ଫୁଲ ଥାଳିଆ - ରଞ୍ଜନ କୁମାର ଵ୍ରହ୍ମା

0

ଫୁଲ ଥାଳିଆ
ଭାରି ବଢିଆ
ବାରିରୁ ତୋଳିଛି ଏବେ ।
ନିଜର ଘରେ
ରଖ ସରବେ
ମଜାଟି ଜାଣିବ ସେବେ ।।

ଫୁଲର ପ୍ରାଣ
ଫୁଲର ମନ
ନ ଥାଇ ଅଛି କି ଭଲା ?
ଭ୍ରମର ସମ
ନିଜର ମନ
ତା’ ପାଖେ ଲାଗିଲେ ହେଲା ।।

ଠାକୁର ପାଇଁ
ଫୁଟଇ ନାହିଁ
ଫୁଟଇ ଜଗତ ହିତେ ।
ଈଶ୍ୱର ସୃଷ୍ଟି
ତା ଦେହେ ବାଣ୍ଟି
ସ୍ରଷ୍ଟାଟି ତା’ ସୃଷ୍ଟି ଜଗେ ।।

ନିଇତି ଫୁଟି
କହଇ ଏଠି
ସୁଢ଼ଳେ ହସିବା ମିଶି ।
ବିତରି ଗନ୍ଧ
ମଧୁର ରଙ୍ଗ
ପ୍ରାଣରେ ସାଇତି ଖୁସି ।।

ଜୀବନ ସାର
ସୃଷ୍ଟିଟି ସାର
ସାର ପ୍ରାଣ ପର ହିତେ ।
ହିସାବ ନ କରି
ଚାଲିଛି ଯିଏ
ସାର ସେ ଜଗତ ଜିତେ ।।

ଚିକିଟୀ ଗଡ଼, ଗଞ୍ଜାମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ