
ସମ୍ବଲପୁରର ନାକଟିଦେଉଳେ
ଆଦିବାସୀ ପିଲାଟିଏ,
ଶାଗ ପଖାଳ ଓ ଆମ୍ବୁଲ ସାଥୀରେ
ପ୍ରତିଦିନ ଖାଉଥାଏ ॥
ମଧ୍ୟାହ୍ନଭୋଜନ ଖାଇବା ଆଶାରେ
ସରକାରୀ ସ୍କୁଲ ଯାଇ,
ଭାତ ଡାଲି ଖାଇ ଘରକୁ ଫେରଇ
ମନରେ ସନ୍ତୋଷ ନେଇ ॥
ବରଷକ ରୁ ସେ ମାଆ ହରାଇଲା
ପିଠା ପଣା ତ ସପନ,
ମୁଢ଼ି ଗଣ୍ଡେ ଖାଇବାକୁ ମିଳେ ନାହିଁ
କେଡ଼େ ନିଉନ ଜୀବନ ॥
ବାଳକ ସମୟେ ଗାଈ ଚରାଇଲା
ବହି ବସ୍ତାନି କୁ ଧରି,
ଆପଣା ସ୍ଥିତିର ଉନ୍ନତି ପାଇଁ
ପଢୁଥିଲା ଭଲ କରି ॥
ତେର ବରଷକୁ ଅଠର ବୋଲାଇ
ଶ୍ରମିକ ସାଜିଲା ସେଇ,
ରୋଗୀଣା ଭଉଣୀ ଚିକିତ୍ସା ପାଇଁକି
ଉପଯୋଗ କରେ ନେଇ ॥
ଦାରିଦ୍ର୍ୟର କଷାଘାତ ଟି ଲକ୍ଷ୍ୟର
ବୀଜ କରିଲା ବପନ,
ନିଜ ଲକ୍ଷ୍ୟପଥେ ଅଗ୍ରସର ହୋଇ
ସାଧନାରେ ସେ ମଗନ ॥
ଭଲ ଚାଟ ହୋଇ ନବୋଦୟ ଗଲା
ବଢ଼ିଲା ପାଠର ମାନ,
ନାଇଜର ପାଇ ଶିଖି ଚାଲିଥିଲା
ବିଜ୍ଞାନର କେତେ ଜ୍ଞାନ ॥
ନାଇଜର ବୃତ୍ତି ଧନ ସଞ୍ଚୁଥିଲା
ଭଉଣୀ ଚିକିତ୍ସା ପାଇଁ,
ହାତେ ରାନ୍ଧି ଗଣ୍ଡେ ଖାଇ ଦେଉଥିଲା
କ୍ୟାଣ୍ଟିନ କୁ ନଯାଇ ॥
ଅଧା ରାସ୍ତାରେ ହରାଇ ବାପାଙ୍କୁ
ଦୁଃଖ ହୋଇଲା ଅନେକ,
ତଥାପି ଲକ୍ଷ୍ୟରୁ ବିଚ୍ୟୁତ ନହୋଇ
ରଖିଲା ତାଙ୍କରି ଟେକ ॥
ସୁଯୋଗ ତାଙ୍କର ପଦକୁ ଚୁମିଲା
ବୈଜ୍ଞାନିକଟିଏ ହୋଇ,
ଜର୍ମାନୀ ଦେଶରେ ଗବେଷଣାରତ
ରସାୟନ ବିଦ୍ୟା ପାଇଁ ॥
ଅଳପ ଖରଚେ ଚିକିତ୍ସା ସୁବିଧା
ଓଡ଼ିଶା ଜନତା ପାଇଁ,
ଲକ୍ଷ୍ୟ ଟି ତାଙ୍କର ରହିଅଛି ଯେଣୁ
ଫେରିବେ ଜନମଭୂଇଁ ॥
ନିଜ ଗାଆଁ ପିଲା ପଢ଼ି ବାହାରିବେ
ରଖିବେ ଜାତିର ମାନ,
ସେଇଥିପାଇଁକି ଗୁରୁଜୀ ନିୟୋଜି
ଛନ୍ତି ଏ ବ୍ୟକ୍ତି ମହାନ ॥
ବିଫଳ କାରଣ ଖୋଜିବାତ ନାହିଁ
ସାଧନେ ସମୟାଧିକ,
ଲକ୍ଷ୍ୟରେ ଅଟଳ ରହିଲେ ମିଳିବ
ସଫଳତା ଯେ ଅନେକ ॥
ତାଙ୍କରି ନୀତିକୁ ଅନୁସରି ଗଲେ
ଲକ୍ଷ୍ୟକୁ କରି ସ୍ଥିର,
ଭାରତ ମାତାର ସୁନାମ ରଖିବା
ହୋଇବା କରମବୀର ॥
ଶେଷ କିଷାନ ହେ ନିରାମୟ ରହି
ହୁଅ ତୁମେ ଆୟୁଷ୍ମାନ,
ଭାରତମାତାର ଅମର ବୀର ହେ
ଯଶ ତୁମ ଅମଳୀନ ॥
ଖଲ୍ଲିକୋଟ, ଗଞ୍ଜାମ
ସଂଘର୍ଷର ଅନ୍ୟନାମ ସଫଳତା । ଶେଷ କିଷାନ ଙ୍କ ଜୀବନର ସଫଳ କାହାଣୀ ଆପଣଙ୍କ କବିତାରେ ବେଶ ଜୀବନ୍ତ ।
ReplyDelete