ପୁରାଣ କଥା - କୁରୁବଂଶ ଓ କୁରୁକ୍ଷେତ୍ର ବିଷୟରେ କିଛି ଜାଣିବା କଥା - ନରେନ୍ଦ୍ର ପ୍ରସାଦ ବେହେରା

ପୁରାଣ କଥା - କୁରୁବଂଶ ଓ କୁରୁକ୍ଷେତ୍ର ବିଷୟରେ କିଛି ଜାଣିବା କଥା - ନରେନ୍ଦ୍ର ପ୍ରସାଦ ବେହେରା

ମହାଭାରତରେ ଉଲ୍ଲେଖ ରହିଛି ଯେ ଭରତ ବଂଶର ରାଜା କୁରୁ ଯେଉଁ ଭୂମିକୁ ବାରମ୍ବାର ଚାଷ କରିଥିଲେ ସେହି ଭୂମି କୁରୁକ୍ଷେତ୍ର ନାମରେ ପ୍ରସିଦ୍ଧ ହୋଇଥିଲା । ରାଜା କୁରୁଙ୍କୁ ଭଗବାନ ଇନ୍ଦ୍ର ବରଦାନ ଦେଇଥିଲେ ଯେ ଏହି ଭୂମିରେ ଯେଉଁ ବୀର ପୁରୁଷ ଯୁଦ୍ଧ କରି ପ୍ରାଣ ହରାଇବ ସେ ସ୍ବର୍ଗରେ ସ୍ଥାନ ପାଇବ ।

କୁରୁ କିଏ ?

ରାଜା କୁରୁ ମହାଭାରତରେ ଉଲ୍ଲେଖ ଥିବା କୁରୁ ବଂଶର ପ୍ରଥମ ପୁରୁଷ ଥିଲେ । ସେ ଜଣେ ଅତ୍ଯନ୍ତ ପ୍ରତାପୀ ଓ ତେଜସ୍ବୀ ରାଜା ଥିଲେ । କୁରୁ ଵଂଶର ମହାନ ସମ୍ରାଟମାନେ ଜନ୍ମ ନେଇଥିଲେ । ମହାକାବ୍ଯ ମହାଭାରତରେ ଉଲ୍ଲେଖ ରହିଛି ଯେ ହସ୍ତିନାପୁରରେ ଜଣେ ପ୍ରବଳ ପ୍ରତାପୀ ରାଜା ରାଜୁତି କରୁଥିଲେ । ତାଙ୍କର ନାମ ଥିଲା ସମ୍ବରଣ । ରାଜାଙ୍କ ବିବାହ ସୂର୍ଯ୍ୟଦେବଙ୍କ କନ୍ଯା ତାପତୀଙ୍କ ସହ ହୋଇଥିଲା । ତାପତୀ ଏବଂ ସମ୍ବରଣଙ୍କ ଔରସରୁ କୁରୁଙ୍କ ଜନ୍ମ ହୋଇଥିଲା ।ରାଜା କୁରୁଙ୍କ ନାମାନୁସାରେ କୁରୁ ମହାଜନପଦ ନାମ ପ୍ରସିଦ୍ଧ ହୋଇଥିଲା । ପ୍ରଚୀନ ଭାରତର ୧୬ ଜନପଦ ମଧ୍ଯରୁ ଏହା ଅନ୍ଯତମ ଥିଲା । ଭଗବାନ ଶ୍ରୀକୃଷ୍ଣ କୁରୁ ଵଂଶର ଶ୍ରଷ୍ଠ କୁମାର ଅର୍ଜୁନଙ୍କୁ ଗୀତା ଉପଦେଶ ପ୍ରଦାନ କରିଥିଲେ ।

କୁରୁବଂଶ କିପରି ଆଗକୁ ବଢିଥିଲା ?

ରାଜା କୁରୁଙ୍କ ବିବାହ ଶୁଭାଙ୍ଗୀଙ୍କ ସହ ହୋଇଥିଲା ।ଏମାନଙ୍କ ପୁତ୍ର ଥିଲେ ବିଦୁରଥ । ବିଦୁରଥ ଏବଂ ସମ୍ପ୍ରିୟାଙ୍କ ଠାରୁ ଅନାଶ୍ବା , ଅନାଶ୍ବା ଏବଂ ଅମୃତାଙ୍କ ଠାରୁ ପରୀକ୍ଷିତ,ପରୀକ୍ଷିତ ସୁଯଶାଙ୍କ ଠାରୁ ଭୀମସେନ ,ଭୀମସେନ ଏବଂ କୁମାରୀଙ୍କ ଠାରୁ ପ୍ରତିଶ୍ରବା,ପ୍ରତିଶ୍ରବାଙ୍କ ଠାରୁ ପ୍ରତୀପ,ପ୍ରତୀପ ଏବଂ ସୁନନ୍ଦାଙ୍କ ଠାରୁ ତିନି ପୁତ୍ର ଦେବାପୀ,ବାହଲୀକ ଏବଂ ଶାନ୍ତନୁଙ୍କ ଜନ୍ମ ହୋଇଥିଲା । ଦେବାପୀ କିଶୋରାବସ୍ଥାରୁ ସନ୍ଯାସ ନେଇଗଲେ । ବାହଲୀକ ରାଜ୍ଯର ସୀମା ସମ୍ପ୍ରସାରଣ ଉଦ୍ଦେଶ୍ୟରେ ସବୁବେଳେ ରାଜସିଂହାସନ ଠାରୁ ଦୂରରେ ରହିଲେ । ତେଣୁ ସବା ସାନ ପୁତ୍ର ଶାନ୍ତନୁଙ୍କୁ ରାଜସିଂହାସନ ପ୍ରାପ୍ତ ହେଲା । ଶାନ୍ତନୁ ଓ ଗଙ୍ଗାଙ୍କ ମଧ୍ଯରେ ବିବାଦ ହୋଇଥିଲା । ୭ ଜଣ ପୁତ୍ରଙ୍କୁ ମାରିଦେବା ପରେ ଶାନ୍ତନୁଙ୍କ ଅନୁରୋଧକ୍ରମେ ଗଙ୍ଗା ଦେବବ୍ରତଙ୍କୁ ଜୀବିତ ରଖିଲେ । ପରେ ସେ ଭୀଷ୍ମ ନାମରେ ପରିଚିତ ହେଲେ । ଭୀଷ୍ମଙ୍କ ବଂଶ ଆଗକୁ ବଢିପାରିଲା ନାହିଁ । କାରଣ ସେ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କଲେ । ଅନ୍ଯପକ୍ଷରେ ଶାନ୍ତନୁ ଜଣେ କୈବର୍ତ୍ତ୍ଯ କନ୍ୟା ସତ୍ଯବତୀଙ୍କୁ ବିବାହ କଲେ । ସତ୍ଯବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଏବଂ ବିଚିତ୍ରବୀର୍ଯ୍ଯଙ୍କର ଜନ୍ମ ହୋଇଥିଲା । ଚିତ୍ରାଙ୍ଗଦଙ୍କ ମୃତ୍ୟୁ ପରେ ବିଚିତ୍ରବୀର୍ଯ୍ଯଙ୍କ ବିବାହ କାଶୀର ରାଜକୁମାରୀ ଅମ୍ବିକାଙ୍କ ସହ ହୋଇଥିଲା । ଏହି ଦୁହିଁଙ୍କ ଠାରୁ ଧୃତରାଷ୍ଟ୍ର ଏବଂ ପାଣ୍ଡୁଙ୍କର ଜନ୍ମ ହୋଇଥିଲା । ଧୃତରାଷ୍ଟ୍ରଙ୍କ ପୁତ୍ର କୌରବ ଏବଂ ପାଣ୍ଡୁଙ୍କ ପୁତ୍ର ପାଣ୍ଡବ ବୋଲାଇଲେ । 

ରାଜା କୁରୁଙ୍କୁ ଇନ୍ଦ୍ରଙ୍କ ବରଦାନ ପ୍ରସଙ୍ଗ

ମହାଭାରତରେ ଉଲ୍ଲେଖ ରହିଛି ଯେ ଗୋଟିଏ କ୍ଷେତକୁ ସମ୍ରାଟ କୁରୁ ବାରମ୍ବାର ଚଷିଥିଲେ । ସେହି କ୍ଷେତର ନାମ କୁରୁକ୍ଷେତ୍ର ହେଲା । ଉକ୍ତ କ୍ଷେତରେ ରାଜା କୁରୁ ବାରମ୍ବାର ହଳ ବୁଲାଇବା ସମୟରେ ସେଠାକୁ ଇନ୍ଦ୍ରଦେବ ଆସିଲେ । ତାଙ୍କୁ ଏପରି କରିବାର କାରଣ ପଚାରିଲେ । କୁରୁ କହିଲେ ଯେ ଏହି ଭୂମିରେ ମୃତ୍ୟୁବରଣ  କରୁଥିବା ମନୁଷ୍ୟ ସ୍ବର୍ଗ ପ୍ରାପ୍ତି କରୁ ବୋଲି ତାଙ୍କର ଇଛା ରହିଛି । କୁରୁଙ୍କର ଏହି କଥା ଶୁଣି ଇନ୍ଦ୍ରଦେବଙ୍କୁ ହସ ଲାଗିଲା । ସେ ସ୍ବର୍ଗଲୋକ ଚାଲିଗଲେ । ସେଠାରେ ଅନ୍ଯ ଦେବତାମାନଙ୍କୁ ଏହି କଥା କହିଲେ । ଦେବତାମାନେ ଦେବରାଜଙ୍କୁ କହିଲେ ସମ୍ଭବ ହେଲେ ରାଜା କୁରୁଙ୍କୁ ନିଜ ପକ୍ଷରେ କରିନିଅନ୍ତୁ । ଏହାପରେ  ଇନ୍ଦ୍ରଦେବ ପୁଣି ରାଜା କୁରୁଙ୍କ ସମ୍ମୁଖରେ ଉଭା ହେଲେ । ତାଙ୍କୁ ବରଦାନ ଦେଇ କହିଲେ କୌଣସି ପଶୁ , ପକ୍ଷୀ ଅଥବା ମନୁଷ୍ୟ ଏହି ଭୂମିରେ ନାରାହାର ରହି କିମ୍ବା ଯୁଦ୍ଧ କରି ମୃତ୍ୟୁ ବରଣ କଲେ ସେ ସ୍ବର୍ଗର ଭାଗୀ ହେବ । ଏହି କଥା ଭୀଷ୍ମ,କୃଷ୍ଣ ଆଦି ସମସ୍ତଙ୍କୁ ଜଣାଥିଲା । ସେଥିପାଇଁ କୁରୁକ୍ଷେତ୍ର ଭୂମିରେ ଯୁଦ୍ଧ ଲଢାଯାଇଥିଲା । 

କୁରୁକ୍ଷେତ୍ରର ମହତ୍ବ

ମହାଭାରତ ଏବଂ  ଅନ୍ଯପୁରାଣରେ କୁରୁକ୍ଷେତ୍ରର ମହିମା ବର୍ଣ୍ଣିତ । ମହାଭାରତରେ ଉଲ୍ଲେଖ ରହିଛି ଯେ କୁରୁକ୍ଷେତ୍ରରେ ଆସି ସମସ୍ତେ ପାପମୁକ୍ତ ହୋଇଥାନ୍ତି । ନାରଦ ପୁରାଣରେ କୁହାଯାଇଛି ଯେ ଗ୍ରହ,ନକ୍ଷତ୍ର, ତାରାଗଣ ଆଦି କାଳର ଗତି ବଳରେ ତଳକୁ ଖସି ପାରନ୍ତି । ମାତ୍ର କୁରୁକ୍ଷେତ୍ରରେ ମୃତ୍ୟୁବରଣ କରୁଥିବା ମନୁଷ୍ୟ ଆଉ କେବେ ପୃଥିବୀ ପୃଷ୍ଠକୁ ଆସିନଥାଏ ଅର୍ଥାତ ଏଭଳି ମନୁଷ୍ୟର ପୁନଃଜନ୍ମ ହୋଇନଥାଏ । ଭଗବତଗୀତାରେ କୁରୁକ୍ଷେତ୍ରକୁ ଧର୍ମକ୍ଷେତ୍ର ବୋଲି କୁହାଯାଇଛି ।

ସଂଗ୍ରାହକ - ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

0 Comments