Ad

header ads

ପ୍ରବନ୍ଧ - ହଜିଗଲେ ପାଟମଠା - ରବିନ ଖଣ୍ଡାୟତରାୟ


ପୁଅ ଶଦ୍ଦକୁ ସାର୍ଥକ କରିଛି କି ନାହିଁ ମୁଁ ଜାଣେ ନାହିଁ କିନ୍ତୁ ପିତା ଶଦ୍ଦକୁ ଯିଏ ସାର୍ଥକ କରିଛନ୍ତି, ସେ ହେଲେ ମୋ ବାପା । ସନ୍ତାନ ପାଇଁ ଯାହାଙ୍କର ବଳିଦାନର ପଟାନ୍ତର ନାହିଁ, ସେ ହେଲ ବାପା । ବରଗଛଟିଏ ବାଟୋଇକୁ ପ୍ରଖର ସୂର୍ଯ୍ୟକିରଣ ପ୍ରକୋପରୁ ରକ୍ଷାକରି ଶୀତଳ ଛାଇ ପ୍ରଦାନ କରିବା ପରି, ବାପା ସନ୍ତାନମାନଙ୍କର ଦୁଃଖ, କଷ୍ଟ, ବିପଦ, ଆପଦକୁ ଛାତି ପତେଇ ସହିଯାଇ ସେମାନଙ୍କୁ ସୁଖ ସମ୍ପଦ ପ୍ରଦାନ କରିଥାଆନ୍ତି । ଆଜି ଦୁନିଆରେ ଅନେକ ପରିବର୍ତନ ଘଟିଛି କିନ୍ତୁ ବାପାଙ୍କର ଘରଦ୍ୱାର, ଜମିବାଡ଼ି ସବୁ ସେମିତି ଅଛି ଯାହା ପିଲାମାନଙ୍କ ପାଇଁ ରହିବା ଖାଇବାର ବ୍ୟବସ୍ଥା ଜନ୍ମରୁ ଜୁଇ ଯାଏ କରିଆସିଛି ଆଉ କରି ଆସୁଥିବ ମଧ୍ୟ । ସତ କହିବାକୁ ଗଲେ, ତାଙ୍କ ଘରେ ରହି ତାଙ୍କ ଜମିରେ ଉତ୍ପାଦିତ ଫସଲ, ପନିପରିବା ଖାଇ ଏ ଜୀବନ ଅତିବାହିତ କରୁଥିବା ବେଳେ; ଆମ ଘରେ ଅର୍ଥାତ ଆମ ହୃଦୟ ମନ୍ଦିରରେ ତାଙ୍କ ପାଇଁ ଜାଗାଟିଏ ରଖିବାରେ ଅବହେଳା କରିବା ନାହିଁ । ଯିଏ ନିଜର ସମୟ, ସମ୍ପଦ ଆଉ ସ୍ୱାସ୍ଥ୍ୟ ସବୁକିଛି ସନ୍ତାନମାନଙ୍କ ସୁଖପାଇଁ ସାରି ଦେଇଛନ୍ତି, ତାଙ୍କୁ ସୁଖ ଦେବାପାଇଁ ଆମର ମଧ୍ୟ କିଛି ଅବଦାନ ରହିବା ଉଚିତ୍ ।

ବାପଥିଲା ପୁଅ ସଭାରେ ହାରେ ନାହିଁ । ଅଚିନ୍ତା ନିଦରେ ଶୋଇପାରେ କେବଳ ଗୋଟିଏ ପୁଅ । ଜୀବନକୁ ଗଢ଼ିବାକୁ ଭରପୁର ଉପଦେଶ, ଅଂସଖ୍ୟ ଆକଟ, ଅଜସ୍ର ଶ୍ରଦ୍ଧା ପାଇପାରେ କେବଳ ଗୋଟିଏ ପୁଅ । ଆଗ ଅପେକ୍ଷା ସମୟ ଆଜି ମତେ ଏ ଅନୁଭବ ଅଧିକ ମାତ୍ରାରେ ଦେଇଛି, କାରଣ ପୁଅ ଆଉ ବାପା ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମୁଁ ଆଜି ଅବତୀର୍ଣ୍ଣ ହୋଇଛି । ପବିତ୍ର ସମ୍ପର୍କ ରୂପକ ଏହି ମୋତିମାଣିକକୁ ଏମିତି ଯାହିତାହି ଭାବି ନଷ୍ଟ ନକରି ବରଂ ତାକୁ ନିଜଭିତରେ ଧରି ରଖିବାର ଶତଚେଷ୍ଟା କରିବା । ଏହା ହୁଏତ କଷ୍ଟ ହୋଇପାରେ କିନ୍ତୁ ଅସାଧ୍ୟ କେବେ ନୁହେଁ । ଧ୍ୟାନ ଦେବା କଥା ଆମ ଦୁନିଆରେ ଆଜି ଅନେକ ନୂଆ ମନ୍ଦିର ଗଢ଼ା ହେଉଛି ଆଉ ଅନେକ ଦେବୀଦେବତା ବିଗ୍ରହ ପ୍ରତିଷ୍ଠା  ହେଉଛନ୍ତି । କିନ୍ତୁ ଆବହମାନ କାଳରୁ ସେହି ଗୋଟିଏ ମନ୍ଦିରରେ ଥିବା ଦୁଇଟି କଥାକୁହା ଦେବତା, ମାଗିଖିଆ ଠାକୁର ଆଉ ଯାଚି କଲ୍ୟାଣ ଦେଉଥିବା ଈଶ୍ୱରଙ୍କ କଥା ବୁଝିବାକୁ ଅନେକ ପୂଜକଙ୍କ ପାଖରେ ସମୟ ନାହିଁ ।

ସମୟ ବଦଳିଯାଇଛି କହି ଆଜି ଆମେ ନିଜକୁ ତାହା ସହିତ ପରିବର୍ତିତ ହେବାକୁ ଚେଷ୍ଟା କରୁଛେ । କିନ୍ତୁ ବାହାରକୁ ଯେତେ ବଦଳାଇଲେ କ'ଣ ହେବ ଯଦି ଭିତରେ ଅଳିଆ ଥିବ! ଯେପରି ମଇଳା ପାଣି ଭତ ର୍ିଥିବା ବୋତଲଟିର ଠିପି ବନ୍ଦ କରି ତାକୁ ଗଙ୍ଗାରେ ବୁଡ଼ାଇ ରଖିଲେ ସୁଦ୍ଧା ତା'ର ସ୍ୱଭାବରେ କିଛି ବି ପରିବର୍ତନ ହେବନାହିଁ । ସେହିପରି ଲୋକ ଦେଖାଣିଆ ଭାବ କେବେ ବିକାଶର କାରଣ ନହୋଇ ବରଂ ବିନାଶର କାରଣ ହୋଇଥାଏ । କାରଣ ଯେତେ ମହତ ତଥା ପୁଣ୍ୟକର କାର୍ଯ୍ୟ ହୋଇଥାଏ ତା'ଭିତରେ ଯଦି ଠୋପାଏ ଅହଂକାରର ବିଷ ମିଶିଗଲା ସେ ତେବେ ସମଗ୍ର ଅମୃତଭାଂଡ଼କୁ ବିଷାକ୍ତ କରିଦେବ । ଆଜି ବଡ଼ ଘର ବଡ଼ ଗୁମର କଥା କହିବାକୁ ଲାଜ ଲାଗୁଛି । ବଡ଼ ଅଫିସର୍, ବ୍ୟବସାୟୀ ଆଉ ସମାଜର ତଥାକଥିତ ପ୍ରତିପତିଶାଳୀ ଲୋକମାନଙ୍କର ମାଆବାପାମାନେ ବୃଦ୍ଧାଶ୍ରମକୁ ରାସ୍ତା ଖୋଜୁଛନ୍ତି । କିନ୍ତୁ  ସାଧାରଣ ଲୋକ, ଚାଷୀ, ଦୀନ ମଜୁରିଆ ମାନଙ୍କର କୁଳଦେବତା ଘର ଛାଡ଼ି ଯାଉନାହାଁନ୍ତି । ବାପା ତ ସମସ୍ତଙ୍କର ସମାନ! ତେବେ ଧନର ଆଧିପତ୍ୟ ଅଥବା କ୍ଷମତାର ଆଢ଼ୁଆଳରେ ତାଙ୍କ ପ୍ରତି କର୍ତବ୍ୟ ଉଣା ହେବା ଉଚିତ୍ ନୁହେଁ । ବାପାଙ୍କର ଉଦାର ହୃଦୟ ଗତକାଲି ଯେପରି ଥିଲା ଆଜି ସେମିତି ଅଛି ଆଉ ଆସନ୍ତା କାଲିକୁ ମଧ୍ୟ ସେମିତି ରହିବ ଏଥିରେ ସନ୍ଦେହ ନାହିଁ । ଅତଏବ ଆମେ ପିଲାମାନେ ନିଜକୁ ପରିବର୍ତିତ ନକରାଇ ବାପାଙ୍କ ପାଇଁ ସେମିତି ଜୀବନଟିଏ ଜିଇବା ଉଚିତ୍ ହେବ ।

ଶେଷକଥା, ଘରେ ଥିବା ବେଳେ ପୁରୁଣା ଲୁଗାଖଣ୍ଡିକ ଛିଣ୍ଡାକନା ରୂପରେ ପରିଗଣିତ ହେଉଥିବା ବେଳେ, ଯେତେବେଳେ ତାହା ହଜି ଯାଇଥାଏ ତାହା ପାଟମଠାରେ ପରିଗଣିତ ହୋଇଥାଏ । ସେହିପରି ବଂଚିଥିବାବେଳେ ବାପାମାଆଙ୍କୁ ହତାଦର କରି ମରିଯିବା ପରେ ଲୋକଦେଖାଣିଆ ସ୍ମୃତି ସଭାରେ ଫଟୋ ପୂଜା ଆଉ ଭୁରି ଭୋଜନର କିଛି ଲାଭ ନାହିଁ ।

ରବିନ ଖଣ୍ଡାୟତରାୟ
କିସ ମାନିତ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର
ସ୍ଥାୟୀ ଠିକଣା - ପୁରୁଣାଗଡ଼, ଜଗତସିଂହପୁର
ମୋ -୯୭୭୬୬୯୨୨୦୭

Post a Comment

0 Comments