କବି ଭାସେ ଭାବନାରେ
ରମ୍ୟମୟୀ ତା'ର ରୂପକାନ୍ତି ଚାରୁ
କଳ୍ପନାକୁ ଖୋଜେ ତୀରେ ।।
କେବେ ସେ ରୂପେଲୀ କେବେ ଝଲମଲ୍ଲୀ
କେବେ ହସେ ସୁନେଲିରେ
ଭାବନା କଲମେ ଲେଖଇ ଭାବୁକ
କାହାଣୀକୁ ଛାଣି ଧିରେ ।।
ନୀଳ ଆକାଶର ନୀଳ ବୁକୁତଳେ
ପରଶଇ ଶାନ୍ତ ଶିରୀ
ରୂପ ରାଇଜର ରୂପସୀ ପ୍ରେୟସୀ
ଏସିଆ ସ୍ୱପ୍ନ ସୁନ୍ଦରୀ ।।
କହି ମୁଁ ପାରୁନି ତା' ଉପମା ଶୋଭା
ଯେବେ ଯାଏ ତା'ର ପାଶେ
ମୁରୁକି ମୁରୁକି ହସଇ ତରଙ୍ଗେ
ମୁକୁଳା କେଶର ବାସେ ।।
ଆଦ୍ୟ ତପନର ସ୍ୱର୍ଣ୍ଣିମର ଆଭା
ଯେବେ ଛୁଏଁ ତାର ତନୁ
ବିମୁଗ୍ଧ କରଇ ପର୍ଯ୍ୟଟକ ଚକ୍ଷୁ
ଚମକେ ଯୌବନ ଜାନୁ ।।
ଯୌବନର ଛଇ ପୁରି ଯାଏ କ୍ଷଣେ
କେବେ ହସେ କେବେ ରୁଷେ
ସମୀର ଛୁଆଁରେ ପ୍ରୀତିମୟୀ ଶୋଭା
ଚହଲି ଚହଲି ଭାସେ ।।
ଶୃଙ୍ଗାର କଳାର ନବବଧୂ ପରୀ
ଦିଶୁଥାଏ ନବରଙ୍ଗୀ
ନୁହେଁ ସେ ଅବଳା ନୁହେଁ ସେହି ବାଳା
ସପନର ସପ୍ତରଙ୍ଗୀ ।।
ବିହଙ୍ଗ ରାଗିଣୀ ନିତି ଶୁଣୁଥାଇ
ଚଉଦିଗେ ସଭା ଭରି
ସୁ-ଦୀର୍ଘ ତାହାର ଜୀବନ୍ତନୀ ରେଖା
ସତେ ସିଏ ଐକ୍ୟ ଗୋରୀ ।।
ତୋଫା ଜହ୍ନ ଠାରୁ ଦିଶୁଥାଏ ସ୍ୱଚ୍ଛ
କଳ କଳ ମୁଖ ବାଣୀ
ପ୍ରକୃତି ମଣ୍ଡପେ ଲାଗେ ଅନୁପମା
ଭବ୍ୟ ସୁ-ଶୋଭିତା ରାଣୀ ।।
ଦେଖିଲେ ନୟନ ଲାଖେ ପ୍ରେମେ ଯାଇ
ଆହା ସେ ଚାରୁ ପ୍ରେୟସୀ
ତରଣୀ ମାଳାରେ ବାହୁଡା ବେଳାରେ
କାବ୍ୟ ଅନୁପମା ଶଶୀ ।।
ପ୍ରଭାତର ସିଏ ଅଳସୀ ନାୟିକା
ସନ୍ଧ୍ୟାର ସ୍ମୃତି ଚାତୁରୀ
ଯେତେ ଦେଖୁଥିଲେ ମନ ବୁଝେନାହିଁ
ଚିଲିକା ସେ ସୁନାଗୋରୀ ।।
ଉତ୍କଳ ଉଆସେ ପ୍ରୀତି ଅପସରା
ସଦ୍ୟ ପ୍ରଫୁଲ୍ଲିତ ତାରା
ଦେଖିଲେ ଲାଗଇ ପ୍ରୀତି କାନନର
ରୂପମୟୀ ମୁକ୍ତା ହୀରା ।।