
ରୁଦ୍ଧ କାରାଗାର ମଧ୍ୟରେ ଖନନ କରାଯାଇଥିବା କ୍ଷୁଦ୍ର କ୍ଷେତ୍ର ମଧ୍ୟରେ ଯନ୍ତ୍ରଣାସିକ୍ତ ବନ୍ଦୀଙ୍କ ଉପରେ ଆବୃତ କରାଯାଇଥିଲା କାଷ୍ଠ ପଟା । ତା ଉପରେ ପୁଣି ମଡେଇ ଦିଆଯାଇଥିଲା ବଡ଼ ବଡ଼ ପ୍ରସ୍ତର ଖଣ୍ଡ । ଯେମିତିକି ବନ୍ଦୀ ଚାହିଁଲେ ମଧ୍ୟ ସେଠାରୁ ଇଞ୍ଚେ ସୁଦ୍ଧା ଘୁଞ୍ଚି ପାରିବ ନାହିଁ । ବନ୍ଦୀ ଜଣକ ଅନେକ ଯନ୍ତ୍ରଣା ମଧ୍ୟରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ସ୍ତୁତି କରି ପ୍ରାର୍ଥନା କଲେ, "ହେ ପ୍ରଭୁ ହଳ ମୂଷଳଧାରୀ ବଳଦେବ, ଆପଣଙ୍କର ହଳ ମୂଷଳ ନୀରବ କାହିଁକି ? କେଉଁ ଅପରାଧରେ ଆପଣଙ୍କ ପରି ପ୍ରଭୁ ଥାଇ ମୁଁ ଏ ନର୍କ ସଦୃଶ ଯନ୍ତ୍ରଣା ଭୋଗ କରୁଅଛି । ଆପଣଙ୍କ ଗୁଣ ଗାନ କରି ବଳିଆର ଭୁଜ ତଳେ ଆଶ୍ରୟ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଭରସା କରି ଭକ୍ତ ଯଦି ଦଣ୍ଡ ପାଏ ତେବେ ଏଥିରେ ବଡ଼ ବାନା ଉଡ଼ାଇ ପତିତପାବନ ନାମରେ କଳଙ୍କ ଲାଗିବ ନାହିଁ ତ ? ହେ ପ୍ରଭୁ ଜଗନ୍ନାଥ ଏ ଅଧମର ଯଦି କିଛି ଅପରାଧ ଥାଏ କ୍ଷମା କରି ଆପଣ ମୁକ୍ତି ପ୍ରଦାନ କରନ୍ତୁ । ମୁଁ ଆପଣଙ୍କ ବ୍ୟତୀତ ଅନ୍ୟ କାହାର ଗୁଣ ଗାନ କରି ପାରିବି ନାହିଁ । ରଖିଲେ ରଖିବେ ମାରିଲେ ମାରିବେ । ନିନ୍ଦା ତ ଆପଣଙ୍କୁ ହିଁ ହେବ । "ଏହିପରି କାନ୍ଦି କାନ୍ଦି ପ୍ରଭୁଙ୍କୁ ପ୍ରାର୍ଥନା କରୁଥିବା ଅବସ୍ଥାରେ ନିଦ ଲାଗି ଯାଇଥିଲା ବନ୍ଦୀ ଭକ୍ତଙ୍କର ।
ପୁରୁଷୋତ୍ତମ କ୍ଷେତ୍ର ନିବାସୀ କୃଷ୍ଣ ଦାସ ଥିଲେ ଜଣେ ଜ୍ଞାନୀ, ଗୁଣି, ପରୋପକାରୀ ଓ ନ୍ୟାୟ ପରାୟଣ ବ୍ୟକ୍ତି । କରଣ କୁଳରେ ତାଙ୍କର ଜନ୍ମ । ଭାରି କୃଷ୍ଣ ଭକ୍ତ । ପ୍ରଭୁ ଜଗନ୍ନାଥ ବଳଭଦ୍ର ମାତା ସୁଭଦ୍ରା ତଥା ମାତା ମହାଲକ୍ଷ୍ମୀଙ୍କ ଗୁଣ ଗାନ କରି, ପ୍ରଭୁ କୃଷ୍ଣଙ୍କ ଚରିତାମୃତ ପଦାବଳୀ ରଚନା କରି ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ନିଜ ସ୍ୱରରେ ଗାୟନ କରି ଶୁଣାଇବା ତାଙ୍କ ନିତିଦିନିଆ କାମ ଥୁଲା । ଏଥିପାଇଁ ସେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ସହ କୃଷ୍ଣ କଥା ଶୁଣାଇବା ଦ୍ଵାରା ଲୋକମାନେ ଯାହା କିଛି ଦିଅନ୍ତି ସେଥିରେ ତାଙ୍କ ପରିବାରର ଭରଣପୋଷଣ ହେଉଥିଲା । ତାଙ୍କ ଲୋକପ୍ରିୟତା ଧୀରେ ଧୀରେ ଚାରିଆଡ଼େ ପ୍ରସାରିତ ହେବାକୁ ଲାଗିଲା । ଏକଥା ମହାରାଜାଙ୍କ କାନରେ ପଡ଼ିବାରୁ କୃଷ୍ଣ ଦାସଙ୍କୁ ରାଜପ୍ରାସାଦକୁ ଡକାଇ ପଠାଇଲେ । ରାଜାଙ୍କ ଆଦେଶରେ କୃଷ୍ଣ ଦାସ ସଭାରେ ଉପସ୍ଥିତ ହେଲେ । ମହାରାଜା ସଭାରେ କୃଷ୍ଣ ଦାସଙ୍କୁ କୃଷ୍ଣ ଚରିତ ଶୁଣାଇବାକୁ ନିର୍ଦ୍ଦେଶ ଦେଲେ । କୃଷ୍ଣ ଦାସ ବିନୀତ ଭାବରେ କହିଲେ, "ହେ ମହାରାଜ, ମୋର ଅପରାଧ ମାର୍ଜନା କରିବା ହେବେ । ଏଡେ ବଡ ରାଜସଭାରେ ଯେଉଁଠାରେ କି ବଡ଼ ବଡ଼ ପଣ୍ଡିତ, ଜ୍ଞାନୀ ଗୁଣି ବ୍ୟକ୍ତି ଉପସ୍ଥିତ ମୋ ପରି ଜଣେ ସାଧାରଣ କବି କିପରି ଯେ ଗାୟନ କରିବ ଭାବି ପାରୁନି । ତେବେ ମହାରାଜଙ୍କ ଆଗ୍ରହ ଦେଖି ମୋତେ ଗାୟନ କରିବାକୁ ହିଁ ପଡ଼ିବ ।" ଏତିକି କହି ସାରି ପ୍ରଭୁ ଜଗନ୍ନାଥଙ୍କୁ ମନେ ସ୍ମରଣ କରି କୃଷ୍ଣଚରିତ ଗାନ କରିବାକୁ ଲାଗିଲେ । ସମସ୍ତ ସଭାସଦ୍ ମଣ୍ଡଳୀ ଧୀର ସ୍ଥିର ଚିତ୍ତରେ ଏହା ଉପଭୋଗ କରିବାକୁ ଲାଗିଲେ । ଗାୟନ ସରିବା ମାତ୍ରେ କରତାଳି ମାଧ୍ୟମରେ ସମସ୍ତେ ତାଙ୍କୁ ପ୍ରଶଂସା କଲେ । ନିଜେ ମହାରାଜା ତାଙ୍କୁ ନିକଟକୁ ଡାକି ଉତ୍ତରୀୟ, ମାନପତ୍ର ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଧୁ ସାଧୁ ଧ୍ୱନିରେ ସଭାସ୍ଥଳ କମ୍ପି ଉଠିଲା । ସମସ୍ତେ ମହାରାଜାଙ୍କୁ ପ୍ରଶଂସା କଲେ । ତା ପରେ ଯେଉଁ ଘଟଣା ଘଟିଲା ତାହା ଅପ୍ରତ୍ୟାଶିତ ଥିଲା । ଏକ ଅଜବ ଖିଆଲରେ ରାଜା କବି କୃଷ୍ଣ ଦାସଙ୍କୁ ନିଜର ପ୍ରଶସ୍ତି ଉଦ୍ଦେଶ୍ୟରେ ଏକ କବିତା ଲେଖି ପଢ଼ିବା ପାଇଁ ନିର୍ଦ୍ଦେଶ ଦେଲେ । କବି କୃଷ୍ଣ ଦାସ ଏକଥା ଶୁଣି ମର୍ମାହତ ହେଲେ । ଏ ପର୍ଯ୍ୟନ୍ତ ସେ କେବଳ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହିଁ ରଚନା କରିଛନ୍ତି ଏବଂ ଗାୟନ କରିଛନ୍ତି । ଅର୍ଥ ଲାଳସା ପାଇଁ ସେ କେବେହେଲେ ନିଜ ସ୍ୱାଭିମାନକୁ ବଳି ଦେଇ ପାରିବେ ନାହିଁ ବରଂ ଆଶୁ ବିପଦର ସମ୍ମୁଖୀନ ହେବେ ଏକଥା ସ୍ଥିର କରି କହିଲେ, "ହେ ମହାରାଜ ଆପଣ ମୋର କବିତା ଶୁଣି ମୋତେ ସମ୍ବର୍ଦ୍ଧିତ କରିଥିବାରୁ ଅଶେଷ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରୁଛି, କିନ୍ତୁ ଆପଣଙ୍କ ପ୍ରଶସ୍ତି ଉଦ୍ଦେଶ୍ୟରେ ମୁଁ କିଛି ରଚନା କରି ପାରିବି ନାହିଁ କିମ୍ବା ଗାୟନ କରି ପାରିବି ନାହିଁ । ମୋତେ କ୍ଷମା କରିବେ ମହାରାଜ ମୋର କଲମ କେବଳ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହିଁ ଚାଲିବ ।" ଏହି କଥା ଶୁଣି ରାଜା କ୍ରୋଧରେ ଜର୍ଜରିତ ହୋଇ କବି କୃଷ୍ଣ ଦାସ ଙ୍କୁ ବନ୍ଦ କାରାଗାର ମଧ୍ୟରେ ଗାତ୍ର ଖନନ କରି ରଖିବା ପାଇଁ ରକ୍ଷୀଙ୍କୁ ନିର୍ଦ୍ଦେଶ ଦେଲେ । ଆହୁରି ମଧ୍ୟ ଗର୍ବ କରି "କିଏ ଏହାକୁ ରକ୍ଷା କରିବ ଦେଖିବାକୁ ବାକି ରହିଲା" ବୋଲି ଘୋଷଣା କରି ସଭା ଭଙ୍ଗ କଲେ । କବି କୃଷ୍ଣ ଦାସ କାରାଗାର ମଧ୍ୟରେ ଅକଥନୀୟ ଯନ୍ତ୍ରଣା ସହ୍ୟ କରିନପାରି କାନ୍ଦି କାନ୍ଦି ଠାକୁରଙ୍କୁ ସ୍ତୁତି କରି ଶୋଇ ପଡିଲେ ।
ସମୟ ପ୍ରାୟ ଅର୍ଦ୍ଧ ରାତ୍ର । ଚାରି ଆଡେ଼ ଶୂନ ଶାନ୍ ନୀରବତା ମଧ୍ୟରେ ହଠାତ୍ ବନ୍ଦୀ ଗୃହ ଆଲୋକିତ ହୋଇ ଉଠିଲା । ଦିବ୍ୟ ସୁଗନ୍ଧରେ କାରାଗାର ମହକି ଉଠିଲା । ହଠାତ୍ ମୁଣ୍ଡରେ କାହାର କର ସ୍ପର୍ଶରେ ବନ୍ଦୀ ଭକ୍ତ କୃଷ୍ଣ ଦାସଙ୍କ ନିଦ୍ରା ଭଙ୍ଗ ହେଲା । କର ସ୍ପର୍ଶ ମାତ୍ରକେ ହସ୍ତ ପଦ ଶୃଙ୍ଖଳ ଛିନ୍ନ ହୋଇଗଲା । ନବଘନ ନିନ୍ଦିତ ନୀଳ କଳେବର ଶ୍ରୀହରି ଙ୍କୁ ସମ୍ମୁଖରେ ଚାହିଁ ଚମକି ପଡ଼ିଲେ ସେ । ହାତ ଯୋଡ଼ି କିଛି କହିବା ପୂର୍ବରୁ ପ୍ରଭୁଙ୍କ ମୁଖରୁ ଶୁଣିବାକୁ ପାଇଲେ, "ଭକ୍ତ କୃଷ୍ଣ ଦାସ ତୁମ ପରି ଭକ୍ତର ଦୁର୍ଦ୍ଦଶା ମୁଁ ସହ୍ୟ କରି ନପାରି ନିଜେ ତୁମ ନିକଟକୁ ଧାଇଁ ଆସିଛି । ନିଅ ପ୍ରଥମେ କିଛି ପ୍ରସାଦ ସେବନ କରିନିଅ । ତୁମ ଦୁଃଖ ଖୁବଶୀଘ୍ର ଦୂର ହୋଇଯିବ ।" ପ୍ରଭୁ ଏତିକି କହି ଅନ୍ତର୍ଦ୍ଧାନ ହୋଇଗଲେ । ଏହା ସ୍ୱପ୍ନ ନା ବାସ୍ତବ ? ଏହା ନିଶ୍ଚୟ ମୋ ପ୍ରଭୁଙ୍କ କୃପା । ମୋ ପରି ଅକୀଞ୍ଚନର ଦୁଃଖ ଦୁର୍ଦ୍ଦଶା ଦେଖି ସ୍ୱୟଂ ଆବିର୍ଭୂତ ହୋଇଗଲେ । ହଁ ଏଇତ ମହାପ୍ରସାଦର ମହ ମହ ବାସ୍ନା ତାଙ୍କ ଦୁଃଖ ଦୂର କରିବା ସହିତ କ୍ଷୁଧାକୁ ମଧ୍ୟ ବହୁଗୁଣିତ କରିଛି । ତାଙ୍କ ଶୃଙ୍ଖଳ ମହାପ୍ରଭୁଙ୍କ କର ସ୍ପର୍ଶରେ ଛିନ୍ନ ହୋଇ ସାରିଥିବାରୁ ସେ ପ୍ରସାଦ ସେବନ କରି ପାରିଲେ ଏବଂ ମହାପ୍ରଭୁଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇ ନାନାପ୍ରକାର ସ୍ତୁତି କରିବାକୁ ଲାଗିଲେ । ମହାପ୍ରସାଦ ସେବନ କରି ତାଙ୍କ ମନରୁ ସବୁ ଅବସାଦ ମେଣ୍ଟି ଯାଇଥିଲା । ସେ ପ୍ରଭାତ ସମୟକୁ ଅପେକ୍ଷା କରି ରହିଲେ ।
ଏଣେ ପ୍ରଭୁ ହଳଧର ରାତ୍ର ତୃତୀୟ ପ୍ରହରରେ ମହାରାଜାଙ୍କ ଶୟନ ପ୍ରକୋଷ୍ଠରେ ଉପସ୍ଥିତ ହେଲେ । ସ୍ୱପ୍ନାଦେଶ ଦେଇ କହିଲେ, " ନିଜକୁ ଗଜପତି ମହାରାଜ ବୋଲାଇ ଏବଂ ଆମ ଆଦ୍ୟ ସେବକ ହୋଇ ଆମ ଭକ୍ତ କୃଷ୍ଣ ଦାସକୁ ମିଛ ଆତ୍ମବଡିମାରେ ବନ୍ଦୀ କରି ନିର୍ଯାତନା ଦେଇଛୁ । ଏହା ଆମପାଇଁ ଘୋର ଅସହ୍ୟ ବୋଧ ହେଉଛି । ଯଥାଶୀଘ୍ର କାରାଗାରରେ ପହଞ୍ଚି କ୍ଷମାପ୍ରାର୍ଥନା ସହ ସସମ୍ମାନେ ଭକ୍ତ କୃଷ୍ଣ ଦାସକୁ ମୁକ୍ତ କରିବା ସହିତ ତାକୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କର । ନଚେତ୍ ଭୟଙ୍କର ପରିଣାମ ଭୋଗିବାକୁ ପ୍ରସ୍ତୁତ ହେବାକୁ ପଡିବ ।" ଏହି ନିର୍ଦ୍ଦେଶ ଦେଇ ପ୍ରଭୁ ବଡ଼ଠାକୁର ଅନ୍ତର୍ଦ୍ଧାନ ହୋଇ ଗଲେ । ନିଦରୁ ଚମକି ଉଠି ମହାରାଜା ଭୋର ସକାଳୁ ପାତ୍ର ମନ୍ତ୍ରୀଙ୍କ ସହ କାରାଗାରରେ ପହଞ୍ଚିଗଲେ । ଶ୍ରୀମନ୍ଦିର ପୂଜାପଣ୍ଡା ଧଇଁସଇଁ ହୋଇ କାରାଗାର ନିକଟରେ ରାଜାଙ୍କୁ ଜଣାଇଲେ, "ମଣିମା, ଏକ ଅଭିଯୋଗ ଥିଲା ଅନୁମତି ଦେଲେ କହିବି ।" ରାଜା ଅନୁମତି ଦେବାରୁ କହିଲେ, "ଗତକାଲି ଶୃଙ୍ଗାର ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ଲାଗି କରାଯାଇଥିବା ଶ୍ରୀ କର ଦୁଇଟି ମଧ୍ୟରୁ ଗୋଟିଏ ମିଳୁନାହିଁ । ମୁଁ ନିଜେ ଶେଷରେ କୋଲପ ଦେଇ ଯାଇଥିଲି । ତା ସହିତ ରତ୍ନଥାଳି ମଧ୍ୟ ନାହିଁ ।" ଏହା କହି କହି କାରାଗାର ମଧ୍ୟରେ ପ୍ରବେଶ କରି ସମସ୍ତେ ଆଶ୍ଚର୍ଯ୍ୟ ହୋଇ କୃଷ୍ଣ ଦାସଙ୍କୁ ଅନାଇ ରହିଲେ । ତାଙ୍କ ନିକଟରେ ରତ୍ନଥାଳି ସହ ଶ୍ରୀକର ପଡ଼ି ରହିଥିଲା । ମହାରାଜାଙ୍କୁ ବୁଝିବାକୁ ଆଉ ବାକି ରହିଲା ନାହିଁ । ନିଜେ କୃଷ୍ଣ ଦାସଙ୍କୁ କୁଣ୍ଢେଇ ଧରି ନିଜ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରି କହିଲେ, "ଧନ୍ୟ କୃଷ୍ଣ ଦାସ । ଧନ୍ୟ ତୁମର ପ୍ରଭୁ ଭକ୍ତି ! ମୁଁ ଅଧମ ତୁମକୁ ଚିହ୍ନି ନପାରି କଠୋର ଦଣ୍ଡରେ ଦଣ୍ଡିତ କରିଛି । ଏଥିପାଇଁ କ୍ଷମା ପାଇବା ପାଇଁ ମୁଁ ଯୋଗ୍ୟ ନହେଲେ ସୁଦ୍ଧା ତୁମ ନିକଟରେ ମୋ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରୁଛି ।" ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ କବି କୃଷ୍ଣ ଦାସଙ୍କୁ ରାଜକବି ଉପାଧି ସହ ନାନା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଇଲେ । ସମସ୍ତ ପୁରବାସୀଙ୍କ ମୁଖରୁ ଶୁଣିବାକୁ ମିଳିଲା, "ଧନ୍ୟ ଧନ୍ୟ ଭକ୍ତକବି କୃଷ୍ଣ ଦାସ ।" ଜୟ ଜଗନ୍ନାଥ ଧ୍ଵନିରେ ସାରା ପରିବେଶ ଉଚ୍ଛୁଳି ଉଠିଲା ।