ଭ୍ରମଣ କାହାଣୀ - ସୁନାଝର ସହରରୁ ଅନ୍ଧାରି ମୁଲକ - ଶିବ ଚରଣ ମହାପାତ୍ର

ଭ୍ରମଣ କାହାଣୀ - ସୁନାଝର ସହରରୁ ଅନ୍ଧାରି ମୁଲକ - ଶିବ ଚରଣ ମହାପାତ୍ର

                 ସବୁଦିନ ପରି ସେଦିନ ମଧ୍ୟ ଭୋର ଚାରି ଟା ରୁ ମୋର ନିଦ ଭାଙ୍ଗିଗଲା । ମୁଁ ନିତ୍ୟକର୍ମ ସାରି ଚୁପ୍ ଚାପ୍ ବସିଗଲି ମୋ ସାଧନା ର କ୍ଷେତ ଉପରେ । ଭାବନା ର ବିହନ ବୁଣି ସଙ୍ଗେ ସଙ୍ଗେ କେଇ ବିଡା ରଙ୍ଗ ବେରଙ୍ଗ ର କବିତା ଫସଲ ମଧ୍ୟ ଅମଳ କରିନେଲି । ଇଣ୍ଟରନେଟ୍ ମାଧ୍ୟମରେ କିଛି ହୃଦୟର ନିକଟତର ବନ୍ଧୁ ମାନଙ୍କ ସହିତ ପ୍ରଭାତ ର ସ୍ୱାଗତ ପର୍ବ ଆଦାନ ପ୍ରଦାନ ପରେ ଡ୍ୟୁଟି ରେ ବାହାରିଗଲି ।ଉପ-ଜିଲ୍ଲାପାଳ ଙ୍କ ସରକାରୀ ଦପ୍ତର ରେ ପହଞ୍ଚି ଜାଣିବାକୁ ପାଇଲି କି ସାରା ଦିନର ପରିକ୍ରମା କେବଳ ନିପଟ ମଫସଲ ଅଞ୍ଚଳରେ ରହିଛି । ଗାଆଁ ନାଆଁ ଶୁଣି ନିଜକୁ ନିଜ ଭିତରେ ହଜେଇ ଦେଲି । ଭାବନା ରାଜ୍ୟ ରେ ଥରେ ବୁଲି ଆସିଲି ମୋ ଗାଆଁ ର ନଇ -ନାଳ- ବଣଭୂଇଁ- ଆମ୍ବ ତୋଟା- ଠାକୁର ଘର ମଠ- ମନ୍ଦିର- ଗଣେଶ ଅଜା ଆଖୁ କିଆରୀ- କିଆ ଗହୀର- ତୁଳସୀ ଗୁଡା ବନ୍ଧ ସବୁ..। ସତରେ ବହୁତ ଦିନ ପରେ ଗାଁ ଅଞ୍ଚଳ ବୁଲିବି କେତେ ଖୁସି ର କଥା । ଅବଶ୍ୟ ସେଇଟା ମୋ ନିଜ ଗାଁ ନୁହେଁ ତଥାପି ସେଇ ଗାଁ ମାନଙ୍କ ଭିତରେ ତ ମୋ ଗାଆଁ କୁ ଖୋଜି ପାଇଯିବି । ଗାଆଁ ଆଉ ମାଆ ଏ ଦୁହେଁ କେବେ ବି ପର ନୁହଁ  , ସେ ଯାହାର ହୁଅନ୍ତୁ ନା କାହିଁକି ସବୁବେଳେ ନିଜର  ।
            ଠିକ୍ ସମୟରେ ବୋଲେରେ ଗାଡି ଯୋଗେ ଆମେ ବାଂଶପାଳ ତହସିଲଦାର ସାର୍ ଙ୍କ ସହିତ ସେହି ଅଞ୍ଚଳର ସୁନାଝର, ଲତା,ଟଣ୍ଟଡିହ ଇତ୍ୟାଦି ଅଞ୍ଚଳ ଅଭିମୁଖେ ବାହାରିଗଲୁ । କେନ୍ଦୁଝର ସହର ର ପ୍ରଥମ ପାବଚ ଓହ୍ଲାଇ ଆସୁ ଆସୁ ଦକ୍ଷିଣ ପାର୍ଶ୍ବରେ ପ୍ରକୃତି ର ସୌନ୍ଦର୍ଯ୍ୟ ଭରା ଲଣନା ସାନ ଘାଗରା ଜଳପ୍ରପାତ ଆମ ସମସ୍ତଙ୍କୁ  ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରୁଥାଏ । ତାର ଗୁରୁ ଗମ୍ଭୀର ଘର୍ଘର ଗର୍ଜନ ମୋତେ ଦେଖି ଯେମିତି ଥମି ଯାଉଥିଲା କି..?? ସେ ସୁମଧୁର କଣ୍ଠରେ କଳ କଳ ନାଦରେ ହାତ ଠାରି ମୋତେ କହୁଥିଲା -"ହେ ମୋର ପ୍ରିୟ ପୁତ୍ର, ଖାଲି ଥରୁଟିଏ ଅବଶ ଶରୀର ରୁ ବ୍ୟସ୍ତତା ର ଜଞ୍ଜିର ଖୋଲି ଦେଇ ମୋ କୋଳରେ ମୁଣ୍ଡ ଥାପି ଶୋଇଯା ..
ତୋ ଦେହର ସମସ୍ତ କ୍ଳାନ୍ତି କୁ ମୋ ଝରଣା ର ସୁଶୀତଳ ଜଳରାଶି ପଣତ ରେ ପୋଛିଦେଇ ମୋ ଅଗଣା ର କୁନିକୁନି ପୁଷ୍ପ ମେଳରେ ତୋତେ ବୁଲେଇବି ...
ପବନ ଝୁଲଣା ରେ ଝୁଲେଇବି..ମୋର ଆତ୍ମଜ ନୀଳହ୍ରଦ ରେ ତୋତେ ନୈକା ବିହାର କରେଇବି ...
ସମାଜ ଆଉ ଶତାବ୍ଦୀ ର ବିବର୍ତ୍ତନ ଆଗରୁ ମୁଁ ଚାହିଁ ରହିଛି ତୋ ଆସିବା ପଥକୁ  , ତୋତେ ଧରିବାକୁ ନୁହଁ ବରଂ ଧରାଦେବା ପାଇଁ ...
ମୁଁ ଜାଣେ ତୁ ଧରିବାକୁ ଖୁବ୍ ଭଲ ପାଉ ...ଆରେ ଆ '..ଖାଲି ଥରୁଟିଏ ପାଇଁ ଆ'..ମୁଁ  ତୋ ପାଇଁ ପ୍ରଜାପତି ଟିଏ ହେଇଯିବି ...ତୁ ମୋତେ ଧରି ମୋ ଡେଣା ରୁ ରଙ୍ଗ ଚୋରି କରିନେବୁ ..."
       " ନା.." ଏସନ ବି କର୍ତ୍ତବ୍ୟ ର ଜଞ୍ଜିର ମୋ ମନ ପାଦ କୁ ଜାବୁଡି ଧରି  ଆଗକୁ ଅଗ୍ରସର ହେବାକୁ ନିର୍ଦ୍ଦେଶ ଦେଲା । ବିମର୍ଶ ବଦନରେ ବିଦାୟ ସଙ୍କେତ ଦେଇ ଗାଡି ଆଗକୁ ଆଗକୁ ବଢି ଚାଲିଥାଏ । ରାସ୍ତା ଧାରେ ଧାରେ ସବୁଜିମା ଭରା ପାହାଡ ର ଛାତି ଚିରିଦେଇ ସଡକ ପ୍ରଶସ୍ତିକରଣ ର ପ୍ରସ୍ତୁତି ଜୋରଦାର ଚାଲିଥାଏ । ମୁଁ ବୁଝିପାରୁ ନଥିଲି ଏତେ ସବୁ ଉନ୍ନତିକରଣ କେଉଁ ଖୁସି କେଉଁ  ସୁଖ ପାଇଁ ଚାଲିଛି ..??
ଶୁଆକାଠି ଠାରୁ କୁଆଁର ଦେଇ ଆମେ ଧିରେ ଧିରେ ଜଙ୍ଗଲ ରାସ୍ତା ରେ ପାଦ ଥାପିଲୁ । ପାହାଡ ତଳ ଦେଶରୁ ଆମ ଗାଡି ସର୍ପିଳ ଭଙ୍ଗିର ର ଆବଡା ଖାବଡା  କଚ୍ଚା ଅଣ ଓସାରିଆ ରାସ୍ତା ଦେଇ ପାହାଡ ଉପର କୁ ଉଠିବାର ପ୍ରୟାସ ଜାରି ରଖିଥାଏ ।ରାସ୍ତା ଉପରେ ଝୁଲି ପଡିଥିବା ଶାଳ ଗଛର ପେନ୍ଥା ପେନ୍ଥା ଶାଳଫୁଲ ର ମହକ ସହିତ ବିଭିନ୍ନ ପ୍ରଜାତି ର ରଙ୍ଗ ବେରଙ୍ଗ କଅଁଳ ପତ୍ର ସବୁ ଭିନ୍ନ ଏକ ନନ୍ଦନ ବନ ର ଭ୍ରମ ସୃଷ୍ଟି କରୁଥାଏ । ସତରେ ପାହାଡ ମୁଲକ ରେ ଜୀବନ କୁ ଅପୂର୍ବ ଶାନ୍ତି ମିଳେ ,ସତ କହିବାକୁ ଗଲେ ଏଇ ପାହାଡ , ପର୍ବତ , ନଦୀ , ଝରଣା , ଭିନ୍ନ ଭିନ୍ନ ପକ୍ଷୀ ମାନଙ୍କର ମଧୂର ଗୁଞ୍ଜରଣ ଭିତରେ ଯେମିତି ଏକ ମଧୂର ଆକର୍ଷଣକାରୀ ଶକ୍ତି ଲୁଚି ରହିଛି ।
ନା ଏଠି ସହରୀ ଜୀବନ ର କୋଳାହଳମୟ ପରିବେଶ, ନା ପ୍ରଦୂଷଣଭରା ପାଣି - ପବନ । ଏଠି ଖାଲି ମୁକ୍ତ ପବନ- ମୁକ୍ତ ଗଗନ ସାଥେ ମୁକ୍ତ ହୋଇଉଠେ ମଣିଷ ର ମନ...
ଖୁବ୍ ମୁକ୍ତ ବି ଏ ଜଙ୍ଗଲୀ ଜୀବନ ...ଛନ୍ଦହୀନ ବନ୍ଧହୀନ ..
          ରାସ୍ତା ର ଭୌଗଳିକ ମାନଚିତ୍ର ଦେଖି ଠିକ୍ ବୁଝି ହେଉଥିଲା କି  ସେ ଅଞ୍ଚଳରେ ସରକାର ଶବ୍ଦ ର ଯଥାର୍ଥତା ପ୍ରତିପାଦିତ ହୁଏନାହିଁ । ଉନ୍ନତି କହିଲେ ସେମାନେ କିଛି ଜାଣନ୍ତି ନି । ସେମିତି ଅଞ୍ଚଳ କୁ କେଉଁ ସରକାର ଅବା ପ୍ରଶାସନ ପହଞ୍ଚିବ ..??
ମନ ଭିତରେ ଯେତିକି ଉତ୍କଣ୍ଠା ବଢିଥିଲା ବାସ୍ତବତା ଆଗରେ ତାହା ଯେମିତି  ଧିରେ ଧିରେ  ମଉଳି ଆସୁଥିଲା । ମଣିଷ ମାନଙ୍କର ନିତ୍ୟ ଆବଶ୍ୟକ ସୁବିଧା ସୁଯୋଗ ରୁ ବଞ୍ଚିତ ଅବସ୍ଥାକୁ ନିଜ ଭାବନା ରେ ନେଇ ହୃଦୟଙ୍ଗମ କରିବା ପରେ ନିଜକୁ ନିଜେ ଧିକ୍କାର କରି କହୁଥିଲି-"ହେଃ ..ମୁଁ କଣ ଜାଣିବି ଗାଁ ର ଦୁଃଖ ..?"
ଯଦିଓ ମୁଁ ବି ଗାଆଁ ରେ ବଢିଛି ହେଲେ ଏମିତି ନିପଟ ମଫସଲ ଅଞ୍ଚଳକୁ ମୋ ଜୀବନ ରେ ଆଗରୁ କେବେ ଦେଖି ନ ଥିଲି ।ବହୁତ ବାଟବଣା ହେବା ପରେ ମୋ ଭାବନା ର ଅନ୍ତ ହେଲା..ସେଇ ସ୍ୱପ୍ନ ର ଗାଁ ମାନଙ୍କ ଭିତରୁ ଏକ ଗାଁ  "ସୁନାଝର " ରେ ପହଞ୍ଚି  ।
ଧୂ ଧୂ ଖରା ବେଳଟାରେ ମଇଳା , ଅସନା , ଚିରା ଫଟା ହାପ୍ ପ୍ୟାଣ୍ଟ ପିନ୍ଧା କେତେକ ଛୁଆ ଆମ ଗାଡି ଦେଖି ଯିଏ ଯୁଆଡେ ଦୌଡି ପଳେଇଗଲେ । କିଛି ପୁରୁଷ ଆଉ ସ୍ତ୍ରୀ ଏକାଠି ବସି କେଜାଣି କଣ ସବୁ ଗପୁ ଥାଆନ୍ତି । ଆମେ ଗାଡି ରୋକି ସ୍କୁଲ କେଉଁଠି ବୋଲି ପଚାରିବାରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ପାହାଡ ର ଅନ୍ୟ ଏକ ଦିଗକୁ ହାତ ବଢେଇ କହିଲା-"ହା...ଇ...ଟା.." ।
ତା କଥା ଶୁଣି  ଲାଗୁଥିଲା ଯେମିତି ଆମେ ଭୁଲ୍ ଯାଗା କୁ ଚାଲି ଆସିଲୁ କି..?? ପୁଣି ଆମ ଗାଡି ଆଗକୁ ମାଡି ଚାଲିଲା..
ଗାଁ ର ଶେଷ କେଉଁଠି ଆରମ୍ଭ କେଉଁଠି ଜାଣିବା ଏତେ ସହଜ ନଥିଲା । ହଠାତ୍ ଦୂର ରୁ ଦେଖାଗଲା ଅନାମଧେୟ ପୁରୁଣା ଭଙ୍ଗା ପକ୍କା ଘର ଟିଏ । ତାର ଅବହେଳିତ ବାଡବତା ଦେଖି ବୁଝିଗଲୁ ସେଇଟା ହିଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ..
ନା କିଛି ଫଳକ..ନା ଅଛି ଫାଟକ..ବାସ୍ ବିଦ୍ୟାଳୟ ସେମିତି ପଡି ରହିଛି ...ସେଇ ଗାଁ ର ବାସିନ୍ଦା ମାନଙ୍କ ପରି । କିଛି ସ୍ତ୍ରୀ ଲୋକ ବିଦ୍ୟାଳୟ ବାରଣ୍ଡାରେ ବସି ଥାଆନ୍ତି , ଆଉ କିଛି କାଖରେ ଛୋଟ ଲଙ୍ଗଳା ଛୁଆ ଧରି ଏଣେ ତେଣେ ଚାଲବୁଲ୍ କରୁଥାଆନ୍ତି  । ବିଦ୍ୟାଳୟ ପରିସର ଭିତରକୁ ଯାଇ ଶିକ୍ଷକ ମାନଙ୍କ ବିଷୟରେ ପଚାରି ବୁଝିଲୁ ,ସେମାନେ ଯାହା କହିଲେ ତାହା ଥିଲା ଯନ୍ତ୍ରଣା ଦାୟକ ।
ଦୁଇ ଜଣ ଶିକ୍ଷକ କେବେ କେଉଁ ଦିନ ଆସି ସଙ୍ଗେ ସଙ୍ଗେ ଚାଲି ଯାଆନ୍ତି । କେହି ବି କେବେ ରୁହନ୍ତି ନି । ଗାଆଁ ରେ ପିଇବାକୁ ପାଣି ନାହିଁ । ପାହାଡ ତଳି ଚୁଆ ହିଁ ପାଣି ର ସାହା ଭରସା ।ବିଜୁଳି ଆଲୁଅ ଗାଁ ପାଇଁ ସାତ ସପନ ।ଭଲ ରାସ୍ତା ଟିଏ ନାହିଁ  ।ସ୍ୱାସ୍ଥ୍ୟ ବ୍ୟବସ୍ଥା ନକହିବା ଭଲ ।
        ସେମାନେ ଯେମିତି ଆମକୁ ଭଗବାନ ବୋଲି ଭାବି ସବୁକିଛି ଅଳି କରି ଅଭିଯୋଗ ବଖାଣି ଚାଲିଥାନ୍ତି ଏତେ ସବୁ ଶୁଣି ଧୈର୍ଯ୍ୟ ଧରିବାର ସାହସ ମୋର ନଥିଲା..।ମୁଁ ଗାଡି ପାଖକୁ ଚାଲି ଆସିଲି ।କିଛି ସମୟ ପରେ ଆମ ଗାଡି ଅନ୍ୟ ଏକ ବିଦ୍ୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ କଲା ।

            ସେ ଯାଗା ଛାଡି ମୋ ଶରୀର ଚାଲି ଆସିଥିଲା ସତ କିନ୍ତୁ ମନ..ସେ ଯେମିତି ସେଇଠି ବାନ୍ଧି ହେଇ ରହିଯାଇଥିଲା ।କେତେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା ମୋ ଭିତରେ..।
ସତରେ କଣ ଆମେ ଏବେବି ସ୍ୱାଧୀନ ..??
ସତରେ କଣ ସରକାର ଆଉ ପ୍ରଶାସନ ଏମାନଙ୍କ ପାଖରେ ପହଞ୍ଚି ଏମାନଙ୍କ ପାଇଁ କାମ କରନ୍ତି ..??
ଏମାନଙ୍କର କଣ ମୌଳିକ ଅଧିକାର ପାଇବାର ହକ୍କ ନାହିଁ ..??
ତେବେ କଣ ପାଇଁ ବିଂଶ ଶତାବ୍ଦୀ ରେ ଯୁଗ ସହିତ ତାଳ ଦେଇ ଚାଲୁ ଚାଲୁ ମଧ୍ୟ  ଏମାନଙ୍କ ପାଖରେ ଶିକ୍ଷା- ସ୍ୱାସ୍ଥ୍ୟ- ଗମନାଗମନ- ପାନୀୟ ଜଳ ଯୋଗାଣ ପରି ମୌଳିକ ସୁରକ୍ଷା ଏଯାଏଁ ଅପହଞ୍ଚ ହୋଇ ରହି ଯାଇଛି ..??
ନା ସେ ସହର ର ଉଜ୍ଜଳ ଆଲୋକ ଏ ଅପାନ୍ତରା ଅଞ୍ଚଳ ର ମିଞ୍ଜି ମିଞ୍ଜି ଡିବି ଆଲୁଅ କୁ ଗିଳି ଦେଇ ଯାଉଛି ..??
ନା ଏ ସହର ଜାଣି ଜାଣି ଆଜି ବି ଅଜଣା ରହିବାର ମିଛ ଅଭିନୟ କରୁଛି..??
       ହୁଏତ ଉତ୍ତର ଆପଣଙ୍କ ପାଖରେ ଥାଇପାରେ ...

(ତା-09/04/2019 ର ଅନୁଭୂତି)
×-×-×-×-×-×-×-×-×-×-×-×-×-×-×
ଶିବ ଚରଣ ମହାପାତ୍ର
ଚକ୍ରଧରପୁର : କେନ୍ଦୁଝର

0 Comments