ଝୋଲିଆ କବୀର ସମ୍ବାଦ - ଘନଶ୍ୟାମ ସାହୁ

0

ତରତର ହୋଇ ଆଗକୁ ଆଗକୁ ପାଦ ପକାଇ ରାଜପଥରେ ଭଗବାନଙ୍କ ନାମ ନେଇ ଆଗେଇ ଚାଲିଥିଲେ ଝୋଲିଆ କବୀର । ହାତରେ ଧରିଥିଲେ ସଦ୍ୟ ବୁଣା ହୋଇଥିବା ଦୁଇ ଖଣ୍ଡ ଧୋତି ତୁଣ୍ଡରେ  ଗୁଣୁଗୁଣୁ ହୋଇ ବୋଲୁଥିଲେ ଏକ ମନବୋଧ ଜଣାଣ..,

      "ଭଜ ଭଜରେ ମନ,
       କମଳ କଳା ବଦନ, ଭଜରେ ମନ ।
       ସୁଖ ବେଳେ ସର୍ବେ ସଖା
       ଦୁଃଖେ ନ ଦିଅନ୍ତି ଦେଖା
       ଗୋବିନ୍ଦ ଭରସା କର ସେ ହିଁ ଦୁଃଖ ନାଶନ..."

ହଠାତ୍ ତାଙ୍କର ସଙ୍ଗୀତର ଗୁଞ୍ଜନ ଅଟକିଗଲା ସେତିକି ବେଳେ, ଯେତେବେଳେ ନିଜ ନାମ ଧରି କେହି ଜଣେ ପଥଚାରୀ ମାନଙ୍କୁ ପଚାରୁଥିଲା, "ଝୋଲିଆ କବୀର ର ଘର କେଉଁଠି କହି ପାରିବ ?" ପାଖକୁ ଯାଇ ଦେଖିଲେ ଜଣେ ଅପରିଚିତ ବୃଦ୍ଧ ବ୍ରାହ୍ମଣଙ୍କୁ । କୃଷ୍ଣବର୍ଣ୍ଣ ଶରୀରରେ ଶ୍ଵେତ ଯଜ୍ଞ ଉପବୀତ ଉଜ୍ଜ୍ୱଳ ଦେଖାଯାଉଥିଲା ସତ, କିନ୍ତୁ ଛିଣ୍ଡା ମଳିନ ବସ୍ତ୍ର ପରିଧାନ କରିଥିବାରୁ ତାଙ୍କ ଚରମ ଦାରିଦ୍ର୍ୟତା ସ୍ପଷ୍ଟ ଭାବରେ ଫୁଟି ବାହାରକୁ ଜଣାପଡୁଥିଲା । କବୀର ତାଙ୍କ ନିକଟକୁ ଯାଇ ବିନମ୍ରତାର ସହିତ ପ୍ରଣାମ କରି ସେ ନିଜେହିଁ ଝୋଲିଆ କବୀର ବୋଲି ପରିଚୟ ଦେବା ସହିତ ସେ ଯଦି ଆଗନ୍ତୁକ ଙ୍କର  କିଛି ସେବା ଦେଇ ପାରିବେ ତେବେ ନିଜକୁ ଅତି ଭାଗ୍ୟବାନ ମନେ କରିବେ ବୋଲି କହିଲେ । "ତୋ ବିଷୟରେ ମୁଁ ବହୁତ ଦୂରରେ ଥିଲେ ମଧ୍ୟ ଅନେକ କିଛି ଶୁଣିବାକୁ ପାଇଛି । ପବିତ୍ର ଗଙ୍ଗାନଦୀ କୂଳରେ ରହି ସଦାସର୍ବଦା ଧର୍ମ କାର୍ଯ୍ୟରେ ଲାଗିରହିଛୁ । ଘରେ ତୋର କେବଳ ବୁଢ଼ୀ ମାଆଟି ବ୍ୟତୀତ ଆଉ କେହି ନାହାନ୍ତି । ସାଧୁ, ସନ୍ଥ, ଦୀନ, ଦୁଃଖୀ କେହି କେବେ ତୋ ଦୁଆରୁ ରିକ୍ତହସ୍ତରେ ଫେରନ୍ତି ନାହିଁ ବୋଲି ମୁଁ ଶୁଣିଛି । ବଡ଼ ଆଶା ନେଇ ତୋ ପାଖକୁ ଯାଉଥିଲି । କିନ୍ତୁ ତୁ ତ କେଉଁ ଆଡେ କାମରେ ଯାଉଛୁ । ତେଣୁ ମୋତେ ନିରାଶ ହୋଇ ଫେରିବାକୁ ପଡିବ । "ବୃଦ୍ଧ ବ୍ରାହ୍ମଣ କହିଲେ । ମୁହୁର୍ତ୍ତେ ମାତ୍ର ଚିନ୍ତା କରି କବୀର କହିଲା, "ହେ ମହାତ୍ମା ! ଆପଣଙ୍କୁ ମୁଁ ନିରାଶ କରିପାରିବି ନାହିଁ । ମୁଁ ଏବେ ପାଖ ବଜାରକୁ ଯାଉଛି । ନିଜେ ବୁଣିଥିବା ଦୁଇଖଣ୍ଡ ଧୋତି ବିକ୍ରି କରି କିଛି ଅର୍ଥ ଆଣିଲେ ଘର ସଉଦା କରିବି । ଆସନ୍ତୁ ମୋ ଘରେ ବିଶ୍ରାମ କରୁଥିବେ । ମୁଁ ସଙ୍ଗେ ସଙ୍ଗେ ବଜାରରୁ ଫେରି ଆସିବି । "ବୃଦ୍ଧ ବ୍ରାହ୍ମଣ କହିଲେ, "ମୁଁ ଭଲଭାବରେ ଜାଣିଛି ତୁ ମୋତେ କେବେ ବି ନିରାଶ କରିବୁ ନାହିଁ । ତେବେ ଦେଖୁଛୁ ମୋ ଅବସ୍ଥା । ମୋ ଲଜ୍ଜା ନିବାରଣ ପାଇଁ ତୁ ଯଦି ଚାହିଁବୁ ତାହେଲେ ମୋତେ ବସ୍ତ୍ର ପରିଧାନ ପାଇଁ ଦାନ କରିପାରିବୁ । "ଏହି କଥାଶୁଣି ଝୋଲିଆ କବୀର ଦୁଇଖଣ୍ଡ ଧୋତି ମଧ୍ୟରୁ ଖଣ୍ଡିଏ ବ୍ରାହ୍ମଣଙ୍କ ହସ୍ତକୁ ବଢାଇ ବିନମ୍ର ପ୍ରଣାମ କଲେ । କିନ୍ତୁ ସେଥିରେ ସନ୍ତୁଷ୍ଟ ହୋଇ ନଥିଲେ ବ୍ରାହ୍ମଣ । "ଖଣ୍ଡିଏ ବସ୍ତ୍ର ନେଇ ମୁଁ କେମିତି ଚଳିବି । ଯଦି ଆଉ ଖଣ୍ଡିଏ ଦୋସଡା ହୁଅନ୍ତା ତେବେ ମୁଁ ଖୁବ୍ ଆନନ୍ଦିତ ହେବି ଏବଂ ତୋତେ କଲ୍ୟାଣ କରି ଚାଲିଯିବି ।" ବ୍ରାହ୍ମଣ କହିଲେ । ଆଗାମୀ ପରିସ୍ଥିତିକୁ ଦୃଷ୍ଟି ନ ଦେଇ ଅନ୍ୟ ବସ୍ତ୍ର ଖଣ୍ଡିକ ମଧ୍ୟ ଟେକି ଦେଲେ ଝୋଲିଆ କବୀର । ବୃଦ୍ଧ ବ୍ରାହ୍ମଣ ତାଙ୍କୁ ଅନେକ କଲ୍ୟାଣ କରି ଚାଲିଗଲେ ।

ବ୍ରାହ୍ମଣ ଚାଲିଯିବା ପରେ କବୀର ରାସ୍ତା ପାର୍ଶ୍ଵରେ ଥିବା ଗୋଟିଏ ଗଛ ଛାଇରେ କିଛି ସମୟ ବସି ରହିଲେ । ଜାତିରେ ଯବନ ହେଲେ ମଧ୍ୟ ପ୍ରଭୁ ବିଶ୍ଵ ଚିନ୍ତାମଣି ଜଗନ୍ନାଥ ତାଙ୍କର ଆରାଧ୍ୟ ଠାକୁର । କ'ଣ ଚିନ୍ତା କରି ସେ ଘରୁ ଗୋଡ଼ କାଢିଥିଲେ ? ଏବେ ସେ କରିବେ କ'ଣ ? ଅତି ଦରିଦ୍ର ହୋଇ ଜନ୍ମ ନେଇଥିଲେ ସେ । ଘରେ ମା ପୁଅ ଦୁଇ ଜଣ । ମହାଜନ ଠାରୁ କରଜ ଆଣି ସୂତା କିଣି ଲୁଗା ବୁଣିବା ତାଙ୍କ ପେଷା । ତା'କୁ ବିକ୍ରି କରି ମହାଜନ କରଜ ସୁଝି ଦେଲାପରେ ବଳକା ଅର୍ଥରେ ସେମାନେ କଷ୍ଟରେ ଚଳି ଯାଉଥିଲେ । ସେଥିରେ ପୁଣି ପ୍ରାୟ ସବୁଦିନ ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା କରିବାକୁ ପଡୁଥିଲା । ଏପର୍ଯ୍ୟନ୍ତ ତାଙ୍କ ଦୁଆରୁ କେହି ଖାଲି ହାତରେ ଯାଇନଥିଲେ । ଦରକାର ପଡିଲେ ଘରର ବାସନ କୁଶନ, ମା'ର ଗହଣା ଇତ୍ୟାଦି ବିକ୍ରି କରିବାକୁ ପଡ଼ୁଥିଲା ଅବା ବନ୍ଧକ ଦେବାକୁ ପଡୁଥିଲା । ଈଶ୍ଵରଙ୍କ ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ଏବଂ ଭକ୍ତି ଥିବାରୁ ସବୁ କିଛି ଈଶ୍ଵରଙ୍କ ଦ୍ଵାରା ହେଉଛି ବୋଲି ସେ ଭାବୁଥିଲେ । ଘର ଚଳାଇବା ବାଲା ଈଶ୍ୱର । ସେ ସବୁ ଅସୁବିଧା ଦୂର କରିଦେବେ ବୋଲି ତାଙ୍କର ଦୃଢ ବିଶ୍ଵାସ ଥିଲା । "ନା ଆଉ ନୁହେଁ ,ଏଥର ଖାଲି ହାତରେ ଘରକୁ ଫେରିଯିବାକୁ ହିଁ ହେବ । ମାଆ ତେଣେ ଅପେକ୍ଷା କରିଥିବ । ସବୁ ସେଇ ଅନ୍ତର୍ଯ୍ୟାମୀ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା । "ଏହା ଚିନ୍ତା କରି ଘରକୁ ଫେରି ଯିବାକୁ ଗୋଡ଼ ବଢାଇଲେ ଝୋଲିଆ କବୀର ।

କବୀର ଙ୍କ ମାଆ ପୁଅ ଆସିବା ବାଟକୁ ଚାହିଁ ବସିଥିଲେ । "ସେ ତ କେବେ ଏତେ ବିଳମ୍ବ କରେ ନାହିଁ । ଆଜି କାହିଁକି ଏତେ ଡେରି ହେଉଛି ? କିଛି ଅଘଟଣ ଘଟିନାହିଁ ତ ? ସବୁ ସେଇ ଠାକୁରଙ୍କ ଇଚ୍ଛା । "ଏହାକହି ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ସେ । ମାତୃ ହୃଦୟ ନାନା ଆଶଙ୍କାରେ ଆଶଙ୍କିତ ହୋଇ ଉଠିଲା । ହଠାତ୍ "ଏହା ଝୋଲିଆ କବୀର ଘର ତ ?" ପ୍ରଶ୍ନ ଶୁଣି ଚମକି ପଡିଲେ ସେ । ବଳିଷ୍ଠ ଶରୀର ଧାରଣ କରିଥିବା ଜଣେ ଯୁବକ କାନ୍ଧରେ ଭାର ବହନକରି ତାଙ୍କ ଘର ସମ୍ମୁଖରେ ରଖି ପଚାରୁଥିଲେ ଝୋଲିଆ କବୀର ର ଘର । "କ'ଣ କୁହ ? ମୁଁ ତାର ମାଆ ‌।" କହିଲେ କବୀର ର ମାଆ । ଭାର ସାମଗ୍ରୀ ଓହ୍ଲାଇ ଯୁବକ କହିଲେ, "ଓଃ ରକ୍ଷା ପାଇଲା ମଣିଷ । ଏତେ ଗୁଡିଏ ଜିନିଷ, ମୋ କାନ୍ଧ ଖାଲି କଟକଟ ହେଲାଣି । ତୁମ ପୁଅ ଏ ସବୁ ମୋ ହାତରେ ପଠାଇଛନ୍ତି । ମଜୁରୀ ଆଗତୁରା ଦେଇ ସାରିଛନ୍ତି । ସେ ଏବେ ଆସି ପହଞ୍ଚିବେ । "କବୀର ର ମାଆ ଗୋଟିଏ ପରେ ଗୋଟିଏ ସବୁ ଜିନିଷ ଘର ଭିତରେ ନେଇ ରଖିଲେ । ଘର ସବୁ ଭର୍ତ୍ତି । ଗୋଡ଼ ବୁଲାଇବାକୁ ଜାଗା ନାହିଁ । ସବୁ ନେଇସାରି କହିଲେ, "ପୁଅ, ତୁ ଟିକିଏ ବସି ବିଶ୍ରାମ ନେ । ଥକି ପଡିଥିବୁ । ମୁଁ ତୋ ପାଇଁ କ'ଣ ଦିଟା ଫୁଟାଇ ଆଣୁଛି । ତୋତେ ଭୋକ ହେଉଥିବ ।" "ନା ନା ମା.. ମୋତେ ବସିବାକୁ ଆଉ ବେଳ କାଇଁ । ମୋତେ ସିଆଡେ କେତେ ଲୋକ ଖୋଜୁଥିବେ । ତୁମ ଜିନିଷ ପାଇଲ । ମୁଁ ଏବେ ଯାଉଛି ।" କବୀର ର ମାଆ ଦେଖୁ ଦେଖୁ କେଉଁଆଡେ ଅଦୃଶ୍ୟ ହୋଇଗଲେ ।

ନିରାଶ ହୋଇ କିଛି ସମୟପରେ ଘରକୁ ଫେରିଲା ବେଳକୁ ତାଙ୍କ ମାଆ ରୋଷେଇ ସାରି ବାହାରକୁ ଅନେଇଁ ବସିଥାନ୍ତି । "ଯା ଶୀଘ୍ର ଧୋଇ ହୋଇ ଆସ । ଜିନିଷ ପଠାଇ ଏତେ ବିଳମ୍ବ କଲୁ କାହିଁକି ? "ମାଆ ବ୍ୟସ୍ତ ହୋଇ କହିଲେ ।" ଜିନିଷ ? ମୁଁ ପଠାଇଥିଲି ?? କାହିଁ ??? କେଉଁଠି ????" ଏହା କହି ଘର ଭିତରକୁ ଧାଇଁ ଦେଖି ଚମକି ପଡିଲେ ଝୋଲିଆ କବୀର । ସବୁ ଘଟଣା ମାଆଠାରୁ ଶୁଣି ମାଆ ପାଦତଳେ ଲୋଟି ପଡ଼ି କହିଲେ, "ତୋ ଜୀବନ ସାର୍ଥକ ହୋଇଗଲା ମା, ତୁ ତୋର ଚର୍ମଚକ୍ଷୁରେ ସ୍ୱୟଂ ଭଗବାନଙ୍କୁ ଦେଖି ପାରିଲୁ ।" ଆମର ଦୁଃଖ ଦେଖି ନପାରି ମୋ ପ୍ରଭୁ ନିଜେ ମୋତେ ପରୀକ୍ଷା କଲେ ଏବଂ ସେ ନିଜେ ଭାର ବହନ କରି ଧନରତ୍ନ ନାନାଦି ଜିନିଷରେ ମୋ ଘର ପରିପୂର୍ଣ୍ଣ କରିଦେଲେ । ଜୟ ଜଗନ୍ନାଥ । ଧନ୍ୟ ତୁମ ମହିମା ପ୍ରଭୁ । ଏ ଅକିଞ୍ଚନ ପାଇଁ ଏତେ କଷ୍ଟ ସହ୍ୟ କଲ । ମୁଁ ମହାପାପୀ ପ୍ରଭୁ ମୋତେ କ୍ଷମା କରିଦିଅ । ଏହା କହି କାନ୍ଦି କାନ୍ଦି ଗଡ଼ି ଗଲେ । ଧନ୍ୟ ଜଗନ୍ନାଥ । ଦୀନ ଜନ ଶରଣ ରକ୍ଷଣ ମହାବାହୁ । ଭକ୍ତ ପାଇଁ ତୁମେ ସବୁ କିଛି କରିପାର । ଜୟ ଜଗନ୍ନାଥ । (ଦାର୍ଢ୍ୟତାଭକ୍ତି କଥାମୃତ)

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ