ପ୍ରସନ୍ନତା - କଳ୍ପନା ରାଉତ

0

ସୁଖ ବା ଶାନ୍ତିରେ ରହିବା ଭାବକୁ
ପ୍ରସନ୍ନତା କୁହାଯାଏ,
ପ୍ରସନ୍ନ ରହିଲେ ପ୍ରତ୍ୟେକ କାର୍ଯ୍ୟରେ
ସଫଳତା ଆସିଥାଏ ॥୧॥

ଦୁଃଖ ସମୟର ବିଚଳିତ ମନ
କାର୍ଯ୍ୟେ ଦ୍ଵନ୍ଦ ଉପୁଯାଏ,
ବିରକ୍ତିରେ ଭରା ଅଶାନ୍ତ ଜୀବନ
ଦୂର୍ବିସହ ହୋଇଯାଏ ॥୨॥

ବ୍ୟକ୍ତି ପରିସ୍ଥିତି ସଂସାରର କିଛି
ଘଟଣାବଳୀକୁ ନେଇ
ରାଗ ରୋଷ ଦ୍ୱେଷ ନ ଆଣିଲେ ମନେ
ଆନନ୍ଦେ ରହିବ ଭାଇ ॥୩॥

ନିଜ ସ୍ଵାର୍ଥ ଆଉ ଅଭିମାନ ପାଇଁ
ପକ୍ଷପାତିତା ନ କଲେ,
ମନେ ଦୟା କ୍ଷମା ଉଦାରତା ଭାବ
ଜନ୍ମ ନେଇଥାଏ ଭଲେ ॥୪॥

ସୁଷମ ଖାଦ୍ୟର ତୃପତି ଭୋଜନ
ଶରୀର ହିତ ସାଧନେ,
ପ୍ରାଣୀ ଜଗତର ମଙ୍ଗଳ କାମନା
ପ୍ରସନ୍ନତା ଆଣେ ମନେ ॥୫॥

ଚିତ୍ତେ ଏକାଗ୍ରତା ଅଳ୍ପ କଥାବାର୍ତ୍ତା
ସକରାତ୍ମକ ଭାବନା,
ଆବଶ୍ୟକ ନିଦ୍ରା ଯଥୋଚିତ ଯାତ୍ରା
ଶାସ୍ତ୍ରୀୟ ମର୍ଯ୍ୟାଦା ସିନା ॥୬॥

ଉଚିତ ଆହାର ଉଚିତ ବିହାର
ନୀତି ନିୟମ ପାଳନ,
ପ୍ରସନ୍ନତା ଭରେ ମାନବ ମନରେ
ପରମେଶ୍ଵର ଚିନ୍ତନ ॥୭॥

ହିଂସା ଦ୍ୱେଷ ମିଥ୍ୟା କୁଟିଳ କ୍ରୁରତା
ଅସହିଷ୍ନୁ ଭାବ ଯେତେ,
ପରିତ୍ୟାଗ କଲେ ଆପଣା ମନରୁ
ପ୍ରସନ୍ନତା ଆସେ ଚିତ୍ତେ ॥୮॥

ମନରେ ବିକାର ଅସୂୟା ଭାବର
ଉଦ୍ରେକ ନହେବ ଯେବେ,
ସମାନତା ସହ ସାମ୍ୟଭାବ ମନେ
ଜାତ ହୋଇଥାଏ ତେବେ ॥୯॥

ପୁଣି ପ୍ରତିକୁଳ ପରିସ୍ଥିତିରେ ଯେ
ଶାନ୍ତ ରହିଥାଏ ସଦା,
ମନନ କରିଲେ ଆପଣା ମନକୁ
ମିଳିଥାଏ ପ୍ରସନ୍ନତା ॥୧୦॥

ଈଶ୍ଵରଙ୍କ ପ୍ରତି ପ୍ରଗାଢ ଭକତି 
ସମର୍ପଣ ଭାବ ରଖି,
ନିଷ୍କାମ ଚିତ୍ତରେ କର୍ମ କଲେ ତୁମେ
ଜୀବନରେ ହେବ ସୁଖୀ ॥୧୧॥

ବ୍ରହ୍ମପୁରା, ବାଙ୍କୀ, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ