ଉପନ୍ୟାସ - ସାଉଁଟା ଆଷାଢ - ଚତୁର୍ଦ୍ଦଶ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ଚତୁର୍ଦ୍ଦଶ ଭାଗ - ପ୍ରମୋଦ କୁମାର ପଣ୍ଡା

ମୋ ଆଖି ଆଗରେ ଏ କଣ ଦେଖୁଛି !!! ସତେ ଯେମିତି ସ୍ୱର୍ଗର କୌଣସି ପରୀ ମୋ ଚକ୍ଷୁ ସମ୍ମୁଖରେ ଉପସ୍ଥିତ । ଦୁଗ୍ଧ ଅଳତା ରଙ୍ଗର ଶରୀର କୁ ନାମକୁ ମାତ୍ର ଢାଙ୍କି ରଖିଥିବା ପାରଦର୍ଶୀ ଢିଲା ଗାଉନ ଭିତରୁ ଉଙ୍କି ମାରୁଛି ଉଛଳ ଯୌବନ । ଦେହର ପ୍ରତ୍ୟେକଟି ଅଂଶ ସୁସ୍ପଷ୍ଟ । ମୂକ୍ତ କେଶ ଲୋଟିପଡୁଛି ନିତମ୍ବ ପର୍ଯ୍ୟନ୍ତ ।  ଆଉ ଚାହିଂପାରିଲିନି ମୁଁ । ତଳକୁ ମୁହଁ ପୋତି ଚୁପ ଚାପ ଠିଆହେଲି । ମୋ ପାଦ ଦୁଇଟା ଯେମିତି ଜମିଯାଇଛି ଭୂମିରେ । ମୁଁ ଚଳତଶକ୍ତି ଓ ବାକଶକ୍ତି ହୀନ ଏଇ ମୂକ୍ତକେଶୀ ଉନ୍ମୁୂକ୍ତ ଯୌବନାର ସଂଦର୍ଶନରେ । ସମ୍ମୋହିତ କାହାର ଆକର୍ଷଣରେ । ସ୍ଥିର, ନିର୍ବାକ, ସମ୍ମୋହିତ ।

        ମୋର ଏଭଳି ଅବସ୍ଥା ଦେଖି ଖିଲ ଖିଲ ହୋଇ ହସିଉଥିଲେ ରୋଜାଲିନ ଦେବୀ , ଠିକ ଏକ ଉଦ୍ଦାମ ପାହାଡ଼ି ଝରଣାର କଳ କଳ ଶବ୍ଦ  ନିନାଦୀତ  ହେଲା ମୋ କର୍ଣ ଗୌହରରେ । ଧୀରେ ଧୀରେ ସେ ମୋର ନିକଟବର୍ତ୍ତୀ ହେଉଥିଲେ । ଶରୀରରୁ ଛୁଟି ଆସୁଥିଲା ଇଭିନିଂ ଇନ ପ୍ୟାରିସର ବାସ୍ନା । ସେ ମୋ ସମ୍ମୁଖରେ ଦଣ୍ଡାୟମାନା ଥିଲେ । ଏକଦମ ମୋ ନିକଟରେ । ଏତେ ନିକଟରେ ଯେ ମୁଁ ତାଙ୍କର ଗରମ ନିଃଶ୍ୱାସକୁ ଅନୁଭବ  କରିପାରୁଥିଲି । ତାଙ୍କ ହୃଦୟର ସ୍ପନ୍ଦନକୁ ସ୍ପଷ୍ଟ ଶୁଣିପାରୁଥିଲି । ମୁଁ ସମ୍ମୋହିତ, ବିମୋହିତ , ମନ୍ତ୍ରମୁଗ୍ଧ , ଚେତନା ଶକ୍ତି ରହିତ, ସ୍ଥିର, ନିଶ୍ଚଳ ।

        ଚାରୋଟି ଆଖି ପରସ୍ପରକୁ ଦେଖୁଥିଲେ ଅତି ନିକଟରୁ ଅତି ଅନ୍ତରଙ୍ଗ ଭାବେ ।  ଅନନ୍ତ ଯୁଗର କାମନାର ବହ୍ନି ଜଳି ଉଠୁଛି ରୋଜାଳିନ ଦେବୀଙ୍କ ଚକ୍ଷୁଯୁଗଳରେ । ତାଙ୍କର ଚମ୍ପାକଳି ଭଳି ଆଙ୍ଗୁଳି ଗୁଡିକ ମୋର ଲୋମଶ ଛାତି ଉପରେ ଘୁରିବୁଲୁଥାନ୍ତି । ଗୋଲାପ ପାଖୁଡା ଭଳି ଓଠ ଦ୍ବୟ ଅଧାଖୋଲା ଅବସ୍ଥାରେ ରହିଯାଇଥାନ୍ତି । ମୁଁ ମଦହୋସ ଅବସ୍ଥାକୁ ଆସିଯାଉଥାଏ ଯେମିତି । ଶିରା ପ୍ରଶିରାରେ ଉଷ୍ମରକ୍ତର ପ୍ରବାହ ଦ୍ରୁତତର ହେବାକୁ ଲାଗିଲା । ମୋ ଅଜାଣତରେ କେତେବେଳେ ମୋର ହସ୍ତଦ୍ବୟ ଯେ ରୋଜାଲିନ ଦେବୀଙ୍କର କଟୀ ବେଷ୍ଟନ କଲାଣି ମୁଁ ଜାଣିପାରିଲିନି । ଧୀରେ ଧୀରେ ମୋ ବାହୁବନ୍ଧନ ଦୃଢ ହେବାକୁ ଲାଗିଲା । ଚାରୋଟି ଯାକ ଆଖି ବନ୍ଦ ହେବା ସଙ୍ଗେ ସଙ୍ଗେ ଚାରୋଟି ଯାକ ଓଠ ପରସ୍ପରକୁ ଛୁଇଁବାକୁ ବ୍ୟଗ୍ରଥିଲେ ।

        ହଠାତ ଯେମିତି ମୋର ଲୋପାପାଇଥିବା ଚେତନା ଜାଗ୍ରତ ହୋଇଗଲା କରେଣ୍ଟ ଲାଗିଲା ଭଳି । ମୋ ଚକ୍ଷୁଯୁଗଳରେ ନାଚିଉଠିିଲା ଗୋଟିଏ ନିର୍ଦ୍ଦୋଷ ମୁହଁ, ଦୁଇଟି ନିରୀହ ଆଖି । କିଛି କହିବ ବୋଲି କହିପାରୁନଥିବା ଓଠ ଦୁଇ ଫାଳ । ସେ ମୁହଁଟି ଥିଲା ପ୍ରଜ୍ଞାର । ବିଦ୍ୟୁତ ଭଳି ମୁଁ ଅଲଗା ହୋଇଗଲି ରୋଜାଲିନ ଦେବୀଙ୍କ ଠାରୁ । ମୁଁ ନିଜକୁ ଦୋଷୀ ବୋଲି ଭାବୁଥିଲି । ମନେ ମନେ କହୁଥାଏ " ମୋତେ କ୍ଷମାକର ପ୍ରଜ୍ଞା ! କିଛି ସମୟ ପର୍ଯ୍ୟନ୍ତ ମୁଁ ବାଟହୁଡ଼ି ଯାଇଥିଲି । ଆଉ କେବେ ଏପରି ହେବନି "।

        ମୋର ଏଭଳି ବ୍ୟବହାରରେ କ୍ଷୁବ୍ଧ ହେଲେ ରୋଜାଲିନ ଦେବୀ ।ସେ ମୋତେ କିଛି କହିବା ପୂର୍ବରୁ ମୁଁ ତାଙ୍କୁ ସେଇ ଅବସ୍ଥାରେ ଛାଡି ତୁରନ୍ତ ତାଙ୍କ ସୁଟ ଛାଡି ଚାଲିଆସିଲି । ଆସିଲାବେଳେ ରୋଜାଲିନ ଦେବୀ ହିଷ୍ଟ୍ରୀଆ ପେସେଣ୍ଟ ଭଳି ଚିତ୍କାର କରୁଥିବାର ଶୁଣିଲି " ୟୁ କାୱାର୍ଡ , ନନସେନ୍ସ " । ମୁଁ କିନ୍ତୁ କିଛି ରିଆକ୍ଟ ନକରି ମୋ ସୁଟକୁ ଫେରିଆସିଲି । ବେଡ଼ ଉପରେ ବସିଛିକି ନାହିଁ କଲିଙ୍ଗ ବେଲ ବାଜିଉଠିଲା । ଆଶଙ୍କାରେ ମୋ ଛାତି ଧଡ଼ ଧଡ଼ କରିଉଠିଲା । ଡୋର ଖୋଲିଲି ଆଶଙ୍କିତ ହୃଦୟରେ । ସାମନାରେ ଥିଲା ହାଉସ କୀପିଙ୍ଗ ଓ ସେ ଆସି ମୋ ଟେବୁଲରେ ଡିନର ରଖି ଚୁପ ଚାପ ଚାଲିଗଲା ।

        ସେଦିନ ରାତିରେ ମୁଁ ଦୃଢ ନିଷ୍ପତ୍ତି ନେଲି । ମୋତେ ରୋଜାଳିନ ଦେବୀଙ୍କ ହୋଟେଲ ସକାଳୁ ଛାଡିବାକୁ ହେବ । ଖାଲି ହୋଟେଲ ନୁହେଁ, ଏ ଜୁରିଚ ସହରର ମାୟା ମଧ୍ଯ ମୋତେ ତ୍ୟାଗ କରିବାକୁ ହେବ ।

        ତା ପରଦିନ ସକାଳୁ ମୋ ପ୍ଲେନ ଟି ଜୁରିଚ ଏଆରପୋର୍ଟ ଛାଡି ଇଣ୍ଡିଆ ଅଭିମୂଖେ ଉଡିଚାଲିଲା । ତାପରେ ବମ୍ବେ , ସେଠୁ କଲିକତା ଓ ସେଇଠୁ ଭୁବନେଶ୍ୱର । ଭୁବନେଶ୍ୱରରୁ ବସ ଯୋଗେ ସିଧା ଘରକୁ ।

        ଘରେ, ଗାଁରେ ସମସ୍ତେ ଆଶ୍ଚର୍ଯ୍ୟ ମୋର ଏତେ ଶୀଘ୍ର ସୁଇଜରଲ୍ୟାଣ୍ଡରୁ ଘରକୁ ଫେରିବା ଦେଖି । ବିଭିନ୍ନ ବାହାନା ଦେଖାଇ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ପଡିଲା । କିନ୍ତୁ ଗୋଟେ କଥା ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ରୋଜାଲିନ ଦେବୀ ଏମିତି କାହିଁକି କଲେ ! ଯେତେ ମାନସ ମନ୍ଥନ କଲେ ବି ତାର ଉତ୍ତର ମୁଁ ପାଇ ପାରୁନଥିଲି । କେବଳ ଏତିକି ବୁଝିପାରିଲି ଯେ ତାଙ୍କର ନିଃସଙ୍ଗ ମନ ଭିତରେ ମୋ ପାଇଁ ଯେଉଁ ଭଲପାଇଲା ଲୁଚିରହିଥିଲା ତାହା ବୋଧେ ହଠାତ ବିସ୍ଫୋରିତ ହେଲା ।

        ଏ ଭିତରେ ଦୁଇବର୍ଷ ବିତିଗଲାଣି । ମୁଁ ଆଉ କଲିକତା ଯାଇନି ସେ ଦିନଠୁ । ଯାହା କିଛି ପେଣ୍ଟିଙ୍ଗସ ତିଆରି ହୋଇସାରିଥିଲା ସେଗୁଡିକ ମୋର ଦୁଇ ଆର୍ଟିଷ୍ଟ ବନ୍ଧୁଙ୍କ ମାଧ୍ୟମରେ ରୋଜାଲିନ ଦେବୀଙ୍କ ପାଖକୁ ପଠାଇଦେଲି । ମୋର ଆଉ ମୁହଁ ନଥିଲା ତାଙ୍କ ସମ୍ମୁଖକୁ ଯିବାକୁ । ସେଠାରୁ ମଧ୍ୟ କୌଣସି ରିଆକ୍ସନ ଆସିନଥିଲା । ସେ କିନ୍ତୁ ସବୁ ପେମେଂଟ କରିଦେଇଥିଲେ ।  ମୋ ମନରେ କିନ୍ତୁ ସରସତା ନଥାଏ । ଯେଉଁ ଲୋକ ମୋତେ ଏ ପର୍ଯ୍ୟନ୍ତ ପହଂଚାଇଲେ , ତାଙ୍କର ଯେ କିଛିଟା ଅଧିକାର ମୋ ଉପରେ ଅଛି ଏ କଥାକୁ ତ ମୁଁ କୌଣସିମତେ ଅସ୍ଵୀକାର କରିପାରିବିନି ମୋ ଜୀବଦ୍ଦଶା ମଧ୍ୟରେ । କିନ୍ତୁ ମୋ ହୃଦୟରେ ରୋଜାଲିନ ମାଡାମଙ୍କର ଯେଉଁ ଛବି ରହିଛି ତାହାତ ଏପରି ନୁହେଁ । ସେ ତ ମୋ ଆଖିରେ ଏପର୍ଯ୍ୟନ୍ତ ବି ମହାନ । ତାଙ୍କ ଛବି ତ ଚୀର ଜାଜୁଲ୍ୟମାନ ରହିବ ମୋ ହୃଦୟରେ ଜଣେ ଉତ୍ତମ ବନ୍ଧୁ ଭାବରେ ।                             

        ପ୍ରଜ୍ଞାର ଏପର୍ଯ୍ୟନ୍ତ ବି କୌଣସି ଖୋଜ ଖବର ନାହିଁ । ଧୀରେ ଧୀରେ ମୋର ବିଶ୍ୱାସ କମଜୋର ହୋଇ ଆସିଲା ପ୍ରଜ୍ଞାର ପ୍ରତ୍ୟାବର୍ତ୍ତନ ନେଇ ।  ତେବେ ପ୍ରଜ୍ଞା କଣ କିଛି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ହଜିଯାଇଛି ଏ ଦୁନିଆରେ କେଉଁଠି ? ପୁଣି ମନ କହୁଥିଲା " ଆରେ ! ନା.....ନା.....ପ୍ରଜ୍ଞାର କିଛି ହେବନି । ସମୟ ଆସିଲେ ସେ ନିଶ୍ଚୟ ଆସିବ

 । କିନ୍ତୁ କେବେ ସେ ସମୟ ଆସିବ ? ଏମିତି ଆଶା ନିରାଶାର ମଝିରେ ମନ ଦୋହଲିବାରେ ଲାଗିଥାଏ ।

        ଦିଲ୍ଲୀର ଏକ ଆର୍ଟ ଏକଜିବିସନରେ ମୋର କିଛି ପେଣ୍ଟିଙ୍ଗସର ପ୍ରଦର୍ଶନ ହେଉଥାଏ । ପ୍ରାୟ ଏକ ସପ୍ତାହ ଧରି ଚାଲିଲା ସେ କଳା ପ୍ରଦର୍ଶନୀ । ସବୁତକ ପେଣ୍ଟିଙ୍ଗସ୍ ମୋର ବିକ୍ରିହୋଇଗଲା । ମୋ ନାଁ ସେତେବେଳକୁ ଦେଶର ଚାରିଆଡେ ବ୍ୟାପି ସାରିଥାଏ । ତେଣୁ ମୋ ଚିତ୍ର ସବୁ ବିକ୍ରୀ ହେବାକୁ ଜମା ସମୟ ଲାଗୁନଥାଏ । ଅର୍ଥ ଆଉ ସମ୍ମାନ କେଉଁଥିରେ ମୁଁ କମ ନଥାଏ । ସେ ଯାହାହେଉ ବିକ୍ରୀ ଲବ୍ଧ ଅର୍ଥ ସହିତ ଗୁଡିଏ ଜିନିଷ କିଣାକିଣି କରି ମୁଁ ଘରକୁ ଫେରିଲି । ଦାଣ୍ଡ ଘର ଡେଇଁ ମୁଁ  ଘର ଭିତରକୁ ପସୁ ପସୁ ଚଗଲା ନିଲୁଟା ଧାଇଁଆସି ମୋତେ ଯାହା କହିଲା ମୁଁ ମୋର ଜିନିଷ ପତ୍ର ଫୋପାଡ଼ି ଦେଇ ତଳ ଖଞ୍ଜାକୁ ଧାଇଁଲି ।
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।