ସୁଖର ସନ୍ଧାନେ - ସିଦ୍ଧେଶ୍ଵର ତ୍ରିପାଠୀ

ସୁଖର ସନ୍ଧାନେ - ସିଦ୍ଧେଶ୍ଵର ତ୍ରିପାଠୀ


ରାଜଧାନୀ ରାଜରାସ୍ତା ପରେ
ଅହରହ ଗହଳ ଚହଳ
ମୁଁ କିନ୍ତୁ ଏକେଲା ପଥିକ
ମୋ ପାଇଁ ଅସରନ୍ତି ବେଳ ।

ଭ୍ରମଣର ବହୁବେଳ ପରେ
ଖୋଜୁଥିବା ଠିକଣା ପାଇନି
ମନ କଥା ମନରେ ରଖିଛି
ଏବେଯାଏ କାହାକୁ କହିନି ।

ମୋ ଆଗରେ କେହିତ ନାହାନ୍ତି
ଜଣେ କେହି ଆସିବାର ନାହିଁ
ତଥାପି ମୁଁ ଏବେବି ଭାବୁଛି
ପଛୁ କିଏ ଆସନ୍ତାକି ଧାଇଁ ।

ଧରିବାକୁ ସୁଖର ସପନ
ବଢ଼ାଉଛି ଏଇ ଖାଲି ହାତ
ଖାଲିରେତ ହେବନାହିଁ କିଛି
ଏମନରେ ହୋଇପାରେ କ୍ଷତ ।

ଥକିଲାଣି ଦୁଇ ପାଦ ମୋର
ମନଟାବି ହେଲାଣି ଅଵସ
ନଚାଲି ମୁଁ ରହିଯିବି ଯଦି
ରହିଯିବ କେତେ ଅବଶୋଷ ।

ଚାଲୁଥିଲି ଚାଲୁଛି ଚାଲିବି
ଥିବାଯାଏ ଏଇମୋ ନିଶ୍ୱାସ
କେଉଁ କାଳୁ ଶୁଣିଛି ମୁଁ କାନେ
ବାର ବାର ଭାଙ୍ଗେନି ବିଶ୍ୱାସ ।

ସିଦ୍ଧେଶ୍ଵର ତ୍ରିପାଠୀ, କୁଣ୍ଡିଲୋ, ଖୋରଧା

0 Comments