ସମ୍ପର୍କର ଗଭୀରତା - କୁମୁଦିନୀ ବେହେରା

0
ଜୀବନର ସଞ୍ଜେ ନିତ୍ୟ ରାସକୁଞ୍ଜେ
ମୁଁ ତୁମ ଅଭିସାରିକା,
ଅନାବିଳ ତୁମ ପ୍ରେମ ଆଲିଙ୍ଗନେ
ସଜାଅ ହେ ! ଚିତ୍ରଲେଖା !
ପ୍ରୀତି ଭାବନା
ଶିହରାଏ ତନୁମନ
ଅଳପ ବୟସୀ ରୂପସୀ ଅୟସୀ
ଭାବେ ହୁଅଇ ଉଚ୍ଛନ୍ନ ॥

ଶାଶ୍ୱତ ପ୍ରେମରେ ଉଛୁଳି ପଡଇ
ଦୁହିଁଙ୍କ ସମ୍ପର୍କ ସେତୁ,
କେତେ ଜନ୍ମ ପୁଣ୍ୟ ଫଳେ ଗଢ଼ିଅଛି
ଆମରି ସଂକଳ୍ପ ହେତୁ !
ହୃଦ ଅଙ୍ଗନେ
ଜୋଛନା ଲହରି ଖେଳେ
ଝରା ଶେଫାଳିର ଭରା ମହକରେ
ପ୍ରୀତିର ପୀୟୂଷ ଢାଳେ ॥

ଭାବୁ ; ଏ ସଂସାର ଆମକୁ ଅସାର,
ଆମେ ଦୁହେଁ ସଖୀ, ସଖା,
ଜନ୍ମ ଜନ୍ମ ପାଇଁ କାହାରିକୁ କେହି
କରିବାନି ଅଣଦେଖା !
ପୁଲକ ତୋଳେ
ଚିର ଆକାଂକ୍ଷାର ସ୍ଵପ୍ନ
ସ୍ପନ୍ଦିତ ହୃଦୟେ ବିଦଗ୍ଧ ଯନ୍ତ୍ରଣା
କଳ୍ପେ ପ୍ରୀତି ସମ୍ମୋହନ ॥

ଜାଣିବ ଜଗତ ଆମରି ପବିତ୍ର
ସମ୍ପର୍କର ଗଭୀରତା,
ଦୁଇଟି ଶରୀର ଏକ ଆତ୍ମା ହୋଇ
କେମିତି ଗାଆନ୍ତି ଗାଥା !
କୋଟି ମାଧୁର୍ଯ୍ୟ
ମୁଗ୍ଧ ମୂରତିରେ ଭରା
ଭିଜାଭିଜା ରାସେ ମଲ୍ଲିକାର ବାସେ
ଭାବ ହେବ ଅପାସୋରା ॥

ଧନ୍ୟ ହୋଇଯିବ ଦୁଇଟି ଜୀବନ
ଲଭି ପ୍ରଭୁ କୃପାଭିକ୍ଷା,
ସେ ପୁଣ୍ୟ ଗାଥାକୁ ଉତ୍ତର ପିଢିଙ୍କୁ
ବାଣ୍ଟି ଦେବା ମହାଶିକ୍ଷା !
ଶତ ଜଞ୍ଜାଳୁ
ସପନ ଦିହୁଡି ଜାଳି
ଭାବ ସମନ୍ଵିତ ପ୍ରୀତି ରସାମୃତ
ଦେବା ଜଗତକୁ ତୋଳି ॥

କୁମୁଦିନୀ ବେହେରା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ