୋଗୁଁ ବୋଉ ମନ ଭାଙ୍ଗି ସାରିଥିଲା । ମୋତେ ନଶୁଣିବା ପରି ନିଜକୁ କହୁଥିଲା -

"ଘରେ ଯେମିତି, ଲୋକଟା ବାହାର ଯାଗାରେ ବି ସେଇମିତି । ମୋ ଭାଗ୍ୟ ।"

ସହର ଯେ ଏତେବଡ଼ ହୋଇପାରେ, ଏକଥା ମୋ ଅନୁଭବ ହେବାକୁ ସମୟ ଲାଗୁଥିଲା । କାରଣ ସହର ଭିତରେ ଆଉଟେ ସହର । ଖଣ୍ଡେବାଟ ପରେ ପୁଣି ଏକ ସହର । ଆହାଃ, ଏଠାରେ କେତେ ଭଲ ଭଲ ମଣିଷ । ଭଲ ଭଲ ଗଛ ପତ୍ର । ମୋତେ ଭାରି ବିଚିତ୍ର ଓ ଖୁସି ଆଶ୍ଚର୍ଯ୍ୟ ଲାଗୁଥିଲା ବେଳେ, ବୋଉ ନିହାତି ଉଦାସ ଓ ବାପା ତରତରରେ ଥିଲେ । ଆମେ ବୁଲୁଥିଲୁ ଟାଉନବସ ଓ ଛୋଟଛୋଟ ତିନିଚକିଆ ଅଟୋ ଗାଡି ମାନଙ୍କରେ । ମଝି ମଝିରେ ବାପା ଆମକୁ ପାଣି ଓ କିଛି ଖାଇବା ଆଣି ଦେଉଥିଲେ । 

ତେବେ ବାପା ଓ ବୋଉ ପରସ୍ପରକୁ ସେମିତି କିଛି କଥା ଆଳାପ ଗପ ହେଉନଥିଲେ । ଏଠି ସହରରେ ଯେମିତି ସଭିଏଁ ସଭିଙ୍କୁ ଆଦର କଲାପରି ଓ ଖୁସି ଥିବାପରି ମୁଁ ଦେଖୁଥିଲି ।  ଏଠିକାର ମୋ ପରି ପିଲାମାନେ ଭାରି ସତେଜ ଓ ଫୁର୍ତ୍ତି ଦିଶୁଥିଲେ । 

ବାପାବୋଉଙ୍କ ଯାହାସବୁ କଥାବାର୍ତ୍ତା, ମୋ ମାଧ୍ୟମରେ ହେଉଥିଲା । ବୋଉ ବୋଧେ ଭାବୁଥିବ ସିଏ କାହିଁକି ତୁଚ୍ଛାରେ ଆସିଥିଲା । 

ହୁଏତ ବୋଉ ଆଉକିଛି ଭାବୁଥାଇ ପାରେ ।

ଏସବୁ ପରେ ଯାହା ସବୁଠାରୁ ମୋତେ ଭଲ ଲାଗୁଥିଲା ସିଏ ମୋ ବୋଉ । ଏ ସୁନ୍ଦର ସହରଠାରୁ ବି । ମୁଁ ସେଇ ଚିଡିଆଖାନାର ବାଘଟା କଥା ପ୍ରାୟ ଭୁଲି ସାରିଥିଲି ।  କାରଣ ବାଘଟା ମୋ ଭିତରେ କୌଣସି ପ୍ରତ୍ୟୟ ସୃଷ୍ଟି କରିପାରି ନଥିଲା ଓ ତା ଭିତରେ ମୋତେ ସେପରି କିଛି ବିଶେଷ ଲାଗିନଥିଲା ଯାହା ମୁଁ ତା ବିଷୟରେ ପଢିଥିଲି । ବାସ୍ ଅନ୍ୟାନ୍ୟ ଜନ୍ତୁ ପରି ସିଏ ବି ଜନ୍ତୁଟିଏ ଥିଲା । 

ଅତଏବ ମୁଁ ତାକୁ ଗୁରୁତ୍ୱ ଦେଲିନି । ଏବଂ ଭୁଲି ଯାଉଥିଲି ।

ମୁଁ ବାଘଟିକୁ ଲକ୍ଷ୍ୟ କରୁଥିଲି । ଏବେ ସିଏ ତା ଲାଙ୍ଗୁଡ଼ ଛାଟୁଥିଲା । ଏପାଖ ସେପାଖ ହେଉଥିଲା । ଚାରିପାଖେ ଲୁହା ଜାଲି ଘେରା, ତାପରେ ପାଣି କୁଣ୍ଡ ଓ ଶେଷକୁ କିଛି ଟାଙ୍ଗରା ଭୂଇଁ ।  ଭୟ କରୁନଥିବା ଗଣ୍ଡାଏ ଗୁଣ୍ଡୁଚି ମୂଷା । ଗୋଟାଏ ବଡ଼ ଜଙ୍ଗଲୀ ଗଛ ଓ ଶେଷକୁ ଏକ କୃତ୍ରିମ ପଥୁରିଆ ଖୁଆଡ଼ ।  

ଏ ପାଖରେ ତାକୁ ଦେଖୁଥିବା ଦର୍ଶକ ଅବା ମଣିଷ ମାନଙ୍କ କିଛି କ୍ଷତି କରିପାରିବାର ତା'ର ସମ୍ଭାବନା ତିଳେ ସୁଦ୍ଧା ନାହିଁ । ତଥାପି ଯେହେତୁ ସିଏ ବାଘ, ସେଥିପାଇଁ ମଣିଷଟିଏ ପ୍ରକୃତିଗତ ଭୟାର୍ତ୍ତ ହେବା ବାଞ୍ଛନୀୟ । 

ମୁଁ ଡ଼ରୁନଥିଲି । ଡରନ୍ତି କାହିଁକି ? ମୁଁ ଯେ ପିଲା ଥିବାବେଳେ ବି ଏ ବାଘକୁ ଡରିନି । ଆଜି ବଡ଼ ଓ ସମର୍ଥ ହେବାପରେ ଗୋଟେ ପିଞ୍ଜରାବଦ୍ଧ ବାଘକୁ ଡ଼ରନ୍ତି ବା କାହିଁକି ? ହଃ ବାଘଟେ ତ ଆଉ....

ବାପା ଯେବେ ବୋଉ ପ୍ରତି ହେଣ୍ଟାଳ ମାରନ୍ତି ସେଇବେଳେ ବୋଉ ପ୍ରଥମେ ମୋତେ ଇଶାରା କରେ ଆରଘରେ ଲୁଚିଯିବାକୁ । ଅବା ଦିନ ସମୟ ଥିଲେ ବାହାରକୁ ଚାଲିଯିବାକୁ । ମୁଁ ନଥିଲେ ବାପା ଆହୁରି ହିଂସ୍ର ଓ ବୋଉ ବେଶି କାକୁସ୍ଥ ହୋଇପଡେ । 

ବୋଉ ଦରମରା ହୋଇପଡିଥାଏ । ବାପା ତାକୁ ସେଇପରି ଛାଡି ବାହାରକୁ ନିଶା କରିବାକୁ ଚାଲିଯାନ୍ତି । ମୁଁ ଫେରିଆସେ ବୋଉ ପାଖକୁ । ତାକୁ ଦେଖି ଡରିଯାଏ । ମୋତେ ଖୁବ୍ ଡ଼ର ଲାଗେ । ଏମିତି କି ବୋଉ ମୋତେ ମାଗୁଥିବା ପାଣି ମୁନ୍ଦେ ବି ମୁଁ ସାହାସ କରି ତାକୁ ଦେଇପାରୁନଥାଏ । ବୋଧେ ବହୁଥର ବାପାଙ୍କ ଭୟରେ ଦେଇପାରି ନଥିବି ମଧ୍ୟ ।

ବୋଉ ସମ୍ବନ୍ଧରେ ମୁଁ ଯେତେଯେତେ ମନେ ପକାଉଥିବି ଏମିତି ସବୁବେଳେ ଶିହରି ଉଠୁଥିବି । ଏଵେବି ମୋତେ ସେଇପରି ଭୟ ଲାଗିରହେ । ମୁଁ ଯେ ବାଘକୁ ଡରେନି ଅଥଚ ବୋଉକଥା ମୋତେ ଭୟ ଦେଉଥାଏ, ଏମିତି କେହି ବିଶ୍ଵାସ ନକରିପାରନ୍ତି ସତ ।

ତଥାପି ମୁଁ ଏଇ ଯାଗାକୁ ବଡ଼ ହେଲାପରେ କାହିଁକି ଆସିଛି ଏକଥା ନିଜେ ଜାଣିପାରୁନଥାଏ । ସେଇ ବାଘ । ସେଇ ଖୁଆଡ଼ । 

ଅଥଚ ବୋଉ ନାହିଁ । ବୋଉ ଦିନେ ରହିଲା ନାହିଁ । ମରିଯାନ୍ତି କି, ମରିଯାନ୍ତି କି କହି ନିଜକୁ ସବୁବେଳେ ସାମ୍ପୁଥିବା ବୋଉ ଦିନେ ହଠାତ ଚାଲିଗଲା । ବୋଉ କାହିଁକି ଚାଲିଗଲା,  କେମିତି ଚାଲିଗଲା, ସେସବୁର ଭିନ୍ନ ଭିନ୍ନ କାରଣ ଯାହା ମୋତେ କୁହାଯାଇଛି, ମୋତେ ଯେମିତି ବୁଝାଇ ଦିଆଯାଇଛି, ଏବେସୁଦ୍ଧା ସେସବୁକୁ ନେଇ ମୋ ମନରେ ଢେର୍ ଅସନ୍ତୋଷ ପୁଞ୍ଜିଭୂତ ହୋଇ ରହିଛି । 

ଯେହେତୁ ଗଛ ବଢେ, ମାଛ ବଢେ, ବଢନ୍ତି ସଜୀବ ସବୁ ସେଇମିତି ମୁଁ ବଡ଼ ହେଲି । ସ୍ଵାଭାବିକ ଭାବେ । କିନ୍ତୁ ଯାହା ମୋ ଜୀବନରେ ବ୍ୟତିକ୍ରମ, ସେଇଟି ହେଲା ମୋ ନୂଆମା ଙ୍କ ପ୍ରତି ବାପାଙ୍କ ବ୍ୟବହାର । ଏକ ଅଦ୍ଭୁତ ପରିବର୍ତ୍ତନ । ବାପା ଯେ ଏତେଟା ବିନମ୍ର ହୋଇପାରନ୍ତି, ଏକଥାକୁ ନେଇ ଆଖପାଖରେ ଚିନ୍ତା ବଢି ଯାଇଥିଲା । ମୋତେ ସେତେବେଳେ ଏକ ଆବାସିକ ଛାତ୍ରୀ ନିବାସରେ ଛାଡି ଦିଆଯାଇଥିଲା । ମୁଁ ଛୁଟି ଅବା ସେଇପରି ଜରୁରୀ ସମୟରେ କେବଳ ଘରକୁ ଆସିପାରୁଥିଲି ଏବଂ ଦେଖୁଥିଲି ବାପାଙ୍କୁ ।

ଜଣେ ଜରାଜୀର୍ଣ୍ଣ ପିଞ୍ଜରାବଦ୍ଧ ବାଘ । କେବଳ ହାଉଁ ହାଉଁ କରୁଥିବା ଏକ ନିର୍ଭରଶୀଳ ପ୍ରାଣୀ । ମୋତେ ବୋଉ ମନେପଡେ । ନୂଆମା ଙ୍କ ଭିତରୁ ମୁଁ ତାକୁ ଖୋଜେ । ପାଏ । ପୁଣି ପାଏନି । ମୁଁ ବଡ଼ ହୋଇଯାଉଥିବାରୁ ସତ୍ୟ ସବୁକୁ ବୁଝିନେବାରେ ଅଡୁଆ କିଛି ନଥାଏ ମୋତେ । ଆଃ.. ବାପା ବୋଉ ପ୍ରତି ତୁମେ ଏପରି ବିନମ୍ର ହୋଇପାରିନଥିଲ କେମିତି ? ବଞ୍ଚି ରହିଥାନ୍ତା ଅନ୍ତତଃ ଏ ଜଗତରେ ମା' ଟିଏ ।

ସମୟ ଯେତେ ଆଗକୁ ନେଲେ ବି ମୁଁ କେବେ ଚିଡିଆଖାନା ପରି ଏକ ଅବିଶ୍ଵସନୀୟ ଜାଗାକୁ ଆସିପାରେନି । ହଠାତ ଆଜି କାହିଁକି ୟା'ଙ୍କର ଏକାଧିକ ଜିଦ୍ । ଯେହେତୁ ଏସହରରେ ଆଉ ବୁଲାବୁଲି କରିବାପାଇଁ ବାକି କିଛି ନଥିଲା, ମୋ ସକଳ ଅନିଚ୍ଛା ସତ୍ଵେ ମୁଁ ରାଜିହେଲି । କଥାହେଲା ମୋତେ ରାଜି କରାଇପାରିବା ହିଁ ୟା'ଙ୍କ ପାଇଁ ଏକ ବିଜୟ । ହସପିଟାଲ, କ୍ଲିନିକ୍ ଆଦିରୁ ଆମ ଦୁହିଁଙ୍କ ଫୁରସତ ନାହିଁ । ଅତଏବ ରବିବାର ଟି ଆମେ ଏକାନ୍ତ ନିଜସ୍ଵ କରିନେଉ । ଆମେ ସହଭାଗୀତାରେ ଏକ ଜୀବନ ଜୀଉଁ । ତଥାପି କାହିଁକି କେଜାଣି ଈୟେ ମୋତେ କହୁଥାନ୍ତି -

"ଡାକ୍ତରାଣୀ, ମୋତେ ବଡ଼ବଡ଼ ସର୍ଜରୀ କଲାବେଳେ ଭୟ ନଥାଏ, ଅଥଚ ତୁମର କଠୋର ବିଚାରକୁ କାହିଁକି ଏତେ ?"

ମୁଁ କେବଳ ଏକଥାକୁ ଏଡାଇ ଯାଏ । ମୋତେ ସବୁବେଳେ ଏକ ମହାବାଳ ବାଘ ଓ ମୋ ଜନ୍ମିତ ପିତାଙ୍କ କଥା ମନେପଡେ । କାହାର ବ୍ୟାଘ୍ରତ୍ଵ କୁ ଅଯଥାରେ ସହ୍ୟ କରିନେବା ଅବା ବାଘଟିଏ ବୋଲି ଭୟ ପାଇଯିବାର ବାଧ୍ୟତାକୁ ମୁଁ ସାରା ଜୀଵନ ଅସ୍ଵୀକାର କରିଆସିଛି ।

ଏଥର ମୁଁ ୟା'ଙ୍କୁ ଡାକି କହିଲି -

– ଏ ଯେଉଁ ବାଘଟି ଦେଖୁଛ, ୟା'କୁ ମୁଁ ଆଗରୁ ଏଇଠି ଦେଖିଛି । ଯେବେ ଛୋଟ ପିଲା ଥିଲି । ବାପା-ବୋଉ ଙ୍କ ସହ....

ଡାକ୍ତର ବିଜୟ ମୋ କଥା ଶୁଣି ପ୍ରଥମେ ଠୋ ଠୋ ହୋଇ ହସିଲେ । ଯେମିତି ମୁଁ ଗୋଟିଏ ନିର୍ବୋଧ । ହସ ବନ୍ଦ ହେଲାପରେ କହିଲେ - 

– ଶ୍ରଦ୍ଧେୟା ଡାକ୍ତରାଣୀ, ତୁମେ ଛୋଟଥିବା ଵେଳେ ଦେଖିଥିବା ବାଘଟି ଆଉ ନାହିଁ । ନିଶ୍ଚିତ ନାହିଁ । ତାପରେ ଆହୁରି ଅନେକ ହିଂସ୍ର ବାଘ ଏଠାକୁ ଆସିଥିବେ । ହେଇ ଦେଖୁନ ଏଇଟି କେମିତି ଗର୍ଜନ କରୁଛି । ତାକୁ ଦେଖି, ଦେଖୁଥିବା ମଣିଷ ମାନେ କିପରି କମ୍ପୁଛନ୍ତି । ବାଘ ଜାତି ହିଁ ସେଇପରି । ପୁଣି ଏଇଟି ନିଶ୍ଚିତ ଏକ ମର୍ଦ ବାଘ ହୋଇଥିବ । ତା ଠାଣି ରୁ ଜଣାପଡୁଛି ଏତକ । ପୁଣି ବାଘଟିଏ ର ବୟସ କଣ ଶହେବର୍ଷ ଯେ ତୁମେ ଛୋଟବେଳେ ଦେଖିଥିବା ବାଘ ତୁମ ବଡ଼ ହେବାଯାଏଁ ଅପେକ୍ଷା କରି ରୁହନ୍ତା ? ଜଣେ ଚିକିତ୍ସିକା ଏପରି ଏକ ବେଖୁଫ୍ ଧାରଣା କେମିତି ରଖିପାରେ ? ହାୟଃ...!   

ଶୁଣ କେବଳ ଖୁଆଡ଼ ଟି ସେଇମିତି ପୁରୁଣା ଅଛି । ଅବା ସାମାନ୍ୟ ବଦଳି ଥାଇପାରେ ।

ମୁଁ ବିଜୟ ଙ୍କ ଆଡକୁ ଚାହିଁଲି । ସିଏ ପ୍ରଥମଥର ମୋ କଥାକୁ ଅବିଶ୍ୱାସ, ଅମାନ୍ୟ ଓ ତିରସ୍କାର କରୁଥିଲେ । ମୋତେ ଲାଗିଲା ହଠାତ ମୋ ପୃଷ୍ଠ ଭାଗରେ ଏକ ଲାଞ୍ଜ କଅଁଳୁଛି । ଯାହାକୁ ଏବେ ମୁଁ ଡାକ୍ତର ବିଜୟଙ୍କ ଉଦ୍ଧିଷ୍ଟରେ ଏଇ ଚିଡିଆଖାନା ଭୂଇଁରେ ଛାଟି ଦେଇପାରେ । 

ଠିକ୍ ଗୋଟେ ବାଘୁଣୀର ଲାଞ୍ଜ ପରି.....

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ