ଶିଶୁଗଳ୍ପ - ଗଛଟିଏ ରୁଅ ଜୀବନ ଜୀଅଁ - ନାରାୟଣ ଚନ୍ଦ୍ର ସେନାପତି

ଶିଶୁଗଳ୍ପ - ଗଛଟିଏ ରୁଅ ଜୀବନ ଜୀଅଁ - ନାରାୟଣ ଚନ୍ଦ୍ର ସେନାପତି

ବଗିଚାର କେତେକ ଗଛକୁ ଧାରୁଆ ଟାଙ୍ଗିଆରେ ହାଣୁ ଥିବାର ଦେଖି ବିଜୟ ବାବୁ ଚଢା ଗଳାରେ କହିଲେ, ଆରେ ମନୁଆ, ଗଛଗୁଡ଼ାକ କାହିଁକି ହାଣିଦେଉଛୁ । ଏ ଗଛ ପରା ଆମ ଜୀବନ ।

- ମନୁଆ କହିଲା ନାଁ ବାପା, ମୁଁ କେବଳ ଅଦରକାରୀ ଗଛ ଗୁଡାକୁ କାଟି ପକାଉଛି ।
- ଗଛ ! ପୁଣି ଅଦରକାରୀ ! ଏଭଳି ଅଜବ କଥା ତୋ ମୁଣ୍ଡରେ କିଏ ପୁରାଇଛି କହିଲୁ ?

ମନୁଆ କହିଲା ବାପା, ଆଜି ଆମ ବିଦ୍ୟାଳୟକୁ ମିଶନର ଜଣେ ବାବା (ସନ୍ନ୍ୟାସୀ) ଆସିଥିଲେ । ତାଙ୍କ ବକ୍ତବ୍ୟରେ ସେ କହୁଥିଲେ, "ଯେଉଁ ଲୋକମାନେ ଆମର ମଙ୍ଗଳ କରନ୍ତି ନାହିଁ, ସେମାନଙ୍କ ପାଇଁ ଏ ପୃଥିବୀରେ ସ୍ଥାନ ନାହିଁ, ଆଉ ଯେଉଁ ଗଛ ଆମର ଉପକାରରେ ଆସନ୍ତି ନାହିଁ ସେଗୁଡିକୁ  ରଖି ବଗିଚା ମଇଳା କରନ୍ତୁ ନାହିଁ ।" ବିଜୟ ବାବୁ କହିଲେ, ଆରେ ତୁ ପରା ଷଷ୍ଠ ଶ୍ରେଣୀରେ ପଢିଛୁ, ଚରକ ତାଙ୍କ ଗୁରୁଙ୍କୁ କଣ କହିଥିଲେ, "ଗୁରୁଦେବ, ଏ ସଂସାର ସାରା ବୁଲି ଆସିଲି, ସବୁ ଗଛ ଲତା ପରୀକ୍ଷା କଲି, ଅନୁଧ୍ୟାନ କଲି ହେଲେ କେଉଁ ଉଦ୍ଭିଦ ଅଦରକାରୀ ପାଇଲି ନାହିଁ ।" ମୁଁ ପରା ତୋତେ ଶୁଣାଇଛି ପୁରାଣର ସେହି ମହନୀୟ ବାଣୀ, "ଶହେ ଗୁଣବାନ ପୁତ୍ର ଜନ୍ମ ଦେବା ଅପେକ୍ଷା ଗୋଟିଏ ବଡ଼ ବୃକ୍ଷ ବଞ୍ଚାଇ ବଢ଼ାଇ ପ୍ରକୃତିକୁ ଦେଲେ ଅଧିକ ପୁଣ୍ୟଫଳ ମିଳିବ ।" ଖାଲି ସେତିକି ନୁହଁ ବୈଜ୍ଞାନିକମାନେ ପରୀକ୍ଷା କରି ଏହି ସିଧ୍ୟାନ୍ତରେ ପହଞ୍ଚିଛନ୍ତି ଯେ "ଗୋଟିଏ ପରିପକ୍ୱ ବଡ଼ ଗଛ ତା ଜୀବନ କାଳ ଭିତରେ ଆମକୁ ସାଢ଼େ ସତର ଲକ୍ଷ ଟଙ୍କାର, ଏସବୁ  ଉପକାର ଦେଉଛି" । ଏସବୁ ଜାଣିଲା ପରେ ତୁ ଜଣେ ସନ୍ନ୍ୟାସୀଙ୍କ କଥାରେ ଏ ନିରୀହ, ବଦାନ୍ୟ ବୃକ୍ଷକୁ ପୂଜା ନକରି କାଟି ଦେଉଛୁ !

- ହଁ ବାପା, ଏସବୁ ମୁଁ ପଢ଼ିଛି, ଶୁଣିଛି ଭାବୁଛି ଏସବୁ କେବଳ ଭାଷଣ, ଲିଖନ.. ହେଲେ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ଏ ବାଣୀ କଣ ମୂଲ୍ୟବାନ ?
ଆରେ ମନୁଆ, ତୁ ତ ଜାଣିଛୁ ଗଛ ଆମକୁ ଖାଦ୍ୟ, ବସ୍ତ୍ର, ବାସଗୁହ ଓ ଏହାପାଇଁ ଜିନିଷ, ଜାଳେଣି, ଔଷଧ ଏସବୁ ଦେଇଥାଏ । ମନବୋଧ ଆମୋଦ ପାଇଁ, ପୂଜାପାଇଁ ଉଦ୍ୟାନର ଫୁଲ ଦେଇଥାଏ । ଅବଶ୍ୟ କେତୋଟି ଗଛର ଫୁଲ କି ଫଳ ନଥାଏ ହେଲେ ଅମ୍ଳଜାନ ତ ଦେଇଥାଏ । ମା ତାର ପଣତକାନି ଯେମିତି ଆମକୁ ଘୋଡାଇ ଓ ଛତା ପରି ଉପରେ ଟାଙ୍ଗି ଖରା, ବର୍ଷାରୁ ରକ୍ଷା କରେ, ଧୂଳି ମଳିରୁ ଦୁରେଇ ରଖେ, ଏ ଗଛ ପରା ଛାଇ ଦେଇ ଦ୍ୱିତୀୟ ମାଆ ର କର୍ତ୍ତବ୍ୟ ଲିଭାଏ । ତୁ ତ ପଢିଥିବୁ ପଚାଷଟି ପତ୍ର ଥିବା ଗଛଟିଏ ଦିନକୁ ଅତିକମରେ ଏକ ଲିଟର ଜଳୀୟବାଷ୍ପ ବାୟୁମଣ୍ଡଳକୁ ଛାଡେ।ଯେଉଁ ଉତ୍ସେଦନ ପ୍ରକ୍ରିୟା ପାଇଁ ହିଁ ସେ ପରୋକ୍ଷରେ ବର୍ଷା ଢାଳି ଖାଲି ଆମକୁ ନୁହଁ ଖାଦ୍ୟ ପାନୀୟ ଦେଇ ଏ ସୃଷ୍ଟିକୁ ଜୀଵଦାନ ଦେଇଛି । ଏମିତିକି ଛୋଟିଆ ଦୁବଘାସଟିଏ ସାଥିସହ ମିଶି ମାଟିକୁ ଜାବୁଡି ଧରି ମୃତ୍ତିକା ସଂରକ୍ଷଣ କରନ୍ତି । ବଡ଼ ବଡ଼ ବୃକ୍ଷବି ନଦୀକୂଳ ସମୁଦ୍ରକୂଳରେ ରହି ବନ୍ୟା, ସୁନାମୀ, ଜୁଆର ସ୍ରୋତକୁ କାବୁ କରି ଆମକୁ ସୁରକ୍ଷା ଦିଅନ୍ତି।ଝଡ଼, ବାତ୍ୟା, ମହାବାତ୍ୟା ଯେତେବେଳେ ବୀରଦର୍ପରେ ଗର୍ଜ୍ଜନ କରି ମାଡି ଆସେ ଏ ବୃକ୍ଷମାନେ ପରା ସମ୍ମୁଖ ଯୁଦ୍ଧ କରି କଡା ଜବାବ ଦିଅନ୍ତି, ଏପରିକି ନିଜେ ଧରାଶାୟୀ ହୋଇଯାଆନ୍ତି ପଛେ ହେଲେ ଆମକୁ ଛତ୍ର ଛାୟା ତଳେ ସୁରକ୍ଷିତ କରନ୍ତି । ଖାଲି ସେତିକି ନୁହଁରେ ମନୁଆ ଆମେ ଯେଉଁ ଦୂଷିତ ଅଙ୍ଗାରକାମ୍ଳ ଛାଡୁ, ରୋଷେଇ ଗାଡି ମଟରରୁ ଧୁଆଁ ଛାଡୁ, ମୁର୍ଖପରି କରି, ପଲିଥିନ, ଅନାଵନା, ମଢ ପୋଡି ବିଷାକ୍ତ ଧୂଆଁ ଛାଡୁ, ଏପରିକି କଲକାରଖାନାର ଅଙ୍ଗାରକାମ୍ଳ,କାର୍ବନ ମନୋକ୍ସାଇଡ଼ ବାଷ୍ପ ଛାଡୁ ଯାହା ଦ୍ୱାରା କେତେ ଅସାଧ୍ୟ ବାୟୁବାହିତ ରୋଗର ଶିକାର ହେବା କଥା ସେ ପରା ସେ ବାଷ୍ପଗୁଡାକୁ ଆନନ୍ଦରେ ଶୋଷି ପରିବେଶକୁ ବିଶୁଦ୍ଧ କରେ ଓ ଆମକୁ ସୁସ୍ଥ ନିରୋଗ ରଖେ, ବଞ୍ଚାଏ । ଖାଲି କଣ ସେତିକି,  କାଠର ଯେତେ ସରଞ୍ଜାମ ଇପଯୋଗ ଦେଖୁଛୁ ସେ ପରା ଆମକୁ ଦାନ କରେ । ଏଇମିତି ଦୋଳି, ଡଙ୍ଗା, ନିଆଁ ଏଇମିତି ସବୁ ବି ଦିଏ । ସକାଳୁ ଉଠି ଘର ଆଗରେ ବଗିଚାର ସବୁଜ ଗଛ ଓ ସେଥିରେ ଫୁଟା ସଜଫୁଲ କି ମନଲୋଭା । ଦିନଯାକ ପରା ଆନନ୍ଦର ଢେଉ ଖେଳାଇ ଦିଏ । ତୁ ଭାବୁଛୁ ଏ ବାଇଡଙ୍କ, ବିଛୁଆତି ଅଦରକାରୀ ! ଆରେ ନାଁ ପଦାର୍ଥ ବିଜ୍ଞାନୀ ମାନେ ପରା ସେଥିରୁ ବଡ଼ ଔଷଧର ସନ୍ଧାନ ପାଇଛନ୍ତି । ଏଥର କହିଲୁ କିଛି ଗଛ କଣ ଅଦରକାରୀ ?

ମନୁଆଁର ମସ୍ତିଷ୍କରେ ଆଉ କିଛି ବି କୁଶଳୀ ଉତ୍ତର ନ ଥିଲା ବାପାଙ୍କ ଉକ୍ତିକୁ ପ୍ରତିରୋଧ କରିବାକୁ । ହେଲେ ଖାଲି କହିଲା ବାପା ଜଙ୍ଗଲକୁ ଗହଳି ନକରି କିଛି କାଟିଦେଲେ ଅସୁବିଧା କଣ ? ବାପା କହିଲେ, ହଁ ଆଗରୁ ମୁ ତ ତୋତେ ସବୁ କହିଲିନି ହେଲେ, ଘଞ୍ଚ ନ ହେଲେ ହିଂସ୍ରଜନ୍ତୁ ରହିବେ କିପରି, ସେମାନେ ନ ରହିଲେ ଆମ ଐତିହ୍ୟ ଆଉ ପରିବେଶ ବଞ୍ଚିବ କିପରି ?

- ତୁମେ ଠିକ୍ କହିଲ ବାପା, ହେଲେ ସେ ସନ୍ନ୍ୟାସୀ ଏମିତି କହିଲେ କାହିଁକି ? ସେ ଜଣେ ନିପଟ ମୂର୍ଖ ହୋଇଥିବେ ନିଶ୍ଚୟ ।
- ବାପା କହିଲେ ନାଁ ମନୁଆ, ସେ ଏ ଗଛର ଏତେ ଗୂଢ ତତ୍ତ୍ୱ ଅଛି ବୋଲି ତା ରହସ୍ୟ ଜାଣିନାହାନ୍ତି । ଏ ତଥ୍ୟରେ ସବୁ ବିଷୟବସ୍ତୁ ଅଛି ନା । ତାପରେ ଗଛ ଆମ ପରି ସଜୀବଟିଏ, ଯାହାର ଜୀବନ ଅଛି । ଆମେ ତାକୁ ଭଲ ପାଇଲେ, ଆଦର କଲେ, ଯତ୍ନ ନେଲେ, ତାକୁ ସୁରକ୍ଷା ଦେଲେ, ତା ବିଷୟରେ ଆହୁରି ଅନେକ କଥା ଜାଣିପାରିବା ।
- ମୋର ଭୁଲ ହୋଇଯାଇଛି ବାପା, ପ୍ରକୃତରେ ପ୍ରତ୍ୟେକ ଗଛ ହିଁ ଦରକାରୀ ଆଉ ଏ ଗଛ ହିଁ ଆମ ଜୀବନ । ସେ ନ ରହିଲେ ଆମ ଜୀବନ ସମ୍ପୂର୍ଣ୍ଣ ଅସମ୍ଭବ । ମୁଁ ବହୁତ ଗଛ ଲଗାଇବି, ଆଦୌ କାଟିବି ନାହିଁ । ମୋ ସାଙ୍ଗ ମାନଙ୍କୁ ନେଇ ଗାଁ ରେ ସଚେତନତା କାର୍ଯ୍ୟକ୍ରମ କରିବି, ଆଉ ସେଇ ଶୋଭାଯାତ୍ରାର  ସ୍ଲୋଗାନ ହେବ, "ଗଛଟିଏ ରୁଅ, ଜୀବନ ଜୀଅଁ" । 

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments