
ଅବିଶ୍ବାସ ଘନ କୁହୁଡି ରେ
ବିଶ୍ୱାସ ଟା ବିବର୍ଣ୍ଣ ବିଲୀନ
ପୁନଃ ପ୍ରାପ୍ତି ଅବାଞ୍ଛିତ ସତ୍ୟ
ଜାଣି ସୁଦ୍ଧା ଅବୁଝା ଏ ମନ।
ଆଶାବାଦୀ ହୃଦେ ଆଶା ବାନ୍ଧି
ଅତୀତକୁ କରେ ରୋମନ୍ଥ ନ
ବିବେକ ର ସାନ୍ତ୍ଵନା ସତ୍ତ୍ଵେ ବି
ଭାଗ୍ୟ ନଭୁ ଚନ୍ଦ୍ରମା ଉଭାନ।
ପ୍ରେମ ପ୍ରତାରଣା ଫାଶେ ବନ୍ଦୀ
ପ୍ରକୃତିର ନିର୍ବ୍ୟାଜ୍ୟ ଜୀବନ
ପ୍ରେୟସୀର ସର୍ବ ଅନୁନୟ
ଅଦ୍ୟାବଧି ଅରଣ୍ୟ ରୋଦନ ।
ଶଠ ପ୍ରେମୀ ସମ୍ମୋହନ ରଚେ
ସମ୍ଭୋଗରେ ଇଜ୍ଜତ ଲୁଣ୍ଠନ
ପ୍ରତ୍ୟାଖ୍ୟାନ କରେ ପୁଷ୍ପମଧୁ
ପାନ ପରେ ମଧୁପ ଯେସନ।
ପ୍ରେମ ଦିବ୍ୟ ପବିତ୍ର ସମ୍ପର୍କ
ପ୍ରକୃତି ଓ ପୁରୁଷ ମିଳନ
ସୃଷ୍ଟି ରକ୍ଷା ପ୍ରୟାସେ ସ୍ରଷ୍ଟା ଙ୍କ
ଅନବଦ୍ୟ ଅପୂର୍ବ ସୃଜନ।
ବିଶ୍ଵାସର ଦ୍ୱାହି ଦେଇ କେହି
ପ୍ରେମ ଡୋରି କରନାହିଁ ଛିନ୍ନ
ବିଶ୍ୱାସରେ ବିଷ ଦେଲେ ଶାସ୍ତି
ଦେବେ ନିଶ୍ଚେ ସ୍ଵୟଂ ଭଗବାନ।
ଡକ୍ଟର ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର, ଟିଚର୍ସ କଲୋନି, ପିପିଲି, ପୁରୀ