
ସ୍ମୃତି ଆଉ ଭାବନାର ନଈ କୂଳେ କୂଳେ
ଝରି ଝରି ଯାଉଥିଲା ନିରାଶାର ବାଲି
ଶୂନସାନ ନଈପଠା ନିଃଶବ୍ଦ ସେ କାଶତଣ୍ଡୀ ବଣ
ରହି ରହି ବାଜୁଥିଲା ବିରହ ବାଂଶୁରୀ
ବସିଥିଲି ଏକା ଏକା ଚାହିଁରହି
ତୁମର ସେ ଫେରିବା ବାଟକୁ
ସେବେଳେ ଫେରିଲ ତୁମେ ପ୍ରୀତିଫୁଲ ହାତେ ଧରି
ଛିନ୍ନ କରି ଦୁନିଆଁର ସବୁ ବନ୍ଧନକୁ
ଟିକି ଟିକି ଓଠ ମେଲି କହିଥିଲ ଦେଖ ପ୍ରିୟ
ତୁମପାଇଁ ହସ୍ତ ପଦୁ
ଖୋଲିଛି ମୁଁ ଅନାବନା ସମ୍ପର୍କର ବେଡି
ଯା ବଦଳେ ପିନ୍ଧିଅଛି
ବ୍ୟଥାର ପାଉଁଜି ଆଉ ବେଦନାର ଚୁଡି
ଲଗାଇଛି ମଥାରେ ମୋ କଳଙ୍କ ସିନ୍ଦୁର
କୋହ ମୋର ଛାତିର ଭୂଷଣ
ପୁଣି ଲୁହକୁ କରିଛି ଦେଖ ନୟନରେ କଜ୍ଵଳର ଗାର
ଦେହ ଢାଙ୍କି ଅଛି ଦେଖ ଯନ୍ତ୍ରଣାର ରେଶମୀ ଶାଢୀରେ
ପାଦ ଆଉ ହାତର ଆଙ୍ଗୁଠି
ସଜାଇଛି ଜ୍ଵାଳାର ଝୁଣ୍ଟିଆ ଆଉ ହତାଶା ମୁଦିରେ
ବାକି ଯାହା ରହିଗଲା ଦେଖି ତୁମେ
ଖଞ୍ଜି ଦିଅ ନିଜ ହାତେ ମୋହରି ଦେହରେ
ବଧୁ ବେଶ କରି ନେଇ ବସାଅ ଗୋ ମତେ ନେଇ
ବୟସର ଫୁଲ ବିଛଣାରେ
ତୁମକଥା ଶୁଣି ଯେବେ
ମଥାରେ ଟାଣିଲି ତୁମ ଦୁଃଖର ଓଢଣା
ପୁଣି ମୋ ଦେହର ରକତକୁ
କଲି ତୁମ ପାଦରେ ଅଳତା
ଚାହିଁ ମତେ ହସିଦେଲ
ମୋ ଛାତିରେ ଢଳି ପଡି ନରମ କଣ୍ଠେ କହିଲ
ଜୀବନ ଦୀପରେ ଆମେ ବିଶ୍ଵାସର ଘିଅ ଢାଳି
ଜନ୍ମ ଜନ୍ମାନ୍ତର ପାଇଁ ଜାଳୁଥିବା ପ୍ରେମର ସଳିତା
ବହୁତ ସୁନ୍ଦର କବିତା ଆପଣଙ୍କର
ReplyDelete