ରାଷ୍ଟ୍ରର ପ୍ରଗତିରେ ଶିକ୍ଷା - ଡକ୍ଟର ଲକ୍ଷ୍ମଣ ସାହୁ

0

ଭାରତ ଏକ ପ୍ରଗତିଶୀଳ ରାଷ୍ଟ୍ର, ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ । କିନ୍ତୁ ଶିକ୍ଷାକ୍ଷେତ୍ରରେ ସେଭଳି ପ୍ରଗତିର ନମୁନା ଦେବା ସମ୍ଭବ ନୁହେଁ । ଶିକ୍ଷା ସମ୍ବନ୍ଧରେ ବିଚାର କଲେ ବିଭିନ୍ନ ରାଜ୍ୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ପଡିବ । ଦେଶର ପ୍ରଗତି ନିମନ୍ତେ ବୈଷୟିକ ଶିକ୍ଷାର ଆବଶ୍ୟକ ଯଥେଷ୍ଟ ରହିଥିବା ବେଳେ ସେଭଳି ପାରିପାର୍ଶ୍ଵିକ ଅବସ୍ଥା ସୃଷ୍ଟି କରାଯାଇପାରି ନାହିଁ । ବିଶେଷତଃ ପରିବେଶକୁ ସାମ୍ନା କରିବାକୁ ହେଲେ ଶିକ୍ଷା କ୍ଷେତ୍ରରେ ନୂତନ ନୀତିର ଆବଶ୍ୟକ ରହିଛି । ଏକଦା ପ୍ରଖ୍ୟାତ ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକ ଡକ୍ଟର କସ୍ତୁରୀ ରଙ୍ଗନ ଙ୍କ ଅଧ୍ୟକ୍ଷତାରେ ନୂତନ ଶିକ୍ଷା ପ୍ରଚଳନ ପାଇଁ ଶିକ୍ଷା ସମିତି ଗଠିତ ହୋଇଥିଲା । ବୈଷୟିକ ଶିକ୍ଷା ପ୍ରତି ଗୁରୁତ୍ୱ ରହିବା ସହ ଶିକ୍ଷାନୀତି ଅନୁସାରେ ତାହାର ପ୍ରଚଳିତ ହେବାର ଆବଶ୍ୟକ ରହିଛି ବୋଲି ଦର୍ଶାଇ ଦିଆଯାଇଥିଲା । ଶିକ୍ଷାକ୍ଷେତ୍ରରେ ଅନେକ କମିଟି ଗଢାଯାଉଛି, ସେମାନଙ୍କ ରିପୋର୍ଟ ନିଆଯାଏ, କିନ୍ତୁ ତାହା କେତେଦୂର କାର୍ଯ୍ୟକାରୀ ହୁଏ, ସେଥିପ୍ରତି କେହି କେବେ ଦୃଷ୍ଟି ଦିଅନ୍ତି ନାହିଁ ।

କୌଣସି ଶିକ୍ଷାନୀତି ବିଶେଷଜ୍ଞଙ୍କ ଦ୍ଵାରା ପ୍ରସ୍ତୁତ ହୋଇସାରିବା ପରେ ସେଥିପ୍ରତି ରାଷ୍ଟ୍ର ଓ ପ୍ରତ୍ୟେକ ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ । ଯାହାଦ୍ୱାରା ରାଷ୍ଟ୍ରରେ ଏକପ୍ରକାର ଶିକ୍ଷା ପ୍ରଦାନ ହୋଇପାରିବ । ଯାହା ନୂତନ ଶିକ୍ଷାନୀତି ଅନୁସାରେ ପ୍ରଚଳିତ ନୀତି ପାଳନ ଓ ସମସ୍ତ ହିତରେ ପ୍ରଚଳିତ ତାହାକୁ ବିନା ଦ୍ଵିଧାରେ ମାନିନେବାକୁ ହେବ ଓ ତାକୁ କିଭଳି ସବୁଠି ଉତ୍ତମ ରୂପେ ପ୍ରୟୋଗ କରାଯାଇ ପାରିବ, ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି । ନୂଆ ଶିକ୍ଷା ବ୍ୟବସ୍ଥାରେ ଯୁବଗୋଷ୍ଠୀ ନିମନ୍ତେ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଦୃଷ୍ଟି ଦେବାକୁ ପଡିବ । ଏସବୁ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ଶିକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଅଧିକ ଧ୍ୟାନ ଦେବାକୁ ହେବ । ଅନ୍ତରାଷ୍ଟ୍ରୀୟ ନୀତି ବ୍ୟବସ୍ଥାକୁ ସାମ୍ନା କରୁଥିବା ଆମେରିକା, ଜର୍ମାନୀ, ଜାପାନକୁ ଅନୁକରଣ କରିବା ଠିକ୍ ନୁହେଁ । କାରଣ ଭାରତୀୟମାନେ ଭାରତୀୟ ପରଂପରା, ସଂସ୍କୃତି ତଥ୍ୟାନୁସାରେ ଆଗୁସାର ହେବା ନିହାତି ଆବଶ୍ୟକ ରହିଛି । ପୂର୍ବକାଳୀନ ଭାରତର ମାନଚିତ୍ରକୁ ଅନୁଧ୍ୟାନ କରିବାର ବେଳ ଉପଗତ ହୋଇଛି । ଆଗେ ଭାରତ ସମଗ୍ର ବିଶ୍ୱର ଗୁରୁ ଥିଲା, ସେ ବିଶ୍ୱଗୁରୁ । ତା'ର ପରମ୍ପରା, ସଂସ୍କୃତିକୁ ନେଇ ସେ ଗର୍ବ ଅନୁଭବ କରିଥିଲା । ବିଶ୍ୱକୁ ନବ ଆଲୋକ ଦେଖାଇବାରେ ବିଶ୍ୱ ଦରବାରରେ ଖ୍ୟାତି ଲାଭ କରିଥିଲା । ଏସବୁର ମୂଳ କାରଣ ଭାରତୀୟ ଶିକ୍ଷାନୀତିରେ ନାଳନ୍ଦା ଓ ତକ୍ଷଶୀଳା କେନ୍ଦ୍ର ହିଁ ସମ୍ପୁର୍ଣ୍ଣ ବିଶ୍ୱକୁ ନୂତନ ଆଲୋକ ଦେଖାଇଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରରୁ ଶିକ୍ଷା ଗ୍ରହଣ ନିମନ୍ତେ ଭାରତକୁ ଆସିବାର ବହୁ ପ୍ରମାଣ ରହିଛି । ଏସବୁ ମୂଳରେ ଭାରତୀୟ ସଂସ୍କାର ଆଧାରିତ ମୂଲ୍ୟବୋଧ ହିଁ ନିହିତ ଥିଲା । ଗୁରୁକୂଳରେ ରହି ଅନେକ ଶିଷ୍ୟ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଗୁରୁକୁଳ ଆଶ୍ରମକୁ ତତ୍କାଳୀନ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉଥିଲା । ଅପରପକ୍ଷରେ ଏସବୁ ଗୁରୁକୁଳ ଆଶ୍ରମ ବନାମ ବିଶ୍ୱବିଦ୍ୟାଳୟ ନାମିତ ପରିଚିତ ଲାଭ କରିଥିବା ଆଶ୍ରମର ଆଚାର୍ଯ୍ୟଗଣ ସବୁଠାରୁ ମାନବୋଚିତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିଆସୁଥିଲେ । ତାହା ମାନବୀୟ ଓ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା ।

କୌଣସି ରାଷ୍ଟ୍ରର ପ୍ରଗତି ଓ ବିକାଶର ଆକଳନ ସାଧାରଣ ଦୃଷ୍ଟିରେ କରାଯାଏ ନାହିଁ । କେବଳ ପାରିପାର୍ଶ୍ଵିକ ଅବସ୍ଥାପନ ବା ପଯ୍ୟାପ୍ତ ଉପକରଣକୁ ନେଇ ମଧ୍ୟ ନୁହେଁ । ଏହା ଜନମାନସରେ ସଚେତନତା, ସମର୍ଥନ, ଅନୁଷ୍ଠାନ ପଦୋନ୍ନତି, ସଂସ୍କାର, ମୂଲ୍ୟବୋଧ, କାର୍ଯ୍ୟଶୈଳୀ, ରାଷ୍ଟ୍ରର ନିର୍ମାତାକୁ ନେଇ କରାଯାଏ । ଆଜିର ଡିଜିଟାଲ ସହରରେ ଯେକୌଣସି ତଥ୍ୟ ସଂଗ୍ରହ କରିବା ସହଜ ହୋଇଇଗଲାଣି । କିନ୍ତୁ ମାଉଥକୁ ସ୍ୱତନ୍ତ୍ର ନିର୍ଦ୍ଦିଷ୍ଟ ମାର୍ଗରେ ଚାଳନା କଲେ ସଠିକ ଉତ୍ତର ପାଇପାରିବା । ସଂସ୍କୃତି, ସଂସ୍କାର, ମୂଲ୍ୟବୋଧ ଓ କାର୍ଯ୍ୟଶୈଳୀକୁ ନେଇ ଅନୁରୂପ ତାହାର ପ୍ରୟୋଗ ଯଦି କରାଯାଇ ପାରନ୍ତା, ତେବେ ସେ କ୍ଷେତ୍ରରେ ଏକ ଶକ୍ତିଶାଳୀ ଭାରତ, ସମୃଦ୍ଧ ଭାରତ, ଏକ ଆତ୍ମନିର୍ଭରଶୀଳ ଭାରତରେ ରୂପାନ୍ତରିତ ହେବା ସହ ଭାରତୀୟମାନଙ୍କ ଅଧୂରା ସ୍ୱପ୍ନ ସାକାର ହୋଇପାରନ୍ତା !!

ଭାରତୀୟ ସଂସ୍କୃତି ଅଜୟ ଅମର । ତା'ର ମାନବୀୟ ମୂଲ୍ୟବୋଧକ ଦର୍ଶନ ହିଁ ସଦା ସର୍ବଦା ସର୍ବୋକୃଷ୍ଟ । ଏହା ସମାଜ ଓ ରାଷ୍ଟ୍ର ନିର୍ମାଣର ଆଧାର ସ୍ତମ୍ଭ ଅଟେ । ସଂସ୍କୃତିରେ ଏକାତ୍ମ ମାନବବାଦର ପ୍ରେରିତ ଭାବନାତ୍ମକ ରୂପ ଜାତୀୟ ଦର୍ଶନ କରିବାରେ ସହାୟକ ହୋଇପାରେ । ଏକତା ହିଁ ଦେଶର ଶକ୍ତି । ଏକଥା ସ୍ମରଣଯୋଗ୍ୟ ଯେ, ଏକତାର ଅଭାବରୁ ଭାରତ ହଜାର ବର୍ଷ ପୂର୍ବେ ବିଦେଶୀ ମାନଙ୍କ ଆକ୍ରମଣର ଶିକାର ହୋଇ ତା'ର ପରିଚୟ ହଜାଇ ଦେଇଥିଲା । ଏସବୁ କାରଣରୁ ଏ ସମ୍ପର୍କରେ ମଶହୁର ଶାୟର ଇକବାଲ ଏକଦା କହିଥିଲେ - "କିଛି କଥା ଅଛି, ଯାହା ଏ ମାଟି ବି ଆମର ନୁହେଁ.. !!" ଏକତା ହିଁ ଜାତୀୟ ସଂହତିର ଆଧାର ରୂପ । ଜାତୀୟ ସଂହତି ବନାମ ଏକତାର ମୂଲ୍ୟବୋଧ ସ୍ରୋତରେ ନିଜକୁ ହଜାଇ ନପାରିଲେ ସବୁ ଚେଷ୍ଟା ବିଫଳ ହୋଇ ପଡିବ । ରାଷ୍ଟ୍ର ଭିତରେ ଥିବା ଭିନ୍ନତା ଭିତରେ ଏକତ୍ୱବୋଧ ଖୋଜି ପାଇବା ହେଉଛି ଜାତୀୟ ସଂହତି । ରାଷ୍ଟ୍ରରେ ଦେଖା ଦେଉଥିବା ଭାଷାଗତ ବିରୋଧ, ଧର୍ମଗତ ବିରୋଧ, ବେକାରୀ ସମସ୍ୟା, ଅର୍ଥନୈତିକ ବିରୋଧ ଆଦି ଜାତୀୟ ସଂହତି ପ୍ରତିଷ୍ଠାର ପ୍ରତିକୂଳ ପ୍ରଭାବ । ବିଶେଷ କରି ଗୋଟିଏ ଦେଶର ଇତିହାସ, ସଂସ୍କୃତି, ମୂଲ୍ୟବୋଧ, ଶିଳ୍ପର ବିକାଶ, ଶିକ୍ଷାର ପ୍ରସାର, ବୈଜ୍ଞାନିକ ଅଗ୍ରଗତି, ସମସ୍ତ ରାଜ୍ୟ ପାଇଁ ଏକପ୍ରକାର ଯୋଜନା, ବିଶେଷ କରି ଜାତି, ଧର୍ମ, ବର୍ଣ୍ଣ ଉପରେ ଆଧାରିତ ଉଚ୍ଚ-ନୀଚ ଭେଦଭାବକୁ ଦୂରେଇ ଜାତୀୟ ସଂହତି ପ୍ରତିଷ୍ଠା କରିବା ଅନୁକୂଳ ମନୋଭାବ ପୋଷଣ କରିବା ଆବଶ୍ୟକ । ଏସବୁ ସଚେତନତା ଶିକ୍ଷା ଉପରେ ରାଷ୍ଟ୍ରୀୟ ଶିକ୍ଷା ପଦ୍ଧତିର ସ୍ୱତନ୍ତ୍ର ବିଷୟ ଭାବେ ଗ୍ରହଣ କରାନଯାଇ ବରଂ ସାହିତ୍ୟ, ଇତିହାସ, ଭୂଗୋଳ, ନଗର ବିଜ୍ଞାନ, ଅର୍ଥନୀତି ଆଦି ମାଧ୍ୟମରେ ଦିଆଯିବା ଜରୁରୀ ମନେହୁଏ । ଜନଗଣନାରୁ ଜଣାଯାଏ ଯେ ଛଅ'ରୁ ଏଗାର ବର୍ଷ ପିଲାଙ୍କ ମଧ୍ୟରୁ ଶତକଡା ୭.୮୫ ଲକ୍ଷ ଶିଶୁ ଜମା ବିଦ୍ୟାଳୟରେ ପ୍ରବେଶ କରୁନାହାନ୍ତି ଓ ୯ ଲକ୍ଷ ଶିଶୁ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରୁ ପାଠ ଛାଡିଦିଅନ୍ତି । ଯଦିଓ ସରକାର ଏ ଦିଗରେ ସଚେତନ ରହି ଉପସ୍ଥାପନ ବଢାଇବା ନିମନ୍ତେ ବିଭିନ୍ନ ବିକଳ୍ପ ପଦକ୍ଷେପ ନେଊଛନ୍ତି ।

ଧରାପୃଷ୍ଠରେ ମଣିଷ ଭୂମିଷ୍ଠ ହେବା ଦିନଠାରୁ ନିଜର ବୁଦ୍ଧି ଖଟାଇ, ନିଜର ଦୈନନ୍ଦିନ କାର୍ଯ୍ୟ ସହଜରେ ସମ୍ପାଦନ କରିଚାଲିଛି । ପ୍ରଥମେ ଆଦି ମାନବରୁ କାଳକ୍ରମେ ଶିକ୍ଷା ସଭ୍ୟ ମାନବରେ ରୂପାନ୍ତରିତ ହୋଇଛି । ଏକଦା ଜଙ୍ଗଲ ଭିତରେ ଉଦର ପୋଷଣ ପାଇଁ ବୃକ୍ଷର ଫଳ ଅନ୍ୱେଷଣ କରୁଥିବା ବା ପଶୁ ଶିକାର କରି ଜୀବନ ନିର୍ବାହ କରୁଥିବା ମଣିଷ ଏବେ ବ୍ୟସ୍ତବହୁଳ ହୋଇ ସମୟର ସଦୁପଯୋଗ କରିବା ନିମନ୍ତେ ତତ୍ପର ହୋଇପଡିଛି । ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତା'ପାଇଁ ଅତି ଆଦରଣୀୟ ହୋଇପାରିଛି । କମ୍ପୁଟର ଓ ଇଣ୍ଟରନେଟ ବିନା ବ୍ୟକ୍ତି ଜୀବନ ଦୁର୍ବିସହ ପାଲଟି ଯାଉଛି । ଶିକ୍ଷାକ୍ଷେତ୍ରରେ ଏହାର ବ୍ୟବହାର ବହୁଳ ପାଲଟି ଗଲାଣି । ଏହାର ବ୍ୟବହାର ପାଇଁ ପ୍ରଶାସନିକ ସହଯୋଗ, ଦକ୍ଷ ପ୍ରଶିକ୍ଷକ, ପାଠ୍ୟ ବିଷୟର ମାନ, ଗୋଷ୍ଠୀ ସହାୟକ, ସର୍ବୋପରି ଶିକ୍ଷାର୍ଥୀମାନଙ୍କ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକ ଯଥେଷ୍ଟ ରହିଛି । କମ୍ପୁଟର ମାଧ୍ୟମରେ ହେଉଥିବା ଯୋଗାଯୋଗ ଓ ନେଟୱାର୍କ ସେଣ୍ଟର ମଧ୍ୟରେ ସଂଯୋଗ ହିଁ ବିଶ୍ୱକୁ ଗୋଟିଏ ପରିବାର ଭିତରେ ଆବଦ୍ଧ କରି ଦେଇପାରିଛି । ଏକଥା କେବେ ଅସ୍ୱୀକାର କରି ହେବନାହିଁ, କମ୍ପୁଟର ପାରସ୍ପରିକ ସମ୍ପର୍କ ରକ୍ଷାକରେ । କମ୍ପୁଟରର ଇଣ୍ଟରନେଟ ଯୋଗାଯୋଗ ମାଧ୍ୟମରେ ପାରସ୍ପରିକ ସମ୍ପର୍କ ଯୋଡିପାରେ, ସମସ୍ୟା ସମାଧାନ କରି ଦେଇପାରେ, ଏପରିକି ରାଷ୍ଟ୍ରର ବଜେଟ ପ୍ରସ୍ତୁତ କରିପାରେ, ବିଭିନ୍ନ ପରୀକ୍ଷା କରିବା ଓ ତାହାର ଫଳାଫଳ ମଧ୍ୟ ଜାଣିବାରେ ସହାୟକ ହୋଇପାରେ । ତଥାପି ସେ ଏକ ମଣିଷକୃତ, ମଣିଷ ପ୍ରସ୍ତୁତ ମେସିନ ବା ଯନ୍ତ୍ର.. ମଣିଷ ନିଜ ବୁଦ୍ଧି ଖଟାଇ ତାକୁ ଯେମିତି ବା ଯେଭଳି ଖଟାଇ ପାରିବ ସେ ମଣିଷର ଅଧିନସ୍ଥ ହୋଇ କାର୍ଯ୍ୟ କରୁଥିବ । ଏକ ବିଶ୍ୱସ୍ତ ବନ୍ଧୁ ପରି କାର୍ଯ୍ୟ କରି ଚାଲିଥିବ । ମଣିଷ ପଛେ ତ୍ରୁଟି କରିପାରେ, କିନ୍ତୁ ଯନ୍ତ୍ର ନୁହେଁ, ଯାନ୍ତ୍ରିକ ତ୍ରୁଟି ଘଟିବା ଏକ ଭିନ୍ନ କଥା ବା ତାକୁ ଚାଳନାରେ ତ୍ରୁଟି କଲେ ସେ ଅଚଳ ପାଲଟେ । ଯନ୍ତ୍ରର ହୃଦୟ ନଥାଏ, ମଣିଷର ହୃଦୟ, ସେହି ମଣିଷ ହିଁ ରାଷ୍ଟ୍ରର ନାଗରିକ ପଦବାଚ୍ୟ ଲାଭକରେ ।

ତେଣୁ ମଣିଷ ଭିତରେ ଏଭଳି ହୃଦୟତା ଜାଗ୍ରତ ହେବାର ଆବଶ୍ୟକ ରହିଛି, ଯେଉଁଠି କେବଳ ମଣିଷ ତା'ର ମାନବିକ ଗୁଣକୁ ନେଇ ନିଜକୁ ପ୍ରତିଷ୍ଠା କରିପାରିବ । ଭାରତ ଆଦିକାଳରୁ ଅନେକତାରେ ଏକତାକୁ ସଂଦର୍ଶନ କରିପାରିଛି । ଭାରତରେ ଥିବା ବିଭିନ୍ନ ବିବିଧତା ମଧ୍ୟରେ ଏକତା କେବଳ ଭାରତକୁ ଯୋଡି ରଖିବା ନିମନ୍ତେ - "ବସୁଧେବ କୁଟୁମ୍ବକମ୍ " ର ସନ୍ଦେଶ ଦେଇ ପୁରା ବିଶ୍ୱକୁ ନିଜର ପରିବାର ବୋଲି ମାନି ନେଇଛି । ବିଶ୍ୱ ବନ୍ଧୁତ୍ୱର ବାର୍ତ୍ତା ଦେଉଥିବା ଭାରତ ଯୁଗେ ଯୁଗେ ବିଶ୍ୱ ବନ୍ଦନୀୟ ହୋଇଆସିଛି । ମାତ୍ର ଗୋଟିଏ ଶବ୍ଦରେ ବିଶ୍ୱଗୁରୁ ପାଲଟି ପାରିଛି । ଭାରତୀୟ ବେଦ, ବେଦାନ୍ତ, ଉପନିଷଦ ଅଧ୍ୟୟନ ପାଇଁ ଓ ତା'ର ନିଷ୍କର୍ଷ ଜାଣିବା ପାଇଁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ, ଜ୍ଞାନୀ ତଥା ତତ୍ତ୍ୱଦର୍ଶୀମାନେ ଆସି ପବିତ୍ର ଭାରତ ଭୂଇଁରେ ମଥାନତ କରିଛନ୍ତି । ଜିଜ୍ଞାସୁ ଦୃଷ୍ଟିରେ ଭାରତୀୟ ଆଧ୍ୟାତ୍ମିକ ଚେତନାକୁ ବୁଝିବାକୁ ଚେଷ୍ଟା କରିଛନ୍ତି, ଶତ ଚେଷ୍ଟା ସତ୍ତ୍ୱେ ବି ତୃପ୍ତ ହୋଇପାରି ନାହାନ୍ତି । ବିଶ୍ୱଗୁରୁ ପାଲଟିଥିବା ଭାରତରେ ସେହି ଭାବ ଚେତନା ଫେରାଇ ଆଣିବାପାଇଁ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂଯୋଗର ସେତୁ ବାନ୍ଧି ରଖିଥିବା ଭାରତକୁ ଆଜିର ଯୁବ-ରାଷ୍ଟ୍ରର ସଂଜ୍ଞା ଦିଆଯାଇପାରେ !! ବିଶ୍ୱ ମନୀଷିଙ୍କୁ ନେଇ ଭାରତର ନବ-ଯୁବଗୋଷ୍ଠୀମାନଙ୍କ ମନରେ ଉନ୍ମାଦନା ଆସିଲାଣି । ଦିନକୁ ଦିନ ବିକାଶ ଓ ପ୍ରଗତିଶୀଳତାର ଧାରା ଯୁବ-ଗୋଷ୍ଠୀମାନଙ୍କୁ ଆକର୍ଷିତ କରିପାରିଛି । ବିକାଶର ଧାରା ସୁସ୍ଥ ବଜାରନୀତିକୁ ନିୟନ୍ତ୍ରଣ କରିପାରି ନଥିଲେ ମଧ୍ୟ ମନ୍ଦ ଅବସ୍ଥାରେ ସୁଧାର ଅନୁକୂଳ ହୋଇଛି । ଏପରିକି ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ଭାରତରେ ନିଜର ନିବେଶ ଖଟାଇବାକୁ ଅନେକ ରାଷ୍ଟ୍ରର ବିତ୍ତଶାଳୀ ବ୍ୟକ୍ତିମାନେ ପୁଞ୍ଜି ଖଟାଇବାକୁ ଆଗେଇ ଆସିଲେଣି । ଏପରିକି ସୌଜନ୍ୟ ସାକ୍ଷାତକାର ଦେଇ ପୁଞ୍ଜି ନିବେଶ ପାଇଁ ଦସ୍ତାବିଜ ପ୍ରସ୍ତୁତ କଲେଣି । ବିଶ୍ୱରେ ଭାରତକୁ ଏକ ଯୁବ-ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଯୁବକମାନଙ୍କ ନିକଟରେ ଅସୀମ ଶକ୍ତି ବଳବତ୍ତର ରହିଛି, ସେହି ଶକ୍ତିର ସଦୁପଯୋଗ କରିବାକୁ ଅପେକ୍ଷା କରିଛନ୍ତି । ଯେଭଳି ଭାବରେ ଏହାକୁ ସଂପ୍ରସାରିତ କରି ରାଷ୍ଟ୍ର ନିର୍ମାଣ ପାଇଁ ଏହା ଯେ ଅଭିପ୍ରେତ କୁହାଯାଇପାରେ । ତେଣୁ ଶିକ୍ଷା ବ୍ୟବସ୍ଥା ଏଭଳି ପ୍ରସ୍ତୁତ ହେବା ଆବଶ୍ୟକ ଯାହା ଯୁବ-ଗୋଷ୍ଠୀଙ୍କୁ ଅନୁପ୍ରାଣିତ କରିପାରିବ ।

ସମ୍ପୁର୍ଣ୍ଣ ମାନବତାର ଅଠର ଶତକଡାରୁ ଅଧିକ ଜନସଂଖ୍ୟାର ପ୍ରତିନିଧିତ୍ୱ କରିଥିବା ଭାରତର ବୈଷୟିକ ଶକ୍ତି ଭାବରେ ଅଭ୍ୟୁଦୟ ଉପରେ ନିର୍ଭର କରେ । ଦେଶର ପ୍ରତ୍ୟେକ ଯୁବକ ନିଜର କ୍ଷମତାନୁସାରେ ଦେଶ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ଉଚିତ । ଏହା ଏକ ଶକ୍ତି ସଂପନ୍ନ, ସମୃଦ୍ଧ, ବୈଭବଶାଳୀ ଭାରତ ନିର୍ମାଣରେ ଯେମିତି ସମଗ୍ର ବିଶ୍ୱର ନେତୃତ୍ୱ ପ୍ରଦାନ କରିପାରେ । ଏଭଳି ମତବାଦ ସାବ୍ୟସ୍ତ ଦେଶରେ ଏକ ଦୋଦୁଲ୍ୟମାନ ପଥରେ ସକଳ ପଥ ଆଲୋକିତ କରିବାର କ୍ଷମତା ରଖି ପାରିଛି । ବିଶ୍ୱରେ ଯୁବ-ରାଷ୍ଟ୍ର ରୂପେ ବିଶେଷକରି ସୃଜନାତ୍ମକ, ଆଧ୍ୟାତ୍ମିକତା, ନୈତିକତା, ସଦାଚାରର ସୌଧ ଓ ଅନୁସନ୍ଧାନର ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ରରେ ରୂପାନ୍ତରିତ ହୋଇପାରିବ । କୁହାଯାଏ ବିଦ୍ୟାର୍ଥୀ ରୂପରେ ଯୁବଗୋଷ୍ଠୀଙ୍କ ନିକଟରେ ଏକ ମହାଶକ୍ତି ଲୁଚି ରହିଛି । ଆମେରିକାର ଜନସଂଖ୍ୟା ଠାରୁ ଅଧିକ ଭାରତୀୟ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା । ସଂଖ୍ୟା ଯଥେଷ୍ଟ ଅଧିକ, ତେଣୁ ସକାରାତ୍ମକ ମନୋଭାବ ନେଇ ପାରିଲେ ଦେଶ ବିଶ୍ୱରେ ସର୍ବୋଚ୍ଚ କ୍ଷମତାଶାଳୀ ରାଷ୍ଟ୍ର ହୋଇ ପାରିବ ଓ ଏକ "ନବଯୁଗର ସୂତ୍ରପାତ" ଘଟିପାରିବ ।

ଯେଉଁ ଭାବନା ନିଜ ପାଇଁ ଗ୍ରହଣୀୟ, ତାହା ସମସ୍ତଙ୍କ ନିମନ୍ତେ ଗ୍ରହଣୀୟ । ଯାହା ନିଜ ଲାଗି ପ୍ରକଟ କରାଯାଏ, ତାହା ସମସ୍ତଙ୍କ ନିମନ୍ତେ ପ୍ରକଟ କରାଯିବାର ଆବଶ୍ୟକତା ରହିଛି । ଏଥିରେ ଦୃଢ ଇଚ୍ଛାଶକ୍ତି ଓ ଗଭୀର ବିଶ୍ୱାସ ରଖାଯାଏ ଯେ, ଭାରତ ଏକ ବିରଳ ମହିମାମୟୀ ପରମ୍ପରା ଓ ସଂସ୍କୃତିପୂର୍ଣ୍ଣ ରାଷ୍ଟ୍ର ଭାବେ ପୁନରପି ଘୋଷିତ ହୋଇପାରିବ । ଯାହାଦ୍ୱାରା ରାଷ୍ଟ୍ରବାଦର ଧାରଣା ଓ ଭାବନା ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଏକଥା କେବେ ଭୁଲିଯାଇ ହେବନାହିଁ, ରାଷ୍ଟ୍ରବାଦ କୌଣସି ପ୍ରକାରେ ସମୃଦ୍ଧ ଓ ସାର୍ବଭୌମ ରାଷ୍ଟ୍ର ରୂପେ କାର୍ଯ୍ୟ ତୁଲାଇଥାଏ ।

ତେଣୁ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ରାଷ୍ଟ୍ରବାଦ ପ୍ରେରିତ ଶିକ୍ଷଣ ଘଟିଲେ ରାଷ୍ଟ୍ରର ଅଧିକ ଉନ୍ନତି ଓ ପ୍ରଗତି ଘଟିବ ଏହା ନିଃସନ୍ଦେହ । ଏକଥା ମଧ୍ୟ ମାନିନେବାକୁ ହେବ ଯେ, ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ବୈଜ୍ଞାନିକ ଶିକ୍ଷଣ ଦ୍ଵାରା ରାଷ୍ଟ୍ରର ହିତ ଓ ବିକାଶର ଉଦ୍ଦେଶ୍ୟ ରହିତ ହୋଇପାରିବ । ତେଣୁ ଯେଉଁମାନେ ରାଷ୍ଟ୍ରବାଦ ଓ ଆଧୁନିକ ଉଚ୍ଚଶିକ୍ଷା ବ୍ୟବସ୍ଥାର ବିରୋଧ କରେ, ସେ କିଛି ନା କିଛି ମସ୍ତବଡ ଭୁଲ୍ କରି ବସେ । ଆଧୁନିକ ବିଶ୍ୱରେ ଯେଉଁ ପ୍ରକାର ବିବାଦ ସଂଘର୍ଷ ଦେଖାଦେଇଛି, ତାହାର ମୂଳପୋଛ କରିବା ନିମନ୍ତେ ପ୍ରାଚୀନ ଶୃଙ୍ଖଳାଗତ ଶିକ୍ଷାର ଆବଶ୍ୟକ ରହିଛି । ଭାରତରେ ଥିବା ପ୍ରାଚୀନ ପରମ୍ପରା, ସଂସ୍କୃତି ସମ୍ପଦରେ ଯେ ବିତ୍ତଶାଳୀ ତାହା ଅସ୍ୱୀକାର କରିହେବ ନାହିଁ । ଭାରତର ସଂସ୍କୃତି ପୂର୍ବାବସ୍ଥାକୁ ଫେରିଆସୁ, ବିଶ୍ୱରେ ଭାରତ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରୁ । ଏହି ସଙ୍କଳ୍ପ ନେଇ ଶୂନ୍ୟତାକୁ ପୂର୍ଣ୍ଣ କରିବାର ଶିକ୍ଷଣ ସଂସ୍ଥାନ ଅଦ୍ୱିତୀୟ ଯୋଗ କରିବାରେ ସଫଳ ହେଉ । ଏହି ବିଶ୍ୱାସ ଦ୍ଵାରା କେବଳ ମୂଲ୍ୟ ଆଧାରିତ ନୂତନ ଶିକ୍ଷାନୀତି ଭାରତର ବୈଷୟିକ ମହାଶକ୍ତିର ରୂପରେ ସ୍ଥାପିତ କଲେ ଏହା ନିଶ୍ଚୟ ସଫଳ ହେବ.. !!!


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ