
ପ୍ରେମ ନୁହେଁ ଏକ ମାଟିର କଣ୍ଢେଇ
ଭାଙ୍ଗିଗଲେ ଗଢି ଦେବ
ପ୍ରେମ ନୁହେଁ ଏକ ଏମିତି ପଦାର୍ଥ
ବଜାରରୁ କିଣି ହେବ।
ପ୍ରେମ ନୁହେଁ ପୁଣି ପାଦର ଅଳତା
ଧୋଇ ଦେଲେ ଲିଭି ଯିବ
ପ୍ରେମ ନୁହେଁ ଏକ ବାଲିର ମନ୍ଦିର
ପାଣିରେ ଭୁଷୁଡିଯିବ।
ପ୍ରେମ ନୁହେଁ ଏକ ସୂତାର ବନ୍ଧନ
ଟାଣି ଦେଲେ ଛିଣ୍ଡି ଯିବ
ପ୍ରେମ ନୁହେଁ ଏକ ତଇଲ ସଳିତା
ପବନରେ ଲିଭିଯିବ।
ପ୍ରେମ ନୁହେଁ ଏକ ସକାଳର ଛାଇ
ସଂନ୍ଧ୍ୟାରେ ଉଭେଇ ଯିବ
ପ୍ରେମ ନୁହେଁ ଏକ ପ୍ରତିବିମ୍ବ ଟିଏ
ରୂପ ତା’ର ଦେଖି ହେବ।
ପ୍ରେମ ନୁହେଁ ଏକ ପ୍ରବାହିତ ନଦୀ
ଚାହିଁଲେ ଅଟକି ଯିବ
ପ୍ରେମ ନୁହେଁ ଏକ ଅସରନ୍ତି ପଥ
ଚାଲି ଚାଲି ଥକିଯିବ।
ପ୍ରେମ ନୁହେଁ ଏକ କାଗଜର ଡଙ୍ଗା
ପାଣିରେ ଯେ ଭାସିଯିବ
ପ୍ରେମ ନୁହେଁ ଏକ ବରଷାର ଧାର
ବରଷି ସେ ଥମିଯିବ।
ପ୍ରେମ ନୁହେଁ ଏକ ପର ଥିବା ପକ୍ଷୀ
ଦୂର ଆକାଶେ ଉଡିବ
ପ୍ରେମ ନୁହେଁ ଏକ ଝରାଫୁଲ ଟିଏ
ଝରି ଝରି ମରିଯିବ ।
ପ୍ରେମଶିଲା ରାଉତ
ବୃନ୍ଦାବାହାଲ, ଗୋଲାମୁଣ୍ଡା, କଳାହାଣ୍ଡି