କ୍ଷୁଦ୍ରଗଳ୍ପ - ଶେଷରେ ମାନିଲେ ଶେଷଦେବ ବାବୁ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଶେଷରେ ମାନିଲେ ଶେଷଦେବ ବାବୁ - ନାରାୟଣ ଚନ୍ଦ୍ର ସେନାପତି


ଓଃ  ଶେଷଦେବ ବାବୁଙ୍କର କି ଗର୍ବ । ହେବନି କେମିତି ଯେ, ସେ ପରା ଗାଁ ମୁଖିଆ । ଖାଲି ସେତିକି ନୁହଁ ପ୍ରତିବେଶୀ ସାତ ଖଣ୍ଡ ପଞ୍ଚାୟତର ସେ ନାମଜାତା ଲୋକ।ଧନରେ, ଜ୍ଞାନରେ, ବଳରେ । ଏଣେ ପୁଣି ସାତ ସାତଟା ପୁଅର ବାପା ବୋଲି ଗର୍ବରେ ଫାଟି ପଡନ୍ତି, ବେଳେ ବେଳେ ବି ଛାତି ଫୁଲେଇ ନିଶକୁ ମୋଡି ଛାତିକି ଚାପୁଡା ମାରି କୁହନ୍ତି ମୁଁ ସାତ କା ବାପ, କୁଛ୍ ମତ ବୋଲ୍, ହୋ ଯା ଚୁପ୍ ଚାପ୍ । ବାପ୍ ରେ ବାପ୍, ବିଜୁଳି ବି ତାଙ୍କ ତେଜ ଦେଖି ଡରିଯିବ । ମାତ୍ର ଶେଷଦେବ ବାବୁଙ୍କର କେବଳ ଗୋଟିଏ ଜିନିଷରେ ମନ ଦୁଃଖ.. ସେ ଗୋଟିଏ କନ୍ୟାର ବାପା ବି ।
      
ସେ ଝିଅମାନକୁ ଘୃଣା କରନ୍ତି, କହନ୍ତି  ଝିଅଗୁଡାକ ସମାଜର କଳଙ୍କ । ଯଦି କିଏ କହେ "ଦୁହିତା ଦୁଇ କୁଳକୁ ହିତା" ସେ ଝଗଡା କରନ୍ତି, ଗାଳି ବି ଦିଅନ୍ତି, କହନ୍ତି ଦୁହିତା ଦୁଇ କୁଳକୁ ପିତା । ଜନ୍ମ ହୋଇ ବାପା ମା'ଙ୍କୁ ସର୍ବସ୍ଵାନ୍ତ କରନ୍ତି, ପୁଣି ଶାଶୁ ଶ୍ୱସୁର ଘରେ ଯଦି ଝିଅ ଜନ୍ମ କରନ୍ତି ତାଙ୍କ ଉପରେ ବୋଝ ମୁଣ୍ଡାନ୍ତି । ଏଭଳି ଉଦ୍ଭଟ ଚିନ୍ତାଧାରା ପାଇଁ ତାଙ୍କ ପତ୍ନୀ ସୁମତିଙ୍କୁ ମାଡ ଗାଳି ଓ ଅତ୍ୟାଚାର ସହିବାକୁ ପଡେ । ଖାଲି ସେତିକି ନୁହଁ କାହିଁକି ଅଲକ୍ଷ୍ମୀ ଜନ୍ମ ହୋଇଛୁ କହି ବାପା ଯେବେ ମାଡ ଗାଳି ଦିଅନ୍ତି ବିଚାରୀ ଝିଅ ନନ୍ଦିନୀଟି କାନ୍ଦି କାନ୍ଦି ଆଖିର ଲୁହକୁ ଆଖିରେ ସୁଖେଇ ଦିଏ ।
    
ଶେଷଦେବ ବାବୁ ସାତ ପୁଅଙ୍କୁ ବହୁତ ଆଦର କରନ୍ତି, ସେମାନେ ଯାହା ଚାହାଁନ୍ତି ସବୁ ପୁରଣ କରନ୍ତି, ହେଲେ ଝିଅ ନନ୍ଦିନୀକୁ ଭଲ ଖାଇବା ତ ଦୂରର କଥା ଭଲ ଜାମା ଖଣ୍ଡେ ବି ଦିଅନ୍ତି ନାହିଁ । ପୁଅମାନଙ୍କୁ କୁଟା ଖଣ୍ଡକୁ ଦି ଖଣ୍ଡ କରେଇ ଦିଅନ୍ତିନି ମାତ୍ର ଝିଅକୁ ଚାକରାଣୀ ପରି ଖଟାନ୍ତି । କୁହନ୍ତି ବାହା ବେଳେ ତ ସବୁ ନେଇ ମୋତେ ଦରିଦ୍ର କରିଦେବ.. ପୁଣି ରାଣୀ ପରି ଖୁଆଇ ପିଆଇ ବଢେଇବି । ପୁଅମାନଙ୍କୁ ପାଠ ପଢାନ୍ତି  ଟ୍ୟୁସନ୍ ଦିଅନ୍ତି..ସବୁ ପାଠ ଉପକରଣ ଯୋଗାନ୍ତି.. କିନ୍ତୁ ଝିଅକୁ ପାଠ ପଢେଇବାକୁ ନାରାଜ । ସୁମତି ଜିଦ୍ କଲେ କି ଗୁହାରୀ କଲେ କୁହନ୍ତି.. ତୁ ଟା କୁମତି.. ଦୁର୍ମତି.. ଆରେ ଝିଅ ଜନମ ପରଘରକୁ.. ୟାକୁ ପଢେଇଲେ ପଢୁଆ ବର ଦରକାର... ପୁଣି ବେଶୀ ଯୌତୁକ । ବାପକୁ ଶୋଷି ଶୋଷି ପରକୁ ପୋଷିବେ । ଯା ହେଉ ହତଭାଗିନୀ ନନ୍ଦିନୀଟା ଗାଁ ସ୍କୁଲ୍ ରେ ପଢେ, ଘରର କାମଦାମ କରେ । ସମସ୍ତଙ୍କ କଥା ମାନେ । ପୁଅମାନେ ସ୍ୱତନ୍ତ୍ର ଓଲଟା । ମଣିଷକୁ ମାନନ୍ତି ନାହିଁ, ନିଜକୁ ରାଜପୁତ୍ର ବୋଲି ଭାବନ୍ତି । ଗୁରୁ, ଗୁରୁଜନଙ୍କୁ ଭକ୍ତି ଓ ସମ୍ମାନ ତାଙ୍କ ପାଇଁ ସ୍ୱପ୍ନ । ଝିଅଟି ନମ୍ର, ଧୀର, ବ୍ୟବହାର ଚାଲିଚଳନ ମାର୍ଜିତ । ଖୁବ୍ ସୁନ୍ଦର ପାଠ ପଢେ ସେ । ସମସ୍ତର ଆଦର କରନ୍ତି ନନ୍ଦିନୀକୁ । 
    
ସମୟର ସ୍ରୋତ ଆଗକୁ ଆଗକୁ ମାଡି ଚାଲେ । ପିଲାମାନେ ବଢନ୍ତି ବନ୍ୟାର ସୁଅ ପରି । ଶେଷଦେବଙ୍କର ଅହଂକାର ବାଆଟା ଧି୍ର ହୋଇଯାଏ । ପୁଅମାନେ ସ୍ୱାଧିନତାକୁ ସ୍ୱେଚ୍ଚାଚାରୀତା ଭାବି ବାପା, ମା' କାହାକୁ ବି ମାନନ୍ତି ନାହିଁ । ନିୟମିତ ମଦ୍ୟପାନ କରି ବିଭିନ୍ନ ନିନ୍ଦା ଅପବାଦ ଘରକୁ ଆଣନ୍ତି । ବାପା ପ୍ରତିବାଦ କଲେ ସେମାନେ ବାପାଙ୍କୁ ବି ନିସ୍ତୁକ ପିଟନ୍ତି । ମୁଣ୍ଡକାନ ଆଉଁସି ଯେତେବେଳେ ଅସହାୟତାର ମହୁ ଚାଟୁଥାନ୍ତି ଶେଷଦେବ, ଝିଅ ନନ୍ଦିନୀ ହିଁ ତାଙ୍କ ସେବା କରନ୍ତି । ହେଲେ ଗର୍ବ ଅହଙ୍କାରର ଖଣ୍ଡିଆଭୂତ ତାଙ୍କ ଠାରୁ ଛାଡି ଯାଇ ନ ଥାଏ କି ଝିଅକୁ ଘୃଣା କରିବାର ଚିନ୍ତା ତାଙ୍କୁ ଜାବୁଡି ଧରିଥାଏ ।
   
ବିବାହ ବୟସ ଉପନୀତ ହେଲା ନନ୍ଦିନୀର, ମାତ୍ର ଶେଷଦେବ ବାବୁଙ୍କର ଘୃଣା ଓ ହେୟଜ୍ଞାନ ତାକୁ ସେ ସୁଯୋଗ ଦେଲାନି । ମା' ସୁମତି ଝିଅ ବିବାହ ଉଠାଇବାରୁ ତାକୁ ପ୍ରହାର ସହିବାକୁ ପଡିଲା । ହେଲେ ୟା ଭିତରେ ନନ୍ଦିନୀ ଯୁକ୍ତ ତିନି କଳାରେ ବିଶ୍ୱବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରିଥାଏ । ଆହୁରି ପଢିବାକୁ ଇଚ୍ଛା ହେଲେ ସୁଯୋଗ ଦେଲେନାହିଁ ବାବୁ ଶେଷଦେବ ।
    
ଯାହାର କେହି ସାହା ନାହିଁ ଭଗବାନ ତା'ର ହିଁ ସାହା।ପାଖ ଗାଁର  ମଦନ ବାବୁ ଜଣେ ଅବସରପ୍ରାପ୍ତ ଶିକ୍ଷକ.. ପୁଅ ସତ୍ୟଜିତ୍ ପୋଲିସ୍ ଇନିସପେକ୍ଟର । ସତ୍ୟ ସହ ଏକ ସଭାରେ ଦେଖା । ନନ୍ଦିନୀର ଉପସ୍ଥାପନା ଶୈଳୀ ଭିତରେ ସେ ସ୍ୱଭାବର ବାସନାରେ ବିମୋହିତ ହୋଇ ପ୍ରଥମ ଦେଖାରେ ଯାଚିଥିଲେ ପ୍ରେମ ନିବେଦନ । ସାଦରେ ଗ୍ରହଣ କରିଥିଲା ନନ୍ଦିନୀ । ହେଲେ ଭୟ ଓ ଆଶଙ୍କାର ଭୂତ ଗୋଡାଉଥିଲା ତା ଅମଣିଷ ବାପା ଓ ଅସାମାଜିକ ଭାଇମାନଙ୍କ  ପାଇଁ । ଯା'ହେଉ ଶେଷଦେବ ଯୌତୁକରୁ ରକ୍ଷା ପାଇବା ଜାଣି ରାଜି ହେଲେ ମାତ୍ର ଟଙ୍କାଟିଏ ବାହାଘରରେ ଖର୍ଚ୍ଚ କରିବାକୁ ରାଜି ନହେବାରୁ ସତ୍ୟଜିତ୍ ତାକୁ କୋର୍ଟ ମେରେଜ କଲା ।
    
ଏଣେ ଶେଷଦେବର ବିଷବୃକ୍ଷ ପୁଅମାନେ ବାପାଠାରୁ ପିଟିମାରି ସବୁ ସମ୍ପତ୍ତି ବ୍ୟାଜାପ୍ତ କରିଦେଲେ । ବିବାହ କରି ପରସ୍ପର କଳିଝଗଡାରେ ଲିପ୍ତ ରହି ଅଲଗା ହୋଇଗଲେ । ଶେଷଦେବର ଛାତିକୁ ଚାପୁଡା ମାରା ନିମିଷକେ ମିଳେଇଗଲା ପୁଅଙ୍କ ଖାଇବା ପାଳିରେ ଓ ବୋହୂମାନଙ୍କ କଟୁ ଭତ୍ସନାରେ । ବାକି  ଘର ଖଣ୍ଡକ ।
   
ଏପଟେ ନନ୍ଦିନୀ ସତ୍ୟଜିତଙ୍କ ଉତ୍ସାହରେ କଠିନ ପରିଶ୍ରମ କରି ଆଇ.ଏ.ଏସ୍.ଟପ୍ପର । ତଥାପି ସେ ଜନ୍ମକଲା ମା'ବାପାଙ୍କୁ ଭୁଲି ନ ଥାଏ । ପୁଅମାନଙ୍କର ଅମଣିଷ ପଣିଆ ଓ ସ୍ୱାମୀର ଔଦ୍ଧତ୍ୟାମି ଯୋଗୁ ସଢି ସଢି ଆର ପାରିକୁ ଚାଲିଗଲେ ସୁମତି । ମା'ର କ୍ରିୟାକର୍ମ କଲେ ଝିଅ ନନ୍ଦିନୀ । ଧିରେ ଧିରେ ଗର୍ବରେ ଛାତି ଫୁଲେଇ ଛିଡା ହୋଇଥିବା ନଡିଆଗଛ ଝଡରେ ନଇଁଲା ପରି ଶେଷଦେବ ବାବୁଙ୍କର ମୁଣ୍ଡ ନଇଁ ଆସୁଥାଏ । କେତେକ ବି ତାଙ୍କୁ ଦେଖି ପରିହାସ କରି କହୁଥାନ୍ତି ପୁଅ ଜନମ ବଡ କରମ, ଧର ପଲମ ଶେଷ ଗରମ । 
   
ୟା ଭିତରେ ଅକର୍ମା ପୁଅମାନେ ବାପକୁ ପିଟି ମାରି ଘରକୁ ନିଲାମ କଲେ । ବିଚରା ଶେଷଦେବ ମୁଣ୍ଡକାନ ଆଉଁସି ବୁଲୁଥାଏ । ହଠାତ୍ ଦେଖା ହୋଇଗଲା ନନ୍ଦିନୀ ସହ । ଲଜ୍ଜାରେ ପାଟିରୁ କଥା ବି ବାହାରୁ ନଥାଏ ତ'ର । କ'ଣ କହିବ ସେ.. ତା'ର କ'ଣ ମୁହଁ ଅଛି.. । ଝିଅ ସବୁ ଶୁଣିଲା ପରେ ନିଲାମରେ ବାପାଙ୍କ ଘରଟି ମୁକୁଳାଇ ପାରିଲା । ଭାଇମାନଙ୍କ ଅସହାୟତା ଜାଣି ସେମାନଙ୍କୁ ବାଟକୁ ଆଣିଲା । ହେଲେ ଶେଷଦେବଙ୍କ ମନରେ ଉଙ୍କି ମାରିଥିଲା ଝିଅ ପ୍ରତି ଅତୀତର ସେହି କଟୁକଥା ଓ ଅତ୍ୟାଚାର । ଲାଜରେ ତାଙ୍କ ମୁଣ୍ଡ ତଳକୁ ହୋଇଯାଇଥିଲା... ।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

0 Comments