ଭାଇ ଏବେ ତୁମର କୋଉ ଚିହ୍ନ - ସନ୍ତୋଷ କୁମାର ମହାନ୍ତି

ଭାଇ ଏବେ ତୁମର କୋଉ ଚିହ୍ନ - ସନ୍ତୋଷ କୁମାର ମହାନ୍ତି

ଆମ ଦେଶ ତ୍ୟାଗ ଓ ବଳିଦାନର କଥା କୁହେ |ଏହି ଭାରତ ଭୋଗର ଭୂମି ନୁହେଁ କର୍ମର ଭୂମି | ଏହି ମାଟିରେ ଅନେକ ମହାମନୀଷୀ ଜନ୍ମ ନେଇ ବୃହତ୍ତର ସ୍ୱାର୍ଥ ପାଇଁ ନିଜ ଜୀବନର ସୁଖ ତ୍ୟାଗ କରିଥିଲେ | ଅନେକ ଯୁଗ ପୁରୁଷମାନଙ୍କ କଥା,କାମ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁତ ଲୋକ ଘର,ପରିବାର ,ଚାକିରୀ ଛାଡି ଦେଶ ପାଇଁ ଇଂରେଜ ବିରୁଦ୍ଧରେ ଲଢ଼ିଥିଲେ | ଆମ ପାଇଁ ସ୍ୱାଧୀନତା ଆଣି ନିଜେ ପ୍ରାଣବଳି ଦେଇଥିଲେ | ସେବେର ଜନନାୟକ ମାନଙ୍କ କଥା ଓ କାମରେ ଫରକ ନଥିଲା | ଆଚରଣ ଓ ଉଚ୍ଚାରଣ ଏକା ପ୍ରକାର ଥିଲା | ଏଇ ଭାରତରେ ପୁଣି ବୁଦ୍ଧଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କର ଅନୁଗାମୀ ମାନେ ସମାଜରେ ସଂସ୍କାର ଆଣିଥିଲେ | କିନ୍ତୁ ଏବେ ଭାରତର ଅର୍ଦ୍ଧାଧିକ ଜନନାୟକଙ୍କ ଉଚ୍ଚାରଣ ଓ ଆଚରଣରେ ତାଳମେଳ ନଥାଏ | ଆଉ ସେହି ଜନନାୟକଙ୍କ ଅନୁଗତ ମାନେ ଏ ସମାଜର ଯେତିକି ହିତ କରନ୍ତି ନାହିଁ ତାଠାରୁ ଶହେ ଗୁଣ ସମାଜରେ ଅସ୍ଥିରତା ,ଶୋଷଣ ଓ ଅନ୍ୟାୟ ଆଦି କାମ କରିଥାନ୍ତି | ଏଠି ନୀତି ଆଦର୍ଶ ଏବେ ବହିର ପାଠ ହୋଇଯାଇଛି |

ଆମେ ପିଲାବେଳେ ପାଠ ବହିରେ ଅନେକଙ୍କ ଜୀବନୀ ପଢିଥିଲୁ | ପରେ ଯେତେବେଳେ ବଡ ହେଲୁ ସେହି ମହାପରୁଷ ମାନଙ୍କ ଜୀବନୀ ଉପରେ ଅଧିକ ଜାଣିଲୁ ଓ ପଢ଼ିଲୁ ସେମାନଙ୍କ ଜୀବନରେ ବି କିଛି ଭୁଲ ଭଟକା ଥିବାର ଜାଣିଲୁ | ଦୁନିଆରେ ଜନ୍ମ କୌଣସି ମଣିଷ ଶହେ ପ୍ରତିଶତ ସୁନା ହୋଇପାରିବ ନାହିଁ ? ଆମେ ଛାତ୍ର ଓ ଯୁବ ବୟସରେ ଯାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଇଥାଉ ପରେ ପୁଣି ସେହି ଲୋକ ପ୍ରତି ଆମ ଚିନ୍ତାଧାରା ବଦଳେ | ଆମେ ସେମାନଙ୍କ ଜୀବନରୁ କିଛି ସନ୍ଦେଶ ଗ୍ରହଣ କରି ଜୀବନରେ ଆଗକୁ ବଢ଼ୁ | କିନ୍ତୁ ରାତି ରାତି ଆମେ ନିଜର ବିଚାର ଓ ଆଦର୍ଶ ମାନିଥିବା ମଣିଷ ଉପରେ ଆଙ୍ଗୁଠି ଉଠେଇପାରୁନା କିନ୍ତୁ ଏବେ ଭାରତରେ ନିର୍ଵାଚନ ଋତୁ ଆସିଲେ ଗୋଟେ ବଡ କଥା ଦେଖିବାକୁ ମିଳେ | ଦୀର୍ଘ ବର୍ଷ ଧରି ଜଣେ ନେତା ଯିଏକି ଗୋଟେ ଦଳର ନୀତି ,ଆଦର୍ଶ ଓ ସେହି ଦଳର ତୁଙ୍ଗ ନେତାଙ୍କ ଦ୍ୱାରା ପ୍ରଭାବିତ ହେଇ ନିଜ ରାଜନୀତିକ ଜୀବନ ଗଢିଥାଏ ସେ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଦଳକୁ ଡେଇଁ ପଡେ | ଆଉ ଯୋଉ ଦଳକୁ ସେହି ନେତା ଜଣକ ଡିଆଁ ମାରନ୍ତି ସେ କୁହନ୍ତି -ମୁ ,ଏହି ଦଳର ମାନ୍ୟବର ମୁଖିଆ ଓ ଦଳର ନୀତି ଆଦର୍ଶ ପ୍ରତି ଅନୁପ୍ରାଣିତ ହୋଇ ଏଠିକି ଆସିଲି | ଧନ୍ୟ ସେ ଆଦର୍ଶ | କୋଡିଏ ,ତିରିଶ ବର୍ଷ ଧରି ତୁମେ ଗୋଟେ ଦଳରେ ରହିଲ କେମିତି ?ଆଜି ଯୋଉ ଦଳକୁ ଆସିଲ ସେ ଦଳର ନୀତି, ଆଦର୍ଶ ଓ ମୁଖିଆ ମାନେ ଆପଣଙ୍କୁ ଆଜି ଏତେ ଭଲ ଲାଗିଲେ ? ଆଗରୁ ନାଇଁ ସ୍ୱାର୍ଥ ହଜିଗଲା ବୋଲି ଆଜି ମାଇଁ ମାଇଁ ...ତେଣୁ ଭୋଟର ଭାଇମାନେ ଏହି ଭଳି ନେତାଙ୍କୁ ଆମେମାନେ ଆଉ କେତେ ଦିନ ନିଜର ସମର୍ଥନ ଦେଇ ଚାଲିଥିବା ? ଏହି ଭଳି ନେତାଙ୍କ ବିଚାର ଓ ଦଳ ତ୍ୟାଗ ସେମାନଙ୍କ ଅନେକ କର୍ମୀଙ୍କ ହଜମ ହେଇପାରେନା | ତେଣୁ ନେତାଙ୍କ ପଛେ ଗୋଡ଼ଉଥିବା ଅନୁଗତ ମାନେ ଜାଣି ରଖିବା ଉଚିତ ଆଦର୍ଶ ଏଠି ଫମ୍ପା ମାଠିଆ | ଭାରତୀୟ ରାଜନୀତିରେ କିଏ କେତେବେଳେ କୋଉ ଆଡକୁ ମୋଡି ହେବ ସେଇଟା ଭାବିବା ଆମ ଭଳି ଜନତାଙ୍କ ପାଇଁ ବଡ କାଠିକର ପାଠ |

ଆଜି ହରିଆ, ମାଧିଆ, ପବନା ଭଳି ନିଷ୍ଠାପର କର୍ମୀ ଯୋଉମାନେ ଗୋଟେ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ ଆଉ ସେହି ଦଳର ନେତା ଯିଏ ଦଳ ଛାଡ଼ି ଚାଲିଗଲେ ସେମାନେ ତାଙ୍କୁ ନେଇ ଆଉ ନାଚିବେ ନା ଘରେ ବସିବେ ସେମାନେ ବୁଝି ପାରୁନାହାନ୍ତି | କାହଁକିନା ନେତାମାନେ ତ ବେଶୀ ଜନତାଙ୍କ ପାଖକୁ ଆସନ୍ତି ନାହିଁ | କର୍ମୀମାନେ ହିଁ ଦଳର ନୀତି ଓ ଆଦର୍ଶକୁ ତୃଣ ମୂଳ ସ୍ତରକୁ ଆଣିଥିଲେ | ଦଳ ପାଇଁ ପ୍ରଚାର କରିବା ଓ ଦଳ ପାଇଁ ମୁଣ୍ଡ ଫଟାଇବା ଯାଏଁ କାମ କରିଥିଲେ, ଆଜି ଯେତେବେଳେ ତାଙ୍କ ନେତା ଆଉ ଗୋଟେ ଦଳକୁ ଚାଲିଗଲେ ତାହା ସେମାନଙ୍କ ସହଜରେ ହଜମ ହେଇ ପାରୁନି | କାଲି ଯାଏଁ ଯୋଉ ଦଳକୁ ବିରୋଧ କରି ଆସୁଥିଲେ ଆଜି ସେ ଦଳର ମୁଖିଆଙ୍କ ନାମ ଧରି ଜ଼ିନ୍ଦାବାଦ କହିବେ ଆଉ ସେ ଦଳର ପତାକା ଧରି ନିର୍ଵାଚନୀ ପ୍ରଚାର କରିବେ ? ଆଦର୍ଶରେ ବନ୍ଧା କର୍ମୀ ଓ ଅନୁଗତ
ମାନେ ନେତାଙ୍କ ଦଳ ବଦଳ ଦେଖି ଯେତିକି ମ୍ରିୟମାଣ ହେଉନାହାନ୍ତି ତା ଠାରୁ ବେଶୀ ସମାଲୋଚନା ଓ ନିନ୍ଦାର ଶିକାର ହେଉଛନ୍ତି |
ପୁଣି ଆଉ ଦଳେ କର୍ମୀଙ୍କ ପାଇଁ ଦଳର ଆଦର୍ଶ କିଛି ମାନେ ରଖେନା | ବର୍ଷା ଯୁଆଡେ ତାଙ୍କ ଛତା ସିଆଡେ | ନିଜ ଗୋଡ ହଳଦିଆ ହେଲେ ଗଲା | ନେତା କୁଆଡେ ଗଲେ ,କୁଆଡୁ ଆସିଲେ ସେଥିରେ ତାଙ୍କର କିଛି ଫରକ ନଥାଏ | କିଛି ସ୍ୱାଭିମାନୀ କର୍ମୀ ଅଛନ୍ତି ନିଜ ପ୍ରିୟ ନେତାଙ୍କ ଦଳ ବଦଳ ତାଙ୍କୁ ଭାରି ଖାପ ଛାଡ ଲାଗେ | ସେ ଲାଜରେ ସରମି ଯାନ୍ତି | କାରଣ ଗୋଟେ ଦଳ ଆଉ ନେତାଙ୍କୁ ନେଇ ତାଙ୍କର ଯୋଉ ଫୁଟାଣି ଥିଲା ତାହା ଆଉ ରହେ ନାହିଁ ? ନେତା ସିନା ଜନତା ଠାରୁ ଦୁରେଇ ରହି ସପ୍ତଫେଣି ଏଣ୍ଡୁଅ ଭଳି ରଙ୍ଗ ବଦଳୁଥାଏ କିନ୍ତୁ କର୍ମୀ କେତେ ଥର ,କେତେ ରୁପରେ ଆସି ଭୋଟର ଆଗରେ ଛିଡା ହେବ | କଣ କହିବ, କେମିତି ନିଜ କଥାକୁ ଆଣି ଲୋକଙ୍କୁ ବୁଝେଇବ ସେଇ କଥା ଭାବି ଏ ମୁଣ୍ଡ ଫଟା ଖରାରେ ତାର ହାଲତ ବିଗିଡି ଯାଉଛି | କିନ୍ତୁ ଦଳ ବଦଳାଇଥିବା ନେତା ଜଣକ ଶୀତତାପ ନିୟନ୍ତ୍ରିତ ଗାଡି ଓ ଘରେ ବସି ଆଗକୁ କେତେ ମିଳିବ ଆଉ କେତେ ଯିବ ସେଇ ଚିନ୍ତାରେ ମଗ୍ନ | ସ୍ୱାଭିମାନୀ କର୍ମୀ ଏବେ ରାଜନୀତି ଠାରୁ ଦୁରେଇ ବାକୁ ଚିନ୍ତା କଲେଣି | କାରଣ ସେମାନେ ଏବେ ଭରସିକି କହି ପାରୁନାହାନ୍ତି ସେମାନେ କୋଉ ଦଳର କର୍ମୀ ଓ ସେମାନଙ୍କ ନେତା କୋଉ ଦଳର ? ଏବେ ଦଳ ଡିଆଁ ନାଟକ ଏମିତି ଚାଲିଛି ଯେ ,ପୂର୍ବଦିନ ରାତି ବାର ପୂର୍ବରୁ ଜଣେ ନେତା ଗୋଟେ ଦଳରେ ଥିବେ | ରାତି ବାରରୁ ସକାଳ ଛଅ ଭିତରେ ନେତା କୋଉ ଦଳକୁ ଯାଉଛନ୍ତି କର୍ମୀ ସକାଳୁ ଉଠିଲେ ଟିଭି ଦେଖିଲେ ଜାଣୁଛି | ଧନ୍ୟ ଏ ରାଜନୀତି ,ଧନ୍ୟ ଆସନର ମୋହ | ଏବେ ଓଡ଼ିଶାରେ ଜଣେ ନେତା ଗୋଟେ ଜାତୀୟ ଦଳର ଟିକଟ ପାଇ ଲଢ଼ିବାକୁ ଆଗଭର ହେଲେ,କର୍ମୀ ବି ମାତିଗଲେ |କିନ୍ତୁ ନେତା ଜଣଙ୍କ ଦେଖୁ ଦେଖୁ ଏବେ ପୁଣି ଗୋଟେ ଆଞ୍ଚଳିକ ଦଳକୁ ଆସିଗଲେ ନିର୍ବାଚନରେ ଲଢ଼ିବା ପାଇଁ ପାଗ
ଭିଡ଼ିଲେଣି | କାହାର ଏଠି କୋଉ ମତି ସାଧାରଣ ଲୋକ ବୁଝିପାରିନ ସେ ରାଜନୀତି |

କର୍ମୀ ଏବେ ବୁଝିଲାନି, ଆଉ କେତେକ ବୁଝିକି ନ ବୁଝିବାଭଳି ହେଉଛନ୍ତି | କିଛି ସବୁ ଜାଣିକି ନ ଜାଣିବାର ବାହାନା କରୁଛନ୍ତି | ନେତାଙ୍କ ତାଙ୍କ ବାଟରେ ଠିକ ଅଛନ୍ତି ଆଉ ଆମେ କର୍ମୀ ସବୁ ନିଜ ଭିତରେ ମୁଣ୍ଡ ଫଟା ଫାଟି, ଘର ଓ ଗାଁରେ ଆସନ୍ତି ସୃଷ୍ଟି କରିବାରେ ଯୋଉ ଭୂମିକା ନେଉଛନ୍ତି ତାର ଫଳ କାହାକୁ ବି ଭଲ ମିଳୁନି କି ମିଳିବାରେ ଆଶଙ୍କା ନାହିଁ |ଆମ ଦେଶରେ ଯେତେବେଳେ ନେତାମାନେ ଗୋଟେ ଦଳ ଛାଡ଼ନ୍ତି ସେମାନେ କର୍ମୀମାନଙ୍କୁ ପଚାରି ଆଗାମୀ ପଦକ୍ଷେପ ନେବେ ବୋଲି କୁହନ୍ତି | ପ୍ରକୃତରେ ଦଳ ପରେ ଦଳ ପରିବର୍ତ୍ତନ କରୁଥିବା ନେତା ମାନେ କେତେଯେ କର୍ମୀଙ୍କ ସହ ବିଚାର ଵିମର୍ଶ କରି ଦଳ ବଦଳାଉଥିବେ ଏଇଟା ଆମେ ସାଧାରଣ ନାଗରିକଙ୍କ ପକ୍ଷେ ଅବୁଝା ହେଇ ରହିଯାଏ | ଭାରତରେ ଯିଏ ଥରେ ରାଜନୀତିକୁ ଗଲା ସିଏ ପାଞ୍ଚ ପୁରୁଷ ପାଇଁ ତା ପରିବାରକୁ ରାଜନୀତିରେ ବାନ୍ଧି ରଖିବାକୁ ଚାହୁଁଚି | ଆଉ ଯଦି ନ ହେଇପାରିଲା ତେବେ ଦଳର ହାଇ କମାଣ୍ଡାଙ୍କ ବିରୁଦ୍ଧରେ ଯାଉଛି ,ନ ହେଲେ ଦଳ ଛାଡି ପୂର୍ବ ଦଳର ଉପରେ ନିଜ ବିଷ ଓଗାଳୁଛି | ଯୋଉ ନେତାମାନେ ପୁରୁଖା ହେଇ ଯାଉଛନ୍ତି ସେମାନେ ନିଜ ପୁଅ, ଝିଅ, ସ୍ତ୍ରୀ, ଶାଳୀ, ଧରମ ପୁଅ ଓ ଝିଅ ମାନଙ୍କୁ ରାଜନୀତିରେ ପୂରେଇବେ କିନ୍ତୁ ସେମାନଙ୍କ ସହ ଦୀର୍ଘ ଦିନ ଧରି କାମ କରିଥିବା ଓ ଦକ୍ଷତା ଥିବା ଜଣେ କର୍ମୀର ନାମ କେବେ ନିର୍ବାଚନରେ ଲଢ଼ିବା ପାଇଁ ଦେବେନି |ଏଠି ମାତ୍ର ଦଶ ପ୍ରତିଶତ କର୍ମୀ ତୃଣମୂଳ ସ୍ତରରୁ ଲୋକସେବା
ବା ରାଜନୀତି କରି ଶାସନକୁ ଆସିଛନ୍ତି | ଆଉ ଏଠି ବଂଶ ବାଦର ଯୋଉ ରାଜନୀତି ଛାଲିଛି ଆମେ ହିଁ ଜନତା ତାକୁ ଆଗକୁ ନେଇଛେ |ନେତାଙ୍କ ପରିବାର ଲୋକ ଯାହାର ଦକ୍ଷତା ,ଲୋକ ସମ୍ପର୍କ, ନିଜ ନିର୍ଵାଚନ ମଣ୍ଡଳୀର ଭୌଗଳିକ ଜ୍ଞାନ,ଜନତାଙ୍କ ସମସ୍ୟା ଉପରେ ଜ୍ଞାନ ନଥିଲେ ବଂଶ ବାଦର ରାଜନୀତିରେ ସେମାନେ ରାଜନୀତିକୁ ଆସୁଛନ୍ତି |ଆଉ ଥରେ ସେମାନେ ପଦବୀ ମାଡି ବସିବା ପରେ ଲୋକଙ୍କ ସେବାକୁ ଗୁରୁତ୍ୱ ନ ଦେଇ ନିଜ ସୁଖ ସୁବିଧାରେ ମାତୁଛନ୍ତି | ଆଉ ଆମେ ଜନତା ଭକୁଆ ହେଇ ରହିଯାଉଛେ | ଯେତେବେଳେ ଭୋଟ ଦେଉ ଆମେ ବିଚାର କରୁନା ବାପା ସିନା ଦକ୍ଷ ଥିଲା ପୁଅ କେତେ ଯୋଗ୍ୟ ? ସ୍ୱାମୀ ସିନା ରାଜନୀତିରେ ପାରିବାର ଲୋକ ଥିଲା ସ୍ତ୍ରୀ କେତେ ପାରିବାର ? ସ୍ୱାମୀ ଗୋଟେ ଦଳରେ ଥିବା ବେଳେ ସ୍ତ୍ରୀ ଆଉ ଗୋଟେ ଦଳରେ ନିର୍ବାଚନ ଲଢ଼ୁଛି | ଏବେ ତ ଗୋଟା ଘରେ ବାପା, ପୁଅ, ସ୍ତ୍ରୀ, ଝିଅ ସବୁ ଅଲଗା ଅଲଗା ଦଳରେ ନିର୍ବାଚନ ଲଢ଼ି ଆମକୁ ଶାସନ କରିବାରେ ଭାରି ଆଗ୍ରହୀ | ଏହାକୁ ଯିଏ ସମର୍ଥନ କରୁଛି ବା ଏହି ଧାରାକୁ ଯିଏ ଆଗକୁ ନେଉଛି ସେଥିରେ ମୁଖ୍ୟ ଭୂମିକା ଜଣେ କର୍ମୀର ରହୁଛି | ତାହା ସହ ଆମେ ଜନତାବି ଏହି ଧାରାକୁ ଆଗକୁ ନେବାରେ ଗୋଟେ ବଡ ଭୂମିକା ଲିଭାଉଚ୍ଛେ | ଆଉ ବଂଶ ବାଦର ରାଜନୀତିକୁ ଯଦି ଆମେ ବୁଝିପାରନ୍ତେ ତେବେ ଏ ଦେଶର ପ୍ରଗତିରେ ଅନେକ ପରିବର୍ତନ ଆସିପାରନ୍ତା | କର୍ମୀଟିଏ ତାର ନେତାଙ୍କୁ ଏତେ ଅନ୍ଧ ଭାବରେ ଗ୍ରହଣ କରିଛି ଯେ ,ନେତା ଯୁଆଡେ ଗଲେ କର୍ମୀ ସିଆଡେ ଧାଉଁଛି |ଗୋଟେ ଗୋଟେ କର୍ମୀ ନେତାଙ୍କ ଦଳ ତ୍ୟାଗରେ ଅଣନିଶ୍ୱାସୀ ହୋଇ ଆଉ କଣ ଦଳରେ ନ ମାତି ଘରେ ଚୁପ ରହୁଛି |
ଆମ ଗାଁରେ ରାଜନୀତି କରୁଥିବା ମୀନ ଭାଇ କୋଡିଏ ବର୍ଷ ଭିତରେ ଜାତୀୟ ଓ ଆଞ୍ଚଳିକ ଦଳ ମିଶି ଆଠଟି ବଦଳାଇ ସାରିଲାଣି | ସିଏ ସମର୍ଥନ କରୁଥିବା ନେତା ଯୁଆଡେ ଯାଉଛିନ୍ତି ମୀନ ଭାଇବି ଆମର ସିଆଡେ ମୋଡ ବଦଳାଉଛି |ସେଥିପାଇଁ ଏବେ ନିର୍ଵାଚନ ବେଳେ ମୀନ ଭାଇକୁ ଦେଖି ଆମ ଗାଁ ଟୋକାମାନେ ଗୀତ ଗାଉଛନ୍ତି-ମୀନଲୋ…. ଏବେ ତୋର କୋଉ ଚିହ୍ନ ଲୋ.......|

ନବଜୀବନ ସମାଜ, ସଫା, କଟକ-୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬

0 Comments