ମକର ଲୋ ମକର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

କୋଇଲି ଡାକିଲା କୁହୁ ମକର ଲୋ
ଆମ୍ଵ ଗଛ ବଉଳିଲା
ମକର ଲୋ ଆମ୍ଵ ଗଛ ବଉଳିଲା,
ଦକ୍ଷିଣ ଦିଗରୁ ମଳୟ ପବନ
ମନ୍ଦ୍ର ଗତି ରେ ଝରିଲା ।

କିଆ କେତକୀର ମୁକୁଳା ଗରଭେ
ଫୁଲ କଢ ମହକିଲା, ମକର ଲୋ
ସରେ ସରୋଜ ଫୁଟିଲା,
ଉଡିଲେ ଭ୍ରମର ପ୍ରଜାପତି ଦଳ
ବସନ୍ତ ଋତୁ ଆସିଲା ।

ବାଉଳା ଦକ୍ଷିଣା ପବନ ସଙ୍ଗରେ
ଗୁଡି ଉଡି ଉଡି ଯାଏ, ମକର ଲୋ
ହସ ଖୁସି ଲାଗି ଥାଏ,
ସୋରିଷ ଫୁଲର ବିପଣୀ ବୀଥିକା
ମନ ଚହଲାଇ ନିଏ ।

ମକର ପରବ ଆମ ସ୍ମୃତି ଚିହ୍ନ
ଯେବେ ଆସଇ ମକର, ମକର ଲୋ
ସେହିଦିନୁ ତୋର ମୋର,
ମକର ହୋଇଲେ ଭାବ ଦିଆ ନିଆ
ସବୁ ଆମେ ଆପଣାର ।

ସାରା ପୁରପଲ୍ଲୀ ଆନନ୍ଦ ଉତ୍ସବ
ମକର ଆସେ ଯେ ଦିନ, ମକର ଲୋ
ଜାତୀୟ ଦେବତା ଆମ
ଚତୁର୍ଦ୍ଧାମୁରତି ଜଗନ୍ନାଥ ହେବେ
ଅଭିଷେକ ମହାସ୍ନାନ ।

ଠାକୁର ରାଜାଙ୍କ ରାଜ୍ୟାଭିଷେକରେ
ଶ୍ରୀନଅର ଛନ ଛନ, ମକର ଲୋ
ରାତି ଲାଗେ ଯଥା ଦିନ,
ମକର ବୁଡରେ କଟିଥାଏ ପାପ
ପ୍ରାରବ୍ଧ ର ଅପକର୍ମ ।

ଆମ ଧର୍ମ ସଂସ୍କୃତିର ସଂସ୍ଥାପକ 
ବିବେକାନନ୍ଦ ଜନମ, ମକର ଲୋ
କବି ଫକୀରମୋହନ,
ଜନମ ତିଥି ଏ ଜାତୀୟ ଜୀବନ
ସାହିତ୍ୟ ସଂସ୍କୃତି ପ୍ରାଣ ।

ସାହିତ୍ୟ ସଂସ୍କୃତି ପ୍ରାଣକେନ୍ଦ୍ର ଦୁଇ
ମହାପୁରୁଷ ରେ ମହୀ, ମକର ଲୋ
ଧନ୍ୟ ତାଙ୍କୁ ଜନ୍ମ ଦେଇ
ଉଜ୍ଜୀବିତ କଲେ ବିଭାସିତ ହୋଇ
ଆମ ଭାଷା ଧର୍ମ ପାଇଁ ।
 
ଆଜି ସଂକ୍ରମଣେ ଦକ୍ଷିଣ କ୍ରାନ୍ତିରୁ
ଉତ୍ତରାୟଣରେ ରବି, ମକର ଲୋ
ପୁଲକିତ ହୁଏ ଉର୍ବୀ
ତାଙ୍କରି ଗତିରେ ଆସିବ ବସନ୍ତ
ରୁଚିର ଛବିଳ ଛବି ।

ଦାନ ଧର୍ମ ପୂଣ୍ୟ ସତ୍ୟ ସୁଧା କର୍ମ 
ମନ୍ତ୍ର ପାଠ ହୋମ ଯଜ୍ଞ, ମକର ଲୋ
ନର ଜନ୍ମ ହେବ ଧନ୍ୟ
ନବ ଜାଗରଣ ସମ୍ଭାବନା ଉର୍ଜା
ଜ୍ଞାନ ହୂଏ ଉଦ୍ଗିରଣ ।

କୃଷିଭିତିକ ୟେ ମକର ପରବ
ନୂଆ ଅରୁଆ ଚାଉଳ, ମକର ଲୋ
କଦଳୀ ନଡିଆ କ୍ଷୀର,
ଘିଅ ମହୁ ଅଦା ପ୍ରସ୍ତୁତ ଭୋଗର
ପ୍ରୀୟ ଜଗନ୍ନାଥଙ୍କର ।

ଭାରତୀୟ ମୁନି ମହର୍ଷି ମନିଷୀ
ବେଦ ସଂସ୍କୃତି ବିଧାନ, ମକର ଲୋ
ଆମ ଜାତୀୟ ଜୀବନ,
ବିଶ୍ଵରେ ଆଦୃତ ଭାରତବର୍ଷକୁ
କରିଅଛି ମୁହ୍ୟମାନ ।

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ - ୮୨୪୯୨୩୪୧୪୩

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ