• ମଣିମା , ଶୁଣିମା ହେଉ ଗୁହାରି
• ଦୁଃଖ ଦାନବର ଦାଉ ରେ ଦୁନିଆଁ
• ଦିଶେ କେଡେ ହତଶୀରି , ମଣିମା… ।।
•
• ଦାରିଦ୍ର୍ୟ,ଦାଦନ, ଦୁର୍ନୀତି, ଦୁଷ୍କର୍ମ
• ବିକଟାଳ ରୂପ ନେଇ
• ଅତିକାୟ ତା'ର ବିଭତ୍ସ ଚରିତ୍ରେ
• ଚିତ୍ର ଦିଏ ବଦଳାଇ,
• କାଆଗେ କହିବି ଏ ଦୁଃଖ ଯନ୍ତ୍ରଣା
• ଦିନଯାଏ ସରି ସରି ,
• ମଣିମା , ଶୁଣିମା ହେଉ ଗୁହାରି… ।।
•
• ଖଚ,ଖଣ୍ଟ,ଖଳ,ଖେଟକ,ଖେଚର
• ଆହା କି ଆନନ୍ଦ ରୋଳେ
• ବିହାର କରନ୍ତି ନିରିହ ଜୀବନ
• ଅଦିନେ ଜୁଇରେ ଜଳେ,
• ଆହେ ବିଶ୍ଵପିତା ନିଷ୍ପେସିତ ପ୍ରାଣ
• ଛଟପଟ ହୁଏ ଖାଲି,
• ମଣିମା , ଶୁଣିମା ହେଉ ଗୁହାରି… ।।
•
• ସୁଜଳା,ସୁଫଳା, ସ୍ଵର୍ଣ୍ଣପ୍ରସୁ ମୋର
• ଶୁଭାଙ୍ଗୀ ଭାରତବର୍ଷ
• ଅହିଂସା ପରମ ଧର୍ମ ଏ ଜାତିର
• ଲାଗିଲାଣି ଏବେ ବିଷ,
• କୃର, କୁଟିଳ,କବନ୍ଧ କରେ ଖେଳ
• ସତ୍ୟ ଯାଏ ଅପସରି,
• ମଣିମା , ଶୁଣିମା ହେଉ ଗୁହାରି… ।।
•
• ଆତଙ୍କିତ କରେ ଆତଙ୍କି ଗର୍ଜନ
• ଅଣୁ,ପରମାଣୁ ବାଣ
• ଧ୍ଵଂସ ପଥର ପଥରେ ନିରିହ
• କାହିଁ ନାହିଁ ପରିତ୍ରାଣ
• ତବ ରଙ୍ଗା ପଦେ ଅଶରା ଜୀବନ
• ତ୍ରାହିକର ଭାବଗ୍ରାହୀ
• ମଣିମା, ଶୁଣିମା ହେଉ ଗୁହାରି... ।।
•
• ଶାସକ,ଶାସନ,ଶାସିତ, ବିଧାନ
• ସଂବିଧାନ ଦିଗହରା
• ଐତିହ୍ୟ, ସଂସ୍କୃତି ଭାଗବତ ପୋଥି
• ଅଲୋଡା, ଜୀବନ ଧାରା,
• ବଦଳିଯାଉଛି, ରମାରମଣ ହେ
• (ଶୁଣ)କବି ପ୍ରଫୁଲ୍ଲ ର ଅଳି
• ମଣିମା , ଶୁଣିମା ହେଉ ଗୁହାରି ।।