ଦୀନ ହୀନ ବନ୍ଧୁ ଆହେ ଗୋପବନ୍ଧୁ
ନାହିଁ ତୁମ ପଟାନ୍ତର,
ମାନବ ସେବାରେ ନିୟୋଜିତ ରହି
ଭୁଲି ଗଲ ନିଜ ଘର ।
ନିଜ ଛୁଆ ପିଲା ପର କରିଦେଲେ
ଜନତାର ସେବା ପାଇଁ,
ହେ ପୂଣ୍ୟ ପୁରୁଷ ଉତ୍କଳ ପ୍ରଦେଶ
ଭୁଲି ବି ପାରିବ ନାହିଁ ।
ସ୍ୱାଧୀନତା ପାଇଁ ସଂଗ୍ରାମ ରଚିଲେ
ବାପୁଙ୍କ ପ୍ରେରଣା ନେଇ,
କାରାଦଣ୍ଡ ଭୋଗ କରିଥିଲେ ସିଏ
ଏହି ଦେଶ ଜାତି ପାଇଁ ।
ଏ ଦେଶର ମାଟି ପାଣି ପବନରେ
ତୁମେ ତ ଯାଇଛ ମିଶି,
ତୁମ ପରି ମହାମାନବ ନିମନ୍ତେ
ଉତ୍କଳ ଜନନୀ ଖୁସି ।
ତୁମରି ରଚିତ ସାରସ୍ଵତ ପାଇଁ
ଗର୍ବିତ ଆମରି ମାଟି,
ତୁମରି ଲେଖାରେ ଉତ୍କଳର ଚିତ୍ର
ସତରେ ଦିଶୁଛି ଫୁଟି ।
ଦେଖି ଯାଅ ଆସି ଥରେ ଗୋପବନ୍ଧୁ
ଉତ୍କଳ ପ୍ରଦେଶ ଆଜି,
ମାନବର ସେବା ସାରା ରାଇଜରେ
କେବେଠୁ ଗଲାଣି ହଜି ।
ତୁମେ ଦେଖିଥିବା ଚିଲିକାର ଶୋଭା
ଆଉ ନାହିଁ ଆଗପରି,
ଅବହେଳା ପାଇଁ ସୁନ୍ଦର ଚିଲିକା
ଶୋଭା ଯାଏ ଅପସରି ।
ରମାକାନ୍ତ ମାହାଳି
୨୫, ଭାଗବତ ସନ୍ଧାନ, ଭୁବନେଶ୍ୱର-୨୫