
ଫେରି ଆସନ୍ତାକି ସେ ସମୟ
ଗୀତଗୀତିକାରେ ଭାସି ଆସନ୍ତା
ଅନିତ୍ୟ ମହାନ୍ତି ଙ୍କ ମିଠା କଣ୍ଠ ସ୍ୱର ।
ବିଦ୍ୟାଳୟ ଯିବାକୁ ଇଛା
ନହେବା ବେଳକୁ
ପକେଇ ଦିଅନ୍ତା ଝିପି ଝିପି ବର୍ଷା ।
ଫେରି ଆସନ୍ତେ କି
ସେଇ ପ୍ରିୟ ମଣିଷ ମାନେ
ଯେଉଁ ମାନଙ୍କ ଦେହ
ଜଳି ସାରିଛି ମଶାଣୀ ଛାତିରେ ।
ଘଣ୍ଟାର କଣ୍ଟା ଗୁଡାକ
ଫେରି ଯାଆନ୍ତା କି କିଛି ବର୍ଷ ପୂର୍ବକୁ
ଯୋଉଠି ମୁଁ ଖେଳନ୍ତି
ତା ସହିତ ବାଲି ଖେଳ ।
ସକାଳୁ ସକାଳୁ ଦୁଇଟଙ୍କାର
ବାରମଜାକୁ ନେଇ
ଆମ ଭାଇ ଭଉଣୀ ଭିତରେ ଲାଗନ୍ତାଣି କଳି
ଘଡ଼ିଏ କୁଆଡେ ଗଲେ
ବାପା ମା ପକାନ୍ତେଣି ଖୋଜା ।
ଯୋଉଠି ଖୋଜିବାକୁ
ପଡନ୍ତାନି ପ୍ରେମ
ନଥାନ୍ତା ତୁମ ପ୍ରତାରଣା
ଯୌବନ ଜୁଆରରେ
ଗରଜୁ ନଥାନ୍ତା ଏ ଦେହର ଭୋକ ।
ମୋ ମୁଣ୍ଡରେ ଲଦା ହୁଅନ୍ତାନି
ତୁମକୁ ନଛୁଇଁବି ଛୁଇଁବାର ଦୋଷ
ଅମୃତକୁ ଛୁଇଁବାକୁ ଅହରହ ଦଉଡୁ ଦଉଡୁ ମିଳନ୍ତାନି ବିଷ ।
ମୋ କର୍ଣ୍ଣ ଗହ୍ୱରରେ ଅହରହ ପ୍ରତିଧ୍ବନିତ ହୁଅନ୍ତାନି
ଜୀବନ ଜୀବିକା ର କରୁଣ ଚିତ୍କାର ।
ଶବ୍ଦରେ ଶବ୍ଦ ଗୁଡାକ ଯୋଡି
ଗୁଡାଏ ମିଛ କାହାଣୀ ଲେଖୁ ଲେଖୁ
ମୋ ଜୀବନ ର ସତ ଲାଗୁଥିବା ଚରିତ୍ର ଗୁଡାକ
ପାଲଟି ଯାଆନ୍ତେନି ମିଛ ।
ମୁଁ ଭୁଲିଯା'ନ୍ତି ସବୁ ଦୁଃଖ
ମୋର ନଥାନ୍ତା କିଛି ଅବଶୋଷ
ମୋ ଦେହ ମନକୁ ନଷ୍ଟ କରୁ ନଥାନ୍ତା
ଏ ଅଦେଖା ଦହନ ।
ମୋ ଓଠରେ ଭରିଦିଅ ହସ
ହେ ସମୟ ତୁମେ ଫେରିଆସ ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା