OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ଚାରି ପାହାଚରେ ମଣିଷ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଚାରି ପାହାଚରେ ମଣିଷ - ନାରାୟଣ ଚନ୍ଦ୍ର ସେନାପତି



ସେଦିନ ସତ୍ ସଙ୍ଗରୁ ଫେରି ଗୁଣୁଗୁଣୁ ହୋଇ କ'ଣ ଗାଇ ପକାଉଥାଏ ମୁନି । ତା ଜେଜେ ବେଣୁ ବାବୁ କହିଲେ କଣ କିରେ ମୁନି, ଆଜି କଣ ପବନରେ ଉଡୁଛି ତୋ ମନ ? କୁଆଡେ ଆଜି ଯାଇଥିଲୁ କି?ମୁନି କହିଲା ନାଁ ମ ଜେଜେ, ଆଜି ସତସଙ୍ଗ ଯାଇଥିଲି ତ,କି ଭକ୍ତି ଭରା ଭଜନ, କି ଆତ୍ମହରା କୀର୍ତ୍ତନ, ମୋ ମନ ବୋଧ ହୋଇଗଲା।ଆରେ ତୁ ତ ବଡ଼ ଠାକୁର ଭକ୍ତ ହୋଇଗଲୁଣି।ଆଉ କଣ ସବୁ ଶିଖିଲୁ କହିଲୁ ? ଜେଜେଙ୍କର ଏ ପ୍ରଶ୍ନର ଉତ୍ତର ଦେଉ ଦେଉ କହିଲା, ଜେଜେ ସେଠାରେ ତ ମୁଁ ବହୁତ କିଛି ଦେଖି ଶୁଣି ଶିଖିଲି, ହେଲେ ତୁମେ ତ ଆଗରୁ କୁହ, ପୁରାଣ, ମହାଭାରତ, ରାମାୟଣ ସବୁ ଜାଣିଛ, ହେଲେ ମୁଁ ଗୋଟିଏ ପ୍ରଶ୍ନ ପଚାରିବି କହି ପାରିବ ? ଜେଜେ କହିଲେ, ତୁ ଏମିତି କି ପ୍ରଶ୍ନ ପଚାରିବୁ ଯେ ମୁଁ କହିପାରିବି ନାହିଁ । ଆରେ ଏ ଆଠ ଖଣ୍ଡ ମୌଜାରେ ପରା ମୋ ନାଆଁ ଡାକ ଅଛି । ଛୁଆଠୁ ବୁଢା ପର୍ଯ୍ୟନ୍ତ କାହା ପ୍ରଶ୍ନର ଉତ୍ତର ନ ଦେଇଛି ତୋ ଜେଜେ ଏ ବେଣୁ ମହାପାତ୍ର । ପଚାର କଣ ପଚାରିବୁ।
   
ମୁଚୁ ମୁଚୁ ହସି ମୁନି ପଚାରିଲା ତା ପ୍ରଶ୍ନ,ଜେଜେ "ଏ ଜୀବନର ଶ୍ରେଷ୍ଠ ଚାରି ପାହାଚକୁ ଯେ ସଠିକ ଭାବେ ଅତିକ୍ରମ କରିପାରିବ,ସେ ସଫଳତାର ମୁକୁଟ ହି ପିନ୍ଧିପାରିବ।ତେବେ କହିଲ, ଜୀବନର ସେଇ ଶ୍ରେଷ୍ଠ ଚାରି ପାହାଚ କ'ଣ ?"
   
ଜେଜେ କହିଲେ ଆରେ ଏଇଟା ଗୋଟେ ପ୍ରଶ୍ନ,ପୁଣି ବେଣୁ ମହାପାତ୍ର କୁ ? ତୁ ଯେବେ ଛୋଟ ହୋଇଥିଲୁ ତୋତେ କାନ୍ଧରେ ବସାଇ ଚଢିଥିଲି କପିଳାସର ତେରଶ ବାଉନ ପାହାଚ । ତୋ ଜେଜି ସାଙ୍ଗରେ ଛୁଆଠୁ ବୁଢା ପର୍ଯ୍ୟନ୍ତ ଶ୍ରମନ୍ଦିର ବାଇଶି ପାହାଚ କେତେ ଯେ ଉଠିଛି ତାହା ଗଣି ପାରିବୁ ନାହିଁ, ତୁ ପଚାରୁଛୁ  ଚାରି ପାହାଚ କଥା।ମୁନି ଠୋ ଠୋ ହସିଲା ଓ କହିଲା, ଜେଜେ ସେ ପଥର ତିଆରି ପାହାଚ ନୁହଁ ମ ,ଏ ପରା ମଣିଷ ଜୀବନର ପାହାଚ,ସୋପାନ ଅର୍ଥାତ୍ ମାର୍ଗ । ଏ ଦର୍ଶନ କଥା ତତ୍ତ୍ୱ କଥା,ଏ ସୂକ୍ଷ୍ମ ଜିନିଷ,ସ୍ଥୁଳ ଦେଖିବା ପରି ଜିନିଷ ନୁହଁ।

ବାସ୍ତବରେ ବେଣୁବାବୁଙ୍କର ସେତେ ଜ୍ଞାନ ନ ଥିଲା।ସେ କେବଳ ହୁଙ୍କା ପିଟା ଭଳି ଲୋକଙ୍କୁ ବାହାସ୍ପୋଟ ମାରୁଥିଲେ।ଏ ଜଟିଳ ପ୍ରଶ୍ନ ତାଙ୍କ ମସ୍ତିଷ୍କକୁ ଆନ୍ଦୋଳିତ କଲା।ବଡ ଅଡ଼ୁଆରେ ପଡିଲେ ସେ।ଏ ଥର ଜେଜେଙ୍କର ଅକଲ ଗୁଡୁମ୍।କହିଲେ ନାତୁଣୀ, କହିଲୁ ଦେଖି ଜୀବନର ଚାରି ପାହାଚ କଣ ତୁ କାହା ପାଖରୁ ଶୁଣିଛୁ।ମୁନି କହିଲା ଜେଜେ,ବାଲେଶ୍ୱରରୁ ଜଣେ ବଡ ପଣ୍ଡିତ ଋତ୍ଵିକ ଦେବତା ଆସିଥିଲେ।ସେ କହୁଥିଲେ, ଜନ୍ମରୁ ମରଣ ସମୟ ଭିତରେ ଚାରୋଟି ପାହାଚ ଅଛି,ବାଲ୍ୟକାଳ, କିଶୋର ସମୟ,ଯୌବନ ବା ବିବାହ ସମୟ ଓ ଶେଷରର ତୁମ ପରି ବୃଦ୍ଧାବସ୍ଥା।ଏ ଚାରି ପାହାଚକୁ ଯେ ଭଲଭାବେ ଅତିକ୍ରମ କରିଥିବ,ସେ ହିଁ ବିଜୟୀ ମଣିଷ।

ଜେଜେ କହିଲେ,ଆରେ ଏମନ୍ତ କଥା,ତାହେଲେ ମୁଁ ଖାଲି ସଫଳ ନୁହଁ,ଅତ୍ୟନ୍ତ ସଫଳ ହୋଇଛି।କାରଣ ପିଲାବେଳେ କାଳେ ମୁଁ ଥିଲି ପ୍ରଚଣ୍ଡ ଚଗଲା।ସାଙ୍ଗସାଥିଙ୍କୁ ମୁଁ କୁକୁଡାପରି ମୋଡିଦିଏ।କାହାକୁ ଖାତିର କରେ ନାହିଁ।ଯଦି କୁହେ ଏଇଠି ମୁତିବି, ତେବେ ମୁତେ,ଯଦି କହେ ଏଇଟା ମୋର ଦରକାର,ତେବେ ବି ମୁଁ ନ ପାଇଲା ପର୍ଯ୍ୟନ୍ତ ଯୁଦ୍ଧ ଲଗେଇ ଦିଏ।ମୋ ବାପା ମା ସମସ୍ତେ ମୋତେ ଡରନ୍ତି।ମୁଁ ଯାହା କୁହେ ତାହାହିଁ କରେ।ମୁଁ ବି କୁହେ,ମୁଁ ଠାକୁର,ମୋତେ ପୂଜା କର।ଏ ପଥରଟା କୁ ଭୋଗ ଦେଉଛ କାହିଁକି?

ଆଉ କିଶୋର କଥା କହୁଛୁ ତ,ମୋ ଇଚ୍ଛା ଅନୁସାରେ ସ୍କୁଲ ଯାଏ,ମନ ହେଲେ ଯାଏନି।ମୋ ବାପା ମା ରାଗିଲେ ସିନା ଘରୁ ପଳାଏ ହେଲେ ବସ୍ତାନି ରଖିଦେଇ ବଣ ଜଙ୍ଗଲ, ପାହାଡ଼ ପର୍ବତ, ବଜାର ଯୁଆଡେ ଇଚ୍ଛା ବୁଲେ।ମୋ ସାଙ୍ଗ ସାଥି ସବୁ ମୋତେ ଡରନ୍ତି। ମୋର ଏମିତି ଲକ୍ଷ୍ୟ ଥିଲା ଯେ ରାସ୍ତା ଲାଇଟ, ଚଢେଇ ବସା, କାହା ବାଡ଼ିର ଫଳ, କି କୁକୁଡ଼ା  କି ବିଲେଇ କି କୁକୁର ଯାହାକୁ କହିବୁ ଢେଲା ମାରି ଉଡେଇ ଦିଏ।ସମସ୍ତେ କୁହନ୍ତି ତୁ ପୂର୍ବ ଯୁଗରେ ଅର୍ଜ୍ଜୁନ କି କର୍ଣ୍ଣ ଥିଲୁ ବୋଧେ।ଖାଲି ସେତିକି ନୁହଁ ସାର୍ ରାଗିଲେ,ସେଦିନ ତାଙ୍କ ସାଇକେଲ ପମ୍ପ ଖୋଲିଦିଏ,ବିଚରା ମାଷ୍ଟ୍ରେ ସାଇକେଲ ଗଡେଇ ଗଡେଇ ଯାଆନ୍ତି।ଆଉ ଗାଁ ଯାତ୍ରାରେ ଯଦି ଆଗ ସିଟ୍ କିଏ ନ ଦେଲା, ତେବେ ମୋ ସାଙ୍ଗଙ୍କୁ ନେଇ ମେନ ଲାଇନ୍ ରେ ଅମରୀ ବାଡ଼ି ପକାଇ ଡ୍ରପ ଆଉଟ ଉଡାଇ ଅନ୍ଧାର କରିଦିଏ।ତେଣୁ ପାଲା ହେଉ କି ଯାତ୍ରା ସବୁଠି ଆଗରେ ମୋ ସିଟ୍।ଖାଲି ସେତିକି ନୁହଁ ରାସ୍ତାରେ ଲୋକଙ୍କ ଠାରୁ,ଗାଡି ଅଟକାଇ ଚାନ୍ଦା ଆଦାୟ କରିବାରେ ମୁ ଥିଲି ଓସ୍ତାତ୍।

ବାହାଘର କଥା ଶୁଣିବୁ ନାତୁଣୀ, ଲାଜ କଥା ହେଲେ ବି ସେ ସାହସିକିତା ପାଇଁ ସମସ୍ତେ ପରା ଏ ଯାଏ ତାରିଫ୍ କରନ୍ତି।ମୁଁ କିଛି ଚାକିରୀ ବାକିରି କରି ନଥିଲି ବୋଲି ଝିଅ ଦେଉ ନ ଥିଲେ।ତୋ ଜେଜିଘର କହିଲେ ଏ ଭେଣ୍ଡିଆ ଟା ବାପ ମା ଅନ୍ନ ଧ୍ବଂସ କରୁଛି,ୟାକୁ ଝିଅ ଦେବା ଯାହା ଭିକାରୀ ବେକରେ ଝୁଲେଇବା  ସେୟା।ମରଦ ପୁଅ ସମ୍ଭାଳି ପାରିଲି ନାହିଁ ଅପମାନ, ରାତାରାତି ଟେକି ଆଣିଲି।ତୁ ନାତୁଣୀ ବୋଲି କହିଦେଲି।ଖାଲି ସେତିକି ନୁହଁ ବାହାଘର ପରେ ମୁଁ କାମଦାମ ନ କଲେ ଖାଇବା ବନ୍ଦ ବୋଲି ମୋ ବାପା କହିଲେ,ତୋ ଜେଜି ତାଙ୍କ ଗୋଡଧୁଆ ପାଣି ନ ପିଇବାରୁ,ସେବା ଙ କରିବାରୁ କେତେ କଥା ମୋ ମା କହିଲା, ମୁଁ ଛାଡିବାର ପିଲା ନ ଥିଲି,ମାସେ କଥା ହେଲି ନାହିଁ କି ତୋ ଜେଜିକୁ କହିଲି ରୋଷେଇ କରି ସେମାନଙ୍କୁ ଖାଇବାକୁ ଡେ ନା।ଖାଲି ସେତିକି ନୁହଁ ତୋ ଜେଜି ମୋତେ ବଡ ବଡ କଥା କହି ରାଗିଲା,ମୋ ମୁହଁ ଉପରେ ଜବାବ ଦେଲା,କେତେ ସାହସ ତାର... ଆରେ...ତୁ ସ୍ତ୍ରୀ ଲୋକଟା ମୁଁ ମର୍ଦ୍ଦ ପୁଅ ମୁଣ୍ଡକୁ ପିତ ଚଢ଼ିଗଲା,ପକେଇଲି ପାଂଚନ ବାଡ଼ିରେ ମାଡ଼,ବାପାଲୋ ମା ଲୋ ହେଲା,ତା ଦାନ୍ତ ଗୋଟେ ଭାଙ୍ଗିଦେଲି।

ଆଉ ଶେଷ ପାହାଚ କଥା,ଗାଁ ମିଟିଂ ରେ ଯିଏ ବଡ଼ ବଡ଼ କଥା କୁହେ,ତା ସତାଳେ ସାତ ପୁରୁଷ କଥା କହି ମୁହଁ ବନ୍ଦ କରିଦିଏ।ସେଥିପାଇଁ ପରା ଭୟରେ ମୋତେ କେହି ଡାକୁ ନାହାନ୍ତି ଏବେ।ଆଉ ଇଲେକ୍ସନ ସମୟରେ ସବୁ ପାର୍ଟିର ଲୋକ ପରା ମୋ ପାଖରେ।ନାତୁଣୀ ତୁ ଜାଣିନୁ,ମୋତେ କେଉଁ ପାର୍ଟିର ବୋଲି କେହି ଜାଣନ୍ତି ନାହିଁ।ଆଉ ସବୁ ଦଳଠାରୁ ପଇସା ଚୋସ୍ତ ପକାଇଦିଏ । ଏଥର କହିଲୁ ମୁଁ ଚାରି ପାହାଚକୁ କେମିତି ଡେଇଁ ମାଡି କୁଦି ଛଇଲାଟ୍ କରି ପାରି ହୋଇଛି।

ମୁନି ଅଣ ନିଃଶ୍ବାସୀ ହୋଇ ଦି ଗ୍ଲାସ ପାଣି ପିଇ କହିଲା ଜେଜେ,ତୁମେ ଜୀବନ ଟାକୁ କଣ କରିଛ,ପୁରା ଖୀନ ଭିନ କରିଦେଇଛ।ମୁଁ କହୁଛି ଏଥର ଶୁଣ  ତୁମ ପାହାଚ କଥା,ତୁମେ କେମିତି ପାର ହୋଇଛ।

ମଣିଷ ଜୀବନର ସବୁଠୁ ଆନନ୍ଦମୟ ମଧୁର ପାହାଚ ହେଲା ଶୈଶବ ଅର୍ଥାତ ବାଲ୍ୟକାଳ।କେତେ ଦିଅଁ ଦେବତା ପୁଜି ବାପା ମା ପାଇଥାନ୍ତି ଏ ସନ୍ତାନକୁ।ତାକୁ ନେଇ କେତେ ସ୍ବପ୍ନ ଦେଖନ୍ତି।ସେ ସବ ଗୁଣରେ ଧୁରନ୍ଦର ହେଉ ଚାହିଁଥାନ୍ତି।   ଶିଶୁଟିଏ ବାପା,ମା ଙ୍କୁ ଅନୁକରଣ କରିବ,ସାଧାରଣ ଶିଷ୍ଠଚାର ଶିଖିବ, ବାପା ମା ଭାଇ ଭଉଣୀଙ୍କୁ ଭଲ ପାଇବ,କଥା ମାନିବ, ସୁଶୀଳ ଶାନ୍ତ ହେବ,  ତେବେ ଯାଇ ସମସ୍ତେ ତାକୁ ବହୁତ ଭଲ ପାଇବେ,ତା ଭିତରେ ହସି ଖେଳି ନାଚି କୁଦି ଦୁନିଆଁ ର ସବୁ କଥା କୌତୁହଲର ଜାଣିବ ତେବେ ଯାଇ ସିନା ସଭିଙ୍କ କଲ୍ୟାଣ ପାଇବ।କଥାରେ ଅଛି ପରା ଯାହା ନାହିଁ ବାଳ କାଳେ ତାହା ନାହିଁ କାଳେ କାଳେ।ତମେ ତ କାହାକୁ ମାନି ନାହଁ,ଠକୁର ଗୁରୁଜନଙ୍କୁ ଭକ୍ତି କରନାହିଁ, ତେବେ କହିଲ ଦେଖି ଏ ପାହାଚ ଠିକ୍ ସେ ଅତିକ୍ରମ କରିଛ କି?

ଜେଜେ କୁନ୍ଥେଇ କହିଲେ,ଅବଶ୍ୟ ତୁ ଠିକ୍ କହିଛୁ ନାତୁଣୀ,ହେଲେ ଦ୍ୱିତୀୟ ଟା ଦେଖ୍ ତ,କେମିତି ମୁଁ ଅତିକ୍ରମ କରିଛି।

ମୁନି ଟିକେ ହସି ଦେଲା ଓ କହିଲା, ଜେଜେ ଏ ସମୟରେ ଜଣେ ଶିକ୍ଷା ଅର୍ଜ୍ଜନରେ ମନ ଦିଏ,ଶୃଙ୍ଖଳା ଶିଖେ।ନିଜ ପରିବେଶ,ପ୍ରକୃତିକୁ ଅନୁଧ୍ୟାନ କରି ଜ୍ଞାନ ଆହରଣ କରେ।ଶପଥ,ପ୍ରତିଜ୍ଞା କରି ଅସାଧ୍ୟ ସାଧନ କରି ପ୍ରଶଂସା ପାଏ।କାହାର ଉତ୍ସାହ, ପ୍ରେରଣା, ଆଶୀର୍ବାଦ, ପ୍ରୋତ୍ସାହନ ପାଇ ସେ ପ୍ରତି ସମସ୍ୟାକୁ ଅକ୍ଳେଶରେ ସମାଧାନ କରେ।ଏ ପାହାଚରର ତୁମେ ଥିଲ ନିଜ ପାଇଁ ପରିବାର ପାଇଁ ଓ ସମାଜ ପାଇଁ ଏକ ବଡ଼ ସମସ୍ୟା । ବେଆଇନ ଚାନ୍ଦା ଆଦାୟ କରିବା,ସରକାରଙ୍କ ସମ୍ପତ୍ତି ନଷ୍ଟ କରିବା, ନିରୀହ ଜୀବଙ୍କୁ ବିନା ଦୋଷରେ ମାରିବା, ଶିକ୍ଷକଙ୍କୁ ହଇରାଣ କରିବା, ସାମୁହିକ କାମକୁ ଭଣ୍ଡୁର କରିବା,ଦାଦାଗିରି ଦେଖାଇବା ଭଳି ଅପରାଧ,ବିଶୃଙ୍ଖଳା,ଦେଶଦ୍ରୋହ,ସନ୍ତ୍ରାସବାଦ ଆଦି ଅସାମାଜିକ ଅସଭ୍ୟ କାମ କରି ସମାଜ,ଜାତି ଓ ଦେଶର ଅମଙ୍ଗାଳ କରିଛ, ସମ୍ବିଧାନ,ଗଣତନ୍ତ୍ରକୁ ଅବମାନନା କରିଛ ତେଣୁ ପାହାଚ ଡେଇଁବାତ  ଦୂରର କଥା ତାହା ସ୍ୱପ୍ନରେ ହି ଛୁଇଁ ନାହଁ।

ଜେଜେଙ୍କୁ ଏସବୁ ବାଧିଲା।ସେ କହିଲେ ଅବଶ୍ୟ ଏଥିରେ ମୁଁ ଏକମତ କାରଣ ପୂର୍ବ ପାଠରେ କାହିଁ ଏତେ ଆଇନ କାନୁନ ନ ଥିଲା ତେବେ ବିବାହ ସମୟରେ ସାହାସିକତା ଓ ସେ ପାହାଚରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ମୁଁ ନିଶ୍ଚୟ ତୃତୀୟ ପାହାଚକୁ ଡେଇଁଥିବି।

ମୁନି କହିଲା, ଜେଜେ ଏ ପାହାଚରେ ଜାଣିଛ ଜଣେ କଣ କରିବା କଥା । ବିବାହ ପରା ବୈଦିକ ସଭ୍ୟତାର ମୁଖଶାଳା ଏକ ପଵିତ୍ର ବନ୍ଧନର ଇସ୍ତାହାର।ପୁନଶ୍ଚ ଆଦର୍ଶ ପରିବାର ଗଠନର ଏ ସଠିକ ସମୟ । ଆଉ ଦେଶ ଜାତିର ଉନ୍ନତି ପାଇଁ ସୁଯୋଗ୍ୟ ସନ୍ତାନଟିଏ ଦେବା ତୁମ ପରମ କର୍ତ୍ତବ୍ୟ । ଦୁଇ ପରିବାର, ଦୁଇ ସଂସ୍କୃତି କୁ ନେଇ ନୂତନ ଜନ୍ମର ଅୟମାରମ୍ଭ ହୋଇଥାଏ । ମା ଟିଏ ଜନ୍ମ କରିଥାଏ କଷ୍ଟ ସହି ବୋହୁ ଆଣିବ ଖୁସି ହେବ।ପୁଅ ବଡ଼ ହେବ ରୋଜଗାରିଆ ହେବ ମା ବାପାଙ୍କ ଟେକ ରଖିବ,ଯତ୍ନ ନେବ।ହେଲେ ତୁମେ ସେ ଆଶାକୁ ଭସେଇ ଦେଲ।ଜୋର ଜବରଦସ୍ତ ଟେକି ଆଣି ବ୍ୟଭିଚାର କଲ। ଯେଉଁ ବାପା ମା ଦଶ ଦୋଷ କ୍ଷମା ପାଇଁ ତୁମକୁ ହାତ ପାତିଥିଲେ, ତାଙ୍କ ଝିଅର ସାମାନ୍ୟ ଭୁଲରେ ମାଡ଼ ମାରି ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲ।ତୁମ ଅସୁସ୍ଥତାରେ ଯେ କେତେ ରାତି ଉଜାଗର ରହିଥିବେ,ଓଷା ବ୍ରତ କରି କେତେ ଉପବାସ ରହିଥିବେ, ତୁମ ଓଠର ଗୁଲୁରୁ ଗୁଲୁରୁ କଥା ଶୁଣିବାକୁ କେତେ ଦେବତାଙ୍କୁ ଡାକିଥିବେ,ମାତ୍ର ତୁମେ ତୁମ ଜିଦ୍ ପାଇଁ ତାଙ୍କୁ କଥା ହେଲ ନି,ତାଙ୍କୁ ଉପବାସ ରଖିଲ ? ଏ ତ ଅମଣିଷର କାମ।ସ୍ତ୍ରୀକୁ ମାଡ଼ ମାରିବା କଣ ପୌରୁଷତ୍ୱ ନା ପାଗଳାମି ନା ହିଂଜଡାଙ୍କ କାର୍ଯ୍ୟ।ମୋତେ ଭୁଲ ବୁଝିବନି ଜେଜେ, ମୁଁ ଶୁଣିଛି ମୋ ଜେଜି କାଳେ ଆତ୍ମହତ୍ୟା କରି ମରିଯାଇଥିଲା।ଅଶୁଭରା ଆଖିରେ କହିଲା, ଜେଜେ,ତୁମେ ଏ ପାହାଚ ତ ଛୁଇଁନ ବରଂ ଜଘନ୍ୟ ଅପରାଧ ହିଁ କରିଛ।

ହଁ ରେ ମୁନି ଅବଶ୍ୟ ଯୌବନ କିମ୍ବା ଉଦ୍ଦମାତାରେ ମୁଁ କିଛି ଭୁଲ କରିଥିବି ହେଲେ ଶେଷ ପାହାଚରେ ମୁଁ  ସଚେତନ ଓ ଯତ୍ନବାନ ହୋଇଛି । କ'ଣ ତୁମକୁ ବ୍ୟାଖ୍ୟା କରିବି ଜେଜେ ଏ ଶେଷ ପାହାଚ କଥା,ତୁମେ ଏଭଳି ବ୍ୟକ୍ତିତ୍ୱ ଥିଲ ଯେ,ତୁମକୁ ଗାଁ ବୈଠକକୁ ନିମନ୍ତ୍ରିତ କରାଯାଏନା,ତୁମକୁ ଏହା ପୂର୍ବରୁ ଛୋଟଠାରୁ ବୁଢ଼ାଯାଏ ତିରସ୍କାର କରନ୍ତି ତୁମେ ଜଣେ ନ୍ୟାୟ ନୀତିରେ ଅଜ୍ଞ ଥିବା ବ୍ୟକ୍ତି କହି।ତାପରେ ତୁମେ ତୋଷାମାଡ଼କାରୀ, ସ୍ୱାର୍ଥପର ହୋଇ ସବୁ ଦଳଠାରୁ ଲାଞ୍ଚ ଖାଉଛ, ସେମାନଙ୍କ ବିଶ୍ୱାସରେ ବିଷ ଦେଉଛ।ଯେଉଁ ବୟସରେ ଲୋକଙ୍କୁ ଦେଖିଲେ ଅନ୍ୟୟୀ ଥରେ,ବଦଳିଯାଏ,ସ୍ୱାଭିମାନ କଣ ଶିଖେ,ନୀତି ଆଦର୍ଶର ଚିତ୍ର ଦେଖେ,ସ୍ୱୟଂ ଭଗବାନ ଙ୍କ ଅବତାର କହି ମୁଣ୍ଡ ନୁଆଁଏ ସେ ସମୟରେ ଲୋକେ ରାସ୍ତା ଘାଟରେ ତୁମ କଥା କହି ଉପହାସ,ତାଛଲ୍ୟ କରୁଛନ୍ତି ତାହା ନିନ୍ଦନୀୟ।ମୁଁ ଜାଣିପାରିଛି ତୁମ ପାଖରେ ସଂସ୍କାର ନାହିଁ ବୋଲି ମୋ ବାପା ବି କୁସଂସ୍କାରୀ । ଏଥର କହିପାରିବ ତୁମେ ଜୀବନର କେତେଟା ପାହାଚ ଛୁଇଁଛ ? ଅଜ୍ଞ, ଅହଂକାରୀ, ବ୍ୟଭିଚାରୀ, ଅସାମାଜିକ, ଅସଭ୍ୟ, କୁସଂସ୍କାରୀର ସମସ୍ତ ସଂଜ୍ଞା,ସମସ୍ତ ପ୍ରମାଣପତ୍ର, ମାନପତ୍ର ତୁମ ସ୍ୱଭାବରେ ଅଛି,ଏ ପାଣିପବନ ବି ଛାତିରେ ହାତ ବାଡେଇ କହୁଛି।ଆଜି ଯାଏ ତୁମେ କେବେ ଦର୍ଶନ କଣ ପରଖିଛ ? ତତ୍ତ୍ୱ କଣ ଚିନ୍ତା କରିଛ?ମୋତେ ଲଜ୍ଜା ଲାଗୁଛି, ମୁଁ ଏଭଳି ଜଣେ ଜେଜେର ନାତୁଣୀ ବୋଲି।

ନିଜ ନାତୁଣୀର ଦିବ୍ୟବାଣୀ ଶୁଣି ଜେଜେଙ୍କର ସମସ୍ତ ଅହଂ ଆଖିପିଛୁଳାକେ ପାଣିଫୋଟକା ପରି ମିଳେଇଗଲା । ଲଜ୍ଜା, ଅପମାନ ଓ ନିନ୍ଦାର ଜୀବାଣୁ ମାନେ ସତେ ଯେମିତି ତାଙ୍କ ଅହଂ ଅଙ୍ଗ ଗୁଡାକୁ ବିଦାରି ପକାଉଥାନ୍ତି।ଜୀବନର ପୂର୍ବ ପାହାଚରେ ତିଆରି ହୋଇଥିବା ଦୂଷିତ ରକ୍ତ ଗୁଡାକ ପାଣି ହୋଇ ବୋହିଯାଉଥିଲା ତାଙ୍କ ଚକ୍ଷୁରୁ । ନିଃସହାୟ ଆଉ ଆସ୍ପୃଶ୍ୟ ପ୍ରାୟ ନିର୍ଜୀବ ଖୁଣ୍ଟ ଭଳି ଛିଡା ହୋଇ ଧିକ୍କାର କରୁଥାନ୍ତି ତାଙ୍କ ଜୀବନର ଚାଲିଯାଇଥିବା ଖରାପ ମୁହୂର୍ତ୍ତକୁ।ମୁନି ଏଭଳି ଦୃଶ୍ୟ ଦେଖି ଅସହ୍ୟ ହୋଇ ଜେଜେଙ୍କର ଆଖିରୁ ନିର୍ଗତ ଲୁହକୁ ପୋଛିଦେଲେ।ଜେଜେଙ୍କ ଗମ୍ଭୀର ସ୍ୱରରୁ ଶୁଣାଗଲା "ନାତୁଣୀ ମୋତେ କ୍ଷମା କରିଦେବୁ"। ତୁ ଆଜି ବାସ୍ତରୀ ବର୍ଷର ବୁଢ଼ାର ଆଖିରୁ ପଟି ଖୋଲିଦେଲୁ।ମୋତେ ସେ ବିଦ୍ୱାନଙ୍କ ଠିକଣା ଦେ ମା, ମୁଁ କିଛି ଜ୍ଞାନ ଅର୍ଜ୍ଜନ କରି, ମୋ କୃତ କର୍ମର ପ୍ରାଯଶ୍ଚିତ୍ତ ପାଇଁ ଅନ୍ତତଃ ଭଗବାନଙ୍କୁ ସମର୍ପି ପାରିବି।ମୁନି କହିଲା ଜେଜେ,ତୁମର ସବୁ କଳଙ୍କ ଏଇ ଅନୁତାପର ଲୁହ ସୁଅରେ ଭାସି ଯାଇଛି।ତୁମେ ଏଥର ସତ ଚିନ୍ତା କର,ସତ ସଙ୍ଗ ଯାଅ,ସତ୍ ଜ୍ଞାନ ଅର୍ଜ୍ଜନ କର ଓ ସତ୍ କର୍ମ କର,ତୁମ ପରବର୍ତ୍ତୀ ପିଢ଼ିର ଚାରି ପାହାଚ ସଜାଡ ଦେଖିବ ଭଗବାନ ତୁମର ଅବଶିଷ୍ଟ ଜୀବନକୁ ପୁଷ୍ପମୟ କରିଦେବେ। ଦୁହେଁ କହି ଉଠିଲେ,  "ଏ ଚାରିପାହାଚରେ ବନ୍ଧା ପରା ଏ ମଣିଷ" ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments