Information

କ୍ଷୁଦ୍ରଗଳ୍ପ - ସୁନେଲି ସ୍ମୃତି - ସସ୍ମିତା ସାହୁ


ମୁଁ ଲକ୍ଷ୍ମୀ । ବାମପଡ଼ା ବ୍ରାହ୍ମଣ  ଶାସନର ବୋହୁ ଟିଏ । ଶଶୁରଘରର ଲୋକେ ଡାକନ୍ତି ଅଲକ୍ଷଣି, ଅଲକ୍ଷ୍ମୀ, ହତଲକ୍ଷ୍ମୀ, ଲକ୍ଷ୍ମୀଛାଡି.. ଆଉ ଶାଶୁ ଡାକନ୍ତି ଘଇତାଖାଇ ।  ଭାରି ମନକଷ୍ଟ ହୁଏ । ଆଖିରୁ କିନ୍ତୁ ଲୁହ ଆସେନି ।  କାହିଁକି ନା ଦୀର୍ଘ ୭ ବର୍ଷ ହେଲା ଏ ସବୁ ଡାକ ଶୁଣି ଶୁଣି ମୋ ଦେହ ସୁହା ହେଇ ଗଲାଣି ।  ଭାଗ୍ୟକୁ ଆଦରି ଏବେ ବି ଶଶୁର ଘରେ ପଡି ରହିଛି ।  ବାପା ବହୁତ ଥର ମୋତେ ଅନୁରୋଧ କଲେଣି ଘରକୁ ନେଇ ଯିବାକୁ ।  ହେଲେ ମୁଁ ଯିବାକୁ ମନା କରି ଦିଏ ।  ଘରେ ଶାଶୁ ମା' ଏକୁଟିଆ ହେଇ ଯିବେ ।  ଘରର ଯାବତୀୟ କାମ କିଏ କରିବ ।  ଶଶୁର ଦୀର୍ଘ ଦିନ ହେଲା ବିଛଣାରେ ।  ଶାଶୁଙ୍କର ବଳ ପାଉନି ।  ଯାଆ  ବିଦେଶରେ ।  ତେଣୁ ମୁଁ ବାପ ଘରକୁ ଯିବାକୁ ଚାହୁଁନି ।  ବାପା ବି ଆଉ ବାଧ୍ୟ କରୁ ନାହାନ୍ତି ।  ହେଲେ ଯେବେ ମୋ ପାଖକୁ ଆସନ୍ତି, ଗଲାବେଳକୁ ଛୁଆଙ୍କ ଭଳିଆ କଇଁ କଇଁ ହୋଇ କାନ୍ଦନ୍ତି ।  ମୁଁ ବି କାନ୍ଦେ ।  ଆଉ ବାପାଙ୍କୁ ବୁଝାଏ । ବାପା ମୋ ଭାଗ୍ୟରେ ଯାହା ଲେଖା ମୁଁ ଭୋଗିବି ସେଥିରେ ତୁମେ ଆଦୌ ବ୍ୟସ୍ତ ହୁଅନି ବରଂ ଆଶୀର୍ବାଦ କର ମୁଁ ମୋ ପରିବାର ପାଇଁ କିଛି ଭଲ କାମ କରେ । ସମସ୍ତଙ୍କୁ ସାହାଯ୍ୟ କରେ, ସମସ୍ତଙ୍କୁ ଖୁସି ଦିଏ, ବାପା ମୋ ମୁଣ୍ଡରେ ହାତଟାକୁ ରଖି ଥାପୁଡ଼େଇ ଦିଅନ୍ତି ଆଉ କୁହନ୍ତି ହଉ ମା’ ମୁଁ ଆସୁଛି ନିଜର ଯତ୍ନ ନେବୁ । 

ହଁ ଆଜ୍ଞା, ମୁଁ ତ କହିବାକୁ ଭୁଲିଗଲି ମୋ ସ୍ୱାମୀ ଜଣେ ସୀମାନ୍ତ ସୈନ୍ୟ ଥିଲେ ।  ଆତଙ୍କବାଦୀଙ୍କ ବୋମା ବିସ୍ପୋରଣରେ ତାଙ୍କ ପ୍ରାଣ ଚାଲିଗଲା ।  ତାଙ୍କର ମୃତ ଶରୀର ବି ସରକାର ଆମକୁ ହସ୍ତାନ୍ତର କଲେ ନାହିଁ, କହିଲେ ବିସ୍ପୋରଣରେ ନଷ୍ଟ  ହୋଇ ଯାଇଛି ।  ସ୍ୱାମୀଙ୍କର ନାମ ଅଭିରାମ ଦାସ ମୃତ୍ୟୁ ବେଳକୁ ତାଙ୍କ ବୟସ ମାତ୍ର ୨୮ ବର୍ଷ ।  ମୋର ଏବେ ବି ମନେ ଅଛି ସେ ଦିନ ଥାଏ ରବିବାର । ଶଶୁରଘର ଲୋକ ଆସିଥାନ୍ତି ମୋତେ ଦେଖିବାକୁ, ତାଙ୍କ ସହିତ ସେ ବି ଆସି ଥିଲେ । ମୁଁ ଚେୟାରରେ ବସିଥାଏ ,ମୋ ସାମ୍ନାରେ ସେ ସୋଫାରେ ବସିଥାନ୍ତି । ବାରମ୍ବାର ମୋ ଆଡକୁ ଚାହୁଁଥାନ୍ତି ଆଉ ମୁଁ ଛାନିଆରେ ମୋ ବୋଉ ହାତଟିକୁ ଜାବୁଡି ଧରିଥାଏ । ଶାଶୁ ନଣନ୍ଦ  ମାମୁଁ ମାଇଁ ଶଶୁର ସମସ୍ତେ ମୋତେ ଭଳି ଭଳିକି ପ୍ରଶ୍ନ ପଚାରୁଥାନ୍ତି । ମୁଁ ଡରି ଡରି ଧୀରେ ଧୀରେ ଉତ୍ତର ଦେଉଥାଏ ହେଲେ ସେ ମୋତେ କହୁ ଥାନ୍ତି, "ଡରିବାର କିଛି ନାହିଁ, ଆମେ ତୁମର କିଛି କ୍ଷତି କରିବୁନି ।  ଏହା ଏକ ପ୍ରଥା ବୋଲି  ପଚାରିବା କଥା ।"

ଶେଷରେ ମୋ ବାପା ୟା’ଙ୍କୁ କହିଲେ, "ବାବା ତୁମେ ଯଦି କିଛି ପଚାରିବାକୁ ଚାହୁଁଛ ପଚାରି ପାର" ।  ଏ କଥା ଶୁଣି ଆଉ ଭୟ ପଶି ଗଲା । ହେଲେ ୟେ ବୋଧେ ମୋ ପରିସ୍ଥିତି ବୁଝି ନେଲେ ।  କହିଲେ, "ନାହିଁ ଆଉ କିଛି ପଚାରିବାର ନାହିଁ, ମୋତେ ଝିଅ ପସନ୍ଦ ହୋଇଛି" ।   ଏହା ଶୁଣି ମୁଁ ଟିକେ ଦୀର୍ଘନିଶ୍ବାସ ନେଲି ।  ତା'ପରେ ମୋତେ ଶଶୁର କହିଲେ, "ଯାଆ  ମାଆ.. ଭିତରକୁ" ।  ମୁଁ ରୋଷେଇ ଘର ଆଡକୁ  ଚାଲି ଗଲି, ସମସ୍ତଙ୍କର  ଖାଇବା ପିଇବା ଆୟୋଜନ ପାଇଁ । ସମସ୍ତେ ମୋ ହାତ ରନ୍ଧା ଖାଇ ,ଦିନ ୪ ତା ସୁଦ୍ଧା ଯିବାକୁ ବାହାରିଲେ । ଯିବା ସମୟରେ ଶାଶୁ ମୋ ହାତରେ ୫୦୧  ଟଙ୍କା  ଧରାଇ କହିଲେ, "ତୁ ଆଜି ଠୁ ମୋ ବୋହୁ ହେଲୁ" ।  ମୁଁ ସମସ୍ତଙ୍କୁ ପ୍ରଣାମ କଲି । ସମସ୍ତେ କାର୍ ରେ ବସିଲେ ହେଲେ,  ୟେ' ବାରମ୍ବାର ପଛକୁ ବୁଲି ଦେଖୁଥାନ୍ତି ।  ଲାଗୁଥିଲା କିଛି କହିବାକୁ ଚାହୁଁଛନ୍ତି ହେଲେ କହି  ପାରୁନାହାନ୍ତି ।  ଶେଷରେ ସେ ବାପାଙ୍କୁ ପ୍ରଣାମ କରି ଗାଡ଼ିରେ ବସିଲେ । 

ନିର୍ଦ୍ଧିଷ୍ଟ ତାରିଖ ଅନୁସାରେ ନିର୍ବନ୍ଧ ହେଲା  ।  ତା ପରେ  ଜୁନ ମାସ ୨୯ ରେ ବାହାଘର ହେଲା ।  ସପ୍ତମଙ୍ଗଳା ପରେ ପୁରୀ ବୁଲିବାକୁ ଯାଇଥିଲୁ । ଠିକ ୨ ମାସ ପରେ ସେ ଫେରି ଗଲେ ତାଙ୍କ ଚାକିରୀ ଜାଗାକୁ, କାଶ୍ମୀର ।  ମୁଁ ଚାହୁଁ ଥିଲି ତାଙ୍କ ସହ ଯିବାକୁ ହେଲେ, ସେ ପରେ ନେବେ ବୋଲି ମୋତେ ବୁଝାଇ କହିଲେ । ତେଣୁ ଗଲାବେଳେ ସେ ଏକୁଟିଆ ଗଲେ ସେଠି ପହଂଚିବା ପରେ ସେ ଫୋନରେ  କଥା ବାର୍ତ୍ତା କରନ୍ତି ।  ଏମିତି ୩ ମାସ ବିତି ଗଲା ଦିନେ ହଠାତ ରାତିରେ, କାଶ୍ମୀରରେ ପାକିସ୍ତାନୀ  ଆତଙ୍କବାଦୀଙ୍କ ବୋମାମାଡରେ କ୍ୟାମ୍ପରେ ଶୋଇ ଥିବା ସମସ୍ତ ସୈନ୍ୟମାନଙ୍କର ପ୍ରାଣ ଚାଲିଗଲା । ସେଥି ମଧ୍ୟରୁ  ଇଏ ବି ଜଣେ ଥିଲେ । ବାସ, ମୋ ହସ ଖୁସି ସେଇଟି ଅଟକି ଗଲା । ସେଇ ଚିନ୍ତାରେ ମୋ ବୋଉ ଚାଲି ଗଲା । ଆଉ ଶଶୁର ଶଯ୍ୟାଶାୟୀ ।
  
ବେଳେବେଳେ  ବସି ଭାବେ କେତେ ସୁନ୍ଦର ଥିଲା ମୋ ପିଲା ଦିନ ନା  ଚିନ୍ତା ନ।  ଦୁଃଖ ନ।  କଷ୍ଟ  ନ। ଅପବାଦ । କେବଳ ହସ ଆଉ ମଜା ।  ସାଙ୍ଗ ସହ ଖେଳିବା ଘର ଘର  ବୁଲିବା ।  ପାଖ ଦିନା ମଉସା ଦୋକାନରୁ ବାପାଙ୍କ ନାଁ କହି ଚକଲେଟ ବିସ୍କୁଟ ଖାଇବା । ସକାଳୁ ଡେରିରେ ଉଠିବା, ବୋଉର ଗାଳି,  ଭାଇର ମୋର ସବୁବେଳେ ଝଗଡା, କେତେବେଳେ ମୋ ବେଣୀ ଓଟାରିଲାଣି ତ କେତେବେଳେ ନାକ ଚିପିଲାଣି ।  ଆଉ  ବାପାଙ୍କ ଆଗରେ ବୋଉ ଭାଇ ନାଁ ରେ ଅଭିଯୋଗ କରିବା, କିଛି ଅଲଗା ପ୍ରକାରର ଖୁସି ।  ଭଲ ଜିନିଷ ଖାଇବାକୁ ଜିଦ କରିବା, ଛୋଟ ଛୋଟ କଥାରେ ରୂଷିବା, ସାଙ୍ଗ ମାନଙ୍କ ସହ କଟି ହେବା, ବିଦ୍ୟାରଣ ପକେଇବା, ଶ୍ରେଣୀରେ ତେନ୍ତୁଳି ଆମ୍ବୁଲ ନେଇ ଖାଇବା, ମେଳାରେ ବୁଲି ବାରମଜ଼ା, ଗୁପଚୁପ  ଖାଇବା...  କେତେ ସ୍ମୃତି ।  ଆଉ "ଘୋ ଘୋ ରାଣୀ ଆଣ୍ଠୁଏ ଆଣ୍ଠୁଏ ପାଣି" ପୁଚି, ଲୁଚକାଳି.. ବାପରେ ବାପ, କି ଜୀବନ ? ଖାଲି ଆନନ୍ଦ ହିଁ ଆନନ୍ଦ  । 

ଜାଣିଛନ୍ତି ଗୋଟେ ଦିନ କଣ ହେଲା, ବାପାଙ୍କ ନାଁ କହି ଆଇସ କ୍ରିମ ଦୋକାନରୁ, ସବୁ ସାଙ୍ଗ ମିଶି ୧୦୦ ଟଙ୍କାର ଆଇସ କ୍ରିମ ଖାଇଦେଲୁ ।  ଆଉ ଯେତେବେଳେ ଦୋକାନୀ ବାପାଙ୍କୁ ପଇସା ମାଗେ ବାପା ପୁରା ପୁରି ଆବ।କ । କିଛି ନ କହି ଦୋକାନୀକୁ ୧୦୦ ଟଙ୍କା ବଢ଼େଇ ଦେଲେ ।  ମୁଁ ଯେତେବେଳେ ଘରକୁ ଗଲି, ମୋତେ ପାଖକୁ ଡାକି ସବୁ କଥା ପଚାରିଲେ ।  ଆଉ ମନ ଦୁଃଖରେ କହିଲେ ମା’ ତୁ ସାଙ୍ଗ ମାନଙ୍କ ସହ ଖାଇଲୁ କିଛି ମନଦୁଃଖ ନାହିଁ । କିନ୍ତୁ, ମିଛ କହିଲୁ ଏଥିପାଇଁ  ମନକଷ୍ଟ ହେଲା ।  ମୋତେ ବି ଭଲ ଲାଗିଲାନି ବାପାଙ୍କ ଦୁଃଖ ଦେଖି । ସେବେ ଠାରୁ ମୁଁ ନିଷ୍ପତି ନେଲି ଆଉ କେବେ ମିଛ କହିବିନି । ବାପା ବହୁତ ଗେହ୍ଲା କରନ୍ତି, କୁହନ୍ତି ମୋ ଲକ୍ଷ୍ମୀକୁ କେହି ରାଗିବନି । ମୋ ଘରେ କିଛି ନ ଥିଲା ସେ  ଜନ୍ମ ହେଲା ପରେ ସବୁ ହେଇଛି, ସେ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ । ତାଙ୍କୁ ଡରି କେହି କିଛି କୁହନ୍ତିନି, ହେଲେ ଆଜି, ଲକ୍ଷ୍ମୀ ସାଜିଛି ଶଶୁର ଘରେ  ଅଲକ୍ଷ୍ମୀ କେହି ଭଲପାଉନାହାନ୍ତି ।  କଳଙ୍କର ଟୀକା ମୁଣ୍ଡରେ । ମୁଁ କାଳେ ଅଲକ୍ଷଣି  ସ୍ୱାମୀକୁ ଖାଇଲି । ମୋ ମୁହଁ ଚାହିଁଲେ ଅଶୁଭ । ମୁଁ କୌଣସି ଶୁଭ କାମରେ ଯାଇ ପାରିବିନି  ମୋ ଯୋଗୁଁ ମୋ ସ୍ୱାମୀଙ୍କର ଜୀବନ ଗଲା ବୋଲି ଶାଶୁ  ସବୁବେଳେ ଦେଖେଇ ଶିଖେଇ କୁହନ୍ତି । ମୋର ବା ଏଥିରେ ଦୋଷ କ’ଣ ? ଜନ୍ମ ମୃତ୍ୟୁ ତ ଉପରବାଲା ହାତରେ ।   

ଏବେ କିନ୍ତୁ ନିସଙ୍ଗ ଜୀବନ... ।  ସୁଖଦୁଃଖ ବାଣ୍ଟିବାକୁ କାହାରିକୁ ପାଉନି । ତେଣୁ ସାହାରା ମୋର ଏକା ସେହି  ପିଲା ଦିନର ସ୍ମୃତି ଅନୁଭୂତି । ତାକୁ ନେଇ ବଂଚିଛି ଆଉ ଆଗକୁ ବି ବଞ୍ଚିବି ସେହି ସୁନେଲି ସ୍ମୃତିକୁ ନେଇ । ମୋର ଅତୀତ ହିଁ ମୋର ବର୍ତ୍ତମାନ ଆଉ ଭବିଷ୍ୟ... । 

ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର

Post a Comment