ହେ ମାଆ ବାଗ୍ଦେବୀ - ନାରାୟଣ ଚନ୍ଦ୍ର ସେନାପତି

0

ହେ ମା' ବାଗ୍ଦେବୀ
ସଂସାରର ଅମାନ୍ଧକାରେ
ତୁମେ ଜାଳିଥାଅ ଜ୍ଞାନର ସବିତା
ଢାଳିଥାଅ ବୁଦ୍ଧିର ଜୋଛନା
ଗଢି ଶୁଭ୍ର ତାଜମହଲ
ତରଙ୍ଗାୟିତ ମୁକ୍ତାମହଲ
ନିର୍ମଳତାର ଯମୁନାତଟରେ ।।
ତୁମ ହସ୍ତର ବୀଣାର ଧ୍ଵନି
ଖାଲି କରେନା କର୍ଣ୍ଣକୁ ପବିତ୍ର
ଭରିଦିଏ ଜଡ଼କଣ୍ଠେ ଲାଳିତ୍ୟର ସାତସୁର
ହତାଶାମନ ନାଚିଉଠେ ଶତସିଂହର ବଳେ
ଅନ୍ଧ ବି ଆଙ୍କେ ସୌନ୍ଦର୍ଯ୍ୟର ଦିବ୍ୟମହଲ
ବୁଦ୍ଧ୍ୟଙ୍କର ଛଣପଟରେ।।
ତୁମ ପୁସ୍ତକ ଭବିଷ୍ୟ ଭାସ୍ୟକାର ବାର୍ତ୍ତାବହ ସାଜି କହେ
ମୁଁ ହିଁ ପ୍ରକୃତ ବନ୍ଧୁ
ସଞ୍ଜମ, ସତ୍ୟ, ସ୍ୱାଭିମାନର,
ମୁଁ ବିଦ୍ୟାର୍ଥୀର ତପୋବନ
ସାହସ,ଶୀଳ, ବୀରତ୍ୱ କୁସୁମର,
ମାନବିକତା ହିଁ ଧର୍ମ
ଭଦ୍ରତା, ବିନୟ ହିଁ ମୋର ପୁଣ୍ୟକର୍ମ
ବ୍ରତୀକରି
ମାତୃ ଜାତିର ପଦବନ୍ଦନାରେ।
ହେ ଭଗବତୀ ଭାରତୀ
ସହୃଦୟେ ଆସ ତୁମେ ବସନ୍ତ ପଞ୍ଚମୀରେ
ଧରି ଆଶିଷର କୁହୁକ ମହାଧନ
ସଶ୍ରଦ୍ଧରେ ଭର ବିଦ୍ୟାର୍ଥୀଙ୍କ ମାନସପଟରେ
ମୃଦ୍ୟୁମନ୍ଦ ମଲୟରେ ପୁଲକିତ ସର୍ବେ
କରନ୍ତି ପୂଜା
ଚାଖିବକୁ ତଵ ଜ୍ଞାନାମୃତ
ଉଡାଇବାକୁ ବିଜୟର ଧ୍ବଜା
ମୁର୍ଖରୁ କାଳିଦାସ କରି ରୂପାନ୍ତର
ବୁହାଅ ନବୀନ ସ୍ପନ୍ଦନ
ପ୍ରତିଟି ଜୀବନ୍ତ ଜିଜ୍ଞାସୁ ପ୍ରାଣରେ ।।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0Comments
Post a Comment (0)