ପ୍ରବନ୍ଧ - କଥାରେ ଆଗଭର କାମକୁ ଡର - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - କଥାରେ ଆଗଭର କାମକୁ ଡର - ସନ୍ତୋଷ କୁମାର ମହାନ୍ତି



ସମସ୍ତେ କହନ୍ତି ଦୁନିଆ ଟଙ୍କାରେ ଚାଲିଛି | ଏଇଟା ନିରାଟ ସତ କଥା | କିନ୍ତୁ ଟଙ୍କା ସବୁଠି କାମ ଦିଏନାହିଁ | ମଣିଷର କଥା ଓ କାମ ଦୁନିଆକୁ ଚଳାଉଛି | ଗଭୀର ଭାବରେ ଦେଖିଲେ କଥା, କାମରେ ଦୁନିଆର ପ୍ରଗତି ଓ ପରିବର୍ତ୍ତନ ବନ୍ଧା | ଆଜି ମଣିଷ ଯୋଉ ସ୍ତରରେ ପହଂଚିପାରିଛି ତାହା ତାର ଉତ୍ତମ କର୍ମ ଯୋଗୁ ସମ୍ଭବ ହୋଇପାରିଛି | ତା ସହିତ ଲେଖା ଓ ଲିପିର ଉଦ୍ଭାବନ ଯୋଗୁ ମଣିଷ ଆଜି ତାର ଜ୍ଞାନ, ଚିନ୍ତାଧାରା ଓ ଅନେକ କଥାକୁ କାଗଜରେ ଲେଖି ଓ ଅନ୍ୟମାନଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇ ପ୍ରଗତିର ଧାରାକୁ ଆଗକୁ ନେଇ ପାରିଛି | କଥାରେ ଅନେକ ତାଜମହଲ ଗଢି ହେବ କିନ୍ତୁ ପ୍ରକୃତ ପକ୍ଷେ ବାସ୍ତବ ତାଜମହଲ ଠିଆ କରିବା ଏତେ ସହଜ ନୁହେ |

ଆମ ଭାରତ କର୍ମର ଭୂମି | ଏହି ମାଟି ତ୍ୟାଗ ଓ ବଳିଦାନର କଥା କୁହେ | ଭାରତରେ ଇତିହାସ କୁହେ ଏଠି କାମିକା ଲୋକର ଅଭାବ ନଥିଲା | କିନ୍ତୁ ଭାରତ ଯେତେ ପ୍ରଗତି କରୁଛି କାମିକା ଲୋକଙ୍କ ସଂଖ୍ୟା କମୁଛି ଆଉ କଥା କୁହା କପିଳାଙ୍କ ସଂଖ୍ୟା ବଢି ଚାଲିଛି | ଆଜିର ଦିନରେ ଆପଣ ନିଜ ଘରେ ପାଣି ଗ୍ଲାସଟିଏ କାହାକୁ ମାଗିବେ ସିଏ ଆଉ ଜଣକୁ କହିବ |ସେ ଲୋକଟି ଆଉ ଜଣଙ୍କୁ କହିବ |ଏମିତି କଥା ଯାଇ ପାଞ୍ଚ ଜଣଙ୍କ ପାଖରେ ପହଂଚିବ କିନ୍ତୁ ଆପଣ ପାଣି ପିଇ ପାରିବେ ନାହିଁ | ଆଜିର ଦିନରେ ଅଧିକାଂଶ ଲୋକ କଥାରେ ସୁନ୍ଦର ପୃଥିବୀ ଗଢୁଛନ୍ତି କିନ୍ତୁ କାମରେ ଭାରି ଭୀରୁ | କିନ୍ତୁ ଯିଏ ପ୍ରକୁତ କାମିକା,କଥାକୁ ଏତେ ଗୁରୁତ୍ୱ ନ ଦେଇ ନିଜର କାମରେ ମଗ୍ନ ଅଛି ସେମାନଙ୍କ ଉପରେ ଏ ଦୁନିଆର କଥାକୁହା ଓ କାମଚୋର ଲୋକଙ୍କ ଅତ୍ୟାଚାର ବଢିଚାଲିଛି | କାମିକା ଲୋକଟି ଏଠି ନାନା ଯନ୍ତ୍ରଣାରେ ସଢୁଛି |ପର ଗୋଡଟଣାର ଶିକାର ହେଉଛି | ଏପରିକି ବାସ୍ତବ କ୍ଷେତ୍ରରେ ନିଜସ୍ୱ ଚେଷ୍ଟା ବଜାୟ ରଖିଥିବା ଲୋକଟି କଥାକୁହା ଲୋକଙ୍କ ନାନା ଫନ୍ଦିଫିକର ଭିତରେ ପେଶୀ ହେଇଯାଉଛି | କର୍ମ କ୍ଷେତ୍ରରେ ପଛୁଆ, ଅନେକ ଲୋକଙ୍କ ବାକଚାତୁରୀ ଦେଖିଲେ ଯେ କେହି ଭାବିବ ସତରେ ସମାଜରେ ପ୍ରଗତି ବୋଧେ ଅନ୍ୟ କାହାର ଅଳସୁଆପଣ ଯୋଗୁ ଅଟକି ଯାଇଛି | ଯୋଉମାନେ ଏ ସମାଜରେ ଏଇଟା ଆମର କରିବାର ଥିଲା,ଏଇଟା କରିବା ଉଚିତ,ସମସ୍ତେ ମିଶି ଆଗେଇଯିବାର ବେଳ ଆସିଛି, ଆସ ଆମେ ସମସ୍ତେ ପ୍ରଗତିର ରଥକୁ ଆଗକୁ ଆଗେଇ ନେବା ବୋଲି ଭାଷଣବାଜି କରନ୍ତି ବାସ୍ତବ କ୍ଷେତ୍ରରେ ସେମାନଙ୍କ ନିଷ୍ଠା ଓ ଶ୍ରମଦାନ ପୁରା ଶୂନ | ଯୋଉଁମାନଙ୍କ ହାତରେ ଆଜି କ୍ଷମତା ଅଛି, କିଛି କରି ଦେଖେଇବାର ସାମର୍ଥ୍ୟ ଅଛି ସେମାନେ ଯଦି କୁହାମୁଣ୍ଡା କପିଳା ସାଜିବେ ତେବେ ସମାଜର ଅନ୍ୟ ସ୍ତରର ଲୋକଙ୍କୁ କଣ କହିବେ ?

ସତରେ ଆଜିର ସମୟରେ କଥାକୁହା ଲୋକଗୁଡ଼ାକ ଭାଉରେ ଗଗନ ପବନ ପ୍ରକମ୍ପିତ ହେଉଛି | ଆଉ ଏମାନଂକୁ ଆମେ ଗାଁ,ସହର,ଗଳି,କନ୍ଦି ସବୁଠି ଦେଖୁ | ଗାଁ ମଣ୍ଡପ ହେଉ ବା ସହରର ଚା ଖଟି ,କଥାକୁହା ଲୋକଙ୍କ ଆଲୋଚନା ଶୁଣିଲେ ଭାରତର ଭାଗ୍ୟ ଆଜି ସେମାନଙ୍କ ହାତରେ ଅଟକି ଯାଇଛି ବୋଲି ଭାବିବେ | ଏ ସମାଜର କଥାକୁହା ଲୋକମାନେ ସତକୁ ସହଜରେ ମିଛ କରିପାରନ୍ତି ଆଉ ଦୁନିଆ ଆଖିରେ ଆଙ୍ଗୁଠି ଗେଂଜି ନିଜ ଗୋଡ଼କୁ ହଳଦିଆ କରିବା ଭଲ ଜାଣନ୍ତି | ଆଉ କିଛି ଲୋକ ଏତେ ଊଂଚ ସ୍ୱରରେ ନିଜ କଥା ଗୁଡାକ କୁହନ୍ତି ଆପଣ ଭାବିବେ ଏଇ ଲୋକଟା ପ୍ରକୃତରେ ବିଧାନସଭା,ରାଜ୍ୟସଭା ଯିବାର ଥିଲା ଏଠି କେମିତି ରହିଗଲା | ସରକାରୀ ବା ବେସରକାରୀ କ୍ଷେତ୍ର ଯାହାବି କୁହନ୍ତୁ କଥା କୁହାଲୋକଟି ସବୁଠି ନିଜ ବାଜି ମାରି ନେଉଛି | କିଛି କାମିକା ଲୋକଙ୍କ ଯୋଗୁ ବିଭିନ୍ନ ପ୍ରତିଷ୍ଠାନରେ କିଛି କାମ ହେଉଛି ଆଉ ଆମ ପ୍ରଗତିର ରଥ ଗଡୁଛି |କିନ୍ତୁ କାମିକା ଲୋକଟି ନିଜ ତ୍ୟାଗ ଓ କର୍ମର ମୂଲ୍ୟ ପାଉନି | ଆଉ ଚତୁର ଲୋକମାନେ କାମିକା ଲୋକର ଶ୍ରମକୁ ପାଥେୟ କରି ନିଜେ ଫୁଲମାଳ ପିନ୍ଧୁଛନ୍ତି ଆଉ ସବୁ ସୁବିଧା ସାଉଣ୍ଟିଛନ୍ତି | କାମିକା ଲୋକଟି ପଛରେ ପଡି ଯାଉଛି | ଏଇ ଦେଶରେ ଗୋଟେ କଥା ଭାରି ଆଚମ୍ବିତ ଲାଗେ ଏଠି ଜ୍ଞାନ ଥାଉ ବା ନଥାଉ କଥା କହିବାର ଚାତୁରୀ ଜାଣିଲେ ବେସରକାରୀ ସ୍ତରରେ ଭଲ ଚାକିରୀ ମିଳୁଛି |ଆଉ ତା ସହିତ କଥାର ଚାତୁରୀରେ ଏ ସମାଜକୁ ଦିନରେବି ଲଣ୍ଠନ ଦେଖେଇ ହେଉଛି |

ଏଇ ଦୁନିଆରେ ଏମିତି ଲୋକ ଅଛନ୍ତି କୋଉଠି କଣ କୁହନ୍ତି ସେମାନେ ଜାଣି ପାରନ୍ତି ନାହିଁ | ଏପରିକି ସେହି ଲୋକମାନେ ନିଜ କଥାକୁ ଏତେ ଯୁକ୍ତିଯୁକ୍ତ ଭାବନ୍ତି ସେମାନଙ୍କ କଥା ଯଦି ଗ୍ରହଣୀୟ ନ ହେଲା ତେବେ ଖଣ୍ଡ ପ୍ରଳୟ ହେଇଯାଏ |ଆଉ କିଛି ଅଛନ୍ତି ସେମାନଙ୍କ କଥା କିଏ ଶୁଣୁ ବା ନ ଶୁଣୁ ପରକୁ ଶୁଣେଇ କହି ହେଉଥିବେ ଆଉ ଅଯଥା ବିଭିନ୍ନ ସ୍ଥାନରେ ଶବ୍ଦ ପ୍ରଦୂଷଣ କରୁଥିବେ କଥାରେ ଅଛି ବଚନେ ଦରିଦ୍ରତା କରିବା ନାହିଁ | କିନ୍ତୁ ତା ବୋଲି ନୁହେଁଯେ ପ୍ରୟୋଜନ ନ ଥାଇ ଅଯଥା କଥା ପୁଳାଏ କହିବି ଆଉ ସେ କଥାଟା ସେ ସ୍ଥାନ ଓ ପରିସ୍ଥିତିରେ ଗ୍ରହଣୀୟ କି ନାହିଁ ତାର ବିଚାର କରିବି ନାହିଁ | ଏବେ ଯୋଉ ଆଡେ ଦେଖିବା ବାକ୍ୟ ବୀରଙ୍କ ସଂଖ୍ୟ| ଖୁବ ଅଧିକ | କିନ୍ତୁ କର୍ମବୀରଙ୍କ ସଂଖ୍ୟା ନଗଣ୍ୟ | ଏବେ ଜ୍ୱାଇଁ ଖୋଜା ହେଲେବି ଗୋଟେ କଥାକୁ ଶଶୂର ଘର ଲୋକ ଆଗେ ଦେଖୁଛନ୍ତି | ଜ୍ୱାଇଁ ଯୋଉ ଚାକିରୀ କରୁଛି ସେଠି ବେଶୀ ଖଟଣି ଅଛି ନା ଜ୍ୱାଇଁ ବସି ଶୋଇ ପଇସା ଆଣୁଛି | ଏବେ ଦେଖା ଗଲାଣି ଅନେକ ପିଲାଙ୍କ କ୍ୟାରିଅର ବହୁତ ଭଲ | କିନ୍ତୁ ଯେତେବେଳେ ଚାକିରୀ ଜୀବନ ଆରମ୍ଭ କରୁଛନ୍ତି କର୍ମ ବିମୁଖ ହେଇଥିବାରୁ ଚାକିରୀ ଛାଡି ଘରେ ବସି ନିଜ ଭବିଷ୍ୟତ ଖରାପ କରୁଛନ୍ତି | ଆମେ ବିଭିନ୍ନ ସଭା,ସମିତି,ଆଲୋଚନା ଚକ୍ର ଓ ସମାବେଶରେ କଥାକୁହା ଲୋକଙ୍କୁ ବେଶୀ ଦେଖୁ | କିନ୍ତୁ ସେମାନଙ୍କୁ ଭିତରୁ ଅଶୀ ପ୍ରତିଶତ ଲୋକଙ୍କ ଆଚରଣ ଓ ଉଚ୍ଚାରଣ ଭିତରେ ଆପଣ ଆକାଶ ପାତାଳ ଫରକ ଦେଖିବେ ଆଉ ଦେଖି ପାରୁଥିବେ | ଯିଏ ଏଠି ରାତି ଅଧରେ ଜଙ୍ଗଲକାଟି ବେପାର କରେ ସିଏ ଗଛ ଲଗେଇବା କଥା କୁହେ | ଆଉ ଯୋଉମାନେ ନିଜ ପିଲାଙ୍କୁ ସବୁଠୁ ବଡ ଦାମିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାନ୍ତି ସେମାନେ ଏଠି ଓଡ଼ିଆ ଭାଷା ପ୍ରେମ କଥା କହି ନିଜର ଆଖିରୁ ଲୁହ ଗଡାନ୍ତି |

ଭାରତର ଶାସନ ତନ୍ତ୍ରରେ ଆମେ ଏତେ କଥା କୁହା କପିଳାଙ୍କୁ ଭେଟୁଯେ ସେମାନେ ହାତୀ ନେ,ଘୋଡା ନେ କହି ଶାସନ ଗାଦିରେ ବସି ଆମକୁ କଥାର ମୋହରେ ବାନ୍ଧିଥାନ୍ତି | ଆମେ ସେମାନଙ୍କ କଥାରେ ଏତେ ଭାସି ଯାଉ ଯେ ଆମ ପେଁକାଳି କିନ୍ତୁ ବାଜେ ନାହିଁ | ରାଜନୀତିର ମଙ୍ଗ ଧରି ଆମକୁ ଶାସନ କରୁଥିବା ଅନେକ ନେତା ଓ ସେମାନଙ୍କ ଅନୁଗତ ଗୋଟିଏ ଦଳରେ ଗାଦି ମାଡି ଅନେକ ଦିନ ରୁହନ୍ତି | ସେଠି ଥିଲାବେଳେ ସେ ସେହି ଦଳର ନୀତି ଆଦର୍ଶର କଥା ଏତେ କୁହନ୍ତି ଯେ,ଆମେ ତାଙ୍କର ଦଳ ପ୍ରତି ଆନୁଗତ୍ୟକୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହେଉ | କିନ୍ତୁ ସେହି ନେତା ମାନଙ୍କ ଭିତରୁ କିଛି ସ୍ୱାର୍ଥରେ ବାଧା ହେଲା ପରେ ଯୋଉ ଦଳକୁ ନେଇ ଆମକୁ ନୀତି ଓ ଆଦର୍ଶର ଅନେକ କଥା କହିଥିଲେ ସେହି ଦଳ ତାଙ୍କ ପାଇଁ ଅଲୋଡ଼ା ହେଇପଡ଼େ ଆଉ ସେ ଠିକ ଓଲଟା କାମ କରି ବସନ୍ତି | ଯୋଉଟା ଆମକୁ ହଜମ ହୁଏନା | ଏଇ ଦେଶ ଅନେକ ନେତା ,ମନ୍ତ୍ରୀକୁ ଦେଖିଲାଣି |କିଏ କଥାରେ ବୀର ଆଉ କିଏ କାମରେ ବୀର ସେଇଟା ଆମେ ବହୁତ ପରଖି ସାରିଲେଣି | ତାପରେ ବି ଆମେ ଯଦି ସେଇ ନେତା ଯୋଉମାନେ କଅଁଳିଆ ,ମନଲୋଭା କଥା କହି ଆମ ଅଂଚଳର ପ୍ରଗତି ପାଇଁ ନାନା ପ୍ରତିଶୁତିର କଥା ଦେଇ ପାଞ୍ଚ ବର୍ଷ ଭିତରେ କିଛି କରୁନାହାନ୍ତି ତାଙ୍କୁ ଯଦି ଆମେ ପୁଣି ମୁଣ୍ଡରେ ବସାଉଛେ ତେବେ ଏଇଟା ବୁଝିବାକୁ ହେବ ଯେ, ଆମେ ସାଧାରଣ ନାଗରିକ କଥାରେ ଯାହା କହୁଛେ କାମରେ କରି ଦେଖେଇ ପାରୁନେ | ଏବେ ଆମେ ବିଜ୍ଞାପନର ଯୁଗରେ ବଞ୍ଚିଛୁ |ଯିଏ ନିଜକୁ ଯେତେ ବିଜ୍ଞାପିତ କରିପାରିଲା ଆଜିର ଦିନରେ ସିଏ ସେତେ ଆଗରେ | ସେଥିପାଇଁ ଭଲ ଉତ୍ପାଦ ଗୁଡିକ ବଜାରରେ ପଡି ରହିଛି ଆଉ ଖରାପ ସାମଗ୍ରୀ ଗୁଡିକ ବିକ୍ରି ହେଉଯାଉଛି | ଠିକ ସେମିତି ଏଇ ଦେଶର ଅନେକ ଲୋକ ସେମାନଙ୍କ ଯୋଗ୍ୟତା,ଦକ୍ଷତା ଓ ଅଭିଜ୍ଞତା ଯାହା ଥାଉନା କାହିଁକି ନିଜକୁ ବଢ଼େଇ କୁଢ଼େଇ ବହୁତ କହନ୍ତି | କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନଙ୍କ କାମର ପ୍ରତିଫଳନ ଏତେ ଦେଖିବାକୁ ମିଳେନା | କିନ୍ତୁ ସେହି ଭଳି ଲୋକମାନେ ଶିକ୍ଷା, ସାହିତ୍ୟ, ଲୋକସେବା, ସ୍ୱାସ୍ଥ୍ୟ ଭଳି ଅନେକ କ୍ଷେତ୍ରରେ ନିଜ ପାଞ୍ଚ ପ୍ରତିଶତ ସଫଳତାକୁ ପଚାଶ ପ୍ରତିଶତ କହି ପୁରସ୍କାର ସାଉଁଟି ଥାନ୍ତି |ଏଣେ କାମିକା ଲୋକଟି ତାକୁ କିଏ ଦେଖୁଛି ବା ଆଗକୁ ତା କାମ ପାଇଁ କିଏ ପୁରସ୍କୃତ କରିବ ସେ ଚିନ୍ତା ନକରି ନିଜ କର୍ମ ପରିସର ଭିତରେ ଗୋଟେ ସୁନ୍ଦର ସମାଜ ଆମ ପାଇଁ ଗଢି ଚାଲିଥାନ୍ତି |

କଥା ସବୁ ପବନରେ ଉଡ଼ିଯାଏ | ଆଉ କାମ ହିଁ ସମସ୍ତଙ୍କୁ ସଦା ପ୍ରେରଣା ଦିଏ | ଏକ ହଜାର ଶବ୍ଦ ଯେତେ ପ୍ରେରିତ କରି ପାରେନା ଜଣକ ସୁକର୍ମ କୋଟି ଜନଙ୍କୁ ଆଗକୁ ଯିବାର ସାହସ ଦିଏ | ସେଥିପାଇଁ କୁହାଯାଇଛି ଯେ ପକ୍ଷୀ ଉଡେ ଯେତେ ଦୂର ,ସେ ଜାଣେ ତହିଁର ବେଭାର | କିନ୍ତୁ ଆଜିର ଦିନରେ କାମ ପାଇଁ ସମୟର ଅଭାବ ଦେଖାଇ ଆମେ ଘଣ୍ଟା ଘଣ୍ଟା ମୋବାଇଲରେ ଗପୁଛେ ,ଚାଟିଙ୍ଗ କରୁଛେ | ଖଟିରେ ବସୁଛେ | ଏଣେ ଜମି ପଡିଆ ପଡ଼ିଲାଣି | ଘରବାଡ଼ିରେ ଆଉ ପନିପରିବା ହେଉନି | ଆଉ ଯୋଉମାନେ କର୍ମକୁ ଈଶ୍ୱର ସମ ମଣିଛନ୍ତି ସେମାନେ ନିଜ ଦେହର ଝାଳ ପୋଛି ସୁଖରେ ଅଛନ୍ତି | ସେମାନେ କାହାର ହାତ ଟେକା ଆଉ ପରଶ୍ରୀକାତର ହେଇ ବଂଚି ନାହାନ୍ତି | ଏଠି କଥାର ସଦା ମସଗୁଲ ହେଇ ଆମେ କଣ ପାଇଛେ ଆଉ କାମ କରି କଣ ପାଉଛେ ଯଦି ସୁସ୍ଥ ମନରେ ବିଚାର କରନ୍ତେ ଆମେ ଏତେ ବାକ୍ୟ ବୀର ହୁଅନ୍ତେ ନାହିଁ |

ନବଜୀବନ ସମାଜ,
ସଫା, କଟକ - ୭୫୪୦୨୨
ଦୂରଭାଷ -୯୭୭୭୭୬୬୩୪୬

0 Comments