କ୍ଷୁଦ୍ରଗଳ୍ପ - ସଫଳ ମୂର୍ତ୍ତିକାର - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - ସଫଳ ମୂର୍ତ୍ତିକାର - ଶିବ ଚରଣ ମହାପାତ୍ର



ରାତି ଅନେକ ବଢି ସାରିଲାଣି , ନିଶାର୍ଦ୍ଧ ର ନିର୍ଜନ ଅନ୍ଧକାର ଭିତରେ ବୁଡି ରହି ନିଜକୁ ହଜେଇବାର ବୃଥା ଚେଷ୍ଟା କରି ବାରମ୍ବାର ହାରିଚାଲିଥିଲେ ବିନୋଦ ବାବୁ । ବନ୍ଦ କୋଠରୀ ର ଚାରି କାନ୍ଥ , କବାଟ , ଝରକା ,ଛପର  ତାଙ୍କ ପାଇଁ କେଇ ଘଣ୍ଟା ଆଗରୁ  ସାତ ସପନ ଥିଲା କିନ୍ତୁ ଏବେ ସେମାନେ ହିଁ ତାଙ୍କ ସହଚର । ବୃଦ୍ଧାଶ୍ରମ ର ଚାରିକାନ୍ଥ ଭିତରେ ଅଣନିଶ୍ବାସୀ ହେଇ ବିନୋଦ ବାବୁ ଦରଆଉଜା ଝରକା ପାଖକୁ ଚାଲିଯାଇ ସମ୍ପୁର୍ଣ୍ଣ ଭାବରେ ଝରକା ର କବାଟ ଖୋଲି ଦେଲେ । ଝର୍କା ସେପାଖ ରୁ ମନ୍ଦ ମନ୍ଦ ପବନ  ଭାସି ଆସୁଥିଲା । ଆକାଶରେ ଅମାବାସ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଦ୍ୱାଦଶି ର ଚାନ୍ଦ ଟା କିରି କିରି ହେଇ ହସୁଥିଲା ।ମନ ଭରି ଦୁଇ ଆଖି ର ଜ୍ଜଳନ  ଶେକି ନେଉ ନେଉ ତାଙ୍କ ଆଖି କୋଣ ଦେଇ ବୋହି ଆସିଥିଲା ଗଙ୍ଗା ଯମୁନା ର ଦୁଇ ଧାର । ଧୂମ୍ରାଭ ଜହ୍ନ ଆଲୋକ ରେ ଧୂଳି ଧୂସରିତ  ସ୍ମୃତି କୁ ଆଖି ର ସ୍ୱଚ୍ଛ ଲୋତକ ଧୋଇ ଦେଇଗଲା । ଝଲସି ଉଠିଲା ଝାପ୍ସା ଅତୀତ ର ଜୀବନ୍ତ  ଜଳଛବି ।

"ଏଇ ଶ୍ରବଣ ମା' କୁଆଡେ ଗଲ..? ଶୀଘ୍ର ମୋତେ ପଖାଳ ଗଣ୍ଡେ  ଆଉ ତେନ୍ତୁଳି ଖଣ୍ଡେ ଦେଇଦେ । ସମସ୍ତେ ବାହାରିକି ପଳେଇଲେଣି ତୋର ଟିକେ ନିଘା ନାହିଁ । ଡେରି ରେ ଗଲେ ସିଆଡେ ସାହୁକାର କାମ ରୁ ଫେରେଇ ଦେବ । ଆରେ କୁଆଡେ ଗଲ ..??"
-"ହଁ ହଁ ଯାଉଛି ..ଏଇ ନିଅ...ବାବୁ ପାଇଁ ପିଠା ଟିକିଏ ପୋଡି ଦେଉଥିଲି । ତା'ର ବି ଡେରି ହେଲେ ଟିଉସନ ମାଷ୍ଟର ପିଟିବ..।ଗୋଟିଏ ଲୋକ କେତେଆଡେ ହେବି..?"
-"ହଉ ହେଲା ମୁଁ  ଯାଉଛି ।"
ଏତକ କହି ଶ୍ରବଣ ବାପା ଫାଉଡା- ଭାର ନେଇ ତରତର ହେଇ ଚାଲି ଯାଉଥିଲେ  ।ପଛରୁ ପୁଣି ଶ୍ରବଣ ମା ଡାକ ଛାଡି କହିଲା-" ହେଇଟି...ଆଜି ସାହୁକାର ଙ୍କୁ କହି ଆଡଭାନ୍ସ ପଇସା ଆଣିବ ,ବାବୁ ର ଟିଉସନ ପଇସା ଆଉ ତାର ଫରମ୍ ଫିଲପ ପଇସା ଦେବା କୁ ହେବ ।" ତା କଥା କୁ ଶୁଣି ମଧ୍ୟ ନଶୁଣିବା ପରି କାମକୁ ଚାଲିଗଲେ ବିନୋଦ । କେତେ ଆଉ ଖଟିବ..? କୋଇଲା ଖାଦାନ ରେ ମଣିଷ ରୁ ଖଣ୍ଡେ ଜ୍ଜଳନ୍ତା ଲାଲ୍ କୋଇଲା  ହେଇ ତା ଚାରି ପାଖର ଅନ୍ଧକାର କୁ ଦୂରେଇ ଚାଲିଛନ୍ତି ସେ । ହେଲେ କେତେଦିନ.. ? ସବୁପରେ ବି ସେ ତ ଜଣେ ମଣିଷ ନା । ବଢି ପାଣି ପରି ସମୟ ଗଡି ଚାଲିଥିଲା । ଶ୍ରବଣ ର ପରିଶ୍ରମ  ,ଅଧ୍ୟବସାୟ  ,ନିଷ୍ଠା  ତାକୁ ସଫଳତା ର ସୁଉଚ୍ଚ ଶୀଖର ରେ ନେଇ ପହଞ୍ଚାଇଥିଲା । ସେ ଏବେ ଉଚ୍ଚ ପଦସ୍ଥ  ପ୍ରଶାସନିକ ଅଧିକାରୀ । ବାପା ଙ୍କୁ କହିବା ପରେ ତାଙ୍କର କୋଇଲା ଖାଦାନ ଯିବା ବନ୍ଦ ହେଇ ଯାଇଛି । ନିଜ ସରକାରୀ ବଙ୍ଗଳା କୁ ବାପା-ମା ଙ୍କୁ ନେଇ ଆସିଛି ।

ଏବେ ବିନୋଦ ର ପରିଚୟ ବଦଳି ଯାଇ  "ବିନୋଦ ବାବୁ" ହେଇ ଯାଇଛି । କିନ୍ତୁ ସେ ଭୁଲି ପାରୁନଥିଲେ ନିଜ ସାହି ପଡିଶା ର ସାଙ୍ଗ ସାଥି ...ଗାଁ ର ମନଲୋଭା  ପରିବେଶ । ଏସବୁ  ମନ ଭିତରେ ଆଲୋଡନ ସୃଷ୍ଟି କରୁଥିଲେ ମଧ୍ୟ ପୁଅ ର ଖୁସି ପାଇଁ ନିଜକୁ ସବୁଥିରେ ଠିକ୍ ଠାକ୍ ଚଳେଇ ନେଉଥିଲେ ସେ । ଦିନେ ବିନୋଦ ବାବୁ ଙ୍କର ଛାତି ଯନ୍ତ୍ରଣା ଆରମ୍ଭ ହେଲା । ଶ୍ରବଣ ମଧ୍ୟ ସାଙ୍ଗେ ସାଙ୍ଗେ ସହରର ସବୁଠାରୁ ବଡ ଡାକ୍ତରଖାନା ରେ ସୁପାରିଶ କରେଇ ତାଙ୍କ ଚିକିତ୍ସା କରେଇ ଆଣିଲେ ।ଏବେ ବଙ୍ଗଳା ରେ ତାଙ୍କ ଯତ୍ନ ତାଙ୍କ ସ୍ତ୍ରୀ ନେଉଛନ୍ତି । ହେଲେ କହନ୍ତି ନି ବିପଦ ଯେତେବେଳେ ଆସେ ନିଜ ବନ୍ଧୁ ପରିଜନଙ୍କୁ ସାଥିରେ ନେଇ ଆସେ ।ହଠାତ୍ ଦିନେ ସମସ୍ତ ଙ୍କୁ ପରକରି ଶ୍ରବଣ ର ମା' ଆର ପାରିକି ଚାଲିଗଲା । ପତ୍ନୀ ବିୟୋଗରେ ବିନୋଦ ବାବୁ ଆହୁରି ଅସୁସ୍ଥ ହେଇ ପଡିଲେ । କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତତା ଭିତରେ ବାପାଙ୍କ ଦାୟିତ୍ୱ ନେବାରେ ଶ୍ରବଣ ମଧ୍ୟ ଅବହେଳା କରି ଦେଲାଣି । ବେଳେବେଳେ ତାଙ୍କ ବଙ୍ଗଳା କୁ ବଡ ବଡ ବାବୁ ଅଫିସର ଆସିଲେ ରୋଗୀଣା ବାପା ଙ୍କୁ ପରିଚୟ କରାଇବାକୁ ସେ ବି କୁଣ୍ଠାବୋଧ କରୁଛି । ଶେଷରେ ନିଷ୍ପତ୍ତି ନେଇ ବିନୋଦ ବାବୁ ଙ୍କ ପାଖକୁ ଯାଇ ଶ୍ରବଣ କହିଲା -"ବାପା ମୁଁ ତ ବହୁତ ସମୟ ବାହାରେ ରହୁଛି ... ତେଣୁ ମୁଁ କହୁଥିଲି , ମୁଁ  ଏଇ ସହର ର ଭଲ ଓଲ୍ଡ ଏଜ୍ ହୋମ୍ ରେ ବୁଝାବୁଝି କରିଦେଇଛି ଆପଣ କାଲିଠୁ ସେଇଠି ରହିବେ । ମୁଁ ସମୟ ବାହାର କରି ଆପଣଙ୍କୁ ଦେଖି ଆସିବି.।" ପୁଅ ର ଏକଥା ଶୁଣି ବିନୋଦ ବାବୁ ଛୋଟ ଛୁଆ ପରି ମୁଣ୍ଡ ହଲେଇ ହଁ ମାରିଥିଲେ ।ସକାଳେ ସମସ୍ତ ପୋଷାକ ପତ୍ର ସଜେଇ ଡ୍ରାଇଭର ହାତରେ ବିନୋଦ ବାବୁ ଙ୍କୁ ବୃଦ୍ଧାଶ୍ରମ ପଠେଇ ଦେଇଥିଲେ ଶ୍ରବଣ ।ସେଠାକୁ ଆସିବା ପର ଠାରୁ ବିନୋଦ ବାବୁ ଙ୍କୁ ସବୁକିଛି ଲାଗୁଥିଲା ଅଚିହ୍ନା ଅଚିହ୍ନା । ସବୁ ଆପଣାର ମାନେ ସାତ ପର ତଥାପି ଶୁଖିଲା ଓଠରେ ଟିକିଏ ମଉଳା ହସ ଫିଙ୍ଗି ଦେଇ ମନେ ମନେ କହୁଥିଲେ -" ହଁ ମୁଁ ସଫଳ ମୂର୍ତ୍ତିକାର.. ଏ ଆଖି, ଏ ହାତ ,ଏ ରକ୍ତ ,ଏ ମାଂସ ଏସବୁ ମୋର ସତ.. କିନ୍ତୁ ଆଉ କାହାର ଇସାରା ରେ ଚାଲୁଥିଲା  ବୋଧେ..। "
        
ବିନୋଦ ବାବୁ ତ ନିମିତ୍ତ ମାତ୍ର ଆଜ୍ଞାକାରୀ..କେହି ଅଦୃଶ୍ୟ ରେ କହିଛନ୍ତି ଆଉ ଇୟେ ତିଆରି ଚାଲିଛନ୍ତି ଶହ ଶହ ମୃଣାଳ ମୂର୍ତ୍ତି । ଏ ସମାଜ ର ଶୋଭା ବର୍ଦ୍ଧନ ପାଇଁ । ସତରେ କଣ ବିନୋଦ ବାବୁ ବଞ୍ଚିଥିଲେ ନା ଅନ୍ଧାର ରାତି ର ଅନ୍ଧକାର ଗଳି ଭିତରେ ନିଜକୁ ନିଜେ ମାରିଦେଇଥିଲେ..ଆଲୋକମାଳା ନଗରୀ ର ଅଦେଖା ବହଳ ଅନ୍ଧାର ଭିତରେ ବିନୋଦ ବାବୁ ଙ୍କ ପ୍ରଶ୍ନ ଥିଲା ନିରୁତ୍ତର...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର : କେନ୍ଦୁଝର

ପ୍ରତିଯୋଗିତା ନିମନ୍ତେ ☝️☝️☝️

0 Comments