OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ଏ କେମିତିକା ବନ୍ଧନ - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - ଏ କେମିତିକା ବନ୍ଧନ - ଶିବ ଚରଣ ମହାପାତ୍ର

ବିବାହ ଅଭିନନ୍ଦନ ର ସମସ୍ତ ଗିଫ୍ଟ ଖୋଲୁଥିବା ସମୟରେ ଏକ ମଖମଲ୍ ଜରି ଲଗା ଗିଫ୍ଟ ଉପରେ ଥିବା ନାଁ ଉପରେ ମୋର ନଜର ରହିଗଲା । ସେଥିରେ ଲେଖାଥିଲା- " ଆପଣାର ଜୀବନ.." ଦୁନିଆ ନଜର ରେ ମୁଁ ଶିବ ଚରଣ ମହାପାତ୍ର କିନ୍ତୁ " ଜୀବନ " ନାଁ ଟି କେବଳ ଜଣେ ହିଁ ତ ମୋତେ ଡାକୁଥିଲେ । ତେବେ କଣ ମୋ ବିବାହ ରେ ସେ ଆସିଥିଲେ..?? ନା ଏ ଗିଫ୍ଟ ଆଉ କାହା ହାତରେ ଆସିଥିଲା ..?? ଉତ୍କଣ୍ଠା ର ସହିତ ସେ ଗିଫ୍ଟ ଟି ଖୋଲିବାକୁ ଯାଉ ଯାଉ  ହାତ ମୋର ଅଟକି ଗଲା । ସଦ୍ୟ ନବ ବିବାହିତା ମୋ ଧର୍ମ ପତ୍ନୀ ଙ୍କ ନଜର ଆଢୁଆଳରେ  ପ୍ରଥମେ  ସେ ଷ୍ଟିକର୍ ଟିକୁ ହଟେଇ ନେଇ  ଚୁପ୍ ଚାପ୍  ଗିଫ୍ଟ ଟିକୁ ଆମ ଘର ପୁରୁଣା ଆଲମୀରା ଭିତରେ ରଖି ଦେଲି । ଆଉ ମୋ ଅନିଚ୍ଛା ସତ୍ତ୍ବେ  ଅଜାଣତରେ ଫେରିଗଲି କଲେଜ ର ପ୍ରଥମ ଦିନକୁ...
           
ମନରେ ଅନେକ ଆଶା ଆଙ୍କାକ୍ଷା ଉଦ୍ଦିପନା ନେଇ ପ୍ରବେଶ କରିଥିଲି ଧରଣୀ ଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ । ମୁଖ୍ୟ ଫାଟକ ପ୍ରବେଶ କରୁ କରୁ ଦକ୍ଷିଣ ପାର୍ଶ୍ବରେ ଥିବା ବାଇକ୍ ଷ୍ଟାଣ୍ଡ ରୁ ଦଳେ ପିଲା ଡାକିଲେ -:"ଏଇ ଫ୍ରେସର୍ ..ରେଡ୍ ସାର୍ଟ  ବ୍ଲାକ୍ ପ୍ୟାଣ୍ଟ .." ମୁଁ ବୁଝିଗଲି ଏ ଡାକରା ମୋ ପାଇଁ ଆସିଥିଲା ,କାରଣ ଏତେ ବଡ କଲେଜ ରେ କେବଳ ମୁଁ ହିଁ ଏକା ନାଲି ଫୁଲ ସାର୍ଟ କୁ କଳା ପ୍ୟାଣ୍ଟ ସହିତ ବ୍ଲାକ୍ ଫୁଲ୍ ସୁଜ୍ ପିନ୍ଧି ପ୍ରବେଶ କରିଥିଲି । ମୁଁ କହିଲି -
-"ଭାଇ ମୋତେ ଡାକିଲେ କି ..??"
-"ନା ସେଇ ଖୁଣ୍ଟ କୁ..ହା.. ହା.. ହା.." ସମସ୍ତେ ହସିଉଠିଲେ ।
ମୁଁ ଚୁପ୍ ଚାପ୍ ତାଙ୍କ ପାଖରେ ଯାଇ ଠିଆ ହୋଇଗଲି । ଜଣେ କହିଲେ  -" ନା ..?"
-" ଶିବ ଚରଣ ମହାପାତ୍ର  "..
-"ଆଉ ତୋ ପାର୍ବତୀଙ୍କୁ କୁଆଡେ ଛାଡିଲୁ ?"
ପୁଣି ହସ ହି.. ହି.. ହା.. ହା.. ହେ.. ହେ..
-"ତୋ ଘର ..??"
-" ହରିଚନ୍ଦନ ପୁର "
-"ଓକେ ..ଶୁଣ୍.. ଗୋଟିଏ କାମ କର.. ଆଉ କ୍ଲାସ୍ କରିବାକୁ ଯା "
ମୁଁ ତାଙ୍କୁ ପ୍ରଶ୍ନ ଭରା ଚାହାଣୀ ରେ ଚାହିଁ ରହିଲି ...କଲେଜ ରେ ପୁଣି କି କାମ..??
-"ଶୁଣ୍ ...ସେଇ ଯେଉଁ ଲେଡି ବାର୍ଡ ସାଇକେଲ ଅଛି ..ପିଙ୍କ୍ କଲର୍ ..ତୁ ଯା ତା  ଚକ ରୁ ପ୍ରେସର  ଖୋଲି ଦେବୁ.."
ମୁଁ ଆଶ୍ଚର୍ଯ୍ୟ ହେଇ ତାଙ୍କୁ ପୁଣି ଆଉଥରେ ଚାହିଁ ରହିଲି..ମୁଁ କଣ ପାଇଁ ସେ ଝିଅ ର ସାଇକେଲ ଚକା ରୁ ପ୍ରେସର୍ ଖୋଲିବି.?
ସେମାନେ ପୁଣି ଥରେ ମୋତେ ଧମକ ଦେଇ କହିଲେ -"ଏଇ ବାର୍-ଲାଇଟ୍  , ଯାଉଛୁ ନା..ଦେଖିବୁ .."

ମୋ ମୁଣ୍ଡ କୁ ପିତ ଚଢିଗଲା  । ଇଛା ହେଉଥିଲା ତାଙ୍କୁ ସବୁ ସେଇଠି  ଘୋଷାଡି ଘୋଷାଡି ପିଟିବାକୁ କିନ୍ତୁ କଲେଜ ରେ ପ୍ରଥମ ଦିନରୁ କାହା ସହିତ ଶତୃତା କରିବା ପାଇଁ ଇଛା ନଥିଲା । ମୁଁ ଆଜ୍ଞାଧିନ ଛାତ୍ର ପରି ଯାଇ ସେ ସାଇକେଲ ରୁ ପ୍ରେସର୍ ଖୋଲି ପୁଣି ଥରେ ତାଙ୍କ ପାଖକୁ ଗଲି । ସେମାନେ କହିଲେ-" ସବୁଦିନ ମୁଣ୍ଡ ଗାଡି ଚାଲିବୁ ,ଆଉ ଏ ରଙ୍ଗୀନ ଡ୍ରେସ୍ ଜଲ୍ଦୀ ଚେଞ୍ଜ କର୍ । ଏବେ ଯାଆ .."
ମୁଁ ମୁଣ୍ଡ ପୋତି ସେଠାରୁ ଚାଲି ଆସିଲି । କ୍ଲାସ ଯିବା ପାଇଁ ଇଛା ହେଲାନି ତେଣୁ ସାଇକେଲ ଷ୍ଟାଣ୍ଡ ର ଅନତି ଦୂରରେ ଥିବା କ୍ୟାଣ୍ଟିନ୍ ରେ ବସି ସେ ସାଇକେଲ ବାଲି କୁ ଅପେକ୍ଷା କରି ରହିଲି । ବହୁତ ସମୟ ପରେ କ୍ଲାସ୍ ଓଭର ହେଲା । ସବୁ ପିଲାମାନେ ଆସି ନିଜ ନିଜ ବାଇକ-ସାଇକେଲ ଯୋଗେ ବାହାର କୁ ବାହାରି ଗଲେ । ହଠାତ୍ ଦେଖିଲି ବହୁତ ସୁନ୍ଦର ଝିଅ ଟିଏ ତାଙ୍କ ସାଙ୍ଗ ମାନଙ୍କ ସହିତ ହସି ହସି ଆସି ସେଇ ସାଇକେଲ ପାଖରେ ପହଞ୍ଚିଲା ।ସେ ଝିଅ କୁ ଦେଖି ଲାଗିଲା ଉପରବାଲା ୟାକୁ କେବଳ ମୋ ପାଇଁ ତିଆରି କରିଛି । କହନ୍ତି ନି " ଲଭ୍ ଆଟ୍ ଫାଷ୍ଟ ସାଇଟ୍ "..ମୋର ସେଇଟା ସେଇଠି ହେଇଗଲା..

ସେ ଝିଅ ଟି ସାଇକେଲ ର ଲକ୍ ଖୋଲୁଖୋଲୁ ଦେଖିଲା କି ଦୁଇଟି ଯାକ ଚକରେ ପ୍ରେସର୍ ନାହିଁ  । ତାର ସବୁ ସାଙ୍ଗ ସାଥି ଏକାଠି ହେଇ କଣ ସବୁ କଥା ହେଲେ ଆଉ ସାଇକେଲ କୁ ଗଡେଇ ଗଡେଇ ବାହାରି ଆସିଲେ । ମୁଁ ମଧ୍ୟ ତାଙ୍କ ପଛେ ପଛେ ବାହାର କୁ ବାହାରି ଗଲି ।ସେମାନେ କଲେଜ ବାହାରେ ଥିବା ଛକ ପାଖ ସାଇକେଲ ଷ୍ଟାଣ୍ଡ କୁ ଯାଇ ପ୍ରେସର୍ ଦେବା ପାଇଁ କହିଲେ । ଦୋକାନୀ ଟି ବ୍ୟସ୍ତ  ଥିବାବେଳେ ମୁଁ  ଯାଇ ପହଞ୍ଚି କହିଲି -"ଆପଣ ଧରନ୍ତୁ ମୁଁ ପ୍ରେସର୍ ଦେଇ ଦେଉଛି .."। ସେ ସାଇକେଲ ଚକ ରେ ପ୍ରେସର୍ ପାଇପ୍ ଧରିଲେ ମୁଁ ପ୍ରେସର୍ ଦେଇ ଦେଲି । ମୋତେ ଯେମିତି ଲାଗୁଥିଲା ମୁଁ 1980 ଲଭ୍ ଷ୍ଟୋରି  ଫିଲ୍ମ ର ହିରୋ ଆଉ ସେ ମୋ ହିରୋଇନ୍ ..। ଏତେ କମ୍ ସମୟ ରେ ଦୁଇଟି ଯାକ ଚକରେ ପ୍ରେସର୍ ଦେଇ ଦେଲି ଜାଣିପାରିଲିନି ।

ସେ-" ଥ୍ୟାଙ୍କସ୍ " କହି , ଯିବାକୁ ବାହାରିଲା ବେଳେ ମୁଁ କହିଲି-" ଆଇ ଆମ୍ ସରି..ମୁଁ ହିଁ ଆପଣଙ୍କ ସାଇକେଲ ର ପ୍ରେସର୍ ଛାଡି ଥିଲି.."।
ଏତିକି କହି ସାରିଛି କି ନାହିଁ ବାପ୍ ରେ ଯେମିତି ଆତଙ୍କବାଦୀଙ୍କ ଆକ୍ରମଣ ର ଶିକାର ହେଇ ଗଲି ମୁଁ ...ଗାଳି ଉପରେ ଗାଳି..ଗାଳି ଉପରେ ଗାଳି..ତୁମର କଣ ମା ଭଉଣୀ ନାହାନ୍ତି ..ତୁମ ବାପା ମା ତୁମକୁ  ଏଇ ଶିକ୍ଷା ଦେଇଛନ୍ତି ..ଇତ୍ୟାଦି ଇତ୍ୟାଦି ..."
ମୁଁ  କିନ୍ତୁ କିଛି ଶୁଣି ପାରୁ ନଥାଏ  ...ହାଏ..କି ଚେହେରା ବେ.. ଭଗବାନ ମଧ୍ୟ ତିଆରି କରିସାରିବା ପରେ ପାଗଳ ହେଇ ସେ ଛାଞ୍ଚ ଭାଙ୍ଗି ଦେଇଥିବେ ,ଯେମିତି ଆଉ ଦ୍ୱିତୀୟ ଏତେ ସୁନ୍ଦର ଅପସରୀ ନାରୀ ଏ ଧରା ଧାମରେ ତିଆରି ନ ହେଉ । ସେ ଯେତେ ରାଗୁଥାଏ ମୋତେ ଆହୁରି କ୍ୟୁଟ୍ ଲାଗୁଥାଏ ..ମୁଁ ତାଙ୍କୁ ଦେଖି କେବଳ ହସୁଥାଏ ..
ସେ ପୁଣି କହିଲେ-" ତୁମ ମୁହଁ ରେ ଲାଜ ଅଛି ନା ନାହିଁ ..ଏମିତି ମେଣ୍ଢା ଙ୍କ ପରି କଣ ଦାନ୍ତ ଦେଖେଇ ଅନେଇଛ "ଏକ୍ ତ ଭୁଲ କରୁଛ ତଥାପି ହସୁଛ..।"
ମୁଁ କହିଲି-"ମୋ କଥା ଟିକିଏ ଶୁଣନ୍ତୁ  ,ମୁଁ ପ୍ରେସର୍ ଛାଡିଛି ଏକଥା ଟି ସତ କିନ୍ତୁ ମୁଁ ମୋ ଇଛା ରେ ଛାଡିନି ..ସେଇଠି ବସିଥିବା ପିଲା ମାନେ ବାଧ୍ୟ କରି ମୋତେ ସେମିତି କରେଇଲେ .."
ଏକଥା ଶୁଣି ସେ ଟିକିଏ ମଉଳି ଗଲେ ।କହିଲା -" ଠିକ୍ ଅଛି ,ତୁମେ ମୋ ସାମ୍ନାରୁ ଚାଲିଯାଅ "
ମୁଁ ମୁଣ୍ଡ ପୋତି ସେଠାରୁ ଚାଲି ଆସିଲି ।
ପ୍ରଥମ ଦିନ ରେ ମୋର କ୍ଲାସ୍ , ସାର୍ ଆଉ ମ୍ୟାଡାମ୍ ଦୁହେଁ ଭଲ ଭାବରେ ନେଇ ଗଲେ । ତାପର ଦିନ ଠାରୁ ନିୟମିତ ଭାବରେ ମୋର ଅରିଜିନାଲ୍ କ୍ଲାସ୍ ଚାଲିଲା ହେଲେ ସେ ଝିଅ ର ସାଇକେଲ ବ୍ୟତୀତ ତା ଚେହେରା ମୋତେ କେବେବି ନଜର ଆସୁ ନଥିଲା । ଏମିତି ଅନେକ ଦିନ ବିତିଯିବା ପରେ ସେଇ ସାଇକେଲ ଷ୍ଟାଣ୍ଡ ପାଖରେ  ହଠାତ୍ ଦିନେ ପଛରୁ କିଏ ଡାକିଲା  -" ଏଇ ପ୍ରେସର୍ "..
ମୁଁ ବୁଲି ଦେଖେ ତ ସେଇ ଝିଅଟି ..
ସେ କହିଲା-" କଣ ଏକୁଟିଆ ..ଆଉ ତୁମର ସବୁ ସାଙ୍ଗ କାହାନ୍ତି ?? "
-" ସାଙ୍ଗ ସବୁ ହଷ୍ଟେଲ ର ଆଉ ମୁଁ ମାମୁଁ ଙ୍କ ଘରେ ରହି ଆସୁଛି ।"
-"ଆକ୍-ଚୁଆଲି..ସେଦିନ ମୋର ତୁମକୁ ଏମିତି ରାଗିବାର ନଥିଲା..ମୁଁ  ଘରକୁ ଯାଇ ଖୁବ୍ ଗିଲ୍ଟି ଫିଲ୍ କଲି । ସେଥିପାଇଁ ତା ପରଦିନ ସରି କହିବାକୁ କଲେଜ ରେ ବହୁତ ଖୋଜିଲି ହେଲେ ପାଇଲିନି ।କେମିତି ପାଇବି ..?? ତମେ ହେଲ ଫ୍ରେସର୍ ..ଫାଷ୍ଟ ଇଅର ଆର୍ଟ୍ସ ଆଉ ମୋର ସେକେଣ୍ଡ ଇଅର୍ ସାଇନ୍ସ  । ଦୁଇ ନଇ ଦୁଇ ଧାର.."
ସେ କେମିତି ଜାଣିଲେ ମୁଁ ଫ୍ରେସର୍ ବୋଲି..?? ସେ ଯାହାବି ହେଉ ତାର ଏଇ ସାହିତ୍ୟିକ କଥାବାର୍ତ୍ତା ମୋତେ ତା ପ୍ରତି ଯେମିତି ଚୁମ୍ବକ ପରି ଟାଣି ନେଇଥିଲା  ।ଦୁହେଁ କଥା ହେଇ ହେଇ କଲେଜ ବାହାର କୁ ବାହାରି ଆସିଥିଲୁଣି । ସେ କହିଲା-" ସେଦିନର ଘଟଣା ପାଇଁ ଆଇ ଆମ୍ ସରି.."
ମୁଁ କହିଲି-" ଠିକ୍ ଅଛି ..ଇଟ୍ସ ଓକେ..
ଦୁଃଖିତ ତ ମୁଁ..ଛାଡନ୍ତୁ  .. ସେ ଯାହା ହେଉନା କାହିଁକି ଆପଣଙ୍କୁ ତ ପାଖରୁ ଜାଣି ପାରିଲି .."
-"ଜାଣିଲ କେତେବେଳେ ..??ଆଉ ଏ ଆପଣ ଆପଣ ଛାଡି ତୁମେ କହିଲେ ମୋତେ ଭଲ ଲାଗିବ ..ତେବେ ଯିବା .."
ଦୁହେଁ ସାଇକେଲ ଯୋଗେ କିଛି ବାଟ ସାଥିହେଇ ଯିବା ପରେ ଆଗ ଛକରୁ  ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ଗଲୁ ।
କିଛି ସମ୍ପର୍କ ହୁଏତ ଝଗଡ଼ା ରେ ହିଁ ଆରମ୍ଭ ହୋଇଥାଏ  । ତେଣୁ ବେଳେବେଳେ ଝଗଡ଼ା ଟା ଭଲ..ଏଇ ଯେମିତି ଆମ ସମ୍ପର୍କ ..ହେଲେ ସେଦିନ ବି ପଚାରି ପାରି ନଥିଲି ତାଙ୍କ ନାଁ ଟା କଣ..?? ସେ କେଉଁଠି ରହେ..?? ରାତିରେ ତା କଥା ଭାବି ଭାବି ଆଉ ନିଦ ହେଲାନାହିଁ ।ମୋତେ ଲାଗୁଥିଲା ମୋ ଜୀବନ ର ସବୁକିଛି ବୋଧେ ସେଇ ଝିଅଟି ..ମୁଁ ତା ମଜନୁ ସେ ମୋ ଲୈଲା..ମୁଁ ତା ଦେବ୍ ଦାସ୍ ସେ ମୋ ପାରୋ ...ଏମିତି କଣ ଭାବୁ ଭାବୁ ରାତି ପାହିଗଲା ... ଯେମିତି ସେଦିନ ର ରାତି ଟି ଖୁବ୍ ଛୋଟ ହେଇଗଲା  ଆଉ ମୋ ଭାବନା ଥିଲା ବହୁତ ଲମ୍ବା .. ରାତ୍ରି ର ଅନ୍ତିମ ପ୍ରହର ବିଦାୟ ନେଉ ନେଉ ମୋ ଆଖିରେ ଟିକିଏ ନିଦ ଭରିଦେଲା ଯେଉଁ ନିଦ ର ସ୍ୱପ୍ନ ରେ ସେ ଆସିଥିଲା...ମୁଁ ଖୁବ୍ ଗପିଲି ..ତା ସହିତ ଖୁବ୍ ବୁଲିଲି ..ବହୁତ କିଛି ଅଭିମାନ ଭରା ଅଭିଯୋଗ ବି କଲି..ହେଲେ ସେ ଏଡେ ବେଦରଦି  ଅବୁଝା ହେଇ ପୁଣି ଚାଲିଗଲା ଯେବେ ମୋର ନିଦ ଭାଙ୍ଗିଗଲା ..ମୁଁ ପୁଣି ତରତର ହେଇ କଲେଜ ବାହାରି ଗଲି ..ଫାଇନାଲି ଆଜି ତାକୁ ଆଉ ଟିକେ ନିକଟରୁ ଜାଣିବାର ଥିଲା..ସାଇକେଲ ଷ୍ଟାଣ୍ଡ ରେ ପହଞ୍ଚି ଅପେକ୍ଷା କରିଥାଏ ..ମାନ ଯେମିତି ଅପେକ୍ଷା ର ଗୋଟିଏ ଗୋଟିଏ ସେକେଣ୍ଡ ମୋ ପାଇଁ ଶତ ସହସ୍ର ବର୍ଷ ପରି ଲାଗୁଥାଏ...ଘଣ୍ଟା କଣ୍ଟା ଅନବରତ କୋଳାହଳ ସୃଷ୍ଟି କରି ଚାଲିଥାଏ.. ବାସ୍ ...ସେଇଠି ଅଟକି ଗଲା ସମୟ ର ଗୋଲାକାର ଗତିଚକ୍ର..ସେ ଆସୁଥିଲା..ପିଙ୍କ୍ କଲର୍ ସାଇକେଲ ରେ ଗୋଲାପି ଆଉ କଳା ସାଲୁଆର .. କଲେଜ ଡ୍ରେସ କୋଡ୍ ରେ..ପବନ ଯେମିତି ତା ଘନକଳା କେଶ ଛୁଇଁ ଦେଇ ନିଶାଗ୍ରସ୍ତ ହେଇଯାଉଥିଲା ..କଲେଜ ରାସ୍ତା ଦୁଇ ଧାର ଫୁଲ ମାନେ ତା ସୁନ୍ଦରତା ଆଗେ ଫିକା ପଡିଯାଉଥିଲେ.. ପାଗଳ ଭ୍ରମର ଗୁଡିକ ତ ଇର୍ଷା ରେ ଜଳିପୋଡି ପାଉଁଶ ହୋଇଯାଉଥିଲେ ... ଆଉ ମୁଁ ..?? ହତବାକ୍..ନୀରବ ..ନିଶ୍ଚଳ.. ସେମିତି ଚାହିଁ ରହିଥାଏ ..ସେ ଆସିଲା..ଷ୍ଟାଣ୍ଡ ରେ ସାଇକେଲ ରଖି କ୍ଲାସ୍ ରୁମ୍ କୁ ଚାଲିଗଲା ଆଉ ମୁଁ ...?? ସେଇଠି ସେମିତି ଠିଆ ହେଇଥିଲି... ଯେମିତି ଦାରୁଭୁତ ଶୁଷ୍କ କାଷ୍ଠ ଟିଏ .. ପୁଣି ପ୍ରତିକ୍ଷିତ ଯାତ୍ରୀ ଟିଏ ହୋଇ ଅପେକ୍ଷା କରି ରହିଲି ତାର କ୍ଲାସ୍ ଶେଷ ହେବା ଯାଏଁ .. ଦୁର୍ଭାଗ୍ୟବଶତଃ ସେଦିନ ସ୍ପୋଟିଂ ମିଟିଂ ପାଇଁ କ୍ଲାସ ବାତିଲ କରି ଦିଆଗଲା .. ସମସ୍ତେ ଅଡିଟରିଅମ୍ ଆଡକୁ ଅଗ୍ରସର ହେଉଥାଆନ୍ତି ମୁଁ ମଧ୍ୟ ଆଗେଇ ଚାଲିଲି ହଠାତ୍ ଦେଖିଲି ସେ ସେପଟେ ନ ଯାଇ ସାଇକେଲ ଷ୍ଟାଣ୍ଡ ଆଡକୁ ମାଡି ଆସୁଛି .. ମୁଁ ଅଟକି ଗଲି.. କହିଲି ରହିଯା ବେଟା..ଆଉ ଆଗକୁ ବଢନା ... ସେ ମୋତେ ଦେଖି ମୁରୁକି ହସି କହିଲା-"ହାଏ..ପ୍ରେସର୍ ..ଏଠି କଣ କରୁଛ..??ତୁମେ ମିଟିଂ ଯାଉ ନ କି..?"
-" କଣ କରିବି ..?? ଶତାଦ୍ଧି ର ଆରମ୍ଭ ରୁ ଏଯାଏଁ ତ ମୁଁ ତୁମକୁ ହିଁ ଅପେକ୍ଷା କରିଛି ..ଅବିରାମ ଅବିଚଳିତ ଭାବରେ ..ତମକୁ ଧରାଦେବା ପାଇଁ ..କେବେ ତୁମେ ଆସିବ ଆଉ ତୁମ ବାହୁ ବନ୍ଧନ ରେ ମୋତେ ଭିଡି ନେବ.."ଏମିତି କହିବାକୁ ଇଛା ହେଉଥିଲା ହେଲେ ମନକଥା ମନତଳେ ରଖି କହିଲି-" ସେଇ କଥା ଯଦି ମୁଁ ତୁମକୁ ପଚାରେ ..ତୁମେ ୟାଡେ କୁଆଡେ ..??"
-"ଆକ୍ ଚ୍ୱୁଆଲି..ମୋତେ ଏ ମିଟିଂ ଫିଟିଂ ରେ ବହୁତ ବୋର୍ ଲାଗେ ..ତେଣୁ ଚାଲି ଆସିଲି ..ଏବେ ରୁମ୍ କୁ ଚାଲିଯିବି.."
-"ଠିକ୍ ଅଛି ..ତେବେ ଚାଲ ମୁଁ ବି ରୁମ୍ କୁ ବାହାରି ଥିଲି.."
ଦୁହେଁ ସାଇକେଲ ବାହାର କରି ଆଗକୁ ଗଡେଇ ଚାଲିଲୁ.. ମୁଁ କିଛି କହିବା ଆଗରୁ ସେ କହିଲେ-"ଆରେ ତୁମ ନାଁ ଟା କଣ କହିଲନି ତ..??"
ମନେମନେ ମୁଁ କହିଲି କେତେବେଳେ ପଚାରିଲ ଯେ ମୁଁ କହିବି ..??
-" ଶିବ .."
-" ମୁଁ  ଜ୍ୱୋତି..."
ଏମିତି କଥାବାର୍ତ୍ତା ଧିରେ ଧିରେ ଆମ ଦୁହିଁଙ୍କ ଭିତରେ ଆଉ ଟିକେ ନିବିଡତା ସୃଷ୍ଟି କରୁଥାଏ । ଆମେ ବହୁତ ଆଗକୁ ବଢି ବଢି ଚାଲିଲୁ । ତା ପରଦିନ ଠାରୁ ଆଇସକ୍ରିମ- ଚକୋଲେଟ୍-ବାର୍ଥ ଡେ ଗିଫ୍ଟ-ମଜ୍ଜା-ଥଟ୍ଟା ଇତ୍ୟାଦି ଆମ ଭିତରେ ବଢି ଚାଲିଲା...ସେ ସମୟ ଟା ଯେମିତି ମୋ ଜୀବନ ର ସବୁଠାରୁ ଅଧିକ ସୁନ୍ଦର ,ଖୁସି ପ୍ରଦ  ଆଉ ରୋମାଞ୍ଚକର ମୁହୂର୍ତ୍ତ ଥିଲା । ପରୀକ୍ଷା ଶେଷ ହେବା ପରେ ମୁଁ ଆଉ ବିଳମ୍ବ କରିବାକୁ ଚାହୁଁ ନଥିଲି । ସେଦିନ ଖୁବ୍ ସାହାସ କରି କହିଲି -" ଜ୍ୱୋତି ,ତୁମକୁ ମୋର କିଛି କହିବାର ଅଛି..କାଲି ଟିକିଏ ପାର୍କ ରେ ଦେଖା କରିବ "
-" ଠିକ୍ ଅଛି .." କହି ସେ ଚାଲିଗଲା ।
ପରଦିନ ସଜବାଜ ହେଇ ଗୋଲାପ ଫୁଲତୋଡା ଟିଏ ନେଇ ପାର୍କ ରେ ଆଗରୁ ପହଞ୍ଚି ଯାଇଥିଲି । ସେ ମଧ୍ୟ ଠିକ୍ ସମୟରେ ଆସି ପହଞ୍ଚିଗଲା । ତା ହସହସ ଚେହେରା ଦେଖି ମୁଁ ବୁଝିଗଲି ମୋତେ ଗ୍ରୀନ୍ ସିଗନାଲ ମିଳିଗଲା । ମୁଁ କହିଲି-"ଜାଣିଛ ନା ଜ୍ୱୋତି..ମୁଁ ତୁମକୁ ଯେବେ ପ୍ରଥମେ ଦେଖିଲି ସେବେଠାରୁ ତୁମକୁ ପାଗଳ ପରି ଭଲ ପାଉଛି ..ଏକଥା ମଧ୍ୟ  ତୁମେ ଭଲଭାବରେ ଜାଣ..କିନ୍ତୁ ମୁଁ ତୁମ ମୁହଁ ରୁ ଏ ବିଷୟରେ ଶୁଣିବା ପାଇଁ ଚାହେଁ ..ଆଇ ଲଭ୍ ୟୁ ଭେରି ମଚ୍ ଜ୍ୱୋତି.." ଫୁଲତୋଡା ଟି ବଢେଇଦେଲି..ସେ ବି ହସି ହସି ନେଇ ଗଲା ..ଆଉ କହିଲା-" ମୋ ପ୍ରଶ୍ନର ଉତ୍ତର ଏଇ ଡାଏରୀ ରେ ଅଛି.." ଡାଏରୀ ଟିଏ ବଢେଇ ଦେଇ ସେ ଚାଲିଗଲା । ମୁଁ ଡାଏରୀ ଖୋଲି ଦେଖିଲି ସେଥିରେ ଲେଖାଥିଲା  "ମୁଁ ତୁମକୁ ବହୁତ ଭଲପାଏ ବାବୁ ...ତୁମେ ତ ମୋ "ଜୀବନ"...କିନ୍ତୁ ମୁଁ ତୁମକୁ ପ୍ରେମ କରିପାରିବି ନାହିଁ ..କାରଣ ବନ୍ଧୁ ହେଇ ରହିବାରେ ଯେଉଁ ଘନିଷ୍ଠତା ଅଛି ପ୍ରେମୀ ହେବା ପରେ ତାହା ନିଶ୍ଚିତ ଭାବରେ କମ୍ ପଡିଯିବ ..ଟିକିଏ ଟିକିଏ କଥାରେ ଦୁହେଁ ଦୁହିଁଙ୍କୁ ପ୍ରମାଣିତ କରିବା ପାଇଁ ଝଗଡ଼ା ଲାଗିବା..ପୁଣି ଏକାଠି ହେବା ..ପୁଣି ଝଗଡ଼ା କରିବା ..ବାସ୍ ..ଏଇ ବନ୍ଧୁତା ହିଁ ସବୁଠାରୁ ଭଲ ..ଏଥିରେ ତ ସବୁକିଛି ଅଛି..ଯାହାସବୁ ପ୍ରେମ ରେ ଅଛି..କେବଳ ଭଲପାଇବା ହିଁ ଭଲପାଇବା ..ନା ଅଛି ନିଜ ଅଧିକାରକୁ ସାବ୍ଯସ୍ତ କରିବାର ସ୍ପୃହା ନା ସଦ୍ଦିଛ୍ଛା...ଅଛି ତ କେବଳ ଭଲପାଇବା ହିଁ ଭଲପାଇବା ...ଆଶା ତୁମେ ମୋତେ ବୁଝି ପାରିବ ... ଗୋଟିଏ ମିନିଟ୍ ରେ ମୋର ସବୁକିଛି ସ୍ୱପ୍ନ ଭାଙ୍ଗି ଚୁରମାର ହେଇ ଧୂଳିସାତ୍ ହେଇଗଲା । ସେଦିନ ଠାରୁ ମୁଁ ତା ସହିତ ସହଜ ହେବା ପାଇଁ ବହୁତ ଚେଷ୍ଟା କରିଛି ହେଲେ ଏ ମନ ଏ ହୃଦୟ କୁ ବୁଝେଇ ପାରିନି.. ସେ ମୋ ସହିତ କିଛି ଦିନ ଠିକ୍ ଆଗ ପରି ମିଶିଥିଲା କିନ୍ତୁ ମୋ ଗମ୍ଭୀରତା ଆଗରେ ବେଳେବେଳେ  ସେ ହାର୍ ମାନି ଏକୁଟିଆ ମନେ କରୁଥିଲା ।ଆଉ ମୁଁ ଚାଲି ଆସିଥିଲି ସମ୍ପର୍କରେ ପ୍ରଶ୍ନ ଟିଏ ଛାଡି ଦେଇ . । ଏ କେମିତିକା  ବନ୍ଧନ...????

ଶିବ ଚରଣ ମହାପାତ୍ର 
ଚକ୍ରଧରପୁର, କେନ୍ଦୁଝର 
Sent from my Samsung Galaxy smartphone.

0 Comments