
କିବା ଦେଶ ବିଭାଜନର,
ମାଟି ଶିଖାଇଥାଏ ବଞ୍ଚିବାର କଳା ।
ସେ ତ ଆଶ୍ରା ଓ ଆଶ୍ରିତର ଭୁଇଁ
ଯା ଉପରେ ଷଠିଘର ଠାରୁ ଜୁଇ ଯାଏଁ
ଦେଇଥାଏ ନିଷ୍କପଟ ଆଶ୍ରୟ ।
ଆଷାଢ଼ର ସ୍ପର୍ଶ ପାଇଲେ କୃଷକ
ରୋପିଦିଏ ଫସଲ
ମାଟିହାଣ୍ଡି ଗଢ଼ିଦେଇ କୁମ୍ଭାର
ଦେଖୁଥାଏ ଜୀବିକାର ସ୍ୱପ୍ନ
ଯା ଉପରେ ଭୂମି ପ୍ରଣାମ କରି ନର୍ତ୍ତକୀ
ନାଚିଯାଏ ଆଲ୍ହାଦରେ
ସୁର, ତାଳରେ ଲୟ ରଖି
ଭିନ୍ନ ଭିନ୍ନ ଭଙ୍ଗିମାରେ ।
କେବେ ବନ୍ୟା କେବେ ଝଡ଼
ତା ମନରେ ଦୁଃଖ ଦେଇଛି
କେବେ ଭୂମିକମ୍ପ ବିଦାରିଛି ଛାତି
କେବେ ବଢ଼ିପାଣିରେ ଧୋଇ ହୋଇଯାଇଛି,
ତଥାପି ମାଟି ବଞ୍ଚିବାର ଆଶା ଦେଇଛି,
ଜୀବନ ଜୀବିକାର ଅସ୍ତିତ୍ଵ ଦେଇଛି,
ହେଉ ପଛେ ତା ରୂପ କୋଉଠି ବାଲୁକାମୟ
କଙ୍କରିଳ, ଉର୍ବର, ଅନୁର୍ବର, କଳା ଅବା ନାଲି
ତଥାପି ଦେଇଛି ବଞ୍ଚିବାର ଆଶା ଆଶ୍ୱାସନା ।
ସେ କାନ୍ଦିଲେ ଗଛ ଦିଏ ପତ୍ରଝଡା
ମାଟି ଫାଟିଲେ ଚାଷୀ ଗୁମୁରି କାନ୍ଦେ
ସେ ହସିଲେ ପୂଜା ହୁଏ ମାଣ ଧାନ
ଧରଣୀରେ ଆସେ ଋତୁରାଜ ବସନ୍ତ
ସେ ଉର୍ବର ହେଲେ ଜଗତ ଦିଶେ
ଶସ୍ୟଶ୍ୟାମଳ, ହସେ ଜନଜୀବନ ।
ସେ ଶିଖାଇନି ଭାଗ ଭାଗ ହେବା
ବରଂ ଶିଖାଇଛି ଗଢିବାକୁ ଘର
ଯୋଉଠି ବସୁଧୈବ କୁଟୁମ୍ବରେ ବନ୍ଧାଥାଏ
ପାଞ୍ଚ ମନ ଆଉ ପଚିଶ ପ୍ରକୃତି
ଗୋଟିଏ ଛାତ ତଳେ ଏକାଠି ରହିବାର ମନ୍ତ୍ର
ଯାହାର ଚାରି କାନ୍ଥରେ ଲେଖାଥାଏ
ସ୍ନେହ, ମମତା, ଶାନ୍ତି ଆଉ ସଂହତିର ବାଣୀ
ଏକାଠି ରହିବାର ଏକ ସୁନ୍ଦର କାହାଣୀ ।
ଜୟଶ୍ରୀ ପଟ୍ଟନାୟକ
ଗଙ୍ଗନଗର ସ୍କୋୟାର, ଭୁବନେଶ୍ୱର