
ସତେ ତୁ’ କିଏ ପାହାନ୍ତାରେ ଆସୁ
ସୁଖର ନିଦକୁ ନେଇ
ମୋ’ ଆଖିରେ କେତେ ସ୍ଵପ୍ନ ଭରି ଦେଉ
ନିଦରେ ଦେଉ ତୁ’ ଶୋଇ ।୦।
କହଲୋ କିଏ ତୁ’ ନିଧୁମ୍ ଖରାରେ
ସୁଖ ବିକୁ ଘର ଆଗେ
ସୁଖର ବଣିକ କାହିଁ ତୁ’ ସାଜିଛୁ
ଦୁଃଖ ସବୁ କାହା ଭାଗେ
ଜୀବନ ପଥରେ ଚାଲୁଚାଲୁ କେବେ
ସଂଜ ଆସୁଥାଏ ନଇଁ
ସତେ ତୁ’ କିଏ ପାହାନ୍ତାରେ ଆସୁ
ସୁଖର ନିଦକୁ ନେଇ ।୧।
ମହା ମିଛ ମୋର ଗୋଲାପ ପରିକା
ସାଇତିଛୁ ଡାଏରୀରେ
କଣ୍ଟା ପରି ମୋର ରୁକ୍ଷ କଟାକ୍ଷ
ଚାପିଛୁ ତୁ’ ହୃଦୟରେ
କପଟ ନକରି କହ ମନଖୋଲି
ପରିଚୟ ତୋର ଦେଇ
ସତେ ତୁ’ କିଏ ପାହାନ୍ତାରେ ଆସୁ
ସୁଖର ନିଦକୁ ନେଇ ।୨।