ସ୍ୱର୍ଗକୁ ନିଶୁଣୀ - ନାରାୟଣ ଚନ୍ଦ୍ର ସେନାପତି

ସ୍ୱର୍ଗକୁ ନିଶୁଣୀ - ନାରାୟଣ ଚନ୍ଦ୍ର ସେନାପତି

ଲଙ୍କାର ନରେଶ ବିଖ୍ୟାତ ରାବଣ
ଭାବିଲା ଏକ କାହାଣୀ,
ନିଶ୍ଚେ କଉଶଳେ ପକାଇ ଚଢ଼ିବ
ସ୍ୱର୍ଗକୁ ସୁନା ନିଶୁଣୀ।

କହି କହି କେବେ ପାରିଲାନି କରି
ଶେଷେ ହେଲା ପଛେ କାଳ,
ଉଦ୍ଭଟ ଚିନ୍ତାଟି ମନରେ ଧରିଲେ
ପାରିବ କି ତୋଳି ଫଳ ?

ଏବେ ସମାଜରେ ସହସ୍ର ରାବଣ
ଦେଖନ୍ତି ଦିବା ସପନ,
ଦୂର ଦିଗବଳୟକୁ ଚାହିଁ କହୁଥାନ୍ତି
ଆସ ଛୁଇଁବା ଗଗନ।

ଭାବନ୍ତିନି କେବେ ବିଜ୍ଞାନ କୁହୁକ
ନ ମାପି ସ୍ୱର୍ଗ ଦୂରତା,
ନିର୍ମାଣ କରନ୍ତି ଲମ୍ବା ନିଶୁଣୀଟେ
ବଡ଼ ଲୋକହସା ହେବା କଥା।

ସିଡିକୁ ସଳଖ କରି ସେ ଚଢନ୍ତି
ଛୁଇଁବା ପାଇଁ ଗଗନ,
ବଢ଼ାଇଲେ ହାତ ସେତେ ଦୁରଯାଏ
ପାନ୍ତି ଲାଜ ଅପମାନ।

ଅସମ୍ଭବ ଯାହା କାହିଁକି କେଜାଣି
ଶୁନ୍ୟ ଆଭାସିକୁ ଧରି,
ସ୍ୱଚ୍ଛ ସମାଜରେ ଛାଇ ମଞ୍ଜି ବୁଣି
ସଭିଙ୍କୁ ପକାନ୍ତି ମାରି।

ଅସୀମ ଅକାଟ୍ୟ ଅଥଳ ଅଚଳ
ଶବ୍ଦ ଅର୍ଥ ହେଲେ ବୋଧ,
ଅଧମ ମାନବ ସ୍ୱର୍ଗକୁ ନିଶୁଣୀ
ଯୋଡି ସାଜନ୍ତା କି ଗଧ ?

ଶ୍ରେଷ୍ଠ ସୃଷ୍ଟି ବୋଲି ସ୍ରଷ୍ଟାଙ୍କ ଭିଆଣ
ମାନବ ଦିବ୍ୟ ଜନମ,
ବିସ୍ମୟ ବିବିଧ ବିଶେଷ ଜ୍ଞାନ ତା
ତଥାପି ସାଜେ ଅଧମ।

ସ୍ୱର୍ଗକୁ ନିଶୁଣୀ କରନା କଳ୍ପନା
ଆହେ ନିର୍ବୋଧ ଅଜ୍ଞାନ
ନିଜକୁ ମାପ ହେ ନିଜ ଏକକରେ
ରଖ ମାନବର ମାନ।

ନାରାୟଣ ଚନ୍ଦ୍ର ସେନାପତି
   ଜମ୍ଭରା, କେନ୍ଦୁଝର

0 Comments