ମାଆ-ମାତୃଭୂମି-ମାତୃଭାଷା - ଜୟଶ୍ରୀ ମହାରଣା

0

ମାଆ, ମାତୃଭୂମି,ମାତୃଭାଷା ଠାରୁ
       କିଏ ଅଛି ମହିୟସୀ ?
ଜନମ କାଳରୁ ମରଣ ପର୍ଯ୍ୟନ୍ତ
      ଜୀବନ ଗଢନ୍ତି ମିଶି 
ଦଶମାସ ମାଆ ଗର୍ଭେ ଧରିକରି
        ପ୍ରସବ ବେଦନା ସହି
ଦୁନିଆ ଆଲୋକ ଦେଖାଏ ଆମକୁ
        ନୂଆ  ପରିଚୟ ଦେଇ ।
ତନୁରୁ ନିଗାଡି ଅମୃତ କଣିକା
        ମୁଖରେ ଆହାର ଭରେ
ସେବା ଯତନରେ ପାଳଇ ଆମକୁ
        ଛୋଟରୁ ବଡ଼ ତ କରେ ।
ମାତୃଭୂମି କୋଳ ଛୁଇଁବା ଯେବେଠୁ
        ଆଦରେ କୋଳେଇ ନିଏ
ତା'ପାଣି ପବନେ ଶରୀର ପ୍ରାଣରେ
          ଶକତି ସଞ୍ଚରି ଥାଏ 
ତା'ର ବକ୍ଷ ପରେ ଗୋଡ଼କୁ କଚାଡି
          ଅଳି ବା ଅଝଟ କଲେ
ପାଦର ଆଘାତ ଆଦରେ ସହି ବି
         ଆଶିଷ ଆମକୁ ଢାଳେ ।
ତା'ର ଶରୀରକୁ ଅସ୍ତବ୍ୟସ୍ତ କରି
        ଜୀବନ ଜୀଇଁବା ପାଇଁ
ସୁନାର ଫସଲ ଭେଟି ଦେଇଥାଏ
           ଅବଶୋଷ କରେ ନାହିଁ ।
କୁନି କୁନି ଓଠେ ମାତୃଭାଷା ଦ୍ୱାରା
           ମନଭାବ ବ୍ୟକ୍ତ କରି
ସଭିଙ୍କ ସେନେହ ସାଉଁଟି ଜୀବନେ
            କେବେ ବି ଯିବାନି ହାରି ।
ପ୍ରଗତି ଆଳରେ ଅନ୍ୟଭାଷା ଯେତେ
            ଶିଖୁଛେ ଖଟାଇ ବୁଦ୍ଧି
ମାତୃଭାଷା ବିନା ସମାଜ ଆଗରେ
         ପାରିବାକି କାର୍ଯ୍ୟ ସାଧି ?
ମାଆ, ମାତୃଭୂମି,ମାତୃଭାଷା ବିନା
             ଅସ୍ତିତ୍ୱ ହାରିବା ସାର
ସମ୍ମାନ କରିଲେ ଗୌରବ ବଢିବ
             କରନା ମନରୁ ପର ।

ଜୟଶ୍ରୀ ମହାରଣା,
ବାଣପୁରଖୋର୍ଦ୍ଧା

Post a Comment

0Comments
Post a Comment (0)