ତିଳଚ୍ଛ ମହାପାତ୍ର - ଘନଶ୍ୟାମ ସାହୁ

0

ବୀରାଧିବୀରବର ଗୈାଡେଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ଜୟଧ୍ୱନି କାଳକ୍ରମେ ବଡ଼ ଦେଉଳ ଆଡ଼କୁ ନିକଟତର ହେଉଥିଲା । ପାତ୍ର ମନ୍ତ୍ରୀଙ୍କ ଗହଣରେ ସୈନ୍ୟ ସାମନ୍ତ ମାନଙ୍କ ସହ ଆସୁଥିଲେ ଗଜପତି ପ୍ରତାପରୁଦ୍ର । ଛତ୍ର, ତରାସ ଧାରଣ କରି ରକ୍ଷୀ ଦୈ।ବାରିକ ସଙ୍ଗରେ ଆଗେଇ ଚାଲିଥିଲେ । କେହି ଜଣେ ସେବକ ଧଇଁସଇଁ ହୋଇ ଧାଇଁ ଧାଇଁ ଆସି ପହଞ୍ଚିଲେ ତିଳଚ୍ଛ ମହାପାତ୍ରଙ୍କ ନିକଟରେ । ମହାରାଜା ଖୁବଶୀଘ୍ର ପହଞ୍ଚିଯିବେ କହି ସେ ଚାଲିଗଲା । କ'ଣ ଏବେ କରିବେ ଭାବି ବ୍ୟସ୍ତ ବିବ୍ରତ ହୋଇ ପଡିଲେ ଶ୍ରୀମନ୍ଦିରର ଅନ୍ୟତମ ସେବକ ତିଳଚ୍ଛ ମହାପାତ୍ର । ବଂଶ ପରମ୍ପରା ଅନୁଯାୟୀ ଜଗବନ୍ଧୁ ମହାପାତ୍ର ଏବେ ମହାପ୍ରଭୁଙ୍କ ଅନନ୍ୟ ସେବକ ତିଳଚ୍ଛ । ଭାରି ଅମାୟିକ ବ୍ୟବହାର ତାଙ୍କର । ଧର୍ମକାର୍ଯ୍ୟରେ ସର୍ବଦା ଲାଗି ରହିଥାନ୍ତି । ଦୁଃଖୀ, ଅରକ୍ଷିତଙ୍କ ଭଲମନ୍ଦ ବୁଝି ସାହାଯ୍ୟ କରୁଥିଲେ ସେ । ଶ୍ରୀକ୍ଷେତ୍ରର ବାସିନ୍ଦା ଜଗବନ୍ଧୁ ବଡ଼ି ଭୋରରୁ ମହାପ୍ରଭୁଙ୍କ ଅବକାଶ, ମଇଲମ ନୀତି ଠାରୁ ଆରମ୍ଭ କରି ରାତ୍ରିର ଶୃଙ୍ଗାର ବେଶ ପର୍ଯ୍ୟନ୍ତ ବଡ଼ଦେଉଳ ଭିତରେ ନିଜକୁ ସମର୍ପିତ ଭାବେ ଠାକୁର ମାନଙ୍କ ସେବାରେ ନିୟୋଜିତ ରଖୁଥିଲେ । ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ଼ ବିଶ୍ୱାସ ଓ ଭରସା । ରାଜାଙ୍କ ଆସିବା ଖବର ଶୁଣି ବ୍ୟସ୍ତ ବିବ୍ରତ ହୋଇ ପଡିଲେ ତିଳଚ୍ଛ । କାରଣ ଗଜପତି ଦର୍ଶନ କରିବା ପରେ ଠାକୁରଙ୍କ ପ୍ରସାଦ ରୂପେ ଛଡ଼ା ଫୁଲ ନେଇଥାନ୍ତି । କିଛି ସମୟ ପୂର୍ବରୁ ଠାକୁରଙ୍କ ପରବର୍ତ୍ତୀ ବେଶ ପାଇଁ ସବୁ କିଛି ପରିସ୍କାର କରି ଦେଇଛନ୍ତି । ସମୟ ହାତରେ ଆଦୈ। ନାହିଁ । ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ନିଜ ମୁଣ୍ଡରୁ ଯାଈଫୁଲ ସ୍ତବକଟି ଆଣି ଠାକୁରଙ୍କ ଶିରରେ ଥୋଇ ଦେଇ ମନେ ମନେ ନିଜ ଅପରାଧ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ । ମହାରାଜା ପ୍ରତାପରୁଦ୍ର ଦର୍ଶନ କରି ସାରିବା ପରେ ହସ୍ତ ପ୍ରସାରଣ କଲେ । ମହାପାତ୍ରେ ସେଇ ଯାଈଫୁଲ ସ୍ତବକକୁ ଠାକୁରଙ୍କ ପ୍ରସାଦ ରୂପେ ମହାରାଜାଙ୍କୁ ଦେବାରୁ ତାକୁ ନେଇ ସେ ରାଜପ୍ରାସାଦ ଫେରିଗଲେ ।

ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭା ପ୍ରକୃତିର ଶୋଭାରାଜିକୁ ବହୁଗୁଣିତ କରୁଥିଲା । ପକ୍ଷୀମାନେ କଳରବରେ ଦଳ ଦଳ ହୋଇ ସ୍ୱ ସ୍ୱ ନୀଡ଼ ଅଭିମୁଖେ ଫେରି ଆସୁଥିଲେ । ରାଜ ଉପବନରେ ରାଜା ପ୍ରକୃତିର ଶୋଭାକୁ ଅବଲୋକନ କରୁଥିଲେ । ତାଙ୍କ ହସ୍ତରେ ଥିଲା ଶୁଭ୍ର ଯାଇଫୁଲର ସ୍ତବକ ଯାହା ପ୍ରଭୁଙ୍କ ପ୍ରସାଦ ରୂପେ ତାଙ୍କୁ ପ୍ରାପ୍ତ ହୋଇଥିଲା । "ଆରେ ଏ କ'ଣ ?" ଚମକି ପଡ଼ିଲେ ମହାରାଜା । ବାରମ୍ବାର ଦୃଷ୍ଟି ପକାଇଲେ ସ୍ତବକ ଉପରେ । ଯାଈଫୁଲର ସ୍ତବକରେ ଲାଗି ରହିଥିଲା ଦୁଇ ତିନୋଟି କଳା କଳା କେଶ । "ନିଶ୍ଚୟ ସେହି ତିଳଚ୍ଛ ମୋତେ ଠକି ଦେଇଛି । ନିଜ ମୁଣ୍ଡରୁ ପୁଷ୍ପ ଆଣି ଠାକୁରଙ୍କ ଠାରେ ଲାଗି କରି ମୋତେ ପ୍ରଦାନ କରିଛି ।" ଏହି କଥା ଭାବି ମହାରାଜାଙ୍କ କ୍ରୋଧ ପଞ୍ଚମ ହୋଇଗଲା । ସଙ୍ଗେସଙ୍ଗେ ରକ୍ଷୀ କୁ ପଠାଇ ମହାପାତ୍ରଙ୍କୁ ଡକାଇ ପଠାଇଲେ । ନାନା ଆଶଙ୍କା ମଧ୍ୟରେ ହିଁ ମହାପାତ୍ରେ ମହାରାଜାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । "ଠାକୁରଙ୍କ ଶିରରେ କେବେ ଠାରୁ କେଶ କଅଁଳିଛି ସେ କଥା ମୁଁ କିପରି ଜାଣି ପାରିଲି ନାହିଁ । ଯାଈଫୁଲର ସ୍ତବକରେ କେଶ ଆସିଲା କିପରି ?" ଜାଣିବାକୁ ଚାହିଁଲେ ଗଜପତି ମହାରାଜା । ଭୁମି ତଳୁ ମାଟି ଖସିଗଲା ପରି ବୋଧହେଲା ତିଳଚ୍ଛ ମହାପାତ୍ରଙ୍କର । ତଥାପି ସାହସ ସଞ୍ଚୟ କରି ଠାକୁରଙ୍କୁ ସ୍ମରଣ କରି, ନିଜ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରି କହୁ କହୁ କହି ପକାଇଲେ, "ହଁ ମଣିମା ଠାକୁରଙ୍କ ଶିରରେ ମଧ୍ୟ କେଶ କଅଁଳିଛି ‌।" "ଠିକଅଛି, ଆସନ୍ତା ପ୍ରଭାତରେ  ମୁଁ ନିଜେ ଯାଇ ପ୍ରଭୁଙ୍କ କେଶ ଅବଲୋକନ କରିବି । ଅନ୍ୟଥା ତୁମେ କଠୋର ଦଣ୍ଡରେ ଦଣ୍ଡିତ ହେବ ‌।" ରାଜା କ୍ରୋଧରେ ଜର୍ଜରିତ ହୋଇ ଘୋଷଣା କଲେ । "ଯାହା ମହାପ୍ରଭୁଙ୍କ ଇଚ୍ଛା ବୋଲି କହି ତିଳଚ୍ଛ ମହାପାତ୍ର ରାଜାଙ୍କ ଠାରୁ ବିଦାୟ ନେଇ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।

ରାଜାଙ୍କ କୋପରୁ କିଛି ସମୟ ପାଇଁ ବର୍ତ୍ତିଗଲେ ସିନା ହେଲେ ମନରେ ତାଙ୍କର ଗଭୀର କ୍ଷୋଭ ଏବଂ ଅନୁତାପ । ନିଜ ନିତ୍ୟକର୍ମ ସମ୍ପାଦନ କରି ସାରିବା ପରେ ବଡ଼ ଦେଉଳ ଅଭିମୁଖେ ଶୀଘ୍ର ଶୀଘ୍ର ପାଦ ପକାଇଲେ ତିଳଚ୍ଛ ମହାପାତ୍ର । ସନ୍ଧ୍ୟାକାଳୀନ ଅବକାଶ ନୀତି ସାରି ନାନା ପ୍ରକାର ପୁଷ୍ପ ଅଳଙ୍କାର ଦେଇ ପ୍ରଭୁଙ୍କ ଲାଗି କଲେ । ଆଳତୀ ବନ୍ଦାପନା ପରେ ମହାପ୍ରଭୁଙ୍କ ମଣୋହି ସାରି ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ସଜାଇ  ପହଡ଼ ନୀତି ପର୍ଯ୍ୟନ୍ତ ସବୁ ସେବା ସାରି ପ୍ରଭୁଙ୍କୁ ନିଜ ଦୁଃଖ ଜଣାଇ କହିଲେ,"ହେ ବଳିଆର ଭୁଜ ମହାପ୍ରଭୁ ମୁଁ ମହାପାପୀ । ସର୍ପକୁ ଘରେ ପୋଷିଲେ ସେ ଯେପରି ଦରକାର ହେଲେ ଚୋଟ ମାରିଥାଏ ଠିକ୍ ସେହିପରି କର୍ମ କଲି ମୁଁ । ମୋର ସାହସକୁ ଦେଖନ୍ତୁ ‌। ମୋତେ ଆପଣଙ୍କର ଚକ୍ରରେ କାଟି ଶେଷ କରି ଦିଅନ୍ତୁ ପ୍ରଭୁ । କ'ଣ କଲି ମୁଁ ଅଧମ ? ଶେଷରେ ନିଜ ପ୍ରାଣ ବଞ୍ଚାଇବାକୁ ଯାଇ ନିଜ ଶିରରେ ଲାଗିଥିବା ପୁଷ୍ପ ସ୍ତବକକୁ ମହାପ୍ରଭୁଙ୍କ ଶିରରେ ଲଗାଇ ମୁଁ ରାଜାଙ୍କୁ ପ୍ରସାଦ ରୂପେ ଅର୍ପଣ କଲି ? ଏହାଠାରୁ ବଳି ଅପରାଧ କ'ଣ ଅଛି ? ମୁଁ ତ କଠୋର ଦଣ୍ଡରେ ଦଣ୍ଡିତ ହେବା ଉଚିତ । କିନ୍ତୁ ମୁଁ ଆପଣଙ୍କ ସେବକ, ଭୃତ୍ୟ ପ୍ରଭୁ । ଆପଣ ମୋର ମାର୍ଗଦର୍ଶକ । ଆପଣଙ୍କର ବିନା ଆଜ୍ଞା ରେ ଯଦି ପତ୍ରଟିଏ ମଧ୍ୟ ହଲି ପାରେନାହିଁ, ମୁଁ ଛାର କିଏ ? ତେଣୁ ଯଦି ମୁଁ ଦଣ୍ଡ ପାଇବି ତ ଆପଣଙ୍କ ହାତରୁ ପ୍ରଭୁ । ମୋତେ ମାରିଲେ ମାରନ୍ତୁ, ତାରିଲେ ତାରନ୍ତୁ । ଯଦି ପ୍ରାତଃ କାଳ ପର୍ଯ୍ୟନ୍ତ ଏହାର କିଛି ସମାଧାନର ପନ୍ଥା ବାହାର ହୋଇ ପାରିବ ନାହିଁ ତେବେ ମୁଁ ରଜାଙ୍କ ଦ୍ଵାରା ଦଣ୍ଡ ପାଇବା ପୂର୍ବରୁ ହିଁ ପ୍ରାଣ ବିସର୍ଜନ କରିବି । ଆଉ ମୋର ଅନ୍ୟ କିଛି ଉପାୟ ନାହିଁ ପ୍ରଭୁ । ତୁମେ ହିଁ ତ ମୋର ଏକ ମାତ୍ର ଭରସା ।" ଏହିପରି ଭାବରେ ମହାପ୍ରଭୁଙ୍କୁ ନାନା ପ୍ରକାର ସ୍ତୁତି କରି ନିଜ ଗୃହକୁ ଫେରିଲେ ମହାପାତ୍ରେ । ସେଦିନ ରାତିରେ ଖାଦ୍ୟ ଗ୍ରହଣ ନକରି ଏକ ବିଷ ପାତ୍ର ନିକଟରେ ରଖି ଠାକୁରଙ୍କୁ ସ୍ମରଣ କରି ଶୋଇ ପଡିଲେ । ଭକ୍ତର ଅଧୀନ ଭଗବାନ । ଭାବଗ୍ରାହୀ ଠାକୁର ସିଏ । ଭାବରେ ସେ ବନ୍ଧା । ପ୍ରଭୁ ଅନ୍ତର୍ଯ୍ୟାମୀ । ଭକ୍ତର ପ୍ରତ୍ୟେକ ପୀଡ଼ା ତାଙ୍କୁ ହିଁ ଯନ୍ତ୍ରଣା ଦେଇଥାଏ ।  ରାତ୍ରିର ଅର୍ଦ୍ଧ ପ୍ରହରରେ ସାରା ଜଗତ ନୀରବ ନିସ୍ତବ୍ଧ ଥିବା ସମୟରେ ଭକ୍ତ ନିକଟରେ ଉପସ୍ଥିତ ହେଲେ କଳାଠାକୁର ଜଗନ୍ନାଥ । ଭକ୍ତର ଶିରରେ ତାଙ୍କ କୋମଳ ସ୍ପର୍ଶରେ ଆଶ୍ୱାସନା ଦେଇ ସ୍ୱପ୍ନରେ କହିଲେ, "ଭକ୍ତ ତିଳଚ୍ଛ, ମନକୁ ଶାନ୍ତ ରଖ । ତୁମେ କିଛି ବି ଅପରାଧ କରିନାହିଁ । କାରଣ, ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି କରିଥିବା କୈ।ଣସି ଅପରାଧରେ ଗଣାଯିବ ନାହିଁ । କିଏ କହିଲା ଶିରରେ ମୋର କେଶ ନାହିଁ ବୋଲି ? ତୁ ଅଚିନ୍ତା ହୋଇ ମୋର ସେବା କରିବା ପାଇଁ ଦେଉଳକୁ ଯିବୁ । ତୋର ଦୁଃଖରେ ମୁଁ ମଧ୍ୟ ସହଭାଗୀ । ପ୍ରାତଃ ସମୟରେ ତୋର ସମସ୍ତ ଚିନ୍ତା ଦୂର ହୋଇଯିବ । ମନରୁ ସମସ୍ତ ଶୋଚନା ଦୂର କର ।" ଏହା କହି ବିଷ ପାତ୍ରକୁ ଫିଙ୍ଗି ଦେଇ ଅନ୍ତର୍ଦ୍ଧାନ ହୋଇ ଗଲେ ପ୍ରଭୁ ଜଗନ୍ନାଥ । ନିଦ୍ରା ଭଙ୍ଗ ହେଲା ମହାପାତ୍ରଙ୍କର। "ମହାପ୍ରଭୁ.. ମହାପ୍ରଭୁ  ମୋତେ ଦର୍ଶନ ଦେଇ ଧନ୍ୟ କଲେ । ଆପଣ ପ୍ରକୃତରେ ମହାନ୍ ପ୍ରଭୁ । ମୋ ପରି ଅପରାଧୀକୁ ଆପଣ କ୍ଷମା ପ୍ରଦାନ କରି କ୍ଷମାନିଧି ନାମ ସାର୍ଥକ କଲେ ପ୍ରଭୁ । ଆପଣଙ୍କର ସେବା କରି ମୋ ଜୀବନ ଧନ୍ୟ ହୋଇଛି ।" ଜୟ ଜଗନ୍ନାଥ କହି ଚାରିପଟେ ବୁଲି ଦେଖିଲେ ବିଷପାତ୍ର ନିକଟରେ ନାହିଁ । ଶଯ୍ୟା ତ୍ୟାଗ କରି ଶୀଘ୍ର ଶୀଘ୍ର ନିତ୍ୟକର୍ମ ସମ୍ପାଦନ କରି ଅତି ପ୍ରଭାତରୁ ବଡ଼ ଦେଉଳ ମଧ୍ୟକୁ ପ୍ରବେଶ କଲେ । ମହାରାଜ ମନ୍ଦିର ଆସିବା ପୂର୍ବରୁ ସେ ନିଜେ ପ୍ରଭୁଙ୍କୁ ଦର୍ଶନ କରିବେ । ସବୁକିଛି ଯଦି ଠିକ୍ ଥାଏ ତ ଭଲ କଥା ତାହେଲେ ସେ ସତକୁ ସତ ପ୍ରାଣ ବିସର୍ଜନ କରିବାର ସଂକଳ୍ପ ନେଲେ । ଗରୁଡ଼ସ୍ତମ୍ଭକୁ କୁଣ୍ଢେଇ ଗୁମୁଟ ଆଡ଼କୁ ଅଗ୍ରସର ହେଲେ ସେ । ରତ୍ନ ସିଂହାସନରେ ପ୍ରଭୁଙ୍କ ଶ୍ରୀମୁଖକୁ ଚାହିଁ ଚମକି ପଡ଼ିଲେ ମହାପାତ୍ରେ । କ'ଣ ସେ ଦେଖୁଛନ୍ତି ମହାପ୍ରଭୁଙ୍କ ଶିରରୁ କଳା ମଚମଚ କେଶରାଶି ଲମ୍ବିଛି ରତ୍ନ ସିଂହାସନ ପର୍ଯ୍ୟନ୍ତ । "ଧନ୍ୟ ହେଲି ପ୍ରଭୁ ଧନ୍ୟ ଆପଣଙ୍କର ଲୀଳା" କହି ଅଶ୍ରୃଳ ନୟନରେ ଗଡ଼ିଗଲେ ସେ । ତାଙ୍କ ସେବାରେ ନିଜକୁ ହଜାଇ ଦେଲେ ।

ପ୍ରଭାତ ସମୟରେ ପାତ୍ର ମନ୍ତ୍ରୀଙ୍କ ଗହଣରେ ବଡ଼ ଦେଉଳ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଗଜପତି ମହାରାଜ । ଆଜି ଭଣ୍ଡ ତିଳଚ୍ଛ ମହାପାତ୍ରର ବିଚାର ହେବ ବୋଲି ସେ କହିଥିଲେ । ତାଙ୍କ ଧାରଣାକୁ ସେ ମନରୁ ଦୂର କରି ପାରୁ ନଥିଲେ । ରତ୍ନ ସିଂହାସନ ନିକଟରେ ପ୍ରଭୁଙ୍କୁ ଦର୍ଶନ କରି ସାରି ସେ ତିଳଚ୍ଛ ମହାପାତ୍ର ଙ୍କୁ କହିଲେ, "ଦେଖାଅ ମହାପାତ୍ରେ ପ୍ରଭୁଙ୍କ କେଶ କିପରି କଅଁଳିଛି ?" ମହାପାତ୍ରେ କହିଲେ, "ଆପଣ ସ୍ୱୟଂ ଦେଖନ୍ତୁ ମହାରାଜ । ମୁଁ ଦେଖାଇବା ଆବଶ୍ୟକ ନାହିଁ ।" ରାଜା ପ୍ରଭୁଙ୍କ ପୃଷ୍ଠ ଭାଗକୁ ଦେଖି ଚମକି ପଡ଼ିଲେ । କଳା ଭ୍ରମର ପରି ଘନ କେଶରାଶି ଶିରରୁ ପୃଷ୍ଠ ଦେଇ ରତ୍ନ ସିଂହାସନ ପର୍ଯ୍ୟନ୍ତ ଲମ୍ବି ଥିବା ସ୍ପଷ୍ଟ ଦେଖି ପାରିଲେ । "ନିଶ୍ଚୟ ଏହି ବ୍ରାହ୍ମଣ ରାତାରାତି କୈାଣସି ଜଉ କିମ୍ବା ଅଠାର ପ୍ରଲେପ ଦେଇ କେଶ ଗୁଚ୍ଛ ରୋପଣ କରି ଦେଇଛି, ଅନ୍ୟଥା ଏହା ସମ୍ଭବ ହେବ କିପରି ? "ଚିନ୍ତା କଲେ ଗଜପତି । ମହାପାତ୍ରଙ୍କୁ ଲକ୍ଷ୍ୟ କରି କହିଲେ, "ସତ କୁହ, ଏହା ନକଲି କେଶ ଗୁଚ୍ଛ ନୁହେଁ ତ ?" "ମୁଁ ଅଧିକ କିଛି କହିପାରୁନାହିଁ ମଣିମା, ଆପଣ ନିଜେ ଏହା ଦେଖି ପାରିବେ ।" ଗଜପତି ମହାରାଜାଙ୍କ ସନ୍ଦେହ ହେବାରୁ ସେ ଦୁଇ ଚାରିଟା କେଶ ଏକାଠି କରି ହଠାତ୍ ଟାଣି ଦେବାରୁ ପ୍ରଭୁଙ୍କ ଶିରରୁ ଝର ଝର ହୋଇ ରୁଧିର ଝରି ପଡ଼ିଲା । ଏହା ଦେଖି ରାଜାଙ୍କ ଦେହ ବରଡା ପତ୍ର ସଦୃଶ ଥରିବାକୁ ଲାଗିଲା । ଓଠ ଶୁଷ୍କ ହୋଇଗଲା । ନିଜ ଅପରାଧ ପାଇଁ ଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ନିଜକୁ ଆଘାତ କରି କହିବାକୁ ଲାଗିଲେ । ତିଳଚ୍ଛ ମହାପାତ୍ରଙ୍କର ଗୋଡ ଧରି ରାଜା କହିଲେ, "ହେ ପ୍ରଭୁଙ୍କ ପରମ ଭକ୍ତ ବ୍ରାହ୍ମଣ ଦେବତା ମୋତେ କୃପା କରି କ୍ଷମାକର । ପ୍ରଭୁଙ୍କ ପ୍ରତି ତୁମର ନିଷ୍ଠା ଓ ଭକ୍ତି ଦେଖି ମୁଁ ଅଭିଭୁତ ହୋଇ ଯାଇଛି । ମୁଁ ମୁଢ ଅଜ୍ଞାନ । ମୁଁ କେମିତି ଜାଣିବି ତୁମେ ପ୍ରଭୁଙ୍କର ଏତେ ଆପଣାର ବୋଲି । ମୁଁ ‌ମହାପାପୀ ତୁମ ପରି ଭକ୍ତଙ୍କ ପ୍ରତି ଖରାପ ଆଚରଣ ପ୍ରଦର୍ଶନ କରି ନିଜେହିଁ କାଳ କୁଟ ବିଷ ଭକ୍ଷଣ କରିଛି । ମୁଁ ନିଜେ ହିଁ ଅନଳ ଗିଳିଛି । ମୋ ପରି ପାପୀର ବଞ୍ଚି ରହିବାର ଅଧିକାର ନାହିଁ । ଭକ୍ତଙ୍କ ପ୍ରତି ଅପମାନକୁ ଭଗବାନ ନିଜେ ଗ୍ରହଣ କରି ନିଅନ୍ତି ଏହି କଥା ଆଜି ହିଁ ମୁଁ ଜାଣିପାରିଲି । ତୁମେ ମୋତେ ତୁମ ଉଦାର ହୃଦୟରେ କ୍ଷମା ପ୍ରଦାନ ନକଲେ ମୁଁ ପ୍ରାଣ ଧରି ବଞ୍ଚି ପାରିବି ନାହିଁ ।" ଏହି କଥା ଶୁଣି ତିଳଚ୍ଛ ମହାପାତ୍ର ମହାରାଜାଙ୍କୁ ଆଶ୍ୱାସନା ଦେଇ କହିଲେ, "ହେମହାରାଜ ! ଅପରାଧ ତ ମୁଁ କରିଥିଲି । ପ୍ରକୃତରେ ଆପଣଙ୍କର କୋପରୁ ବର୍ତ୍ତିବାକୁ ମୁଁ ହିଁ ମିଛ କହିଥିଲି । କିନ୍ତୁ ପ୍ରଭୁ ମୋତେ ରକ୍ଷା କଲେ । ଏତେ ବଡ଼ ଅପରାଧ କରି ମଧ୍ୟ ସେ ମୋତେ କ୍ଷମା ପ୍ରଦାନ କରିଛନ୍ତି । ତେଣୁ ହେ ମହାରାଜ, ମନ ଊଣା କରନ୍ତୁ ନାହିଁ । ଚାଲନ୍ତୁ ଉଭୟ ମିଶି ଠାକୁରଙ୍କର ଶରଣାପନ୍ନ ହେବା । ଏତିକି କହି ଉଭୟ ଠାକୁରଙ୍କ ଆଡ଼କୁ ଚାହିଁଲା ବେଳକୁ ପ୍ରଭୁଙ୍କର କେଶ ଉଭେଇ ଯାଇ ବେଶ ପରିପାଟୀ ପୂର୍ବ ପରି ହୋଇ ଯାଇଥିଲା । "ଧନ୍ୟ ମହାପ୍ରଭୁ, ଧନ୍ୟ ତୁମର ଲୀଳା" କହି ଉଭୟ ପ୍ରଭୁଙ୍କୁ ସାଷ୍ଟାଂଗ ପ୍ରଣିପାତ କଲେ ଏବଂ ନାନା ଭାବରେ ପ୍ରଭୁଙ୍କର ସ୍ତୁତି ଗାନ କଲେ । ଚତୁର୍ଦ୍ଦିଗରୁ ଶୁଣାଯାଉଥିଲା, "ଧନ୍ୟ ଭକ୍ତ ତିଳଚ୍ଛ । ଜୟ ଜଗନ୍ନାଥ ।"

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ