
ନିଃଶବ୍ଦ, ନିଷ୍ପ୍ରଭ, ନିର୍ଜ୍ଜନ ବେଳାରେ
ସସ୍ନେହେ ଅପେକ୍ଷାରତ ନୀରବ ନିଶ୍ଚଳ
ପ୍ରେମିକଟିଏ ମୁଁ ।।
ଆଦ୍ୟ ଯୌବନରେ ଉପନୀତ
ପୂର୍ଣ୍ଣପ୍ରାଣରେ ସମର୍ପିଦେବାକୁ ପିପାସା
ଆଙ୍କିଚାଲିଛି ହୃଦୟରେ ପ୍ରୀତିପୁଷ୍ପର
ପ୍ରତିଟି ପାଖୁଡ଼ାକୁ ।।
ବୈଶାଖାର ତତଲା ଝାଂଜିଖରା
ଧାରା ଶ୍ରାବଣର ଅବିରତ ବର୍ଷା
ବସନ୍ତରେ କୋକିଳର କୁହୁତାନ
ଆକର୍ଷିଛି ମନକୁ ।।
ନଭସ୍ପର୍ଶ ସୁଉଚ୍ଚ ପର୍ବତରାଜି
ଆକାଶର ମନୋରମ ନୀଳିମା
ଝରଣାର କଳକଳ ନିନାଦ
ବାଧ୍ୟ କରିଛି ପ୍ରେମକୁ ।।
କେବେ ପୁଣି ହଳଦିଆ ଧାନକେଣ୍ଡା
ବୃକ୍ଷଭାରା ରଙ୍ଗବେରଙ୍ଗ ଫୁଲମାନେ
ମନେମନେ ଉତ୍ଫୁଲ୍ଲିତ ପ୍ରେମିକ ନୟନେ
ପ୍ରେମରେ ହଜିଯିବାକୁ ।।
ସତେ କେତେ ସୁନ୍ଦର ମୋ ପ୍ରେମ
ନୈସର୍ଗିକ କାନ୍ତି, ନିର୍ମଳ ହୃଦୟ
ଦେଇନି ଧୋକା,ଦେବାର ପ୍ରଶ୍ନ ବି ନାହିଁ
ଦେହ ମାଟିରେ ମିଶିବା ଯାଏଁ ।।
ନା ଅଛି ବାଦ, ପ୍ରତିବାଦ ଆମ ଦୁହିଁରେ
ଆଶା ପ୍ରତ୍ୟାଶା ତ’ କୋଷର ଦୂର
ତୁତିନି କି ତୁଟିବାର ଆଶା ବି ନାହିଁ
ଆମ ଏ ସାତ୍ଵିକ ପ୍ରେମ। ।।
ସରସ୍ଵତୀ ନାୟକ
ବ୍ରହ୍ମଗିରି, ପୁରୀ, ଓଡିଶା