ସହରୀ ସପନ - ପ୍ରଭାତୀ ବରାଳ

0
ସହରୀ ସପନେ ପ୍ରଲୁବ୍ଧ ପ୍ରମତ୍ତ
ଆଜିର ମଣିଷ ପରା
ଅତି ଲୋଭନୀୟ ସହରୀ ଜୀବନ
ଚାକଚକ୍ୟ ରଙ୍ଗ ଭରା ॥୧॥
ତ୍ରିତଳ ପ୍ରାସାଦ ରାଜସୁଖ ଭୋଗ
ସଭିଏଁ ଭାବନ୍ତି ରାଜା
ତୂଳୀ-ତଳ୍ପ ଶଯ୍ୟା ସ୍ୱପ୍ନର ନାୟିକା
ପାଇବାରେ ଯେଉଁ ମଜା ॥୨॥
ମାତ୍ର ଏ ମାନବ ଜାଣିକି ପାରୁନି
ମରୀଚିକା ସମ ଏହି
ତୃଷ୍ଣା କା'ର କେବେ ମେଣ୍ଟି କି ପାରଇ
ମୃଗତୃଷ୍ଣା ପଛେ ଧାଇଁ ॥୩॥
ମହାକାଳ ଫଳ ଉପର ତାହାର
ମସୃଣ ଓ ଲୋଭନୀୟ
ଭିତର ଜୀବନ ବ୍ୟଥା-ବିଜଡିତ
ଯୁଗ-ଯନ୍ତ୍ରଣାର କୋହ ॥୪॥
ନାହିଁ ଏଠି ପ୍ରେମ ମମତାର ମୂଲ୍ୟ
ନାହିଁ ଆତ୍ମା-ଅତ୍ମୀୟତା
ବୁଝେନା କେ ଏଠି ସମ୍ପର୍କ-ସଂହିତା
କାହିଁ ଅବା ପିତା ମାତା ॥୫॥
ନିଜ ସ୍ଵାର୍ଥେ ଅନ୍ଧ ପ୍ରତିଟି ମାନବ
ପ୍ରାଚୁର୍ଯ୍ୟ-ପ୍ରତିଷ୍ଠା ମୋହେ
ମଧୁ ଲୋଭେ ଯେହ୍ନେ ଭ୍ରମର ଭ୍ରମଇ
ଅର୍ଥ ପଛେ ଧାଉଁଥାଏ ॥୬॥
ସମସ୍ୟା ବହୁଳ ଜୀବନ ଜଟିଳ
ଛଳ-ଛଳନାରେ ବନ୍ଧା
ଅନ୍ୟକୁ କନ୍ଦାଇ ନିଜେ ହସିବାକୁ
କରୁଥାଏ ନିତି ଫନ୍ଦା ॥୭॥
ହେଲେ ମୋର ଗାଁ କେତେ ଯେ ସୁନ୍ଦର
କେଡ଼େ ସରଳ ତା' ଛାପ
ବୋଉ ହାତ ବଢ଼ା ସକାଳ ପଖାଳ
ମନଛୁଆଁ ମାଆ ଗପ ॥୮॥
ବିଲ-ବଣ-ନଦୀ ସୁନା ଧାନକ୍ଷେତ
ପାହାଡ଼ି ଝରଣା ସୁରେ
କୋଇଲିର କୁହୁ ମଳୟ ପବନ
ରାଗ-ରାଗିଣୀ ଯେ ତୋଳେ ॥୯॥
ପୁନେଇଁ ପରବେ ପିଠାର ମହକ
ରଜ ପରବର ଦୋଳି
ମେଳନ-ଯାତରା ବାଣ୍ଟେ ଭାଇଚାରା
ମନ୍ଦିର ଆଳତି ଜାଳି ॥୧୦॥
ଗାଁଆ ସପନ ମୋ' ମାଆର ସପନ
ଶାନ୍ତି-ମୈତ୍ରୀ-ପ୍ରୀତି ଭରା
ସହରୀ ସପନ ପଳାଶ ସମାନ
ଗୁଣ-ଗନ୍ଧ-ବାସ ହରା ॥୧୧॥

ଶିକ୍ଷୟିତ୍ରୀ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ

ଅଲଣ୍ଡା, ନିମାପଡା, ପୁରୀ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ