ମୋ ଗାଆଁ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ମୋ ଗାଆଁ ମଙ୍ଗଳାଯୋଡି, ଅପୂର୍ବ ତାହାର ଶିରୀ,
ଚାରୁଚିତ୍ର ଭରା ନୀଳାମ୍ଵୁ ଚିଲିକା-
ଶୋଭା ସତେ ଅପସରୀ,
କୁଳୁକୁଳୁ ନାଦେ ଗାଆଁ ଧାରେ ଧାରେ ବହେ ଶଗଡିଆ ନଈ ।।
ମଥାର ମୁକୁଟ ସମ, ଗିରିବର ବିଦ୍ୟମାନ,
ଉତ୍କଳ କମଳା ବିଳାସ ଦୀର୍ଘିକା
ତା ପଦେ ପ୍ରବାହମାନ,  
ଶସ୍ୟ ଶ୍ୟାମଳା ସେ ଦ୍ରୁମ ଦଳେ ଭରା ସତେ ବୈକୁଣ୍ଠ ଭୁବନ ।।
ମନ୍ଦିର ମାଳିନୀ ତୋରା, ଅଟଇ ମୋ ଗାଆଁ ପରା,
ସଞ୍ଜ ସକାଳରେ ଘଣ୍ଟି ଘଣ୍ଟା ଶଦ୍ଦେ
ଉଛୁଳେ ମୋ ଗାଆଁ ସାରା,
ଧୂପ, ଦୀପ ସୁଗନ୍ଧିତ ମହକରେ ପବନ ହୁଏ ବାଉଳା ।।
କଳରବେ ମୁଖରିତ, ଅନନ୍ୟ ବିହଙ୍ଗ ଗୀତ,
ଦେଶ ବିଦେଶରୁ ଆସନ୍ତି ସେ ଉଡି
ମୋ ଗାଆଁ କରେ ସ୍ଵାଗତ,
ଅତିଥି ପକ୍ଷୀଙ୍କୁ ଭୋଜନ ପରଶି କରୁଥାଏ ଆପ୍ୟାୟିତ ।।
ପାଠଶାଳା ମୋ ଗାଆଁ ର, ଜ୍ଞାନର ଭଣ୍ଡାର ମୋର,
ଶିଖାଇ ଦେଇଛି ବିଦ୍ୟା ବଇଭବ
ବାଣୀଦେବୀଙ୍କ ମନ୍ଦିର,
ସଞ୍ଜ ସକାଳରେ ତା'ର ଗୁଣ ଗାଇ କରଇ ଲକ୍ଷେ ଯୁହାର ।।
ମୋ ଗାଆଁ ଖେଳ ପଡିଆ, ଲାଗଇ କେତେ ବଢିଆ,
ତା ବକ୍ଷ ଦେଶରେ ନାଚି କୁଦି ଖେଳି
ବଳ ବପୁ ମୋର ଆହା,
କରିଛି ସୁଠାମ ସୁନ୍ଦର ଜୀବନ ଭୁଲି ପାରୁନି ତା ମାୟା ।।
ନାନାଜାତି ଫୁଲେ ଭରା ହସଇ ମୋ ଗାଆଁ ସାରା
କିଆ କେତକୀର ଅପୂର୍ବ ମହକ 
କଦମ୍ଵ କମଳ ଝରା
କୁମୁଦିନୀ ଖେଳେ ସରୋବରେ ହୁଏ ପରିବ୍ରାଜକ ଉତ୍ତଳା ।।
ଖଜୁରୀ, ନଡିଆ, ତାଳ, ବେତ, ଆମ୍ଵ, ଜାମୁଫଳ
ପଣସ, କଣ୍ଟେଇ କୋଳିର ପସରା
ଗାଆଁ ମୋ ବଡ ସୁନ୍ଦର
ଏପରି ମହାର୍ଘ ରସାଳ ଦରବ ପରଶୁଛି କାଳକାଳ ।।
ମୋ ଗାଆଁ ଯାନି ଯାତରା ଚଇତରେ ଝାମୁଚଲା
ସ୍ନାନ ପୂନିଅଁ ଠୁ ରାମଲୀଳା ସଙ୍ଗେ
ରଜ ପର୍ବେ ବାଦିପାଲା
ଆହାକି ଆନନ୍ଦ ମେଳା ମଉଛବ ମୋ ଗାଆଁ ମୋ ମାଆ ପରା ।।
ମୋ ଗାଆଁ ଗ୍ରାମ୍ୟ ଶ୍ମଶାନ ସେ ଅଟେ ମୋ ପୂଣ୍ୟ ଧାମ
ମୋ ପୂର୍ବ ପୁରୁଷ ମହାନିଦ୍ରାରେ ଯେ  
କରିଅଛନ୍ତି ଶୟନ
ମୋ ଅନ୍ତ କାଳରେ ତା'କୋଳେ ଆଶ୍ରୟ ଦେବ କରେ ନିବେଦନ ।।
ଅପରୂପ ରୂପେ ମୋର ଗାଆଁ ଭଗବତ ଘର
ପୂଜା ପାର୍ବଣରେ ନିତି ସଂଜବେଳେ
ଗୀତ ପୁରାଣ ପଣ୍ଡାର
ଶୁଭଇ ଅମୀୟ ଭାଗବତ ବାଣୀ ଆହା କେଡେ ଚମତ୍କାର ।।
ମୋ ଗାଆଁ ମାଟି ମୋ ପୂଣ୍ୟ ମଥା ତିଳକ ସମାନ
ତା'ର ବାଲି ଧୂଳି ଶରଧା ବାଲି ତ
ଶିଳା ତା'ର ଶାଳଗ୍ରାମ
ଅଭୁଲା ଅଲିଭା ମୋର ଜନ୍ମଭୂମି ସେହି ମୋର ପୂଣ୍ୟଧାମ ।।

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ - ୮୨୪୯୨୩୪୧୪୩

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ