ମିଛେ କରୁ ଅଭିମାନ
ଧନ ଗର୍ବ ଅହଂକାର ରହିବ କି ସବୁଦିନ ? ।।୦।
ଦାରା ସୁତ ସୁତା ବିତ୍ତ
କେହି ନ ଯିବେ ସଙ୍ଗତ
ଗଲାବେଳେ ଯିବୁ ଏକା ନଯିବେ ଆତ୍ମୀୟ ଜନ ।।୧।
ଗ୍ରାମ କୁଡ଼ିଆରୁ ଯାଇ
ସହରୀ ହୋଇଲୁ ତୁହି
ସତ୍ୟ ମାର୍ଗ ଭୁଲିଯାଇ କଲୁ ଧନ ଅରଜନ ।।୨।
ମିଛ ଅନ୍ୟାୟ ଅନୀତି
ଦୁର୍ନୀତି କୁ କଲୁ ସାଥୀ
ପ୍ରାଚୁର୍ଯ୍ଯ ଭୋଗ ଲାଳସା କ୍ଷଣିକ ସୁଖରେ ମନ ।।୩।
ନିଜକୁ ମଣିଲୁ ଶ୍ରେଷ୍ଠ
ମନରେ ଛନ୍ଦ କପଟ
ମତ୍ତ ଗର୍ବେ ଭୁଲି ଗଲୁ ସର୍ବଶ୍ରେଷ୍ଠ ଭଗବାନ ।।୪।
ସମୟ ହିଁ ବଳବାନ
ନ ରହିବ ଧନଜନ
ବେଳ ଥାଉ ମୂଢ ମନ ଦୃଢେ ଭଜ ନାରାୟଣ ।।୫।
ଅଗତି ଗତି ଦାୟକ
ସେ ପ୍ରଭୁ ବିଶ୍ଵ ନାୟକ
ପାପ ପଙ୍କୁ ହେବୁ ପାରି ଅରଜିଲେ ଧର୍ମ ଧନ ।।୬।