ଗଳ୍ପ 'ସାହାଯ୍ୟ' - ପ୍ରେମଶିଲା ରାଉତ

ଗଳ୍ପ 'ସାହାଯ୍ୟ' - ପ୍ରେମଶିଲା ରାଉତ

କାର୍ତ୍ତିକ ମାସର ଅନ୍ତିମ ପର୍ଯ୍ୟାୟରେ  ମଦନ ତାହାର ଚାଷ ର ଅମଲ ଶେଷ କରିଛି  ବିଗତ ବର୍ଷ ଅପେକ୍ଷା ଏ ବର୍ଷ ଅମଲ ବହୁତ କମ ହୋଇଛି। ତିତଲୀ ବାତ୍ୟା ତାର ସବୁ ଧୂଲିସାଦ୍ କରି ଦାଉ ସାଧି ଚାଲିଗଲା। ଜମିର ଫସଲ ରେ ସେ ବର୍ଷ ସାରା ଭଲରେ ଚଲି ଯାଉଥିଲା। ହେଲେ ଏ ବର୍ଷ ଦୁଇ ମାସ ପାଇଁ ମଧ୍ଯ ଅଢିଆ ହେବନାହିଁ। ଘରେ ତାର ମାଁ, ସ୍ତ୍ରୀ ଆଉ ବାର ବର୍ଷର ଝିଅ ଏହି ଚାରିଜଣଙ୍କୁ ନେଇ ତାର ହସ ଖୁସିର ସଂସାର। ପରିବାର ଚଲିବ କିପରି ? ମନରେ ଏ ଗୋଟେ ପ୍ରଶ୍ନ ଉଙ୍କି ମାରୁଥାଏ । ତେଣେ ଝିଅର ପାଠ ପଢା ପାଇଁ ଲୁଗାପଟା,ବହିପତ୍ର ,ସ୍କୁଲ ଫିସ୍ କେତେ କଣ ଖର୍ଚ୍ଚ ଅଛି   ଏତେ ଟଙ୍କା କୋଉଁଠୁ ଆଣିବ ।ଏ  କଥା ଭାବି ଭାବି ପେଟର ଭୋକ ମରିଯାଏ ଆଉ ଆଖିର ନିଦ ହଜିଯାଏ । ଚିନ୍ତାରେ ତାର ମଥା ଘୁରିଯାଉଥାଏ । ଏ ସମୟରେ ମଦନର ମନେ ପଡିଲା ତା ପିଲା ଦିନର ସାଂଗ ମହେଶ୍ଵର କଥା।ମହେଶ୍ବର ଜଣେ ସରକାରୀ କର୍ମଚାରୀ ।
ବହୁତ ଭଲରେ ହସଖୁସିରେ ତା ସଂସାର ଚଲେ । ମହେଶ୍ଵର ଏବେ ରହୁଛି  ଗାଁରୁ ଷାଠିଏ କିଲୋମିଟର ଦୂରରେ ଥିବା ଭୁବନେଶ୍ଵରରେ । ସେ କୋଟି କୋଟି ଟଙ୍କାର ମାଲିକ । ବିଭିନ୍ନ ପ୍ରକାରର ବ୍ୟବସାୟ ମଧ୍ୟ କରୁଥିଲା । ମଦନ ମନରେ ଅନେକ ଆଶା ଓ ବିଶ୍ବାସ ରଖି ସକାଳର ବସରେ ଭୁବନେଶ୍ଵର ବାହାରିଲା।ମହେଶ୍ଵର କୁ ଭେଟି ତାରି ଅସୁବିଧା କଥା ଜଣେଇଲା  ଓ କିଛି ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରି କାକୁତି ମିନତୀ ହେଲା। କିନ୍ତୁ ମହେଶ୍ବର ସବୁ କଥା ଶୁଣି ସାହାଯ୍ୟ କରିବା ପାଇଁ ରୋକ୍ ଠୋକ୍ ମନା କରିଦେଲା । ଆଉ କହିଲା -  ତୋତେ କଣ ସାହାଯ୍ୟ କରିବି ? ଦିନେ ଦୁଇ ଦିନ , ପାଞ୍ଚଦିନ ସିନା ତତେ ଖାଇବାକୁ ଦେବି। ତୋର ଚାଷ ଭଲ ହେଲିଣି ବୋଲି କଣ ତୋତେ ତୋ ପରିବାରକୁ ବରଷ ସାରା ମୁଁ ପ୍ରତିପୋଷଣ କରିବି । ଛୋଟ ବେଳେ ସିନା ମୋ ଖାଇବାରୁ ତୋତେ ଅଧା ଦେଇ ଭାଗବଣ୍ଟା କରୁଥିଲି, ମୋ ଠାରୁ ଖାତା , ପେନ୍ , ବହି ନେଉଥିଲୁ, ତୋତେ ପୁରୁଣା ସାର୍ଟପ୍ୟାଣ୍ଟ ଦେଉଥିଲି, ହେଲେ ତୁ ଭୁଲିଯାଆନା ମଦନ ସେଇ ସମୟ ଥିଲା ପିଲାବେଳ ଆଜି ଆଉ ସେ ସମୟ ଆଉ ନାହିଁ 
ମଦନର ମନ କାଚ ଗ୍ଲାସ ଭଲି ଭାଙ୍ଗି ଖଣ୍ଡ ବିଖଣ୍ଡ ହେଇଗଲା । ମହେଶ୍ବରର କେଇ ପଦ କଠୋର କଥାରେ।  କିଛି ସମୟ ନିରବ ରହି କହିଲା - ମୁଁ ତୋତେ ମାହାଲିଆ କିଛି ମାଗିବାକୁ ଆସିନି । ମୁଁ ତୋ ପାଖରେ ରହି କିଛି କାମ କରିବି ମୋ ପରିବାର ପୋଷିବାକୁ। ତୁ ଯାହା କହିବୁ ସାଙ୍ଗ ମୁଁ ତାହା କରିବି । ଦରକାର ପଡିଲେ ତୋ ଘରର କାମ ଦାମ କରିବି, ଲୁଗାପଟା ସଫା , ଘର ସଫା, ବଗିଚା କାମ ସବୁ କରିବି । ହେଲେ ମୋତେ ଏଡାଇ ଦିଏ ନାରେ ସାଙ୍ଗ । ମୋ ଉପରେ ଟିକେ ଦୟାକର । ମହେଶ୍ବର କିଛି ବି ଶୁଣିଲାଣି ମନା କରିଦେଇ କହିଲା-ମୁଁ ତୋର କିଛି ବି କରିପାରିବିନି ଚାଲିଯା ଏଠୁ 
ମୁହଁ ଶୁଖେଇ ମଦନ ଫେରି ଆସିଲା ମହେଶ୍ବର ଘରୁ , ମନରେ ଅନେକ ପ୍ରକାର ର ଭାବନା ଦୋହଲୁଥାଏ । କେତେ ଆଶା ନେଇ ଆସିଥିଲି ସବୁ ପାଣି ଫୋଟକା ପରି ଫାଟି ଗଲା । କଣ କରିବି ବୁଦ୍ଧି ଦିଶୁନାହିଁ । କେମିତି ପରିବାରର ତିନି ପେଟକୁ ଦାନା ଦେବି । ଛି ଏମିତି ଜୀବନ ଜୀଇବା । ଏମିତି ନିଜକୁ ନିଜେ କହି ହେଉଥାଏ । ବସ୍ ଷ୍ଟାଣ୍ଡକୁ ଆସି ବସ୍ ରେ ବସିଲା । ଭାବୁଥାଏ ଖାଲି ଗୋଟିଏ କଥା ପରିବାର କେମିତି ଚଲିବ । କେମିତି ସେ ଯୋଗାଡ କରିବ ଅର୍ଥ । ବେଳେବେଳେ ନିଜ ଜୀବନକୁ ଧିକ୍କାର ମଧ୍ୟ କରୁଥାଏ । କଣ ସେ କରିବ ବୁଦ୍ଧି ଦିଶୁନଥାଏ । କୁଆଡେ ଯିବ ଘରକୁ ଗଲେ ନିଶ୍ଚୟ ମା ଆଉ ସ୍ତ୍ରୀ ପଚାରିବେ କଣ କାମ ମିଲିଲା । ଟଙ୍କା ନେଇ ଆସିଛ କି । ଏମିତି ଅନେକ ପ୍ରଶ୍ନ ପଚାରିବେ। କି ଉତ୍ତର ଦେବି 
ହଠାତ୍ ଏତିକି ବେଳେ ମଦନର ଆଉ ଜଣେ ସାଙ୍ଗ ମନୋଜ ସହ ଦେଖାହେଲା । ଯିଏ କି ସ୍କୁଲ୍ ରେ ପଢୁଥିବା ସମୟରେ ବହୁତ ମାର୍ ପିଟ୍ କରୁଥିଲା ମଦନ ସହ । ମଦନକୁ ବହୁତ ହଇରାଣ କରୁଥିଲା । ବହି ପତ୍ରକୁ ଛଡେଇ ନେଇ ଚିରା ଫୋପଡା କରୁଥିଲା । ମଦନକୁ ଦେଖି ମନୋଜ କହିଲା କି ରେ ମଦନ.. ସାଙ୍ଗ କୁଆଡେ ଯାଇଥିଲୁ । ମୋତେ ଚିହ୍ନି ପାରିଲୁଟି । ମୁଁ ମନୋଜ ତୋ ସ୍କୁଲ୍ ସାଙ୍ଗ । ମଦନ କହିଲା  ହଁ ହଁ ଚିହ୍ନି ପାରିଲି । ମଦନର ଶୁଖା ମୁହଁକୁ ଆଉ ଛଳଛଳ ଆଖିକୁ ଦେଖି ମନୋଜ ପୁଣି ପଚାରିଲା - କଣ ହେଇଛି ସାଙ୍ଗ ତୋ ମୁହଟା ଶୁଖିଯାଇଛି କାହିଁକି ? କଣ ଅସୁବିଧା ହୋଇଛି କି   ଆରେ ମତେ କହ । ମୁଁ ଆଉ ସେଇ ସ୍କୁଲ୍ ସାଙ୍ଗ ନାହିଁ ପୁରାପୁରି ବଦଲି ଯାଇଛି । ମଦନ କାନ୍ଧରେ ହାତ ରଖି ମନୋଜ ଆଉ ଥରେ କହିଲା ଲୁଚାନି ସାଙ୍ଗ କଣ ହେଇଛି ମୋତେ କହ ।
ମଦନ ହା କରି କାନ୍ଦି ପକେଇଲା ଆଉ ମନୋଜକୁ କୁଣ୍ଢେଇ ଧରି ତାର ଅସୁବିଧା ସବୁ କହିଲା । ମନୋଜ ସବୁ କଥା ଶୁଣି ସାରି ମଦନ ଆଖିର ଲୁହକୁ ପୋଛି କହିଲା - ଚିନ୍ତା କରନି ସାଙ୍ଗ ମୁଁ ତୋତେ ସାହାଯ୍ୟ କରିବି । ମନୋଜ ଜଣେ କଲେଜର ଅଧ୍ୟାପକ ଏବଂ ଜଣେ ଜଣା ଶୁଣା ପରିଚିତ ଲୋକ । ସମାଜରେ ସେ ବହୁତ ସମ୍ମାନ ପ୍ରତିଷ୍ଠା ଅର୍ଜନ କରିଛି । ଘରେ ତାର ଦୋକାନ ମଧ୍ୟ ଅଛି ମନୋଜ ମଦନକୁ କହିଲା- ତୋର କିଛି ଅସୁବିଧା ହେବନି ରେ ସାଙ୍ଗ ମୁଁ ଥାଉ ଥାଉ ।  ମନରେ ସାହାସ ଦେଇ କହିଲା ସାଂଗ ତୁ ମୋ ପାଖରେ ରହିବୁ।  ଆଉ ମୁଁ ତୋତେ  କିଛି ଅର୍ଥ ସାହାଯ୍ୟ କରିବି। ମଦନ ସହମତି ପ୍ରକାଶ କରି କହିଲା ହଁ ସାଂଗ ଆସନ୍ତା କାଲି ଠାରୁ ମୁଁ ତୋ ପାଖରେ ରହିବି । କାଲି ସକାଳୁ ତୋ ଘରକୁ ଯିବି ମନୋଜ ହଁ କହିଲା। ମଦନ ଆର ଦିନ ସକାଳୁ ମନୋଜ ଘରକୁ ଗଲା । ଦେଖି କି ନିଜ ଆଖିକୁ ବିଶ୍ୱାସ କରିପାରିଲାନି । ମନୋଜ ଦୋକାନ ଚାବିକୁ ବଢେଇ ଦେଇ କହୁଛି ସାଙ୍ଗ ଆଜିଠୁ ଦୋକାନର ଭଲମନ୍ଦ ବୁଝିବୁ ନେ ଚାବିକାଠି । ଏତିକି ଶୁଣି ମଦନ ଆଖିରୁ ଖୁସିର ଲୁହ ଝରିପଡୁଥାଏ । ମଦନ ଖାଲି ଚାହିଁ ରହିଥାଏ ମନୋଜକୁ । ମନୋଜ ମଦନକୁ କହିଲା ଆରେ କାହିଁକି ଏମିତି ଚାହିଛୁ ମୁଁ କଣ ତୋ ପାଇଁ ଏତେ ଟିକେ କରିପାରିବିନି ।  ମଦନ କହିଲା ସାଙ୍ଗ ମୁଁ ତୋତେ କଣ କହି ଧନ୍ୟବାଦ ଦେବି ନିଜେ ଜାଣିପାରୁନି । ତୋର ଏ ସାହାଯ୍ୟ ଜୀବନରେ କେବେ ଭୁଲିପାରିବିନି । ଦୋକାନାର ଭଲମନ୍ଦ ବୁଝି  ମଦନ ଭଲ ଦୁଇ ପଇସା ରୋଜଗାର କଲା ଏବଂ ଚାରି ପେଟକୁ ଦାନା ଦଉଛି । ମଝିରେ ମଝିରେ ଗ୍ରାମ କୁ ଯାଏ। ତା ପରିବାରକୁ ଦେଖିବା ସହ ଜମି ବାଡି ମଧ୍ୟ ଦେଖାଶୁଣା କରି ବହୁତ ସୁବିଧାରେ ଚଲୁଛି। ମନରେ ମନୋଜ କଥା ଭାବିଲେ ତା ଆଖିରୁ ଦୁଇଟୋପା ଖୁସିର ଲୁହ ଝରିପଡେ । ସତରେ ମଦନ ଏ ସାହାଯ୍ୟକୁ ଜୀବନରେ କେବେ ଭୁଲି ପାରିବନି।
-----------------

ଗ୍ରାମ- ବୃନ୍ଦାବାହାଲ, ବ୍ଲକ - ଗୋଲାମୁଣ୍ଡା, ଜିଲ୍ଲା- କଳାହାଣ୍ଡି 

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।