Information

ଏବେର ମାଆ - ନାରାୟଣ ଚନ୍ଦ୍ର ସେନାପତି


ବିଚିତ୍ର ଲାଗଇ ଏବେର ମାଆକୁ
ଶୟନେ ସପନେ ଭାବି
ଶୁଖିଯାଏ ଦକ୍ଷ କବିର କଲମ
ଭାଳି ତାର ଶୂନ୍ୟ ଛବି।
ନିଷ୍ଠା ହୋଇଲାଣି ଜିଦ୍ ରେ ଅଟଳ
ତ୍ୟାଗଚାଲେ ଭୋଗବାଟେ
ସେବା ଚାହୁଁଅଛି ଆଜିର ମାଆଟା
ଅଧର୍ମର ଚଲାବାଟେ।
ସଂରକ୍ଷଣ ଭୁଲି ଆରକ୍ଷଣ ପ୍ରାୟ
ପ୍ରଜନନ ନିଶା ଶୁଷ୍କ
ଆତ୍ମ ସମ୍ମାନ ତା ବାହୁନି କାନ୍ଦୁଛି
ଲଜ୍ଜା ଶୂନ୍ୟ ତା ଶ୍ରୀବାକ୍ସ।
ଶୁଶ୍ରୂଷା ତା ପାଖେ ହତାଶା ହେଲାଣି
ସାହାଯ୍ୟ ବନେ ଅନାର୍ଯ୍ୟ
ଦୟା କ୍ଷମା ପୁଣି ଭିକ୍ଷା ମାଗିଲାଣି
ଅମହତ ତାର କାର୍ଯ୍ୟ।
ହଜିଯିବ ବୋଲି ତା ସୌନ୍ଦର୍ଯ୍ୟ ଶୋଭା
କରେନା ତା ସ୍ତନ୍ୟପାନ
ଶାଢୀ ଧଡି ପିନ୍ଧା ଭଲ ଲାଗେନାହିଁ
ଜିନ୍ସ ଟପ୍ ରେ ତା ମନ।
ଶଙ୍ଖା ଚୁଡି ତାକୁ ଲାଗେନାହିଁ ଭଲ
ପିନ୍ଧେ ବିଧବାର ଖଡୁ
ବିବାହିତା ବୋଲି ନ ଜଣାଏ ବାଳେ
ଠାକୁର ସିନ୍ଦୁର ମାଡୁ।
ସନ୍ତାନ ଭୋକ ତ ବୁଝେନା ସେ କେବେ
ଗେଫେ ତଣ୍ଟିଯାଏ ଭରି
ପୁଅ ଝିଅ ପାଇଁ ସମୟ ଦିଏନା
ସ୍ମାର୍ଟ ଫୋନ୍ ନିତି ଧରି।
ସକାଳୁ ଉଠେନା ଅଲ୍ ଟ୍ରା ମଡର୍ଣ୍ଣ ସେ
ଭୁଲେ ତାର ଦିନଚର୍ଯ୍ୟା
କର୍ମଠ ହେବା ତା ଜାତକରେ ନାହିଁ
ଦିବା ନିଶି କୁମ୍ଭଶଯ୍ୟା।
କେଶ ସଜ୍ଜା କାଳେ ଅଡୁଆ ହୋଇବ
ଦିଏନା ମୁଣ୍ଡରେ ଓଢଣା
ବାର୍ ପାର୍ଟି ଡ୍ୟାନ୍ସ ମଦ କରି ସାଥି
ଭୁଲେ ଅପବାଦ ଲାଞ୍ଛନା।
ଛୁଆ ବଡ ବେଳେ ହୁଏସେ ଫେସନ୍
ନିଜତ୍ୱ ମାତୃତ୍ୱ ଭୁଲି
ଷୋଡଶ ଯୁବତୀ ଭାବେ ସେ ଡାଆଣି
ସ୍ଥାନ କାଳ ପାତ୍ର ଭୁଲି।
ଅତିଥି ସତ୍କାର ହେୟ ଜ୍ଞାନ କରେ
ସ୍ୱୟଂ ସେ ବନେ ଅତିଥି
ଶିଷ୍ଟାଚାର ନାହିଁ ଦୁଷ୍ଟାଚାର ସାର
କୁଶିକ୍ଷା ତାହାର ସାଥି।
ସନ୍ତାନ ପାଇଁ ତା କାନ୍ଦେନା ପରାଣ
କାନ୍ଦେ ସନ୍ତାନ ତା ପାଇଁ
ସଂସ୍କୃତି ସଂସ୍କାର କ୍ଷୟ କରି ଧାଏଁ
କଳଙ୍କ ମା ଜାତି ପାଇଁ।
କ'ଣ ବା ଶିଖିବ ଏବେର ମା'ଠୁ
ଆଜି ଏ କୋମଳ ଛୁଆ
ରାମ ରାଜ୍ୟ ସ୍ୱପ୍ନ ରାବଣେ ପୁରୁଛି
ବାହୁନି କାନ୍ଦେ ଦୁନିଆଁ।
ଆଜିର ମା'ତ ମା ଭାବୁନାହିଁ
ଭାବୁଛି ମିସ୍ ମ୍ୟାଡାମ
ତଥାପି ସୁବୁଦ୍ଧି ପଶୁ ତା ହୃଦୟେ
ତାଙ୍କୁ ମୋ ଶହେ ସଲାମ୍।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment