କର୍ଫ୍ୟୁ କୋହଳ ବେଳେ - ଅଧ୍ୟାପକ ପବିତ୍ର ମୋହନ ଦାଶ

0
କି ଉନ୍ମାଦନା ଅଛି ବଞ୍ଚିବାଠୁ 
ଭାଗ ଭାଗ ହୋଇ ମରିବାରେ ?
କାହାଠୁ ଖୋଜିବି ଏଇ ପ୍ରଶ୍ନର ଉତ୍ତର
ମାତ୍ର କେତେ ଘଣ୍ଟା ପାଇଁ 
କର୍ଫ୍ୟୁ  କୋହଳ ବେଳେ ?
ଯିଏ ଯା’ର ସଂଗ୍ରହ କରନ୍ତି
ଔଷଧ, ପରିବା, ପଥି
ତର ତର ଖୁବ୍ ତରତର 
କଣ ନାଇଁ କଣ ଘଟିଯିବ 
ଆକ୍ଷି ପଲକରେ ।
ମୁଁ ଆଉ କିଣିବି କଣ ? 
କାହା ପାଇଁ ? 
ମୋ' ଘରର ସବୁ ଲୋକେ 
ଖଣ୍ଡ ଖଣ୍ଡ ହଣା ହୋଇ
ମୋ' ଆଗରେ ନିଆଁରେ ପଡିଲେ ।
ମୁଁ କେମିତି ଲୁଚି ଲୁଚି 
ଖସିଲି ସେଠାରୁ 
କାହିଁକି ବଂଚି ରହିଲି 
ଏତେ ସବୁ କ୍ଷୟ କ୍ଷତି ପରେ ?
ଜାଣେ,
ଏମାନଙ୍କ ଭିତରୁ ଅନେକ
ପହଂଚି ପାରିବେ ନାହିଁ ନିଜ ନିଜ ଘରେ,
କିଏ ପହଞ୍ଚି ଦେଖିବ ଘର ନାହିଁ
ମିଶିଚି ମାଟିରେ,
ଯଦି କା’ର ଘର ଥାଏ 
ତା’ଭିତରେ ପଡିଥିବ ଆତ୍ମୀୟଙ୍କ ଶବ
ବିକ୍ଷିପ୍ତ ଭାବରେ ।
ମୁଁ ଖାଲି ଦେଖୁଚି 
ଜୀବନ କେମିତି ଝଲମଲ କରେ
ସେଇମାନେ କିଣୁଥିବା ମହମବତୀରେ !

(ତାଙ୍କ "ରକ୍ତଶସ୍ୟ" କବିତା ସଂକଳନରୁ । ଚିତ୍ର - ମାନମୟୀ ରଥ)

ଅଧ୍ୟାପକ, ଇଂରାଜୀ ବିଭାଗ

ଶାସ୍ତ୍ରୀ ସ୍ମୃତି ସ୍ନାତକ ମହାବିଦ୍ୟାଳୟ, ବାଲିପୁଟ, ପୁରୀ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ