
ତଥାପି ଚାଲିଵାକୁ ହେବ
ଭେଦ କରିବାକୁ ହେବ
ପ୍ରତାରଣାର ମେଘନାଦ ପ୍ରାଚୀର,
ପାରିହେବାକୁ ହେବ
ପାଦେ ପାଦେ ଵିଛା ହୋଇଥିବା
ଷଢଯନ୍ତ୍ରର ପଶାପାଲି,
ନିଜକୁ ଵଞ୍ଚାଇବାକୁ ହେବ
ଯତୁଗୃହ ଦହନରୁ,
ଅଭୁକ୍ତ ହୋଇ ଵାରଣ କରିବାକୁ
ହେଵ ପ୍ରଦତ୍ତ ଵିଷ ଲଡୁ ।
ସାମ୍ନା କରିବାକୁ ହେବ
ସମ୍ମୁଖରେ ଠିଆ ହୋଇଥିବା
ଚତୁରଙ୍ଗୀ କୌରବ ସେନାଙ୍କୁ
ଫରକ ଏତିକି
ସେମାନେ ଥିଲେ ପାଞ୍ଚଜଣ
ସାଥି ଥିଲା
ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ପୁରୁଷ... ।
ମୁଁ ଏକା... ସମ୍ପୂର୍ଣ୍ଣ ଏକା,
ହାତେ ଅଛି ମୋର
ସେବା, ପରୋପକାର ଓ ସତ୍ୟର ଗାଣ୍ଡିବ
ଲଢ଼ିବାକୁ ତ ହେବ ମୋତେ
ଲଢିବାକୁ ହେବ, ସ୍ଵଭିମାନ ପାଇଁ
କାନ୍ଧେ ଥିଵା ତୂଣୀରର ତୀର
ଶେଷ ହେବାଯାଏ ।
ଵିଚିତ୍ର ଦୁନିଆ ଓ ବିଚିତ୍ର ତା ଭାବ
ଵୁଝେନା, ଵୁଝେନା ସେ
ମହତ ପରାଣ...
ଖୋଜିଵୁଲେ ଧ୍ଵଂସକାରୀ ଜ୍ଵାଳାମୁଖୀ
ଢାଳିଦିଏ ହଳାହଳ ଵିଷ ।
ଉପକାର ପାଇ କରେ
ଭୂଲିବାର ଛଳନା
ମିଛ ଅହମିକାର ଦ୍ଵାହି ଦେଇ
ହତ୍ୟାକରେ ପବିତ୍ର ଵନ୍ଧୁତ୍ଵ ।
ଅନ୍ତରରେ ରଖି ଵିଷ
ପୁଣି ଲେପନ କରେ
କ୍ଷତରେ ଶୀତଳ ପ୍ରଲେପ,
ନିଜକୁ ସଜାଇ ହୁଏ
କୌରବ ସେନା ନାୟକ
ଵଜାଇ ଚାଲେ
ଅପବାଦର ନାଗରା
ସୃଷ୍ଟିକରେ ଗୋଟେ ପରେ ଗୋଟେ
ରକ୍ତର ନଦୀ...
ଵର୍ଷିଚାଲେ ଶହଶହ ତୀର ।
ସୁଧାକର ସେଠୀ
ଜମ୍ବେଶ୍ଵରପୁର, ବାଲେଶ୍ଵର