ରୂପରେ ମଦନ ହୋଇଥାଅ ଯଦି
ଚରିତ୍ର ବିନା ଅସାର
ଚରିତ୍ର ଦିଅଇ ଜୀବନେ ମହତ୍ୱ
କର ତାକୁ ଆପଣାର ॥୧॥
ପରିବାର ଲୋକ ପିଲାଟିକୁ ଗଢେ
କେତେ ନୀତିଶିକ୍ଷା ଦେଇ
ଭଲକାମ ସାଥେ ଉତ୍ତମ ଚିନ୍ତନ
ପୁରାଣର ଗାଥା କହି ॥୨॥
ମହାପୁରୁଷଙ୍କ ଜୀଵନ କାହାଣୀ
ଇତିହାସେ ଗୁରୁ କଥା
ନାରୀଙ୍କୁ ସମ୍ମାନ ସଦବ୍ୟବହାର
ଛୋଟକୁ ତ ଆତ୍ମିୟତା ॥୩॥
ଚରିତ୍ର ଅଟଇ ଅମୁଲ୍ୟ ରତନ
ଯାହା ପାଖେ ରହିଥାଏ
ମାନ ସମ୍ମାନ ତା ଶୀର୍ଷରେ ରୁହଇ
ସ୍ଵଚ୍ଛ ସରଳ ସେ ହୁଏ ॥୪॥
ମଣିଷ ବୃକ୍ଷର ଭିନ୍ନ ଭିନ୍ନ ରୂପ
ଯେଉଁପରି ହୋଇଥାଏ
ନମ୍ର ସୁଶୀଳତା ଚରିତ୍ର ସଂଯମ
ସଂସ୍କାର ଗୁଣ ଲିଭାଏ ॥୫॥
ନିଜେ ଦୁଃଖ ସହି ଖୁସି ବାଣ୍ଟୁଥାଏ
ଅନ୍ୟ ମୁଖେ ହସ ଭରି
ନୀତି ନିୟମରେ ସଦା ଚାଲୁଥାଏ
ବିଶ୍ୱାସ ଭରସା କରି ॥୬॥
ଶିଷ୍ଟାଚାର ତା'ର ପୁଣ୍ୟର ପସରା
ଜାତି କୁଳ ରାଷ୍ଟ୍ର ପାଇଁ
ଶାନ୍ତିଦୂତ ହୁଏ ଅହିଂସା ମାର୍ଗରେ
ପର ଉପକାର ପାଇଁ ॥୭॥
ସତ୍ୟ ଧର୍ମ ନ୍ୟାୟ ତା ପାଖରେ ଥାଏ
ହୁଏ ସେ ଉତ୍ତମ ବ୍ୟକ୍ତି
ନିଷ୍ଠା ଆଦର୍ଶରେ ଯଶ ରଖିଯାଏ
ନ ଥାଏ ତା ମନେ ଭୀତି ॥୮॥
ଉତ୍ତମ ଚରିତ୍ର ଶ୍ରୀରାମ ଚନ୍ଦ୍ର ଯେ
ହେଲେ ପୁରୁଷ ଉତ୍ତମ
ଯୁଗ ଯୁଗ ପାଇଁ କୀର୍ତ୍ତି ରଖିଗଲେ
ଅମର ତାଙ୍କରି ନାମ ॥୯॥
ମାନବିକ ଧର୍ମ ଗ୍ରହଣ କରିବା
ସତ୍ୟରେ ପଥ ଚାଲିବା
ଅନ୍ୟାୟ ଅନୀତି ଦୂରେ ଫିଙ୍ଗିଦେବା
ଦୁଃଖୀର ସେବା କରିବା ॥୧୦॥
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର